ହେଗଲି ଓଭାଲ୍,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ହେଗଲି ଓଭାଲ୍ରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ଯୁବ ପେସ ବୋଲର ଗୁରନୁର ବରାରଙ୍କୁ ଡେବ୍ୟୁ ସୁଯୋଗ ମିଳିପାରେ। ରେଭ ସ୍ପୋର୍ଟସ୍ରେ ରିପୋର୍ଟ ଅନୁସାରେ, ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ବରାରଙ୍କୁ ସାମିଲ କରିବା ନେଇ ଟିମ ମ୍ୟାନେଜମେଣ୍ଟ ବିଚାର କରୁଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରି ପ୍ଲେୟର ଅଫ ଦି ସିରିଜ ହୋଇଥିବା ବରାରଙ୍କୁ ସୁଯୋଗ ମିଳିଲେ ଏହା ତାଙ୍କ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ ହେବ।
ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବାର ୧୭ ବର୍ଷର ଅପେକ୍ଷା ଶେଷ କରିବା ଲକ୍ଷ୍ୟରେ ଭାରତ ଦ୍ୱିତୀୟ ଟେଷ୍ଟକୁ ଓହ୍ଲାଇବ। ୱେଲିଂଟନ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। ଫଳରେ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୦-୦ରେ ରହିଛି। ତେଣୁ ହେଗଲି ଓଭାଲରେ ହେବାକୁ ଥିବା ଶେଷ ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ।
ପ୍ରଥମ ଟେଷ୍ଟରେ ବ୍ୟାଟିଂ ଅନୁକୂଳ ପିଚ୍ରେ ଭାରତ ୭୦୦ରୁ ଅଧିକ ରନ କରିଥିଲା। ପାଞ୍ଚ ଦିନର ମ୍ୟାଚ୍ରେ ମୋଟ ୪୦୭ ଓଭର ବୋଲିଂ ହୋଇଥିବା ବେଳେ ମାତ୍ର ୨୪ଟି ଉଇକେଟ ପଡ଼ିଥିଲା। କେଏଲ ରାହୁଲ ଶତକ ହାସଲ କରିଥିଲେ। ଅନ୍ୟପଟେ ଜଶପ୍ରୀତ ବୁମ୍ରା ଉଭୟ ପାଳିର ପ୍ରଥମ ଓଭରରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମଙ୍କ ଆଉଟ କରି ନିଜ ଦକ୍ଷତା ଦେଖାଇଥିଲେ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସବୁଠାରୁ ବଡ଼ ଚିନ୍ତା ହେଉଛି ଦ୍ରୁତ ବୋଲିଂ ଆକ୍ରମଣର ଚୟନ। ବୋଲରଙ୍କ ଭୂମିକା ପାଇଁ ଗୁରନୂର ବରାର ଓ ପ୍ରସିଦ୍ଧ କୃଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ବାଛିପାରେ ଟିମ ମ୍ୟାନେଜମେଣ୍ଟ।
ଗୁରନୁରଙ୍କୁ ସୁଯୋଗ ମିଳିଲେ ନ୍ୟୁଜିଲାଣ୍ଡର ପରିସ୍ଥିତିରେ ସେ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ରୋଚକ ହେବ। ପ୍ରଥମ ଟେଷ୍ଟ ଡ୍ର’ ରହିଥିବାରୁ ଦଳରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି। ତଥାପି ଗୁରନୂରଙ୍କୁ ନେଇ ଚର୍ଚ୍ଚା ଦ୍ୱିତୀୟ ଟେଷ୍ଟକୁ ଆହୁରି ରୋଚକ କରିଦେଇଛି। ଅନ୍ୟପଟେ ଘରୋଇ ଦଳ ନ୍ୟୁଜିଲାଣ୍ଡର ନଜର ଅଭିଜ୍ଞ ପେସର ମ୍ୟାଟ ହେନ୍ରୀଙ୍କ ଉପରେ ରହିବ। ହେଗଲି ଓଭାଲରେ ତାଙ୍କ ରେକର୍ଡ ଚମତ୍କାର। ଏହି ପଡ଼ିଆରେ ଖେଳିଥିବା ୮ଟି ଟେଷ୍ଟ ମ୍ୟାଚ୍ରେ ସେ ୪୦ଟି ଉଇକେଟ ନେଇଛନ୍ତି।
Dharitri – Odisha’s No.1 Odia Daily

