ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ ତିମିରେକୁ ସେହି ତିମିରେ। ମହିଳା ସଂରକ୍ଷଣ ଆଇନ ପୁଣି ଗର୍ଭଗୃହକୁ ଫେରିଗଲା। ଦୀର୍ଘ ୮ବର୍ଷର ଗର୍ଭଯନ୍ତ୍ରଣା ପରେ ୨୦୨୩ରେ ଜନ୍ମ ନେଇଥିଲା ମହିଳା ସଂରକ୍ଷଣ ଆଇନ – ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’। ହେଲେ ଦିନର ଆଲୋକ ଦେଖିବା ପୂର୍ବରୁ ତାକୁ ପୁଣି ଅନ୍ଧାର ଭିତରକୁ ଠେଲି ଦିଆଗଲା।
ଏପ୍ରିଲ ୧୬ରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଗଲା। ସମ୍ବିଧାନର ହେବ ୧୦୮ତମ ସଂଶୋଧନ। ବିରୋଧୀ ଦଳ ହଡ଼ବଡ଼େଇଗଲେ। ୫ ରାଜ୍ୟର ନିର୍ବାଚନ ଭିତରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ନ ଥିଲା ଏକ ସାଧାରଣ ଓ ସ୍ବାଭାବିକ ଘଟଣା। ଅଧିବେଶନ ବସିଲା। ସଂଖ୍ୟାଗରିଷ୍ଠତା ଅଭାବରୁ ସଂଶୋଧନ ବିଲ୍‌ କାଟ ଖାଇଗଲା। ସେତିକିରେ କଥା ସରିଲା ନାହିଁ। ଉଭୟ ଶାସକ ଓ ବିରୋଧୀଙ୍କ ତରଫରୁ ଚାଲିଲା ବାଦ-ପ୍ରତିବାଦ, ସଭା ସମାବେଶ। ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେଶନ)କୁ ବିରୋଧୀମାନେ ପ୍ରତ୍ୟାଖ୍ୟାନ କରିଦେଲେ। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସହ ଡିଲିମିଟେଶନକୁ ସଂଯୁକ୍ତ କରିବାର ଯଥାର୍ଥତା ସମ୍ପର୍କରେ ପ୍ରଶ୍ନ ଉଠିଲା। ଆସନ ସଂଖ୍ୟା ବୃଦ୍ଧି ହେଲେ ମହିଳାମାନଙ୍କ ପାଇଁ ସଂରକ୍ଷଣ ହେବ ନ ହେଲେ ନାହିଁ- ଏ କି ପ୍ରକାର ମାନସିକତା! ବର୍ତ୍ତମାନ ଲୋକ ସଭାରେ ଥିବା ୫୪୩ଟି ଆସନରୁ ମହିଳାମାନେ କାହିଁକି ଏକ-ତୃତୀୟାଂଶ ନ ପାଇବେ? ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେବ। ଦୟା! ଜନସଂଖ୍ୟାକୁ ଭିତ୍ତିକରି ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କରାଗଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ରାଜନୈତିକ ଅଭିସନ୍ଧିର ଶିକାର ହେବେ ବୋଲି ଯୁକ୍ତି ଉପସ୍ଥାପନ କରାଗଲା। ଯେଉଁ ରାଜ୍ୟଗୁଡ଼ିକ ସରକାରୀ ଯୋଜନାକୁ ନିଷ୍ଠାର ସହ କାର୍ଯ୍ୟକାରୀକରି ଜନସଂଖ୍ୟା ବୃଦ୍ଧିକୁ ନିିୟନ୍ତ୍ରଣ କରିପାରିଛନ୍ତି ସେମାନେ ବର୍ଦ୍ଧିତ ଆସନରୁ ଭାଗ ପାଇବେ ନାହିଁ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ବୃଦ୍ଧି ଘଟିଲେ କେନ୍ଦ୍ରର କ୍ଷମତାସୀନ ଦଳ ରାଜନୈତିକ ଫାଇଦା ହାସଲ କରିବ ବୋଲି ବିରୋଧୀମାନେ ଅଭିଯୋଗ ଆଣିଲେ। ଏହା ଅବଶ୍ୟ ଅଯୁକ୍ତିକର ନୁହେଁ।
ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ଦ୍ଧାରିତ ନିର୍ବାଚନମଣ୍ଡଳୀ ସୀମା ରାଜନୀତିରୁ ଊର୍ଦ୍ଧ୍ୱରେ ନୁହେଁ- ଆମେ ଏହାକୁ ହାଡ଼େ ହାଡ଼େ ଉପଲବ୍ଧି କରୁଛନ୍ତି। ଗମନାଗମନ ଓ ଭୌଗୋଳିକ ସ୍ଥିତିକୁ ବିଚାର ନ କରି ଅନେକ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ କରାଯାଇଛି। ଏହାକୁ ନେଇ ଅଞ୍ଚଳବାସୀ ମଧ୍ୟ ବିଭିନ୍ନ ସମୟରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମାତ୍ର ସେଥିରେ କିଛି ସଂଶୋଧନ ଏଯାଏ ହୋଇପାରି ନାହିଁ। ଯାହା ଥିଲା ସେହିପରି ରହିଆସିଛି। ଏବେ ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିବାର ବାଧ୍ୟବାଧକତା ଥିବାରୁ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ କଥାଟା ଉଠୁଛି। ନ ହେଲେ ଉଠି ନ ଥାନ୍ତା।
ଆମ ଦେଶରେ ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅଧିକାଂଶ ଆସନ ଜମିଦାରି ଭଳି ଅଧିକୃତ ହୋଇଆସିଛି। ପ୍ରାର୍ଥୀ ଯେତେ ଅସାଧୁ, ଅଶିକ୍ଷିତ, ଅସାମାଜିକ ଓ ଦୁର୍ନୀତିଗ୍ରସ୍ତ ହୋଇଥିଲେ ମଧ୍ୟ ସାଧାରଣ ଲୋକେ ତାଙ୍କ ସପକ୍ଷରେ ଭୋଟ ଦିଅନ୍ତି। କାରଣ ଯାହା ଥାଉ ପଛେ ତାକୁ କେହି ତର୍ଜମା କରନ୍ତି ନାହିଁ। ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନକୁ ଦେଖିଲେ ଅନେକ କଥା ସ୍ବତଃ ସ୍ପଷ୍ଟ ହୁଏ। ଏହାସହ ଆମ ଦେଶରେ ଚାଲି ଆସିଥିବା ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସମସ୍ତଙ୍କର ତିକ୍ତ-ମଧୁର ଅନୁଭୂତି ଅଛି। ନଁାକୁ କେବଳ ଗଣତନ୍ତ୍ର ଚାଲିଛି! ଯେଉଁମାନେ ଯୁଗ ଯୁଗ ଧରି ଉତ୍ତରାଧିକାରୀ ଭାବେ ଆସନ ହାତେଇଛନ୍ତି ସେମାନେ ନିଜ ଆସନର ମୋହ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ମହିଳାଙ୍କ ଭାଗ କଥା ପଚାରେ କିଏ? ସେଥି ଯୋଗୁ ଲୋଡ଼ାପଡ଼ିଛି ଆସନ ସଂଖ୍ୟା ବୃଦ୍ଧି। ସେମାନଙ୍କ ଜମିଦାରି ସୁରକ୍ଷିତ ରହିବ, ମହିଳାଙ୍କ ପାଇଁ ଆସନର ଅଭାବ ବି ପଡ଼ିବ ନାହିଁ। କେତେ ବିଜ୍ଞ ଆମ ରାଷ୍ଟ୍ର ନାୟକମାନେ!
ମହିଳା ସମାବେଶରେ ଆମ ନେତାମାନେ ମହିଳାମାନଙ୍କୁ ଶିଖରକୁ ଉଠାଇ ଦେଇ ଏମିତି ଭାଷଣବାଜି ଚଳାଇବେ ଯେ ଜଣେ ଭାବି ନେବ ଏଥର ମହିଳାମାନେ ସର୍ବେସର୍ବା ହେବେ। କିନ୍ତୁ ମଞ୍ଚରୁ ଓହ୍ଲାଇଗଲେ ଅସଲ ସ୍ବରୂପଟା ପ୍ରକଟିତ ହୋଇଯାଏ। ପୁରୁଷତାନ୍ତ୍ରିକ ସମାଜର ମାନସିକତା ପୁଣି କାୟାବିସ୍ତାର କରେ। ଏପରି ଦୃ୍‌ଷ୍ଟାନ୍ତର ଅଭାବ ନାହିଁ।
ପୂର୍ବେ ମହିଳାମାନଙ୍କୁ ଭୋଟ ଅଧିକାର ଦିଆଯାଇ ନ ଥିଲା। ବହୁ ସଂଘର୍ଷ ଓ ସଂଗ୍ରାମ ପରେ କେତୋଟି ଦେଶ ସେମାନଙ୍କୁ ଭୋଟ ଅଧିକାର ଦେଇଛନ୍ତି। ଆଫଗାନିସ୍ତାନ ପରି କେତୋଟି ଦେଶ ଏଯାଏ ସେ ଅଧିକାର ଦେବା ତ ଦୂରର କଥା ସ୍ବାଧୀନତା ଟିକିଏ ବି ଦେଇ ନାହାନ୍ତି। ଆଉ କେତୋଟି ଦେଶରେ ଭୋଟଦାନ ଅଧିକାର ଅଛି, ମାତ୍ର ନିର୍ବାଚନରେ ଲଢ଼ିବାର ଅଧିକାର ନାହିଁ।
ଭାରତରେ ମହିଳାମାନଙ୍କ ସ୍ଥିତି ଯାହା ଆମେ ତ ଦୈନନ୍ଦିନ ଜୀବନରେ ଅଙ୍ଗେ ନିଭାଉଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା ଭିତରେ ଯେଉଁ ମହିଳାମାନେ ନିର୍ବାଚିତ ହୁଅନ୍ତି ସେଠାରେ ସେମାନେ ନୁହେଁ , ବରଂ ସେମାନଙ୍କ ସ୍ବାମୀମାନେ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି। ମତଦାନ କ୍ଷେତ୍ରରେ ସାଧାରଣତଃ ମହିଳାମାନେ ନିଜସ୍ବ ନିଷ୍ପତ୍ତି ନେଇପାରି ନ ଥାନ୍ତି। ପରିବାରର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ମତଦାନ କରିଥାନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ ହେଉଛନ୍ତି ଦ୍ୱିତୀୟ ଶ୍ରେଣୀର ନାଗରିକ। ସ୍ବାଧୀନତା ଓ ଅଧିକାର ସେମାନଙ୍କର ସଙ୍କୁଚିତ। ସେହି ସୀମିତତା ଯୋଗୁ ଆଜି ସଂରକ୍ଷଣର ପ୍ରଶ୍ନ ଉଠିଛି।
ବହୁ ସଂଗ୍ରାମରୁ ଜନ୍ମିତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଏବେ ବି ପୂର୍ଣ୍ଣ ଜୀବନ ପାଇ ନାହିଁ। ସଂଶୟ ଓ ପକ୍ଷପାତିତାର ଅନ୍ଧଗଳିରେ ଶ୍ୱାସରୁଦ୍ଧ ହୋଇ ପଡ଼ି ରହିଛି। ଏହାକୁ ପୂର୍ଣ୍ଣକ୍ଷମ କରିବା ନିମିତ୍ତ ମହିଳାମାନଙ୍କ ବିଭାଜିତ ନୁହେଁ, ବରଂ ସମ୍ମିଳିତ ସ୍ବର ହିଁ ଏକମାତ୍ର ଚାବିକାଠି, ଦ୍ୱିତୀୟ ବିକଳ୍ପ ନାହିଁ।

ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?