ନୂଆଦିଲ୍ଲୀ, ୪।୧୧: ସମାଜବାଦୀ ପାର୍ଟି (ଏସ୍ପି) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଗାମୀ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ରାଜନୈତିକ ଘୋଷଣା କରିଛନ୍ତି। ମଙ୍ଗଳବାର ବାରାଣସୀ ଗସ୍ତ ସମୟରେ ଖବରଦାତାମାନଙ୍କ ସହ ଆଲୋଚନା କରିବା ବେଳେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ୨୦୨୭ ବିଧାନସଭା ନିର୍ବାଚନ ନିଜେ ଲଢ଼ିବେ ନାହିଁ, ବରଂ ନିର୍ବାଚନ ଜିତି ସିଧାସଳଖ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
ଯେତେବେଳେ ଖବରଦାତାମାନେ ଅଖିଳେଶ ଯାଦବଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ୨୦୨୭ରେ ୟୁପିର କୌଣସି ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ କି, ସେତେବେଳେ ସେ ଭିନ୍ନ ଅନ୍ଦାଜରେ ଜବାବ ଦେଇଥିଲେ। ଏସ୍ପି ଅଧ୍ୟକ୍ଷ କହିଥିଲେ, ”ଆମେ ସେତେବେଳେ ମୁଖ୍ୟମନ୍ତ୍ରୀ ହେଉ, ଯେତେବେଳେ ନିର୍ବାଚନ ଲଢ଼ୁ ନାହୁଁ। ତେଣୁ ସେୟା କରିବୁ ଯାହା ଆମ ପାଇଁ ଶୁଭ ଅଟେ।“ ଅଖିଳେଶ ୨୦୧୨ ନିର୍ବାଚନର ଉଦାହରଣ ଦେଇ ମନେ ପକାଇ ଦେଇଥିଲେ ଯେ ସେହି ସମୟରେ ମଧ୍ୟ ସେ କନ୍ନୌଜରୁ ଲୋକ ସଭା ସାଂସଦ ଥିଲେ ଏବଂ ବିଧାନସଭା ନିର୍ବାଚନଲଢ଼ି ସିଧାସଳଖ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କହିଥିଲେ ଯେ ଏଥର ମଧ୍ୟ ସେ ଲୋକସଭାରେ ଥାଇ ସିଧାସଳଖ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।

