ଛିଣ୍ଡୁନି ଆଖଡ଼ାଶାଳୀ ବନ୍ଦର ଝମେଲା

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ଆଖଡ଼ାଶାଳୀଠାରେ ମହାନଦୀ ମୁହାଣରେ ନଦୀଭିତ୍ତିକ ବନ୍ଦର ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ଘୋଷଣା ହେବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବନ୍ଦର ନିର୍ମାଣ ପାଇଁ ହେବାକୁ ଥିବା ବୁଝାମଣା ପତ୍ର (ଏମ୍‌ଓୟୁ) ଲାଗି ବାଟ ଫିଟି ପାରୁନାହିଁ। ରାଜସ୍ବ ଧାର୍ଯ୍ୟକୁ ନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ(ପିପିଟି) ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ହୋଇ ପାରୁନାହିଁ।

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଆଖଡ଼ାଶାଳୀ ନଦୀଭିତ୍ତିକ ବନ୍ଦର ପାଇଁ ନିକଟରେ ପିପିଟି ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସେହିସମୟରେ ବନ୍ଦର ପଣ୍ୟକାରବାର ଉପରେ ରାଜ୍ୟ ସରକାର ୫ରୁ ୧୨% ପର୍ଯ୍ୟନ୍ତ ରୟାଲ୍‌ଟି ଦାବି କରିଥିଲେ। ହେଲେ ବନ୍ଦର ଚଳାଇବା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଯାହା ପଇଠ କରିବ ସେହି ଆଧାରରେ ରୟାଲ୍‌ଟି ଦେବାକୁ ପିଟିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉଛି। ଏହାଦ୍ୱାରା ରାଜ୍ୟର ବହୁକୋଟି ଟଙ୍କାର ରାଜସ୍ବ କ୍ଷତି ହୋଇପାରେ। ଫଳରେ ରାଜ୍ୟ ସରକାର ଏହି ପ୍ରସ୍ତାବ ଉପରେ ରାଜି ହେଉନାହାନ୍ତି। ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବାକୁ ପିପିଟିକୁ ରାଜ୍ୟ ସରକାର କହିଥିବା ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ଜଣାପଡ଼ିଛି। ଆସନ୍ତା ୨ ମାସ ମଧ୍ୟରେ ପିପିଟି ଏ ନେଇ ଚୂଡ଼ାନ୍ତ ପ୍ରସ୍ତାବ ଦେବ। ତା’ ପରେ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଏମ୍‌ଓୟୁ ସ୍ବାକ୍ଷର ହୋଇପାରେ ବୋଲି ସୂଚନା ମିଳିଛି।
ଆଖଡ଼ାଶାଳୀରେ ନଦୀଭିତ୍ତିକ ବନ୍ଦରକୁ ସରକାରୀ ଘରୋଇ ଭାଗୀଦାରି (ପିପିପି) ମାଧ୍ୟମରେ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୪ଟି ଘରୋଇ ସଂସ୍ଥା ରିକ୍ୟୁଏଷ୍ଟ ଫର୍‌ ପ୍ରପୋଜାଲ(ଆର୍‌ଏଫ୍‌ପି) ଦେଇଥିଲେ। ମାତ୍ର ଉକ୍ତ ସଂସ୍ଥାଗୁଡ଼ିକ ଏମ୍‌ଓୟୁ ସ୍ବାକ୍ଷର କରିବା ବଦଳରେ ସମୟ ଗଡ଼ାଇ ଚାଲିଥିଲେ। ଘରୋଇ ସଂସ୍ଥା ଆଗ୍ରହ ନ ଦେଖାଇବାରୁ ରାଜ୍ୟ ସରକାର ଏହି ବନ୍ଦରର ବିକାଶ କରିବାକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ପାରାଦୀପ ପୋର୍ଟ ଟ୍ରଷ୍ଟ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ୨୦୨୦ ଏପ୍ରିଲ ସୁଦ୍ଧା ଏମ୍‌ଓୟୁ ସ୍ବାକ୍ଷର ହୋଇଥାଆନ୍ତା। ମାତ୍ର କରୋନା ମହାମାରୀ ଯୋଗୁ ଏମ୍‌ଓୟୁ ସ୍ବାକ୍ଷର ପାଇଁ ରାସ୍ତା ବାହାରି ପାରି ନ ଥିଲା। ଦୁଇବର୍ଷ ପରେ ପୁଣି ଏ ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ବନ୍ଦରର ବିକାଶ ପାଇଁ ପିପିଟି ୪ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ। ଏଥିରେ ବାର୍ଷିକ ୪୫.୮୮ ନିୟୁତ ଟନ୍‌ ପଣ୍ୟ କାରବାର ହେବ ବୋଲି ଆକଳନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ବନ୍ଦର ପାଇଁ ୧୭୫ ହେକ୍ଟର ଜମିର ଆବଶ୍ୟକତା ରହିଛି। ପରବର୍ତ୍ତୀ ସମୟରେ ଏହାର କ୍ଷମତା ବୃଦ୍ଧି କରିବାକୁ ଆହୁରି ୧୩୦ ହେକ୍ଟର ଜମିର ଆବଶ୍ୟକତା ପଡ଼ିବ। ଏହି ବନ୍ଦରରୁ ପୂର୍ଣ୍ଣ କାରବାର ପାଇଁ ଜାତୀୟ ରଜାପଥ ନଂ. ୫୩ ଏବଂ ହରିଦାସପୁର- ପାରାଦୀପ ସହିତ ରେଳଲାଇନ ସଂଯୋଗ କରାଯିବ। ଏଥିରେ ପ୍ରାୟ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେନ୍ଦ୍ର ସରକାର ରାଜି ହେବା ପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ପିପିଟି ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ସମେତ ଏକ ଉଚ୍ଚସ୍ତରୀୟ ଟିମ୍‌ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିଥିଲେ।
କେବଳ ଆଖଡ଼ାଶାଳୀ ନୁହେଁ, ୧୬ ବର୍ଷ ପରେ ମଧ୍ୟ ରାଜ୍ୟରେ ନୂଆ ବନ୍ଦର ବିକାଶ ନେଇ ସେପରି କିଛି ଆଖିଦୃଶିଆ ପ୍ରଗତି ହୋଇନାହିଁ। କେବଳ ପାରାଦୀପ ଓ ଧାମରା ବନ୍ଦରକୁ ଛାଡିଦେଲେ ଅନ୍ୟ ୧୩ ପ୍ରସ୍ତାବିତ ବନ୍ଦର କୋର୍ଟ କଚେରି ମାମଲା ଏବଂ ଘରୋଇ କମ୍ପାନୀଙ୍କ ଅନାଗ୍ରହ ଯୋଗୁ ଆଗେଇ ପାରୁନାହିଁ। ରାଜ୍ୟ ସରକାର ଘରୋଇ ଭାଗୀଦାରିରେ ପୁରୁଣା ଓ ନୂଆ ପ୍ରସ୍ତାବିତ ବନ୍ଦର ବିକାଶ କରିବାକୁ ୨୦୦୪ରେ ବନ୍ଦର ନୀତି କାର୍ଯ୍ୟକାରୀ କରିଥିଲେ। ଜଳପଥ ପରିବହନଠାରୁ ଆରମ୍ଭ କରି ଶିଳ୍ପ, ନୂତନ ବନ୍ଦର ଚିହ୍ନଟ, ବନ୍ଦରଭିତ୍ତିକ ଭିତ୍ତିଭୂମି ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି। ନୂତନ ବନ୍ଦର ପାଇଁ ଏକ ସାମୁଦ୍ରିକ (ମାରିଟାଇମ) ବୋର୍ଡ ଗଠନ କରାଯାଇଛି। ଏହି ବୋର୍ଡ ବନ୍ଦର ନିର୍ମାଣ ପାଇଁ ଜମି, ପାଣି, ବିଦ୍ୟୁତ୍‌ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରିବା ପାଇଁ ସିଙ୍ଗଲଓ୍ବିଣ୍ଡୋ ଭାବେ କାର୍ଯ୍ୟ କରିବ। ଏହାଛଡ଼ା ଏହି ବୋର୍ଡ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ପରିବେଶ ମଞ୍ଜୁରୀ ଭଳି ବିଭିନ୍ନ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ କାର୍ଯ୍ୟ କରିବ। ଏହାଦ୍ୱାରା ରାଜ୍ୟର ରପ୍ତାନି, ଆମଦାନୀ, ଜାତୀୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ବୃଦ୍ଧି ପାଇବ। ରାଜ୍ୟରେ ଥିବା ବୃହତ୍‌ ଓ କ୍ଷୁଦ୍ର ବନ୍ଦରଗୁଡ଼ିକର ବିକାଶ କ୍ଷେତ୍ରରେ ଏହି ନୀତି କାର୍ଯ୍ୟ କରିବ। ଏହାଛଡ଼ା ଜାହାଜ ନିର୍ମାଣ, ମରାମତି କ୍ଷେତ୍ରରେ ମଧ୍ୟ ଏହି ନୀତି ସହାୟତା କରିବ।
ପରିବହନ ବ୍ୟବସ୍ଥାର ବିକାଶ କରିବା ପାଇଁ ବନ୍ଦରଗୁଡ଼ିକ ସହିତ ନଦୀକୁ ସଂଯୋଗ କରିବା ଲକ୍ଷ୍ୟରେ ବନ୍ଦର ନୀତି କରାଯାଇଛି। ହେଲେ ଏହି ଲକ୍ଷ୍ୟ କେବଳ ଲକ୍ଷ୍ୟରେ ହିଁ ରହିଯାଇଛି। ଚିହ୍ନଟ ହୋଇଥିବା ପ୍ରସ୍ତାବିତ ବନ୍ଦର ବିକାଶ କରିବାକୁ ଘରୋଇ ସଂସ୍ଥା ଆଗ୍ରହ ଦେଖାଉନାହାନ୍ତି। ପାରାଦୀପ ଓ ଗୋପାଳପୁର ବନ୍ଦରକୁ ବାଦ୍‌ଦେଲେ ରାଜ୍ୟରେ ୧୩ଟି ପ୍ରସ୍ତାବିତ ବନ୍ଦର ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହବଳପୁର, ଚାନ୍ଦିପୁର, ଇଞ୍ଜୁଡି, ଭଦ୍ରକ ଜିଲାର ଚୂଡାମଣି, ଧାମରା, ଜଗତ୍‌ସିଂହପୁର ଜିଲାର ଜଟାଧାର ମୁହାଣ, ପୁରୀ ଜିଲାର ଅସ୍ତରଙ୍ଗ, ବାଲିହରଚଣ୍ଡୀ, ଗଞ୍ଜାମ ଜିଲାର ପାଲୁର, ବାହୁଦା ମୁହାଣ ଏବଂ କେନ୍ଦ୍ରାପଡ଼ା ଜିଲାର ଆଖଡ଼ାଶାଳୀ। ଏଥିମଧ୍ୟରୁ ବିଚିତ୍ରପୁର, ବାହାବଳପୁର, ଚାନ୍ଦିପୁର, ଜଟାଧାର, ବାଲିହରଚଣ୍ଡୀ, ପାଲୁର, ବାହୁଦା ଏବଂ ଇଞ୍ଜୁଡି ପ୍ରସ୍ତାବିତ ବନ୍ଦର କେବଳ ବିଜ୍ଞପ୍ତିରେ ସୀମିତ ହୋଇ ରହିଯାଇଛି।
ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ମୁହାଣ ବନ୍ଦର ପାଇଁ ୨୦୦୬ ଡିସେମ୍ବର ୧୮ରେ ଏକ ଘରୋଇ ସଂସ୍ଥା ସହ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଥିଲା। ଏହି ବନ୍ଦର ପାଇଁ ୨୬୨.୬୮୯ ଏକର ଜମି ଅଧିଗ୍ରହଣ ହୋଇଥିଲା। ହେଲେ ୧୪ ବର୍ଷ ପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ଚୂଡ଼ାମଣି ବନ୍ଦର ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ୨୦୦୧ ଅକ୍ଟୋବର ୨୨ରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯାଇଛି। ଧାମରା ବନ୍ଦର ପାଇଁ ଇଣ୍ଟରନ୍ୟାଶନାଲ ସି ପୋର୍ଟ ୧୯୯୭ରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲା। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ପରେ ଏହି ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅସ୍ତରଙ୍ଗ ବନ୍ଦର ବିକାଶ ପାଇଁ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ସହ ୨୦୧୦ରେ ଚୁକ୍ତିପତ୍ର ସ୍ବାକ୍ଷର କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। କେବଳ ଗୋପାଳପୁର ବନ୍ଦର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?