ଆଫଗାନିସ୍ତାନ: ଅତୀତ ଓ ବର୍ତ୍ତମାନ

କିଶୋର ଜେନା

ତାଲିବାନ୍‌ ଏକ ଉଗ୍ର ମୌଳବାଦୀ ସଂଗଠନ ରୂପେ ସାରା ବିଶ୍ୱ ଜାଣେ। ତାହାରି ହାତରେ ଆମେରିକା ଆଫଗାନିସ୍ତାନକୁ ଟେକିଦେଲା। ଆମେରିକା-ତାଲିବାନ୍‌ ଚୁକ୍ତି ସମୟରେ ଆଫଗାନିସ୍ତାନରେ ଥିବା ଆମେରିକାର ଅନୁଗୃହୀତ ସରକାରକୁ ମଧ୍ୟ ଡକାଗଲା ନାହିଁ। ପାକିସ୍ତାନକୁ ମଧ୍ୟ ନୁହେଁ, ଯିଏ ପୂର୍ବରୁ ଆଫଗାନିସ୍ତାନ ସହ ଜେନେଭାରେ ରାଜିନାମା କରିଥିଲା। ଏହା ସହ ପ୍ରତିବେଶୀ ଇରାନ୍‌, ରୁଷ, ଚାଇନା, ଏପରିକି ଆଫଗାନିସ୍ତାନରେ ବିପୁଳ ପରିମାଣର ପୁଞ୍ଜି ନିବେଶ କରିଥିବା ଆମେରିକାର ଏକାନ୍ତ ଅନୁଗତ ଭାରତକୁ ମଧ୍ୟ ବିଶ୍ୱାସକୁ ନିଆଗଲା ନାହିଁ।
କାତାରର ଦୋହାଠାରେ ଏହି ଚୁକ୍ତି ସ୍ବାକ୍ଷରିତ ହେବା ପରେ ତାଲିବାନ୍‌ ବିଜୟ ଉତ୍ସବ ପାଳନ କରିଥିଲା। ତାଲିବାନୀମାନେ ଜାଣିଥିଲେ, ଯେ ପର୍ଯ୍ୟନ୍ତ ଆମେରିକାର ସେନା ଆଫଗାନିସ୍ତାନରେ ରହିଥିବେ, ସେମାନଙ୍କ କ୍ଷମତା ଦଖଲ ସମ୍ଭବ ନୁହେଁ। ଆଫଗାନିସ୍ତାନରେ ଅଲ୍‌କାଏଦା ଓ ଏହାର ପ୍ରଶ୍ରୟଦାତା ତାଲିବାନ୍‌କୁ ଧ୍ୱଂସ କରିବାକୁ ଯାଇ ଆମେରିକା ଜନତାଙ୍କ କେତେ ଲକ୍ଷ କୋଟି ଡଲାର ଖର୍ଚ୍ଚ କରିଛି। ଅସଂଖ୍ୟ ଜନତା ମଧ୍ୟ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଲୋକ ଦେଶଛଡ଼ା ହୋଇଛନ୍ତି। ୨୦୨୧ରୁ ଆମେରିକା, ନାଟୋ ଓ ସହଯୋଗୀ ଦେଶଗୁଡ଼ିକର ୩୫୦୦ ସେନା ଏବଂ କେବଳ ଆମେରିକାର ୨୩୦୦ ସେନା ନିହତ ଓ ଆହତ ହୋଇଛନ୍ତି ୨୦,୬୬୦। ବ୍ରିଟିଶ୍‌ ସେନାର ନିହତଙ୍କ ସଂଖ୍ୟା ୪୫୦। ଦେଶ ଛାଡ଼ି ପଳାୟନ କରିଥିବା ରାଷ୍ଟ୍ରପତି ଘନିଙ୍କ ହିସାବରେ ୨୦୨୧ରୁ ସାମରିକ ବାହିନୀ ଓ ପୋଲିସ କର୍ମୀ ନିହତ ହୋଇଛନ୍ତି ୪୫ ହଜାରରୁ ବେଶି। କେବଳ ୨୦୦୯ରୁ ନିହତ ବେସାମରିକ ସାଧାରଣ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର। ଏହା ମଧ୍ୟରେ ଅର୍ଦ୍ଧେକ ହେଉଛନ୍ତି ତାଲିବାନୀ। ବ୍ରାଉନ୍‌ ବିଶ୍ୱବିଦ୍ୟାଳୟ ଗବେଷଣାର ସମୀକ୍ଷା ଅନୁସାରେ ସାଧାରଣ ଜନତାଙ୍କ ମୃତ୍ୟୁସଂଖ୍ୟା ଅନେକ ବେଶି ୭୮ ହଜାର, ପୋଲିସ ଓ ଆଫ୍‌ଗାନୀ ସେନାର ନିହତଙ୍କ ସଂଖ୍ୟା ୭୫ ହଜାର ୯୭୧, ବିରୋଧୀ ଯୋଦ୍ଧା ଓ ତାଲିବାନୀଙ୍କ ମୃତ୍ୟୁସଂଖ୍ୟା ୮୪,୬୯୧। ସମ୍ବାଦ ସରବରାହ ସଂସ୍ଥା ବିବିସି ମତରେ ଆମେରିକା ଓ ସହଯୋଗୀ ଦେଶର ସେନାମାନଙ୍କ ନିହତଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇପାରିବା ସମ୍ଭବ, କିନ୍ତୁ ସାଧାରଣ ଜନତା ଓ ତାଲିବାନୀ ନିହତଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବା ଆଦୌ ସମ୍ଭବ ନୁହେଁ। ୨୦୧୨ରୁ ଦେଶ ଛାଡ଼ି ଯାଇଥିବା ବା ନିଜ ଘର ଛାଡ଼ି ପଳାଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ। ଇରାନ୍‌ ଓ ପାକିସ୍ତାନରେ ଏହି ଶରଣାର୍ଥୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବାର ଖବର ବାରମ୍ବାର ପ୍ରକାଶ ପାଇଛି। ଜାତିସଂଘର ହିସାବ ଅନୁସାରେ ଦେଶ ଓ ଘରବାଡ଼ି ଛାଡ଼ିଥିବା ଲୋକଙ୍କ ସଂଖ୍ୟାଦୃଷ୍ଟିରୁ ଆଫଗାନିସ୍ତାନର ସ୍ଥାନ ତୃତୀୟ।
ଆମେରିକା ଆଫଗାନିସ୍ତାନର ଦଖଲ ପାଇଁ ୫୦ ବର୍ଷ ଧରି ପାକିସ୍ତାନକୁ ଘାଟି ରୂପେ ବ୍ୟବହାର କରିଛି। ୨୦୦୧ ସେପ୍ଟେମ୍ବରରେ ଆମେରିକା ଯୁକ୍ତରାଷ୍ଟ୍ରରେ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାର ରୂପ ବଦଳି ଯାଇଥିଲା। ପାକିସ୍ତାନ ମାଧ୍ୟମରେ ଆମେରିକା ଦ୍ୱାରା ପରିପୁଷ୍ଟ ମୁଜାହିଦ୍ଦିନ ଏବଂ ଏହାର ଏକ ଗୋଷ୍ଠୀ ତାଲିବାନୀଙ୍କର ବିପୁଳ ଅସ୍ତ୍ର, ଅର୍ଥ, ପ୍ରଶିକ୍ଷଣ ଦ୍ୱାରା ସୃଷ୍ଟି ହୋଇଥିବା ଅଲ୍‌କାଏଦା ବିରୋଧରେ ଯୁଦ୍ଧ ଘୋଷଣା କରେ ଆମେରିକା। ଆଫଗାନିସ୍ତାନ ବହୁଜାତିକ ଦେଶ। କେବେହେଲେ ଏଠାରେ କେନ୍ଦ୍ରୀୟ ଶାସନ ନ ଥିଲା। ବିଦେଶୀମାନେ ହଜାର ହଜାର ବର୍ଷ ଧରି ଲଢ଼େଇ କରି ବାରମ୍ବାର ଏ ଦେଶକୁ ଦଖଲ କରିଛନ୍ତି। ଅଭ୍ୟନ୍ତରରେ ଆଦିବାସୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ସଂଘର୍ଷ ମଧ୍ୟଯୁଗୀୟ ବ୍ୟବସ୍ଥାରେ ଚିରକାଳ ରହିଆସିଛି। ଏବେ ମଧ୍ୟ ସେଥିପାଇଁ ବିଦ୍ରୂପ କରି ପ୍ରାକ୍ତନ ଆମେରିକା ରାଷ୍ଟ୍ରପତି କହିଥିଲେ, ଆଫଗାନିସ୍ତାନକୁ ପ୍ରାଚୀନତ୍ୱର ଯାଦୁଘର ହିସାବରେ ବ୍ୟବହାର କରାଯାଏ। ଏଭଳି ଏକ ଦେଶ, ଯାହାର ୫ ଭାଗରୁ ୪ ଭାଗ ପାହାଡ଼, ପାକିସ୍ତାନଠାରୁ କିଛିଟା ଛୋଟ। ୟୁରୋପ ଏସିଆର ସଂଯୋଗସ୍ଥଳ। ପୁରୁଣା ସୋଭିଏତ୍‌ ୟୁନିୟନ ସହ ୨ ହଜାରରୁ ଅଧିକ କିଲୋମିଟରର ସୀମା, ପାକିସ୍ତାନ ସହ ମଧ୍ୟ ପ୍ରାୟ ସେହିପରି ସମାନ ସୀମା। ଏହାଛଡ଼ା ଇରାନ୍‌ ଏବଂ ଚାଇନା ସହ ସାମାନ୍ୟ ୯୫ କି.ମି.ର ସୀମାନ୍ତ। ତୈଳ, ଗ୍ୟାସ, ଲୁହା, ତମ୍ବା, କୋଇଲା ଇତ୍ୟାଦି ବିିଭିନ୍ନ ଖଣିଜ ପଦାର୍ଥରେ ଭରପୂର।
ଜାର୍‌ ଶାସିତ ରୁଷିଆ ଓ ପରାଧୀନ ବ୍ରିଟିଶ୍‌ ଶାସିତ ଭାରତ ଊନବିଂଶ ଶତାବ୍ଦୀର ଶେଷରେ ଆଫଗାନିସ୍ତାନ ଦଖଲ ପାଇଁ ଉଦ୍ୟମ କରିଥିଲେ। ବ୍ରିଟେନ୍‌ ତିନିଥର ଯୁଦ୍ଧ କରିଥିଲା। ରୁଷିଆ ବା ବ୍ରିଟେନ୍‌ କେହି ବଡ଼ଧରଣର ସଂଘର୍ଷ କରି ନ ଥିଲେ। ମଧ୍ୟଏସିଆକୁ ରକ୍ଷା କରିବାରେ ଜାର୍‌ଙ୍କ ସ୍ବାର୍ଥ ଥିବାବେଳେ ବ୍ରିଟେନ୍‌ର ଉଦ୍ଦେଶ୍ୟ ଥିଲା ସାମ୍ରାଜ୍ୟର ବିସ୍ତାର। ଆଫଗାନିସ୍ତାନର ଅର୍ଦ୍ଧେକ ଲୋକ ପାଶତୁନ ଜାତିର। ଏମାନେ ହିଁ ସଂଖ୍ୟାଗରିଷ୍ଠ। ଏମାନେ ହିଁ ହିନ୍ଦୁକୁଶର ଉତ୍ତରରେ ଜାରଙ୍କ ପ୍ରଭାବ ଏବଂ ପୁଶତିନ ବସ୍ତି ଅଞ୍ଚଳରେ ଆଫଗାନ୍‌ ଅମିରଙ୍କୁ ଭାଗ କରିବାକୁ ବ୍ରିଟିଶ୍‌ ୧୮୯୩ରେ ଏକ ଚୁକ୍ତିରେ ବାଧ୍ୟ କରେ। ବ୍ରିଟିଶ୍‌ ପ୍ରଶାସକ ଏମ୍‌. ଡୁରାଣ୍ଟ ଏକ ସୀମାରେଖା ଟାଣି ପାଶତୁନ ଆଦିବାସୀ ଅଧ୍ୟୁଷିତ ଆଫଗାନିସ୍ତାନର ଏକ ଅଂଶକୁ ବ୍ରିଟିଶ୍‌ ସାମ୍ରାଜ୍ୟରେ ସଂଯୁକ୍ତ କରିଦେଇଥିଲେ। ଏହା ଏବେ ପାକିସ୍ତାନରେ। ସମଗ୍ର ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା କେବେ କାହାରି ପକ୍ଷରେ ସମ୍ଭବ ହୋଇ ନାହିଁ। ତାଲିବାନ୍‌ ତା’ର ହିଂସାତ୍ମକ ଅଭିଯାନରେ ମଧ୍ୟ ସର୍ବୋଚ୍ଚ ୮୦ ଭାଗ ଦଖଲକୁ ନେଇପାରିଛି। ବଡ଼ ବଡ଼ ଜମି ମାଲିକ ଆଦିବାସୀ ଗୋଷ୍ଠୀର ଯୁଦ୍ଧଖୋର କ୍ଷମତାଶାଳୀମାନେ ସବୁବେଳେ ନିଜ ନିଜ ମଧ୍ୟରେ ସଂଘର୍ଷରେ ଲିପ୍ତ ଥାଆନ୍ତି। ଧର୍ମରେ ମଧ୍ୟଯୁଗୀୟ ବର୍ବରତାର ନିୟମାବଳୀ ଏଠାରେ ପ୍ରଚଳିତ।
ଇରାନ୍‌ରେ ୧୯୭୯ରେ ଆମେରିକାର କାଠପିତୁଳା ଶାହା ରାଜତ୍ୱକୁ ଉତ୍‌ଖାତ କରି ଇସ୍‌ଲାମିକ ବିପ୍ଳବ ହେଲା। ଠିକ୍‌ ସେହିପରି ଆଫଗାନିସ୍ତାନରେ ୧୯୭୮ରେ ସାମନ୍ତ ଶାସକଙ୍କୁ ଉତ୍‌ଖାତ କରି ପରିବର୍ତ୍ତନର ନେତୃତ୍ୱ ନେଲା ଆଫଗାନିସ୍ତାନ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି। ରାଷ୍ଟ୍ରପତି ହେଲେ ଯଥାକ୍ରମେ ନୁର୍‌ ମହମ୍ମଦ ତରାକୀ, ହପିଜୁଲ୍ଲା ଅମୀନ୍‌, ବାବ୍ରାକ୍‌ କର୍ମାଲ ଓ ଶେଷରେ ଜଣେ ଉଚ୍ଚଶିକ୍ଷିତ ଡାକ୍ତର ନଜିବୁଲ୍ଲା। ୧୯୨୧ଠାରୁ ଆଫଗାନିସ୍ତାନ ଏବଂ ସୋଭିଏତ୍‌ ୟୁନିୟନର ବନ୍ଧୁତ୍ୱପୂର୍ଣ୍ଣ ଓ ସହଯୋଗିତାର ଚୁକ୍ତି ଥିଲା। ସୋଭିଏତ୍‌ ୟୁନିୟନ ଆର୍ଥିକ ଓ ବୈଷୟିକ ନାନା ଭାବରେ ମଧ୍ୟ-ଏସିଆର ସଂଲଗ୍ନ ଆଫଗାନିସ୍ତାନକୁ ସହାୟତା କରୁଥିଲା। ସାମ୍ରାଜ୍ୟବାଦ କବଳରୁ ରକ୍ଷା କରିବାକୁ ସର୍ବଦା ସାହାଯ୍ୟ କରୁଥିଲା।
ଇରାନ୍‌ ଓ ଆଫଗାନିସ୍ତାନରେ ରାଜନୈତିକ ପରିବର୍ତ୍ତନରେ ମଧ୍ୟ-ଏସିଆ ନେଇ ସୋଭିଏତ୍‌ ୟୁନିୟନକୁ କୋଣଠେସା ଓ ବିପନ୍ନ କରିବା ଲକ୍ଷ୍ୟରେ ଆମେରିକା ପ୍ରଶାସନ ପାକିସ୍ତାନକୁ ହାତମୁଠାରେ ରଖି ଆଫଗାନିସ୍ତାନକୁ କବଳିତ କରିବାକୁ ଚେଷ୍ଟା କଲା। ସୃଷ୍ଟି ହେଲା ତାଲିବାନ୍‌। ଅର୍ଥ ଓ ଅସ୍ତ୍ର ଯୋଗାଇଲା ଆମେରିକା। ତାଲିମ ଦେଲା ପାକିସ୍ତାନ। ଉଦ୍ଦେଶ୍ୟ ପ୍ରଗତିଶୀଳ ଡ. ନଜିବୁଲ୍ଲା ସରକାରକୁ ହଟାଇବା। ବିରୋଧର ଉପତ୍ତ୍ତି ଏହିଠାରୁ। ଆମେରିକାର ଚକ୍ରାନ୍ତକୁ ବୁଝି ଆଫଗାନିସ୍ତାନର ନୂତନ ସରକାରର ଅନୁରୋଧକ୍ରମେ ୧୯୭୯ରେ ସୋଭିଏତ୍‌ ୟୁନିୟନ ପୁରୁଣା ଚୁକ୍ତି ଅନୁସାରେ ସେନା ପଠାଇଲା। ଦଶବର୍ଷର ଡକ୍ଟର ନଜିବୁଲ୍ଲାଙ୍କ ନେତୃତ୍ୱରେ ଗଠିତ ପିଡିପି ସରକାର ଅମଳରେ ବହୁ ପ୍ରଗତିଶୀଳ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଚାକିରି ଓ ପ୍ରଶାସନରେ ଏହି ସମୟରେ ଥିଲେ ଅର୍ଦ୍ଧାଧିକ ମହିଳା। କିନ୍ତୁ ସାମନ୍ତ ପ୍ରଭୁମାନେ ଏସବୁ ପରିବର୍ତ୍ତନକୁ ମାନିନେଇ ପାରିଲେ ନାହିଁ। ଏମାନେ ଆମେରିକା ଓ ପାକିସ୍ତାନ ସହାୟତାରେ ସନ୍ତ୍ରାସବାଦୀ ଗୋଷ୍ଠୀ ତିଆରି କରି ଦେଶ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଲାଗିଲେ।
କିନ୍ତୁ ୧୯୮୫ରୁ ସୋଭିଏତ୍‌ ୟୁନିୟନରେ ଗୋର୍ବାଚେଭ୍‌ଙ୍କ ନେତୃତ୍ୱରେ ସଂସ୍କାର ନାମରେ ନୂତନ ପନ୍ଥା ଅବଲମ୍ବନ କରାଗଲା। ଆଫଗାନିସ୍ତାନ ଓ ଅନ୍ୟ ଦେଶର ପ୍ରଗତିଶୀଳ ସରକାରକୁ ସୋଭିଏତ୍‌ ରୁଷ ଯେପରି ପୂର୍ବରୁ ସହାୟତା କରୁଥିଲା, ସେଥିରୁ ନିବୃତ୍ତ ରହିଲା। ଫଳରେ ଏହାର ପ୍ରତିକ୍ରିୟା ସ୍ବରୂପ ଆଫଗାନିସ୍ତାନରେ ପ୍ରତିକ୍ରିୟାଶୀଳ ମୌଳବାଦୀ ଶକ୍ତିମାନେ ପ୍ରଗତିଶୀଳ ନଜିବୁଲ୍ଲାଙ୍କ ପିଡିପି ସରକାର ବିରୋଧରେ ସନ୍ତ୍ରାସବାଦୀ ଅଭିଯାନ ଚଳାଇଲେ। ୧୯୮୮ରେ ଜେନେଭାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ଚୁକ୍ତି ସ୍ବାକ୍ଷରିତ ହେଲା। ଆମେରିକା ଓ ସୋଭିଏତ୍‌ ୟୁନିୟନ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସୋଭିଏତ୍‌ ୟୁନିୟନ ସେନା ପ୍ରତ୍ୟାହାରର ସମୟ ସୀମା ଘୋଷଣା କଲା। କିନ୍ତୁ ଦେଖାଗଲା, ପାକିସ୍ତାନ ରାଷ୍ଟ୍ରପତି ଜିଆ ଉଲ୍‌ ହକ୍‌ ଚୁକ୍ତି ପାଳନ ପାଇଁ ଉଦ୍ୟମ କଲେ ନାହିଁ। ଆମେରିକା ପ୍ରେସିଡେଣ୍ଟ ରେଗାନ ଘୋଷଣା କଲେ, ଆତଙ୍କବାଦୀ ମୁଜାହିଦ୍ଦିନଙ୍କୁ ସହାୟତା ବନ୍ଦ କରାଯିବ ନାହିଁ। ମୁଜାହିଦ୍ଦିନମାନେ ଜେନେଭା ଚୁକ୍ତିକୁ ମାନିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଗୋର୍ବାଚେଭ୍‌ଙ୍କ ସୋଭିଏତ୍‌ ୟୁନିୟନ ଏହି ଘଟଣାମାନ ଘଟିଯାଉଥିବାବେଳେ ନୀରବ ରହିଲା। ଆଫଗାନିସ୍ତାନର ଗଣତାନ୍ତ୍ରିକ ସଂସ୍କାର ଉପରେ ପାକିସ୍ତାନ ଓ ଆମେରିକା ଦ୍ୱାରା ସୃଷ୍ଟ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ଆକ୍ରମଣ ଏହି କାରଣରୁ ବହୁଗୁଣ ବଢ଼ିଚାଲିଲା। ୧୯୯୧ରେ ସୋଭିଏତ୍‌ ୟୁନିୟନର ଘଟନ ବିଘଟନ ଓ କମ୍ୟୁନିଷ୍ଟ ପାର୍ଟି କ୍ଷମତାରୁ ଅପସାରିତ ହେବା ପରେ ପରେ ଆମେରିକା ପ୍ରଶାସନ ‘ନୂତନ ବିଶ୍ୱ ବ୍ୟବସ୍ଥା ସୂଚନା’ ଘୋଷଣା କଲା। ସେପଟେ ଆଫଗାନିସ୍ତାନରେ ବର୍ଦ୍ଧିତ ସନ୍ତ୍ରାସ ଓ ବିରୋଧ ଯୋଗୁ ସରକାର ପଦତ୍ୟାଗ କଲା। ସୋଭିଏତ୍‌ ୟୁନିୟନର ପତନ ପରେ ମିଳିତ ଜାତିସଂଘ ୧୯୯୨ରେ ଆଫଗାନିସ୍ତାନରେ ଶାନ୍ତି ପ୍ରଚେଷ୍ଟାରେ ସମସ୍ତ ଆଫଗାନ୍‌ ଗୋଷ୍ଠୀକୁ ନେଇ ଏକ ସମ୍ମିଳନୀ କରିଥିଲା। ଏହା ବାହାରକୁ ଫଳପ୍ରସୂ ହେଲେ ମଧ୍ୟ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଅନ୍ତଃ-ସଂଘର୍ଷ ବଢ଼ି ଚାଲିଥିଲା।
୧୯୯୬ରେ ଏହି ସମୟରେ ତାଲିବାନ୍‌ କ୍ଷମତା ଦଖଲ କରିନେଲା। ଆମେରିକା-ପାକିସ୍ତାନ ତାଲିବାନ୍‌କୁ ସମର୍ଥନ କଲେ। ନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ନଜିବୁଲ୍ଲାଙ୍କୁ ରାଷ୍ଟ୍ରପତି ଭବନ ସାମ୍ନାରେ ବତିଖୁଣ୍ଟରେ ବାନ୍ଧି ଖୋଲାଖୋଲି ଗଣମାଧ୍ୟମ ସମ୍ମୁଖରେ ହତ୍ୟା କରାଗଲା ଓ ଶରୀରରୁ ମାଂସ ଗଳିବା ପର୍ଯ୍ୟନ୍ତ ଝୁଲାଇ ରଖାଗଲା।୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆମେରିକା ମଦ ପୁଷ୍ଟ ତାଲିବାନୀଙ୍କ ପାଶବିକ ଶାସନ ଏହି ଦୁଇ ବୈପରିତ୍ୟ ଦେଖିବାକୁ ମିଳେ।
୨୦ ବର୍ଷ ଆମେରିକା ଯୁଦ୍ଧରେ ଧ୍ୱଂସାତ୍ମକ ଅଭିଯାନ ଚଳାଇ ଶେଷରେ ଏହି ତାଲିବାନୀଙ୍କ ହାତରେ ଶାସନକୁ ତୋଳି ଦେଇଛି। ସାମ୍ପ୍ରତିକ ଘଟଣାବଳୀ ଆମେରିକା ସାମ୍ରାଜ୍ୟବାଦର ମିଥ୍ୟାଚାରକୁ ଉନ୍ମୋଚିତ କରିଛି। ଆଜି ତାଲିବାନ୍‌ର ଉତ୍‌ଥାନର ପଥକୁ ପ୍ରଶସ୍ତ କରିଛି ଆମେରିକା। ତାଲିବାନୀଙ୍କ ଉତ୍‌ଥାନ ପାଇଁ ଆମେରିକା ଯେତିକି ଦାୟୀ, ଏହାର ସହଯୋଗୀ ପାକିସ୍ତାନ ଓ ସାଉଦି ଆରବ ମଧ୍ୟ ସେତିକି ଦାୟୀ।
ଉତ୍କଳମଣି ମାର୍ଗ, ଚାଉଳିଆଗଞ୍ଜ, କଟକ
ମୋ: ୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri