କେନ୍ଦ୍ରାପଡ଼ା, ୨୪ା୧୦ (ଜଗନ୍ନାଥ ଧଳ): ଅକ୍ଟୋବର ମାସରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨୬ରୁ ୨୯ ତାରିଖ ମଧ୍ୟରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ପ୍ରଭାବ ଜିଲାରେ ପଡ଼ିପାରେ। ଏହି ସମୟରେ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବାର ଆଶଙ୍କା ରହିଛି।
ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରସ୍ତୁତି ବୈଠକ କରାଯାଉଛି। ସମ୍ଭାବ୍ୟ ବାତ୍ୟା ସମୟରେ ଉପୁଜିବାକୁ ଥିବା ସମସ୍ୟା ଓ ତାହାର ସମାଧାନ ନେଇ ଆଲୋଚନା ଜାରି ରହିଛି। ଏନେଇ ଶନିବାର ମଧ୍ୟାହ୍ନ ୧୨ଟାରେ ଜିଲାପାଳ ରଘୁରାମ ଆର୍. ଆୟାର ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ଖବରଦାତା ସମ୍ମିଳନୀ କରି ସମ୍ଭାବ୍ୟ ଝଡ଼ର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।
ଜିଲାପାଳଙ୍କ ସୂଚନା ଅନୁଯାୟୀ, ଜିଲାର ୧୧୩ଟି ପଞ୍ଚାୟତର ୩୭୩ଟି ଅତି ସମ୍ବେଦନଶୀଳ ଗ୍ରାମରେ ସାମୁଦ୍ରିକ ଝଡ଼ର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଥିପାଇଁ ଜିଲାର ସମସ୍ତ ବାତ୍ୟା ଓ ବହୁମୁଖୀ ଆଶ୍ରୟସ୍ଥଳୀ ସହ ବିଭିନ୍ନ ସ୍କୁଲ ଗୃହକୁ ଆବଶ୍ୟକ ସମୟରେ ବ୍ୟବହାର ଉପଯୋଗୀ କରିବାକୁ ପ୍ରସ୍ତୁତ କରାଯାଉଛି। ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ବାତ୍ୟା ସମୟରେ ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ ରଖିବା ଏବଂ ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ, ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଓଡ୍ରାଫ୍ ଟିମ୍ର ସହାୟତା ନିଆଯିବ। ବାତ୍ୟା ସମ୍ବେଦନଶୀଳ ଅଞ୍ଚଳରେ ଥିବା ଆଶ୍ରୟସ୍ଥଳୀଗୁଡ଼ିକରେ ଉପଲବ୍ଧ ସାମଗ୍ରୀର ଯାଞ୍ଚ କରାଯାଉଛି।
ସେହିପରି ପ୍ରତି ଗ୍ରାମରେ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି। ସମ୍ଭାବ୍ୟ ବାତ୍ୟା ସମୟରେ ପ୍ରସବ ସମୟ ନିକଟ ଥିବା ଗର୍ଭବତୀ, ଅସୁସ୍ଥ ବ୍ୟକ୍ତି ଓ ବୟସ୍କଙ୍କୁ ଆଗୁଆ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ସମ୍ବେଦନଶୀଳ ଅଞ୍ଚଳର ବାସିନ୍ଦାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯିବ। ଏନେଇ ସମସ୍ତ ବ୍ଲକ୍ ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା ମୁକାବିଲା ପାଇଁ ଜିଲାରେ ଶୁଖିଲା ଖାଦ୍ୟ, ପଲିଥିନ୍ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଛି। ଆସନ୍ତା ସପ୍ତାହରେ କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ। ଏଥିସହ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ, ଆସନ୍ତା ୨୫ ତାରିଖରୁ ନଭେମ୍ବର ୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ଚାଲିବ। ଏଥିପାଇଁ ଜିଲାର ବିଭିନ୍ନ ସ୍ଥାନରେ ପୂଜା କମିଟି ପକ୍ଷରୁ ଶତାଧିକ ବଡ଼ ବଡ଼ ଅସ୍ଥାୟୀ ତୋରଣ ନିର୍ମାଣ କରାଯାଇଛି। ସମ୍ଭାବ୍ୟ ଝଡ଼କୁ ଦୃଷ୍ଟିରେ ରଖି ଏହି ତୋରଣଗୁଡ଼ିକୁ ଖୋଲିଦେବା ପାଇଁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ୨୯ ତାରିଖରେ ସମ୍ଭାବ୍ୟ ଝଡ଼ର ପ୍ରଭାବ ହ୍ରାସ ପାଇବା ପରେ ୩୦ ତାରିଖରୁ ପୁନର୍ବାର ତୋରଣ ନିର୍ମାଣ ପାଇଁ ଅନୁମତି ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ।
ଜିଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଯାଇଛି। ଏଣୁ ଜନସାଧାରଣ ଆତଙ୍କିତ ନ ହୋଇ ସତର୍କ ରହିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।

