ଘରୋଇହିଂସାର ସମାଧାନ

ସାଧାରଣତଃ ଆମ ସମାଜରେ ଝିଅମାନଙ୍କୁ ବାଲ୍ୟକାଳରୁ ମାତା ପିତା ଓ ଅଭିଭାବକମାନେ ଶିକ୍ଷା ଦେଇଥାଆନ୍ତି କି ‘ଝିଅ ଜନମ ପର ଘରକୁ’, ‘ଶାଶୁଘରକୁ ପାଲିଙ୍କିରେ ବସି ଯିବାକୁ ହୁଏ ଓ ସେଠାରୁ କେବଳ କୋକେଇରେ ବାହାରିବାକୁ ପଡ଼େ’। ତେଣୁ ଶାଶୁଘରେ ସବୁ ଚୁପ୍‌ଚାପ୍‌ ସହି, ବ୍ୟବସ୍ଥିତ କରି ଚଳିବାକୁ ପଡ଼ିବ। ଏହି ପ୍ରକାରର ମାନସିକତା ଘରୋଇ ହିଂସାକୁ କେତେକାଂଶରେ ପ୍ରୋତ୍ସାହିତ କରିଥାଏ।
ଘରୋଇ ହିଂସା ହେଉଛି ଯେକୌଣସି ସମ୍ପର୍କରେ ଅପମାନଜନକ ଆଚରଣର ଏକ ନମୁନା, ଯାହା ଅନ୍ୟ ଜଣେ ଅନ୍ତରଙ୍ଗ ସହଯୋଗୀ ଉପରେ ଶକ୍ତି ହାସଲ କରିବା କିମ୍ବା ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୁଏ; ଯେଉଁଥିରେ ଯୌନ, ଅର୍ଥନୈତିକ, ଶାରୀରିକ, ଭାବପ୍ରବଣ, ମାନସିକ କିମ୍ବା ବୈଷୟିକ ନିର୍ଯାତନା କିମ୍ବା ନିର୍ଯାତନାର ଧମକ କିମ୍ବା ଅନ୍ୟାନ୍ୟ ବ୍ୟବହାର ଅନ୍ତର୍ଭୁକ୍ତ। ଏହା ସହିତ ବାଧ୍ୟତାମୂଳକ ଆଚରଣ ଯାହା କି ଅନ୍ତରଙ୍ଗ ସହଭାଗୀ ସମ୍ପର୍କ ମଧ୍ୟରେ ଅନ୍ୟ ଜଣକୁ ପ୍ରଭାବିତ କରେ ଘରୋଇ ହିଂସାର ଏକ ଉଦାହରଣ ମଧ୍ୟ।
ଆମ ସମାଜରେ କେତେକ ମହିଳା ବାଲ୍ୟକାଳରୁ ନିଜ ପରିବାର ମଧ୍ୟରେ ମା’ଙ୍କୁ ବାପାଙ୍କଠାରୁ ମାଡ଼ ଖାଇବା, ଖୁଡ଼ୀ କକାଙ୍କଠାରୁ ଓ ଭାଉଜ ଭାଇଙ୍କଠାରୁ ମାଡ଼ ଖାଇବା ପରି ଦୃଶ୍ୟ ଦେଖି ଆସିଥାଆନ୍ତି। ତେଣୁ ସେମାନେ ନିଜେ ଯେତେବେଳେ ଶାଶୁଘରେ ଏପରି ଘଟଣାର ଶିକାର ହୁଅନ୍ତି ସେତେବେଳେ ଏହାକୁ ଏକ ସାଧାରଣ ଘଟଣା ବୋଲି ଭାବି ସହିଯାଆନ୍ତି ଓ ଅନୁଭବ କରନ୍ତି କି ଏହା ତ ଆମଘରେ ମଧ୍ୟ ହେଉଥିଲା ତେଣୁ ଏଥିରେ ବିରୋଧ କରିବାର ନାହିଁ କି କିଛି ବିଚଳିତ ହେବାର ନାହିଁ।
ଆମେ ଧ୍ୟାନଦେବା ଉଚିତ ଯେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ କେବଳ ସର୍ବସାଧାରଣ ସ୍ଥାନରେ ଘଟେ ନାହିଁ। ‘ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ’ ତଥ୍ୟ ମହିଳାମାନଙ୍କୁ ସୁରକ୍ଷିତ ସ୍ଥାନରେ ମଧ୍ୟ ଅସୁରକ୍ଷିତ ବୋଲି ଦର୍ଶାଏ। ସଦ୍ୟ ପ୍ରକାଶିତ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ ତଥ୍ୟ ସୂଚିତ କରେ ଯେ, ୧୮ ରୁ ୪୯ ବର୍ଷ ମଧ୍ୟରେ ୨୯.୩% ବିବାହିତ ମହିଳା ଘରୋଇ କିମ୍ବା ଯୌନହିଂସାର ସମ୍ମୁଖୀନ ହୋଇଛନ୍ତି। ୨୦୨୧ରେ ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧ ୨୩% ବୃଦ୍ଧି ପାଇଥିଲା। ଏହା ସହ ମହିଳାଙ୍କ ପ୍ରତି ଅପରାଧ ଦୃଷ୍ଟିରୁ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଥିଲା।
ମହିଳାମାନେ ନିଜ ଜୀବନରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଲିଙ୍ଗଗତ ହିଂସା ଏବଂ ଭେଦଭାବର ସମ୍ମୁଖୀନ ହୁଅନ୍ତି। ସେମାନଙ୍କ ମଧ୍ୟରେ ଅନେକ ଘରୋଇହିଂସାର ଉଦାହରଣ। ପ୍ରସବପୂର୍ବ ପର୍ଯ୍ୟାୟରେ ଗର୍ଭନିରୂପଣ ଓ ଗର୍ଭପାତ, ଶିଶୁ ଅବସ୍ଥାରେ ଶିଶୁକନ୍ୟା, ବାଲ୍ୟବିବାହ, ଯୌନଶୋଷଣ, ଦୁଷ୍କର୍ମ, ନିଷିଦ୍ଧସମ୍ପର୍କ ଏବଂ ଶିଶୁ ଶ୍ରମିକ, କିଶୋର ଅବସ୍ଥାରେ ବେଶ୍ୟାବୃତ୍ତି ପାଇଁ ବାଧ୍ୟକରିବା, ଗଣଦୁଷ୍କର୍ମ, ଯୌନଶୋଷଣ, ଡେଟିଂ ଏବଂ ପ୍ରେମବ୍ୟାପାର ହିଂସା (ଏସିଡ୍‌ମାଡ଼ର ଶିକାର) ପ୍ରଜନନ ଅବସ୍ଥାରେ ସ୍ବାମୀ ଓ ଶାଶୁଘର ଲୋକଙ୍କ ଦ୍ୱାରା ନିର୍ଯାତନା, ବୈବାହିକ ଦୁଷ୍କର୍ମ ଓ ଯୌତୁକ ନିର୍ଯାତନା ଏବଂ ବୃଦ୍ଧାବସ୍ଥାରେ ବିଧବା ଓ ବୃଦ୍ଧ ନିର୍ଯାତନା ଓ ଦୁଷ୍କର୍ମ ଇତ୍ୟାଦି ଶୋଷଣର ସମ୍ମୁଖୀନ ହୋଇଥାଆନ୍ତି।
ପରିବାର ଭିତରେ ଓ ଆନୁଷଙ୍ଗିକ ଅବସ୍ଥାରେ ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ଆମ ସମ୍ବିଧାନରେ ପ୍ରତ୍ୟାଭୂତ ହୋଇଥିବା ଅଧିକ ସୁରକ୍ଷା ଯୋଗାଇଦେବା ନିମନ୍ତେ ‘ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଆଇନ,୨୦୦୫ର ପ୍ରଣୟନ କରାଯାଇଛି। ଏହା ବ୍ୟତୀତ ଭାରତୀୟ ଦଣ୍ଡ ସଂହିତା ଏବଂ ସ୍ବତନ୍ତ୍ର ନିୟମ ଅନୁଯାୟୀ ଅପରାଧ ହେଉଛି- ଦୁଷ୍କର୍ମ (୩୭୬ ଆଇପିସି), ଅପହରଣ ଏବଂ ହରଣଚାଳ (୩୬୩-୩୭୩ ଆଇପିସି), ଯୌତୁକଜନିତ ହତ୍ୟା (୩୦୨/୩୦୪ ବି- ଆଇପିସି), ମାନସିକ ଏବଂ ଶାରୀରିକ ନିର୍ଯାତନା (୪୯୮ ଏ -ଆଇପିସି), ଉତ୍ପୀଡନ (୩୫୪ ଆଇପିସି), ଯୌନ ଉତ୍ପୀଡନ (୫୦୯ ଆଇପିସି), ୨୧ ବର୍ଷ ବୟସ ପର୍ଯ୍ୟନ୍ତ ବାଳିକା ଆମଦାନୀ (୩୬୬ବି ଆଇପିସି)। ଏଥିସହ ସରକାର ଅନୈତିକ ମାନବ ବ୍ୟାପାର ନିବାରଣ ଆଇନ ୧୯୫୬, ବାଲ୍ୟବିବାହ ନିଷିଦ୍ଧ ଆଇନ ୧୯୭୯, ମହିଳା ଅଶିଷ୍ଟ ରୂପଣ ପ୍ରତିଷେଧ ଆଇନ ୧୯୮୬ ଇତ୍ୟାଦି କାର୍ଯ୍ୟକାରୀ କରିଛନ୍ତି। ଏହା ବ୍ୟତୀତ ମହିଳା କମିଶନ, ଆଇନସେବା ପ୍ରାଧୀକରଣ ଓ ମିଶନ ଶକ୍ତି ଇତ୍ୟାଦି ସରକାରଙ୍କ ତରଫରୁ ଖୋଲା ଯାଇଛି। କୌଣସି ହିଂସାର ଶିକାର ହୋଇଥିବା ମହିଳାମାନଙ୍କୁ ଗୋଟିଏ ସ୍ଥାନରେ ସବୁ ପ୍ରକାର ସହାୟତା ଯୋଗାଇ ଦେବା ନିମନ୍ତେ ୨୦୧୫ ଏପ୍ରିଲ ୧ ରୁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ‘ସଖୀ’ନାମକ ଏକ ଅନୁଷ୍ଠାନ ମଧ୍ୟ କାର୍ଯ୍ୟ କରୁଛି। ଯେଉଁଥିରେ ହିଂସାର ଶିକାର ହୋଇଥିବା ମହିଳା ମାନଙ୍କୁ ତୁରନ୍ତ ଉଦ୍ଧାର କରିବା, ପୋଲିସ ଓ ଚିକିତ୍ସାସେବା ଯୋଗାଇଦେବା, ଆଶ୍ରୟଦେବା ଓ ଆଇନସେବା ଗୋଟିଏ ସ୍ଥାନରେ ଯୋଗାଇଦେବା ଇତ୍ୟାଦିର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ବିବାହ ଓ ପରିବାରଜନିତ ମାମଲାର ତୁରନ୍ତ ବିଚାର ନିମନ୍ତେ ପରିବାର ଅଦାଲତର ବ୍ୟବସ୍ଥା ରହିଛି।
ଦଶନ୍ଧି ପରେ ଦଶନ୍ଧି, ଶତାବ୍ଦୀ ପରେ ଶତାବ୍ଦୀ ବିତି ଯାଉଛି କିନ୍ତୁ ମହିଳାମାନଙ୍କ ଅବସ୍ଥା ସୁଧୁରିପାରୁ ନାହିଁ। ମହିଳାମାନେ ପକ୍ଷପାତିତା, ଅତ୍ୟାଚାର, ଶୋଷଣ, ଆକ୍ରମଣ ଓ ଅପମାନ ଇତ୍ୟାଦିର ଶିକାର ହୋଇ ଆସୁଛନ୍ତି। ବେଦଶାସ୍ତ୍ରରେ ସର୍ବଦା ନାରୀକୁ ମା’, ଜନ୍ମଦାତ୍ରୀ ଓ ଦେବୀର ମାନ୍ୟତା ଦେଇ ଆସିଥିଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ନାରୀ ହିଂସାର ଶିକାର ହୋଇ ଆସୁଛି। ପତ୍ନୀର ମୃତ୍ୟୁ ହୋଇଗଲେ ମାସଟିଏ ନ ଯାଉଣୁ ସ୍ବାମୀ ସଂଗେ ସଂଗେ ଦ୍ୱିତୀୟ ବିବାହ କରିବା ପାଇଁ ଆଗେଇ ଆସୁଛି ଓ ସେଥିପାଇଁ ପରିବାର ଏବଂ ସମାଜ ସର୍ବଦା ସହାୟତା କରୁଛି। ଅଥଚ ସ୍ବାମୀର ମୃତ୍ୟୁ ହୋଇଗଲେ ସ୍ତ୍ରୀକୁ ବିଧବାର ଆଖ୍ୟା ଦିଆଯାଇ ଜୀବନ ସାରା ଶ୍ୱେତବସ୍ତ୍ର ପରିଧାନ କରିବା, ନିରାମିଷ ଭୋଜନ କରିବା, ଶୁଭ କାର୍ଯ୍ୟରେ ଭାଗ ନ ନେବା ଇତ୍ୟାଦି କଷଣ ଦିଆଯାଉଛି। ଅଳ୍ପ ବୟସରେ ବିଧବା ହୋଇଯାଉଥିବା ମହିଳାମାନଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେବା ସହିତ ସବୁ ଅଧିକାରରୁ ବଞ୍ଚତ୍ତ କରୁଛନ୍ତି ତା’ ସହିତ ବାପଘରେ ମଧ୍ୟ ଜନ୍ମକଲା ମାତାପିତା,ଭାଇଭାଉଜ ଓ ମଉସା ମାଉସୀମାନେ ତାକୁ ଅଶୁଭ କହି ମାଡ଼ଗାଳି ଦେବା ସହିତ ଘରୁ ତଡ଼ି ରାସ୍ତାରେ ଛାଡ଼ିଦେବା ପାଇଁ ମଧ୍ୟ ପଛାଉ ନାହାନ୍ତି। ପରିବାର ମଧ୍ୟରେ ଏସବୁ ହିଂସାପଛରେ ନାରୀମାନଙ୍କର ହିଁ ପ୍ରଚ୍ଛନ୍ନ ହାତଥିବା ଜଣାପଡ଼େ। ଯେଉଁମାନେ ଏସବୁ ନିର୍ଯାତନା ଦେଉଛନ୍ତି ସେମାନେ କେବେହେଲେ ଭାବିପାରନ୍ତି ନାହିଁ ଯେ ଆଜି ଯାହା ସେମାନେ କରୁଛନ୍ତି କାଲି ସେଇ ଘଟଣା ତାଙ୍କ ଜୀବନରେ ଓ ତାଙ୍କ ପରିବାରରେ ମଧ୍ୟ ଘଟିପାରେ। ଆଜି ଯେଉଁ ବିଧବା ନାରୀକୁ ସେମାନେ ତିରସ୍କାର କରି ନିର୍ଯାତନା ଦେଇ ଘରୁ ବାହାର କରିଛନ୍ତି କାଲି ସେଇ ଅବଳା ଅସହାୟ ବିଧବାର ଆଖିର ଲୁହରେ ତାଙ୍କ ଘର ମଧ୍ୟ ଉଜୁଡ଼ି ଯାଇପାରେ।
ମହିଳାମାନଙ୍କ ମଧ୍ୟରେ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ମାଗଣା ଆଇନ ସହାୟତା ସମାଜକୁ ମଜଭୁତ କରିବା, ପରିବାର କୋର୍ଟ ଏବଂ ପରିବାର ପରାମର୍ଶର ପ୍ରଭାବଶାଳୀ କାର୍ଯ୍ୟ, ଉଦ୍ଧାର ଗୃହ ଉପରେ ନଜର ରଖିବା ଏବଂ ବିଭିନ୍ନ ଆଇନର କାର୍ଯ୍ୟକାରିତା, ସଚେତନତା, ମହିଳାଙ୍କ ଆଇନଗତ ସାକ୍ଷରତା ଭଳି ପଦକ୍ଷେପ ଗ୍ରହଣ କରି ଘରୋଇ ହିଂସା ହ୍ରାସ କରାଯାଇପାରିବ। ଆମ ପରିବାର ମଧ୍ୟରେ ଝିଅମାନଙ୍କୁ ଛୋଟ ବେଳୁ ଅବଳା ଦୁର୍ବଳା କହିବା ଅଭ୍ୟାସକୁ ପରିତ୍ୟାଗ କରିବାକୁ ପଡ଼ିବ। ହିଂସାକୁ ବିରୋଧ କରିବା ଏହା ବ୍ୟତୀତ, ଆମେ ଏହି ସଂଯୋଗରେ ଆମର ମାନସିକତା ପରିବର୍ତ୍ତନ କରିବା ଉଚିତ।

  • ଡ. ସମୀର କୁମାର ନନ୍ଦ
    କଚେରି ସାହି, ଦେବଗଡ
    ମୋ.-୯୪୩୭୨୧୮୯୧୭

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri