ସରକାର ମରୁଡ଼ି ସ୍ବୀକାର କରନ୍ତୁ: ବିରୋଧୀ

ଭୁବନେଶ୍ୱର,୭।୯(ବ୍ୟୁରେ): ରାଜ୍ୟରେ ସ୍ବଳ୍ପ ବର୍ଷା ଯୋଗୁ ଅନେକ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷକାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ମରୁଡ଼ି ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋଶନ ଅଣାଯାଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ ‘ରାଜ୍ୟରେ ସାମ୍ପ୍ରତିକ ଅନାବୃଷ୍ଟି ଏବଂ ତଜ୍ଜନିତ ପରିସ୍ଥିତି’ ସମ୍ପର୍କରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ମୋଶନ ଆଣିଥିଲେ। ଏହି ମୋଶନ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶାରେ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ଏହାକୁ ନେଇ ଗମ୍ଭୀର ନାହାନ୍ତି। ମରୁଡିକୁ ନେଇ ସରକାର ସବୁବେଳେ ଉପରଠାଉରିଆ ଉତ୍ତର ଦେଉଛନ୍ତି। ୨୨ ବର୍ଷ ସରକାର କରିବା ପରେ ମରୁଡି ପ୍ରତିକାର ପାଇଁ ଆଉ କେତେବର୍ଷ ନେବେ। ଜଳସେଚନ ଅଭାବରୁ ରାଜ୍ୟରେ ମରୁଡି ସୃଷ୍ଟି ହୋଇଛି, ସରକାର ଏକଥାକୁ ସ୍ବୀକାର କରିବା ଦରକାର। ଜଳସେଚନ ନ ହେବାରୁ ରାଜ୍ୟରେ ସ୍ଥିତି ଦୟନୀୟ ହେବାକୁ ଯାଉଛି। ଜାତୀୟସ୍ତରରେ ଜଳସେଚନ ୫୩% ରହିଥିବା ବେଳେ ପଞ୍ଜାବ ଓ ହରିୟାଣା ଭଳି କମ୍‌ ବର୍ଷା ହେଉଥିବା ରାଜ୍ୟରେ ୯୫% ଜଳସେଚନ ସୁବିଧା ରହିଛି। ୨୨ ବର୍ଷ କ୍ଷମତାରେ ରହିଲେ, ଗୋଟିଏ ବି ନଦୀବନ୍ଧ କରିପାରିଲେ ନାହିଁ। ଆମେ ସବୁବେଳେ ବିରୋଧୀ ଦଳରେ ବସିବୁ, ହେଲେ ରାଜ୍ୟର ଚାଷୀକୁଳକୁ ରକ୍ଷା କରିବା ପାଇଁ ସରକାର ଯୋଜନା କରନ୍ତୁ। ଚାଷୀ ଭାସିଗଲେ ଆମେ ସମସ୍ତେ ଭାସିଯିବା ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଯାହା କହନ୍ତି, ତାହା କରନ୍ତି ନାହିଁ। ୨୦୦୮ରେ ଚାଷୀଙ୍କୁ ମାଗଣାରେ ବିଜୁଳି ଦେବେ ବୋଲି କହିଥିଲେ। ତାହା କଲେ ନାହିଁ। ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ କରିବେ ବୋଲି ଘୋଷଣା କରିିଥିଲେ। ସେ ବି ସେମିତି ରହିଗଲା। ଲୋୟର ସୁକତେଲ ପ୍ରକଳ୍ପ କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ପ୍ରକଳ୍ପ କାମ ଶେଷ ହୋଇ ନାହିଁ। ଜଳସେଚନ ପାଇଁ କେନ୍ଦ୍ରୀୟ ଅନୁଦାନ କମି କମି ଯାଉଛି। ରାଜ୍ୟ ସରକାର ଭାଜପା ସହ ମିଶିକରି ରହିଛନ୍ତି। ଉପା ସରକାର ବେଳେ ମୁହଁ ଖୋଲୁଥିଲେ। ଏବେ କିନ୍ତୁ ଚୁପ ରହିଛନ୍ତି। ମରୁଡି ହେଉଛି ବୋଲି ସମସ୍ତେ କହୁଛନ୍ତି। ତେବେ ରାଜ୍ୟ ସରକାର ମରୁଡି ଘୋଷଣା କାହିଁକି କରୁନାହାନ୍ତି ତାହା ବୁଝାପଡୁନାହିଁ। ସରକାର ମରୁଡି ପାଇଁ ସ୍ଥାୟୀ ପ୍ରତିକାର ଲାଗି ପଦକ୍ଷେପ ନିଅନ୍ତୁ। ମରୁଡି ଯୋଗୁ ଚାଷୀ ଆତ୍ମହତ୍ୟା କଲେଣି। ସରକାର ଏହାକୁ ଗୁରୁତର ସହ ନିଅନ୍ତୁ ବୋଲି ସେ କହିଛନ୍ତି।
ବିଜେଡି ସଭ୍ୟ ଭୂପିନ୍ଦର ସିଂ କହିଛନ୍ତି, ଅନାବୃଷ୍ଟି ଯୋଗୁ ରାଜ୍ୟରେ ମରୁଡି ପରିସ୍ଥିତି ହୋଇଛି। ମରୁଡି ବିଷୟରେ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଭୂତଳ ଜଳ ସ୍ତର ତଳକୁ ଖସୁଛି। ଚାଷୀ ହସିଲେ ଦେଶ ହସିବ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମ୍ଭାବ୍ୟ ମରୁଡିକୁ ନେଇ ସରକାର ସଜାଗ ଅଛନ୍ତି। କେନ୍ଦ୍ର ସରକାର ନିୟମ କରିଛନ୍ତି, ଅକ୍ଟୋବର ୩୦ ସୁଦ୍ଧା ବର୍ଷା ନ ହେଲେ ମରୁଡି ଘୋଷଣା କରାଯିବ। ଏଠାରେ ଭାଜପା ସଭ୍ୟମାନେ କିପରି ମରୁଡି ଘୋଷଣା ଲାଗି ଦାବି କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଠିକ୍‌ ସମୟରେ ବୀମା କମ୍ପାନୀ ଅର୍ଥ ଦେଉ ନାହିଁ। ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଦରଦ ଥିଲେ ଠିକ୍‌ ସମୟରେ ସାର ମିଳିପାରନ୍ତା ବୋଲି ସେ କହିଛନ୍ତି। ଏହି ଆଲୋଚନାରେ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ନବ ଚରଣ ମାଝୀ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ଅଧିରଞ୍ଜନ ପାଣିଗ୍ରାହୀ, ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ ସାମଲ, ଦେବେଶ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ, କିଶୋର ନାଏକ, ରାଜ କିଶୋର ଦାସ ଏବଂ ସ୍ବରୂପ ଦାସ ଭାଗ ନେଇଥିଲେ।
ଶେଷରେ ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ଖରିଫ ଚାଷ ବର୍ଷା ଉପରେ ନିର୍ଭରଶୀଳ। ଓଡ଼ିଶାରେ ସାଧାରଣତଃ ବାର୍ଷିକ ହାରାହାରି ୧୪୫୧.୨ ମିମି ବୃଷ୍ଟିପାତ ହୋଇଥାଏ। ସେଥିରୁ ୭୯ ଭାଗ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ। ଚଳିତ ବର୍ଷ କମ୍‌ ବର୍ଷା ହୋଇଥିବାରୁ ଧାନ ଓ ଅଣଧାନ ଚାଷରେ ବିଳମ୍ବ ହୋଇଛି। ଜୁନ୍‌ରେ ୧୬.୬% ଏବଂ ଜୁଲାଇରେ ୨୧.୩% କମ୍‌ ବୃଷ୍ଟିପାତ ହୋଇଛି। ସେହିପରି ଅଗଷ୍ଟରେ ସ୍ବାଭାବିକଠାରୁ ୪୪.୭% କମ୍‌ ବର୍ଷା ହୋଇଛି। ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୨୯.୩%ରୁ କମ୍‌ ବର୍ଷା ହୋଇଛି। ରାଜ୍ୟରେ ମୋଟ ୫୬.୩୩ ଲକ୍ଷ ହେକ୍ଟର ଚାଷ ହୋଇଛି, ଯାହାକି ଧାର୍ଯ୍ୟଲକ୍ଷ୍ୟର ୯୧% ହେବ। ଗତବର୍ଷ ଏହି ସମୟ ମଧ୍ୟରେ ୯୩% ଜମିରେ ଚାଷ ହୋଇଥିଲା। ଫସଲର ସ୍ଥିତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ନିକଟରେ ଜିଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବା ସହ କମ୍‌ ବୃଷ୍ଟିପାତ ଅଞ୍ଚଳରେ ଜରୁରିକାଳୀନ ଶସ୍ୟ ଯୋଜନା କରାଯାଇଛି। କମ୍‌ ବୃଷ୍ଟିପାତ ଯୋଗୁ ୮ ବୃହତ୍‌ ଜଳଭଣ୍ଡାର ଓ ୧୩ ମଧ୍ୟମ ଜଳଭଣ୍ଡାର ସ୍ଥିତି ଭଲ ନ ଥିବା ବେଳେ ୧୫ଟି ମଧ୍ୟମ ଓ କ୍ଷୁଦ୍ର ଜଳଭଣ୍ଡାର ପ୍ରାୟତଃ ଶୁଷ୍କ ଅବସ୍ଥାରେ ରହିଛି। ମହାନଦୀ ଡେଲ୍‌ଟା ଜଳସେଚନ ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ବ୍ୟାରେଜ ଜଳସେଚନ ପାଇଁ ଅସମର୍ଥ ରହିଛନ୍ତି। ଜଳସେଚନ ବିଭାଗର ଆକଳନ ଅନୁଯାୟୀ ସମସ୍ତ ବୃହତ୍‌ ଜଳଭଣ୍ଡାର ମାଧ୍ୟମରେ ୯,୬୯,୩୬୪ ହେକ୍ଟର ଖରିଫ ଫସଲ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥିଲା। ଚଳିତ ମାସରେ ମଧ୍ୟ ଏହି ଖରିଫ ଜଳସେଚନ ଅବ୍ୟାହତ ରହିପାରେ। ପୂର୍ବରୁ ଓଡ଼ିଶା ରିଲିଫ କୋଡ୍‌ର ପରିଚ୍ଛେଦ ୨୯ ଏବଂ ରାଜ୍ୟ ସରକାରଙ୍କ ଫସଲ କଟା ପରୀକ୍ଷଣ ପଦ୍ଧତି ମାଧ୍ୟମରେ ରାଜ୍ୟରେ ମରୁଡି ଘୋଷଣା କରି ସହାୟତା ଦିଆଯାଉଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ବୃଷ୍ଟିପାତର ଅଭାବ, ଶସ୍ୟର ଅବସ୍ଥା ସମ୍ପର୍କିତ ସୂଚନା, ସୁଦୂର ସମ୍ବେଦନଶୀଳ ଉଦ୍ଭିଦ ରାଜିର ସଙ୍କେତ, ଭୂମିର ଆର୍ଦ୍ରତା, ଭୂତଳ ଜଳସ୍ତର ସଙ୍କେତ ଇତ୍ୟାଦି ଅନୁଯାୟୀ ମରୁଡି ଘୋଷଣା କରିବା ଲାଗି ୨୦୧୭ ମାର୍ଚ୍ଚ ୮ରେ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ୫ଟି ମାନଦଣ୍ଡକୁ ଆଧାର କରି ଆବଶ୍ୟକସ୍ଥଳେ ଅକ୍ଟୋବର ୩୦ ସୁଦ୍ଧା ମରୁଡି ଘୋଷଣା କରାଯାଇଥାଏ। ଉକ୍ତ ମାନଦଣ୍ଡଗୁଡିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫସଲ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରତ୍ୟେକ ଦିନ ଫସଲର ଅନୁଧ୍ୟାନ ଓ ନିରୀକ୍ଷଣ କରି ପଦକ୍ଷେପ ନେବାକୁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ସରକାର ସର୍ବଦା ଚାଷୀଙ୍କ ସାଙ୍ଗରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri