ଆଧାର ବ୍ୟବସ୍ଥା ହଟୁ

ଆଧାର ନମ୍ବର ଏବେ ସବୁଠି ଖୋଜାପଡ଼ୁଛି। ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ)ଦ୍ୱାରା ପ୍ରସ୍ତୁତ ଏହି ୧୨ ଅଙ୍କ ବିଶିଷ୍ଟ ନମ୍ବରରେ ଜଣେ ବ୍ୟକ୍ତିର ସବୁ ତଥ୍ୟ ରହେ। ଏହାକୁ ୨୮ ଜାନୁଆରୀ ୨୦୦୯ରେ ଆରମ୍ଭ କରାଯାଇଥିଲା। ଏହି ସମୟରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଶାସନ କରୁଥିଲା। ଉଲ୍ଲେଖଯୋଗ୍ୟ ଯେ, ସେତେବେଳେ ଆଧାର ଆରମ୍ଭ ହୋଇଥିବା ସତ୍ତ୍ୱେ କଡ଼ାକଡ଼ି ଲାଗୁ କରାଯାଇ ନ ଥିଲା। ୨୦୧୪ ନିର୍ବାଚନରେ କଂଗ୍ରେସର ପରାଜୟ ଘଟିଲା ଏବଂ ଭାଜପା ସରକାର ଗଢ଼ିଲା। ତା’ପରେ ପୁନର୍ବାର ଆଧାର ନିୟମାବଳୀକୁ ବଦଳାଇ ଆଧାରକୁ ମୋଦି ସରକାର ଜୁଲାଇ ୨୦୧୬ରେ ଆଉ ଥରେ ଲାଗୁ କଲେ। ଦେଶବ୍ୟାପୀ ଶିକ୍ଷିତ ନାଗରିକମାନେ ଆଧାରକୁ ବିରୋଧ କଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ସେହି ଆଇନକୁ ସୀମିତକରି କେବଳ ସରକାରୀ ଅର୍ଥ ସମ୍ପୃକ୍ତ ଥିବା ଦେଣନେଣରେ ଆଧାରର କାର୍ଯ୍ୟକାରିତାକୁ ସୀମିତ କରିଥିଲେ। କିନ୍ତୁ ସରକାରଙ୍କ ଜିଦି ଏବେ ନକାରାମତ୍କ ରୂପ ଧାରଣ କରିଛି। ଆଧାରକୁ ବିଭିନ୍ନ ସେବା ଓ ଯୋଜନାରେ ଯୋଡ଼ିବା ବିଷୟ ବିତର୍କ କେନ୍ଦ୍ର ପାଲଟିଛି। ଏପରିକି ଗତବର୍ଷ ମାର୍ଚ୍ଚରେ ଅତ୍ୟାବଶ୍ୟକ ସରକାରୀ ସେବାରେ ଆଧାର ନମ୍ବର ବ୍ୟବହାର ଜରୁରୀ ନୁହେଁ ବୋଲି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିଲେ ମଧ୍ୟ ଏହାର ଗୁରୁତ୍ୱକୁ ସରକାର ବୁଝିଥିବା ମନେହେଉ ନାହିଁ। ଦେଶରେ ଫେବୃଆରୀ ୨୦୦୬ରେ ଲାଗୁ କରାଯାଇଥିବା ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ(ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ମିଳୁଥିବା ମଜୁରି ପୈଠ ଲାଗି ଆଧାରଭିତ୍ତିକ ବ୍ୟବସ୍ଥା(ଏବିପିଏସ୍‌) ଉଦ୍ଦିଷ୍ଟ ଥିଲା ଓ ଏହାକୁ ବାଧ୍ୟତାମୂଳକ କରାଯାଇଥିଲା। ବଡ଼ କଥା ହେଉଛି କେନ୍ଦ୍ର ସରକାର ୩୦ ଜାନୁଆରୀ ୨୦୨୩ରେ ଏ ସମ୍ବନ୍ଧିତ ନିର୍ଦ୍ଦେଶ ଜାରି କରିଥିଲେ ଓ ଏହାର ସମୟସୀମାକୁ ୪ ଥର ପରିବର୍ତ୍ତନ କରିସାରିଛନ୍ତି। ଶେଷ ସମୟସୀମା ରଖାଯାଇଥିଲା ୩୧ ଡିସେମ୍ବର ୨୦୨୩। ଏଭଳି ତାରିଖ ଘୁଞ୍ଜାଇ ଚାଲିବାରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ,ଆଧାର ଯୋଡ଼ିବା ପ୍ରକ୍ରିୟାରେ ବିଭିନ୍ନ ସମସ୍ୟା ରହୁଛି। ସରକାର ସେହିସବୁ ସମସ୍ୟାକୁ ସାମ୍ନାକୁ ନ ଆଣିଲେ ମଧ୍ୟ ସବୁ ଶ୍ରମିକଙ୍କୁ ଏଥିରେ ସାମିଲ କରିବାରେ ସକ୍ଷମ ହୋଇନାହାନ୍ତି ବୋଲି ତଥ୍ୟ ସ୍ପଷ୍ଟ କରୁଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତଥ୍ୟ ମୁତାବକ ଦେଶରେ ମୋଟ ୨୫.୬୯ କୋଟି ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକ ଅଛନ୍ତି। ଡିସେମ୍ବର ୨୭ ସୁଦ୍ଧା ମୋଟ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ ୩୪.୮ ପ୍ରତିଶତ(୮.୯କୋଟି) ଓ ୧୪.୩୩ କୋଟି ସକ୍ରିୟ ଶ୍ରମିକଙ୍କ ମଧ୍ୟରୁ ୧୨.୭%( ୧.୮ କୋଟି) ଏବିପିଏସ୍‌ରେ ମଜୁରି ପାଇବାକୁ ଯୋଗ୍ୟ ହୋଇ ନ ଥିବା ଜଣାପଡ଼ିଛି। ଉଦ୍‌ବେଗର ବିଷୟ ହେଉଛି, ଏପ୍ରିଲ ୨୦୨୨ରୁ ଏଯାବତ ସିଷ୍ଟମରୁ ୭.୬ କୋଟି ପଞ୍ଜୀକୃତ ଶ୍ରମିକଙ୍କ ନାମ କାଟିଦିଆଗଲାଣି। କେବଳ ଏହି ଘଟଣା ନୁହେଁ, ଆଧାର ଲିଙ୍କ୍‌କୁ ନେଇ ପୂର୍ବରୁ ବ୍ୟାଙ୍କ, ରାଶନ, ବିଭିନ୍ନ ସେବା କିମ୍ବା ଯୋଜନାରେ ସମସ୍ୟା ଦେଖାଯାଇଛି ଏବଂ ହିତାଧିକାରୀ ମାନେ ସେମାନଙ୍କ ପ୍ରାପ୍ୟ ଓ ସେବାରୁ ବଞ୍ଚିତ ହେବା କାହାକୁ ଅଛପା ନାହିଁ। ଦୁର୍ନୀତି ହଟାଇବା ନାମରେ ସବୁକିଛି ଡିଜିଟାଇଶନ କରିବାକୁ ହେଲେ ଭାରତ ଭଳି ବୃହତ୍‌ ଜନସଂଖ୍ୟା ବିଶିଷ୍ଟ ଦେଶରେ ସବୁ ଦିଗକୁ ବିଚାରକୁ ନେବା ଦରକାର। ବିଶେଷକରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକଙ୍କ ଶିକ୍ଷା, ସକ୍ଷମତା, ସଚେତନତା ଓ ପରିପାର୍ଶ୍ୱିକ ସ୍ଥିତିକୁ ନେଇ କାର୍ଯ୍ୟ କରାଯିବ ଆବଶ୍ୟକ। କାରଣ ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ନିରକ୍ଷର ଓ ଆଧାର ଲିଙ୍କ୍‌ ବ୍ୟବସ୍ଥା ସମ୍ପର୍କରେ ସଚେତନ ନୁହନ୍ତି। ଅନେକ ଦୁର୍ଗମ ଗାଁରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହୋଇପାରି ନ ଥିବା ଯୋଗୁ ସେଠାକାର ଶ୍ରମିକ ଶ୍ରେଣୀର ଲୋକେ ଆଧାର ବ୍ୟବସ୍ଥା ପାଇଁ ମଧ୍ୟସ୍ଥଙ୍କ ସାହାଯ୍ୟ ଲୋଡ଼ନ୍ତି ଏବଂ ଲାଞ୍ଚ ଦେଉଥିବା ଅଭିଯୋଗ ଶୁଣିବାକୁ ମିଳେ। ଏଥିସହ ଏହା ମଧ୍ୟ ଉଲ୍ଲେଖ କରିବାକୁ ହେବ ଯେ, ଆଧାର ଆଳରେ କରାଯାଉଥିବା ବ୍ୟାପକ ‘ଡିଜିଟାଲ ଭାରତ’ରେ ଏବେ ଅନେକ ସ୍କମ୍‌ ବା ଠକେଇ ପଦାକୁ ଆସୁଛି। ବିଶେଷକରି କ୍ଷୁଦ୍ର ବ୍ୟବସାୟୀ ଏବଂ ଜମାକାରୀଙ୍କ ଅର୍ଥ ହରିଲୁଟ ହେଉଛି, ଯାହାର ତଥ୍ୟ ପୋଲିସ ପାଖରେ ରହୁନାହିଁ। ତାହାର କାରଣ ହେଉଛି, ଭାରତର ସବୁ ରାଜ୍ୟରେ ଥିବା ପୋଲିସ କର୍ମଚାରୀମାନେ ‘ଡିଜିଟାଲ ଠକେଇ’ ବା ସାଇବର କ୍ରାଇମ ସମ୍ପର୍କରେ କୌଣସି ତାଲିମ ପାଇପାରୁ ନ ଥିବା ହେତୁ ସେହିସବୁ ଠକେଇର ବିଧିବଦ୍ଧ ଯାଞ୍ଚ କରାଯାଇପାରୁନାହିଁ। ଯାହାର ପଇସା ଗଲା ସିଏ ଦୁଆର ପଛରେ କାନ୍ଦୁଛି। ଯିଏ ପଇସା ମାରିନେଇପାରିଲା ତା’ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
କୌଣସି କାରଣରୁ ଯଦି ଅଧାର ଲିିଙ୍କ୍‌ ନାକଚ ହୋଇଯାଏ ସେ ସମ୍ପର୍କରେ ଶ୍ରମିକମାନେ ବିଳମ୍ବରେ ଜାଣିବାକୁ ପାଉଛନ୍ତି। ପୁନଶ୍ଚ କାଗଜପତ୍ର ଦାଖଲ କରିବାକୁ ସମୟ ଗଡ଼ିଚାଲେ। ଦାଖଲ କଲେ ମଧ୍ୟ ଶେଷ ଫଳାଫଳ ପାଇବାକୁ ଅନେକ ମାସ ଅପେକ୍ଷା କରିବାକୁ ହୁଏ। ଏଥିପାଇଁ ଉତ୍ତରଦାୟୀ ମଧ୍ୟ କେହି ରହୁନାହାନ୍ତି। ଅଭିଯୋଗ କଲେ ତାହାର ଉତ୍ତର ପ୍ରାୟତଃ ସେମାନେ ପାଇପାରୁ ନାହାନ୍ତି। ଅନ୍ୟ ପକ୍ଷରେ ଏବେ ଆଧାର ତଥ୍ୟ ଚୋରିହେବା ଖବର ଚିନ୍ତାର କାରଣ ହୋଇଛି। ନିକଟରେ ଡାର୍କ ଓ୍ବେବ୍‌ ୦୦୦୧ ନାମକ ଏକ ସଂସ୍ଥା ତା’ପାଖରେ ୮୧ କୋଟି ଭାରତୀୟଙ୍କ ଆଧାର ଓ ପାସ୍‌ପୋର୍ଟ ତଥ୍ୟ ରହିଥିବା ଦାବି କରିବା ସହ ତାହାକୁ ବିକ୍ରି କରିବାକୁ ଘୋଷଣାକରିଥିଲା। ଏଥିରୁ ବୁଝାପଡ଼ୁଛି , ସରକାର ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ଗୁପ୍ତ ରଖିବାରେ ବିଫଳ ହେଉଛନ୍ତି। ଅନେକ ସମୟରେ ବହୁ ବ୍ୟକ୍ତି ଡିଜିଟାଲ ଠକେଇର ଶିକାର ହେଉଥିବା ଯୋଗୁ ଆଧାର ସଂଯୋଗର ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ କେହି ନ ଥିବା ମନେହେଉଛି। ସେଥିପାଇଁ ଆଧାରକୁ ଖୋଲାଖୋଲି ଭାବେ କାହାକୁ ନ ଦେବା କଥା ସରକାର କହିଲେଣି । ‘ମାସ୍କଡ ଆଧାର’ ଉପରେ ଗୁରୁତ୍ୱ ଦେଲେଣି। କିନ୍ତୁ ଏହା ଅନେକ ବିଳମ୍ବରେ କରାଯାଇଛି। ଏଭଳି ସ୍ଥିତିରେ ଗରିବ ଶ୍ରମିକମାନଙ୍କୁ ମଜୁରି ପାଇଁ ଆଧାରଭିତ୍ତିକ ବ୍ୟବସ୍ଥା ବାଧ୍ୟତାମୂଳକ କରିବାରେ ସେମାନଙ୍କ ତଥ୍ୟର ସୁରକ୍ଷା ଗ୍ୟାରେଣ୍ଟି ଦେବା ଆବଶ୍ୟକ। ନ ହେଲେ ଆଧାର ବ୍ୟବସ୍ଥା ହଟାଇନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri