ନୂଆଁଖାଇର ନିଆରା ଧାରା

ଅନ୍ନର ଅନ୍ୟ ନାମ ବ୍ରହ୍ମ, ଈଶ୍ୱର।
ପ୍ରତ୍ୟେକ ଏଇ ଅନ୍ନରୁ ଜାତ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଅନ୍ନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜୀବନ ଧାରଣର ମାଧ୍ୟମ, ଆନନ୍ଦର ଉତ୍ସ ଏବଂ ଆତ୍ମାର ଅଙ୍ଗ । ତେଣୁ ଜୀବନ ଧାରଣ ପାଇଁ ଯିଏ ଅସରନ୍ତି ଭାବେ ଖାଦ୍ୟ ସମ୍ଭାରର ସନ୍ଧାନ ଦିଅନ୍ତି, ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଦ୍ଦେଶ୍ୟରେ ନବାନ୍ନ ପର୍ବର ସୃଷ୍ଟି। ଭାରତରେ ଆବହମାନ କାଳରୁ ପ୍ରଚଳିତ ବହୁ ପର୍ବପର୍ବାଣି ମଧ୍ୟରୁ ଶସ୍ୟ ପୂଜା ବା ନବାନ୍ନ ଏକ ପ୍ରାଚୀନ ପର୍ବ।
ଭାରତର ବିଭିନ୍ନ ସ୍ଥାନରେ, ବିଭିନ୍ନ ସମାଜରେ, ବିଭିନ୍ନ ଧର୍ମରେ ଏହି ପର୍ବ ପାଳନ କରାଯାଏ, ମାତ୍ର ପଶ୍ଚିମ ଓଡ଼ିଶା ଭଳି ଏତେ ସାମୂହିକ ଭାବରେ ନୁହେଁ ।
ନୂଆଁଖାଇ ପର୍ବ ଅବସରରେ ସାଧାରଣତଃ ଲୋକମାନେ ୯ଟି ମୁଖ୍ୟବିଧି ପାଳନ କରିଥାନ୍ତି। ୧. ବେହରଣ – ନୂଅଁାଖାଇ ପାଳନର ତିଥି ନିର୍ଣ୍ଣୟ ପାଇଁ ବୈଠକ। ୨. ଲଗ୍ନ ଦେଖା – ଶସ୍ୟ ଅମଳ କରିବାର ପ୍ରଥମ ଦିନ ଧାର୍ଯ୍ୟ। ୩. ଡକାହକା – ନିଜ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା। ୪. ସଫାସୁତରା – ଘର ଦୁଆରକୁ ଲିପାପୋଛା କରି ନୂଆ କରି ସଜାଇବା। ୫. ଘିନା ବିକା – ଏହି ଦିନ ନୂତନ ଦ୍ରବ୍ୟ ଓ ପୋଷାକପତ୍ର କିଣାବିକା କରିବା। ୬. ନୂଅଁାଧାନ ଖୋଜା – ଏହି ଦିନ ଘରକୁ ନୂଆଧାନ ଆଣିବା। ୭. ବାଲିପକା – ଦେବୀଙ୍କ ନିକଟରେ ନୂଆ ଧାନକୁ ଭୋଗଲାଗି କରିବା। ୮. ନୂଅଁାଖାଇ – ସମସ୍ତ ପରିବାରବର୍ଗ ଭୋଗଲାଗି ହୋଇଥିବା ପ୍ରସାଦ ଖାଇବାର ବିଧି। ୯. ଜୁହାର ଭେଟ – ଏହି ଦିନ ଘରେ ଓ ଗଁାରେ ଗୁରୁଜନମାନଙ୍କୁ କନିଷ୍ଠମାନେ ଭକ୍ତି ପ୍ରଦର୍ଶନ କରିବାର ବିଧି।
ଖ୍ରୀଷ୍ଟପୂର୍ବ ଦ୍ୱାଦଶ ଶତାବ୍ଦୀରେ ଚୌହାନ ବଂଶର ରମାଇ ଦେଓ ନାମରେ ଜଣେ ରାଜା ଥିଲେ। ସେ ପାଟନାର ରାଜା। ପଶ୍ଚିମ ଓଡ଼ିଶାର କେତେକାଂଶ ବିଶେଷତଃ ବଲାଙ୍ଗୀର ଜିଲା ପାଟନା ରାଜାଙ୍କ ଅଧୀନରେ ଥିଲା। ଅର୍ଥନୈତିକ ଅଭିବୃଦ୍ଧି ତଥା ଜୀବିକା ନିର୍ବାହ କରିବା ପାଇଁ ରାଜା ରମାଇ ଦେଓ କୃଷିକାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଉତ୍ସାହ ପ୍ରଦାନ କଲେ ଏବଂ ସମ୍ବଲପୁରକୁ ରାଜ୍ୟ ଭାବେ ଘୋଷଣା କଲେ। ଫଳରେ ଏଠାରେ କୃଷିଭିତ୍ତିକ ପରମ୍ପରା ଗଢ଼ିଉଠିଲା। ଏହି କୃଷିଭିତ୍ତିକ ପରମ୍ପରା ଅନୁଯାୟୀ ସେବେଠାରୁ ଏହି ନୂଅଁାଖାଇ ପର୍ବ ପାଳନ ହୋଇଆସୁଛି ବୋଲି ବିଶ୍ୱାସ କରାଯାଏ।
ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର ନୂଅଁାଖାଇ ମୂଳ ପର୍ବ। ଜଙ୍ଗଲକୁ ପ୍ରାଣଠାରୁ ଅଧିକ ଭଲ ପାଉଥିବା ଆଦିବାସୀମାନେ ସଭ୍ୟତା ଉନ୍ମେଷର ବହୁ ବର୍ଷ ପୂର୍ବରୁ ଖାଦ୍ୟ ଅନ୍ବେଷଣ କରୁଥିଲେ ଏବଂ ପ୍ରତିଟି ଖାଦ୍ୟକୁ ନିଜ ପାଟିକୁ ନେବା ପୂର୍ବରୁ ତାଙ୍କର ପ୍ରିୟ ‘ଜୀ’ ବା ଡୁମା (ପିତୃ-ପୁରୁଷଙ୍କ) ଉଦ୍ଦେଶ୍ୟରେ ଭୋଗ ଲଗାଉଥିଲେ। ସେମାନଙ୍କର ବିଶ୍ୱାସ ଯେ ଯେତିକି ଶସ୍ୟ ବା ଫଳକୁ ଖାଦ୍ୟ ଉପଯୋଗୀ ବୋଲି ଭାବି ଖାଉଛନ୍ତି ତାହା ତାଙ୍କର ପିତୃ ପୁରୁଷମାନେ ତାଙ୍କ ପାଇଁ ଛାଡ଼ି ଯାଇଛନ୍ତି। ସେମାନେ ବି ସେମାନଙ୍କର ପରପିଢ଼ି ପାଇଁ କିଛି ନୂଆ ଖାଦ୍ୟ ଅନୁସନ୍ଧାନ ଓ ଆବିଷ୍କାର କରି ଛାଡ଼ିଯାଆନ୍ତି। ଏହି ପ୍ରକ୍ରିୟାରେ ଅନେକ ନୂଆଖାଦ୍ୟ ଯଥା ଟୋଲ, ଚର, ମହୁଲ, କେନ୍ଦୁ, କୋଦୁଅ ମାଖନ୍‌ ଏବଂ ଧାନ ଆଦି ଖାଇବା ଯୋଗ୍ୟ ପଦାର୍ଥ ସେମାନେ ତାଙ୍କର ପରପିଢ଼ି ପାଇଁ ଜଣାଇ ଦେଇଯାଇଥିଲେ। ଏହିସବୁ ନୂଆ ଫଳକୁ ଖାଇବା ଓ ଚାଖିବାର ପ୍ରକ୍ରିୟାକୁ ନୂଅଁାଖାଇ କୁହାଯାଏ। ଯାହାକି ଆଦିବାସୀ ପରମ୍ପରା ଓ ସଂସ୍କୃତି ସହ କାହିଁ କେଉଁ କାଳରୁ ଜଡ଼ିତ। ତେଣୁ ଯେତେବେଳେ ଆଦିବାସୀମାନେ କୌଣସି ଫଳ ବା ଶସ୍ୟକୁ ଖାଇବା ପାଇଁ ଯାଆନ୍ତି ତା’ ପୂର୍ବରୁ ସେ ତାଙ୍କର ପ୍ରିୟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି।
ବହୁ ପ୍ରାଚୀନ କାଳରୁ ଅନ୍ନକୁ ଭଗବାନଙ୍କ ଅନ୍ୟରୂପ ଏବଂ ତାଙ୍କ ଦାନର ସ୍ବରୂପ ରୂପରେ କଳ୍ପନା କରାଯାଇଛି। ସଂସାର ଜଞ୍ଜାଳ ମଧ୍ୟରେ ମଣିଷ ନିଜକୁ ଖୁବ୍‌ ଛୋଟ ମନେକରେ, ମାତ୍ର ଏପରି ଏକ ସୁଯୋଗ ଖୋଜେ ଯାହା ମାଧ୍ୟମରେ କି ସେଇ ପୃଥିବୀର ସଂକୀର୍ଣ୍ଣ ପରିସର ଊର୍ଦ୍ଧ୍ୱରେ ରହି ଏକ ସ୍ଥିର ଚିନ୍ତନରେ ରହି ସେଇ ଭଗବତ୍‌ ଶକ୍ତି ସହ ସମ୍ମିଳିତ ହୋଇପାରିବ। ଏଇ ଚିନ୍ତନ ହିଁ ରୂପରେଖ ନେଇଛି ନାନା ପର୍ବ ଓ ପର୍ବାଣି, ପୂଜା ଓ ପାଠ ମାଧ୍ୟମରେ। ଆଉ ଏହିପରି ଅନେକ ପର୍ବ ମଧ୍ୟରେ ନବାନ୍ନ ପର୍ବ ଅନ୍ୟତମ। ଏହା ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ନାମରେ ଜଣାଯାଏ। ଭାରତର ଅନ୍ୟାନ୍ୟ ପ୍ରଦେଶରେ ତଥା ଓଡ଼ିଶାର ଅନ୍ୟାନ୍ୟ ଜିଲାରେ ନୂତନ ଅନ୍ନକୁ ଭଗବାନଙ୍କ ପାଖରେ ଦେଇ ତାହା ପରେ ତାକୁ ନିଜେ ଗ୍ରହଣ କରିବା ବିଧି ପ୍ରଚଳିତ ଥିଲେ ମଧ୍ୟ ‘ନୂଆଁଖାଇ’ ପର୍ବ ତା’ଠାରୁ ବହୁତ ଅଲଗା । କେତେକ ସ୍ଥାନରେ ବିଜୟାଦଶମୀ ଏବଂ ଅନ୍ୟ କେତେକ ସ୍ଥାନରେ ଦୀପାବଳି ଓ ଅନ୍ୟ ଭଲ ଦିନ ଦେଖି ନବାନ୍ନ ଭକ୍ଷଣ କରାଯାଇଥାଏ । ଅର୍ଥାତ୍‌ ନୂଆଁଖାଇ ପାଳନ କରାଯାଇଥାଏ । ଏହି ମାସରେ ପ୍ରଥମ ଧାନ କଟା ଯାଇ ନ ଥାଏ । କେବଳ ଧାନ ଫଳ ଧରିବା ଆରମ୍ଭ କରିଥାଏ। ଏହି ଦିବସରେ ପୂର୍ବ ଦିନରୁ ନୂତନ ଧାନ ସଂଗ୍ରହ କରାଯାଏ । ଦିବସର ପାହାନ୍ତିଆରୁ ଘରର ବୋହୂମାନେ ସ୍ନାନାଦି ସାରି ସମଗ୍ର ଅଞ୍ଚଳଟିକୁ ପରିଷ୍କାର କରି ରଖନ୍ତି । ଏହି ଦିନ ପ୍ରତ୍ୟେକ ଘରେ ପିଠାପଣା, ଖିରି ତଥା ଅନ୍ୟ ପୂଜା ସାମଗ୍ରୀ ତିଆରି ହୁଏ । ପ୍ରଥମେ ତାହା ଇଷ୍ଟଦେବ ବା ମହାଲକ୍ଷ୍ମୀଙ୍କ ଆଗରେ ପୂଜା କରାଯାଇଥାଏ। ପୂଜା ପରେ ଘରର ସଭିଏ ଏକତ୍ର ବସି ଏହି ପ୍ରସାଦ ସେବନ କରନ୍ତି। ପ୍ରସାଦ ସେବନ ପରେ ଘରେ ଇଷ୍ଟଦେବଙ୍କ ଦର୍ଶନ କରାଯାଏ ଏବଂ ତା’ ପରେ ସାନମାନେ ବଡ଼ମାନଙ୍କୁ ଭୂମିଷ୍ଠ ପ୍ରଣାମ କରିଥାନ୍ତି। କେବଳ ଯେ ପାରିବାରିକ କ୍ଷେତ୍ରରେ ଏହା ସୌହାର୍ଦ୍ଦ୍ୟର ସଂହତି ସ୍ଥାପନ କରେ ତାହା ନୁହେଁ, ସାମାଜିକ କ୍ଷେତ୍ରରେ ମଧ୍ୟ ଏହାର ଉପାଦେୟତା ରହିଛି । ନବାନ୍ନ ଦିନ ନୂଆ ଅନ୍ନ ଭକ୍ଷଣ ପରେ ବଡ଼ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏହାର ଅନ୍ୟ ଏକ ମୁଖ୍ୟ ଅଙ୍ଗ । ନୂଆଁଖାଇ ଜୁହାର ବର୍ତ୍ତମାନ ଏହି ଦିବସର ସାମାଜିକ ପରମ୍ପରା । ନବାନ୍ନ ଭକ୍ଷଣ ପରେ ଦେବଦର୍ଶନ ଆରମ୍ଭ ହୋଇଥାଏ । ଏହି ଦିବସରେ ହସଖୁସିରେ ଲୋକେ ପରସ୍ପରକୁ ଜୁହାର କରି ‘ଜିଇଁ ଜାଗିଥିଲେ ବରଷେ’ ବୋଲି କହିଥାନ୍ତି । ଅର୍ଥାତ୍‌ ଭଗବାନଙ୍କ ଦୟାରୁ ଜୀବନରେ ଥିଲେ ପୁଣି ଏପରି ଏକ ମଧୁମୟ ଉତ୍ସବ ପାଳନ କରିବାର ସୁଯୋଗକୁ ଅତି ଆଗ୍ରହଭରା ପ୍ରାଣରେ ଅପେକ୍ଷା କରିବାର ଆଶାପୋଷଣ କରାଯାଏ । ଏଥିସହ ଆଗାମୀ ବର୍ଷ ପୁଣି ନୂତନ ଫସଲ ଉପୁଜାଇ ଏଇ ଉତ୍ସବର ପାଳନ ପାଇଁ ଚାଷୀ ସଂକଳ୍ପ ନେଇଥାଏ । ତେଣୁ ଏହାକୁ ସଂକଳ୍ପ ଦିବସ ମଧ୍ୟ କୁହାଯାଏ । ନବାନ୍ନ ପର୍ବ କେବଳ ପଶ୍ଚିମ ଓଡ଼ିଶାରେ ପାଳନ ହୁଏ ନାହିଁ ବସ୍ତର, ଛତିଶଗଡ଼, ସାରଙ୍ଗଗଡ଼, ବୈସନା, ସରାଇପାଲି, ଫୁଲଝର ଓ ରାୟଗଡ଼ ପ୍ରଭୃତି ଅଞ୍ଚଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ମହାସମାରୋହରେ ପାଳନ କରାଯାଏ।

– ଅଲେଖ ଚନ୍ଦ୍ର ସାମଲ
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ଧନୁପାଲି, ସମ୍ବଲପୁର, ମୋ- ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri