ଓଡ଼ିଆ ସାହିତ୍ୟର ଅନନ୍ୟ ରୂପକାର

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଫକୀର ମୋହନଙ୍କ ସୃଷ୍ଟିସମ୍ଭାର ଉପରେ ଆଲୋଚନା କଲାବେଳେ ସମାଲୋଚକମାନେ ତାଙ୍କର କାଳଜୟୀ ଗଳ୍ପ ଓ ଉପନ୍ୟାସ ଉପରେ ଆଲୋକପାତ କରିଥାନ୍ତି। ଏ କଥା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ଫକୀର ମୋହନ ହେଉଛନ୍ତି ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ସନ୍ତୁଷ୍ଟ ଔପନ୍ୟାସିକ ଏବଂ ଗାଳ୍ପିକ ଫକୀର ମୋହନଙ୍କ ସାଧନପୂତ ଜୀବନର ଏହି ଦିଗ ପ୍ରତି ସମାଲୋଚକଙ୍କ ଦୃଷ୍ଟି ବିଶେଷ ଭାବେ ପଡ଼ିଥାଏ। କିନ୍ତୁ ଏ କଥା ସ୍ବୀକାର କରିବାକୁ ହୁଏ ଯେ, ଆମ ଜାତୀୟ ଜୀବନର ଅବକ୍ଷୟ ଯୁଗରେ ଫକୀର ମୋହନ ହିଁ ଏକମାତ୍ର ଓଡ଼ିଆ ଜନନେତା ଓ ପବ୍ଲିକ୍‌ମେନ୍‌ ଥିଲେ। ସାମାଜିକ ଜୀବନରେ ଭୀରୁତା, ଅଶିକ୍ଷା ଓ କୁସଂସ୍କାର ବିରୁଦ୍ଧରେ ତାଙ୍କର ଅଙ୍ଗୀକାରବଦ୍ଧ ସଂଗ୍ରାମ ଓଡ଼ିଆ ଜାତିକୁ ଏକ ନୂତନ ଦିଗ ଦେଖାଇଥିଲା। ଊନବିଂଶ ଶତାବ୍ଦୀର ଶେଷଭାଗରେ ଯେଉଁ ଜାତୀୟ ଆନ୍ଦୋଳନ ହୋଇଥିଲା, ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଥିଲା। ଏହାର ପୂରୋଭାଗରେ ଥିଲେ ଫକୀର ମୋହନ ସେନାପତି। ଆନୁଷ୍ଠାନିକ ଭାବେ ଭାରତୀୟ ଜାତୀୟ କଂଗ୍ରେସ ବହୁକାଳ ପରେ ୧୯୨୦ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥିଲା। ସାମନ୍ତବାଦୀ ସାମାଜିକ ବ୍ୟବସ୍ଥା ଏବଂ ଔପନ୍ୟାସିକ ପରାଧୀନତାର ମାୟାଜାଲରେ ଆଚ୍ଛାଦିତ ଏକ ପରିଚୟହୀନ ଜାତି ପାଇଁ ଜନନେତା ଫକୀର ମୋହନ ହିଁ ହେଉଛନ୍ତି ପ୍ରଥମ ବାର୍ତ୍ତାବହ।
ଏ କଥା ସର୍ବଜନବିଦିତ ଯେ, ଊନବିଂଶ ଶତାବ୍ଦୀର ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଫକୀର ମୋହନ ସେନାପତି। ଏଥିପାଇଁ ପ୍ରତିପକ୍ଷ ବଙ୍ଗାଳୀମାନେ ତାଙ୍କୁ ଘୃଣାକରି ତାଙ୍କ ନାମ ଧରିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରୁଥିଲେ। ଉତ୍କଳ ଦୀପିକା ନେତୃତ୍ୱରେ କର୍ମବୀର ଗୌରୀଶଙ୍କର ରାୟ ଏବଂ ବାଲେଶ୍ୱର ସମ୍ବାଦବାହିକା ଆନୁକୂଲ୍ୟରେ ଫକୀର ମୋହନ ମଶି ଏହି ଯୁଦ୍ଧରେ ଯେଉଁ ପରାକାଷ୍ଠା ଦେଖାଇଥିଲେ ତା’ର ପଟ୍ଟାନ୍ତର ନାହିଁ। ଫକୀର ମୋହନ ଓଡ଼ିଆ ବ୍ୟତୀତ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ଭାଷା ମଧ୍ୟ ଜାଣିଥିଲେ। ଏପରି କି ପାର୍ସି ଓ ଇଂରାଜୀ ଭାଷାରେ ତାଙ୍କର କାମଚଳା ଜ୍ଞାନ ଥିଲା। ବିଭିନ୍ନ ଭାଷାଭାଷୀ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ହେଁ ସର୍ବତ୍ର ତାଙ୍କୁ ନିଜ ମାତୃଭାଷାର ମାଧୁରୀ ଆଲୋକିତ କରିଥିଲା।
ଆଜି ଫକୀର ମୋହନ କେବଳ ବ୍ୟକ୍ତିବିଶେଷ ନୁହନ୍ତି; ସେ ସାହିତ୍ୟରୂପକ ମହାବେଦିର ଅଗ୍ରଗାମୀ ସୂରି। ତାଙ୍କର ବିବିଧ କୃତି ବଙ୍ଗଳା, ହିନ୍ଦୀ, ଇଂରାଜୀ ଓ ମୈଥିଲି ଭାଷାରେ ଅନୂଦିତ ହୋଇଛି। ସ୍ବଦେଶୀ ହୁଅନ୍ତୁ ଅଥବା ବିଦେଶୀ, ବହୁ ଗବେଷକଙ୍କ ଗବେଷଣାର କେନ୍ଦ୍ରବିନ୍ଦୁ ବ୍ୟାସକବି ଫକୀର ମୋହନ ଯେତିକି ପୁରୁଣା ହେଉଛନ୍ତି, ତାଙ୍କର କୃତି ଓ କୀର୍ତ୍ତି ନେଇ ଅନୁରାଗ ସେତିକି ବଢ଼ୁଛି। ଆଜି ପ୍ରତ୍ୟେକ ଓଡ଼ିଆଙ୍କଠାରେ କଥାସମ୍ରାଟ୍‌ ଫକୀର ମୋହନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଆସନ୍ନ ବିପଦ ସମୟରେ ଏବଂ ଏହାର ସୁରକ୍ଷା ନିମିତ୍ତ ଜଣେ ଜାଗ୍ରତ ସେନାପତି ଭାବେ ଚିରସ୍ମରଣୀୟ ଓ ବନ୍ଦନୀୟ। ଏହା ତଥ୍ୟ ଦୃଷ୍ଟିରୁ ସ୍ବୀକାର୍ଯ୍ୟ। ସେଥିପାଇଁ ନାରୀକବି ବିଦ୍ୟୁତ୍‌ପ୍ରଭା ଦେବୀ କବିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଥିଲେ- ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ନ’ଅଙ୍କ ଦୁର୍ଭିକ୍ଷ, ଭାଷା ବିଲୋପ ଆନ୍ଦୋଳନ ଚକ୍ରାନ୍ତ ଭଳି ଜାତୀୟ ବିପତ୍ତି ସମୟରେ ଫକୀର ମୋହନଙ୍କ ଲେଖନୀର ଯାଦୁକରୀ ଶକ୍ତି, ଅସୀମ ଧୈର୍ଯ୍ୟ, ପ୍ରତିପନ୍ନମତିତା ଓ ବଳିଷ୍ଠ ନେତୃତ୍ୱ ଏ ଜାତିର ଜୀବନରେ ନୂତନ ଆଶା ଓ ଉନ୍ମାଦନା ଆଣିଦେଇଥିଲା ବୋଲି କହିଲେ କିଛି ଅତିରଞ୍ଜିତ ହେବନାହିଁ।
କ୍ରାନ୍ତିକାରୀ କବି ତଥା ସାହିତି୍ୟକ ଫକୀର ମୋହନ ଓଡ଼ିଆ ଜାତି ତଥା ମାତୃଭାଷାର ଉନ୍ନତି ପାଇଁ ବିଶେଷ ଧ୍ୟାନ ନିବେଶପୂର୍ବକ ଓଡ଼ିଆ ପାଠ୍ୟପୁସ୍ତକ ରଚନା, ପ୍ରାଚୀନ ପୁରାଣ ଓ ସଂସ୍କୃତ ସାହିତ୍ୟର ସରଳ ଓ ପ୍ରାଞ୍ଜଳ ଓଡ଼ିଆ ଅନୁବାଦ, ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଏବଂ ସମ୍ବାଦପତ୍ର ପ୍ରକାଶନ ସମେତ ବିଭିନ୍ନ ସଭାସମିତିର ସାରସ୍ବତ ସମାରୋହରେ ଯୋଗଦେଇ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଉଦ୍ୟମ କରିଥିଲେ।
ଫକୀର ମୋହନଙ୍କ ପାରିବାରିକ ଜୀବନ ଥିଲା ସଂଘର୍ଷମୟ। ତାଙ୍କ ଜୀବନରେ ଦୁଇଟି ନାରୀ ସହାୟତା ପ୍ରଦାନ କରିଛନ୍ତି ବୋଲି ସେ ସ୍ବୀକାର କରିଛନ୍ତି। ସେମାନେ ହେଲେ ଯଥାକ୍ରମେ ତାଙ୍କ ଠାକୁରମା’(ଜେଜେମା’) ଏବଂ ଅନ୍ୟ ଜଣକ ହେଉଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ କୃଷ୍ଣକୁମାରୀ। ଫକୀର ମୋହନଙ୍କ ବୃଦ୍ଧାବସ୍ଥା ସୁଖଶାନ୍ତିରେ କଟି ନ ଥିଲା। ତାଙ୍କ ପାଖରେ ଧନସମ୍ପତ୍ତିର ସେପରି ଅଭାବ ନ ଥିଲା, କିନ୍ତୁ ୧୮୯୪ ମସିହାରେ ମାତ୍ର ୩୪ ବର୍ଷ ବୟସରେ ପ୍ରାଣପ୍ରିୟା ପତ୍ନୀ କୃଷ୍ଣକୁମାରୀଙ୍କ ବିୟୋଗ ତାଙ୍କ ବ୍ୟକ୍ତିଗତ ଜୀବନକୁ କରିଥିଲା ବ୍ୟସ୍ତ ଓ ବିବ୍ରତ। ତଥାପି ଏଥିରେ ହତୋତ୍ସାହ ନ ହୋଇ ସାହିତ୍ୟ ସାଧନାରେ ବ୍ରତୀ ଥିଲେ।
ପାଠ୍ୟପୁସ୍ତକ ରଚନା ଓ ଅନୁବାଦ କାର୍ଯ୍ୟ ସହ ଫକୀର ମୋହନ ବିଭିନ୍ନ ସାମୟିକ ପତ୍ରପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କ କବିତାଗୁଡ଼ିକ ଯଥାକ୍ରମେ- ପୁଷ୍ପମାଳା (୧୮୯୪), ଅବସର ବାସରେ (୧୯୦୮), ପୂଜା ଫୁଲ (୧୯୧୨) ଇତ୍ୟାଦି ସଂକଳିତ ହୋଇଛି। ଫକୀର ମୋହନଙ୍କ ‘ଉତ୍କଳ ଭ୍ରମଣ’ (୧୮୯୨) ରଙ୍ଗରସର ଏକ ଦୀର୍ଘ କବିତା। ‘ଉତ୍କଳ ଭ୍ରମଣ’ରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ଓଡ଼ିଶାର ପ୍ରାୟ ୯୦ ଜଣ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଗୁଣ, ଦୋଷ, ସାମାଜିକ ଓ ରାଜନୈତିକ ଅବସ୍ଥାର ଚିତ୍ର ସହ ବହୁ କଥା ବର୍ଣ୍ଣିତ ହୋଇଅଛି। ଏ ସବୁ ବର୍ଣ୍ଣନା କରାଯାଇଛି ତୀର୍ଯ୍ୟକ୍‌ ଭଙ୍ଗୀରେ; ଯାହା ଫକୀର ମୋହନଙ୍କ ରଚନାକୁ ମନୋରଞ୍ଜନର ଖୋରାକ୍‌ ଯୋଗାଇପାରିଛି।
‘ବୌଦ୍ଧାବତାର କାବ୍ୟ’ ଫକୀର ମୋହନଙ୍କର ଏକ ଆଖ୍ୟାନ-କାବ୍ୟ। ଗୌତମ ବୁଦ୍ଧଙ୍କ ଜୀବନ ରଚିତ ୧୯୦୬ରେ ଏହା ଶେଷ ହୋଇଛି ଏବଂ ପରିଶୁଦ୍ଧ ସଂସ୍କରଣ ପ୍ରକାଶ ପାଇଥିଲା। ପରିଣତ ବୟସରେ ଅର୍ଥାତ୍‌ ପ୍ରାୟ ୫୭ ବର୍ଷ ବୟସରେ ଫକୀର ମୋହନ ଗଳ୍ପ ଓ ଉପନ୍ୟାସ ରଚନାରେ ବ୍ରତୀ ହେଲେ। ମାନବ ଚରିତ୍ର ସମ୍ପର୍କରେ ତାଙ୍କର ବିପୁଳ ଅଭିଜ୍ଞତା ହିଁ କ୍ଷୁଦ୍ର ଗଳ୍ପଗୁଡ଼ିକରେ ପ୍ରତିଫଳିତ ହୋଇ ଏହାକୁ ରସୋତୀର୍ଣ୍ଣ କରିପାରିଛି। ଚରିତ୍ର ଆହରଣର କୌଶଳ, ବାସ୍ତବ ଅନୁଭୂତିମୂଳକ ଅନ୍ତର୍ଦୃଷ୍ଟିର ବ୍ୟବହାର, ହାସ୍ୟରସର ଅବତାରଣା, ଆଦର୍ଶବାଦ, ସମାଜରେ ସଂସ୍କାର ଆନୟନର ପ୍ରଚେଷ୍ଟା ଓ ଚରିତ୍ରମାନଙ୍କର ମନସ୍ତାତ୍ୱିକ ବିଶ୍ଳେଷଣ ଦୃଷ୍ଟିରୁ ଫକୀର ମୋହନଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ। ଏଥିରେ ସଂକଳିତ ପେଟେଣ୍ଟ ମେଡିସିନ୍‌, ରାଣ୍ଡି ପୁଅ ଅନନ୍ତା ଭଳି ଗଳ୍ପ ଭାରତୀୟ ସାହିତ୍ୟରେ ମଧ୍ୟ ଦୁର୍ଲ୍ଲଭ। ସଭ୍ୟ ଜମିଦାର, ବୀରେଇ ବିଶାଳ, ଅଧର୍ମ ବିତ୍ତ ଓ ଡାକମୁନ୍‌ସୀ ପ୍ରଭୃତି କେବଳ ରସୋତୀର୍ଣ୍ଣ ନୁହନ୍ତି ସମୟ ଓ ସମାଜର ପ୍ରଚଣ୍ଡ ପ୍ରତିଧ୍ୱନି। ଫକୀର ମୋହନଙ୍କ ଆତ୍ମଜୀବନୀ ପ୍ରଥମ ହେଲେ ମଧ୍ୟ ଏହା ବର୍ତ୍ତମାନ ସୁଦ୍ଧା ଅନତିକ୍ରମଣୀୟ ହୋଇ ରହିଛି କହିଲେ ଭୁଲ୍‌ ହେବନାହିଁ।
ଉପସଂହାରରେ ଏତିକି ମାତ୍ର କୁହାଯାଇପାରେ ଯେ, ଓଡ଼ିଆ ସାହିତ୍ୟରେ ଫକୀର ମୋହନଙ୍କ ସ୍ଥାନ ଅଦ୍ୱିତୀୟ। ଭାବ, ଭାଷା ଓ ପ୍ରକାଶ ଭଙ୍ଗୀରେ ତାଙ୍କର ନୂତନତା ଥିଲା। ଯେଉଁସବୁ ସମସ୍ୟା ତତ୍କାଳୀନ ସମାଜକୁ ବିଶେଷ ଭାବରେ ଆନ୍ଦୋଳିତ କରୁଥିଲା ଫକୀର ମୋହନଙ୍କ ଗଳ୍ପ ଓ ଉପନ୍ୟାସରେ ତାହା ପ୍ରତିଫଳିତ ହୋଇଛି। ସମାଜଠାରୁ ଦୂରରେ ରହି ସାହିତ୍ୟ ରଚନା କରିବା ତାଙ୍କର ଧର୍ମ ନ ଥିଲା। ଫକୀର ମୋହନଙ୍କ ସମୟରୁ ବହୁ କାଳ ଅତୀତ ହୋଇଯାଇଥିଲେ ମଧ୍ୟ ତାଙ୍କ ଭଳି ବଳିଷ୍ଠ ପ୍ରତିଭାର ଅଧିକାରୀ ଓଡ଼ିଆ ସାହିତ୍ୟରେ ଦେଖାଯାଉନାହାନ୍ତି। ସେପରି ନିଷ୍ଠା, ସାଧନା, ବେଶ ଓ ସମାଜର ବିଭିନ୍ନ ସମସ୍ୟା ପ୍ରତି ଚେତନା ଓ ସରଳ ଭାଷାରେ ନିଜର ଚିନ୍ତା ପ୍ରକାଶ କରିବା ଶକ୍ତି ଦେଖାଯାଉନାହିଁ।
ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର
ମୋ.: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?