ଅଭିବୃଦ୍ଧି ଓ ସମୃଦ୍ଧିର ନୂତନ ଦଶନ୍ଧି

ଡ. ଚିତ୍ତରଞ୍ଜନ ମିଶ୍ର

 

କୋଭିଡ୍‌-୧୯ ବିରୋଧରେ ଏକ ପ୍ରଭାବଶାଳୀ ଟିକା ଦେଶରେ ପ୍ରୟୋଗ ହେଉଅଛି। ଏହି ବୈଶ୍ୱିକ ମହାମାରୀ ଥରେ ପ୍ରତିହତ ହେଲା ପରେ ମାନବ ସଭ୍ୟତା ପୁଣି ସାୈଭାଗ୍ୟଶାଳୀ ହୋଇ ଉଠିବ। ୧୯୧୮ ଓ ୧୯୧୯ରେ ସ୍ପାନିଶ ଫ୍ଲୁ ମହାମାରୀ ତିନୋଟି ଲହରି ମାଧ୍ୟମରେ ସମଗ୍ର ବିଶ୍ୱକୁ ବଶୀଭୂତ କରିଥିଲା। ମାର୍ଚ୍ଚ ୧୯୧୮ରେ ପ୍ରଥମ ଲହରିର ଆବିର୍ଭାବ ହୋଇଥିଲା ଏବଂ ଅକ୍ଟୋବର ମାସରେ ଦ୍ୱିତୀୟ ଏବଂ ସର୍ବଶେଷ ଲହରି ୧୯୧୮ର ଶୀତ ଋତୁରୁ ଆରମ୍ଭ ହୋଇ ୧୯୧୯ର ବସନ୍ତ ଋତୁ ପର୍ଯ୍ୟନ୍ତ ରହିଥିଲା। ୨୮ ଜୁଲାଇ ୧୯୧୪ରୁ ଆରମ୍ଭ ହୋଇ ୧୧ ନଭେମ୍ବର ୧୯୧୮ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱଯୁଦ୍ଧ ସଂଗଠିତ ହୋଇଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ବିଶ୍ୱ ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ଏବଂ ଠିକ୍‌ ସେହି ସମୟରେ ସ୍ପାନିଶ ଫ୍ଲୁ ମହାମାରୀର ଆବିର୍ଭାବ ମୁଣ୍ଡ ଉପରେ ହାତୁଡି ମାଡ଼ ସଦୃଶ ପରିସ୍ଥିତିକୁ ଅତ୍ୟନ୍ତ ଜଟିଳ କରି ଦେଇଥିଲା। ସେତେବେଳେ ଅର୍ଥନୀତି ବିଶାରଦମାନେ ଭବିଷ୍ୟବାଣୀ କରିଥିଲେ ଯେ, ବିଶ୍ୱ ଏକ ବିପଜ୍ଜନକ ଅବନତି ଆଡ଼କୁ ଦ୍ରୁତ ଗତିରେ ମୁହାଁଉଛି। ତା’ ସତ୍ତ୍ୱେ ମଧ୍ୟ ଏଭଳି କାୈଣସି ପରିସ୍ଥିତି ଘଟି ନ ଥିଲା। ୟୁରୋପ ମହାଦେଶରେ ମଧ୍ୟଯୁଗୀୟ ମହାମାରୀ ଓ ସଂକ୍ରାମକ ରୋଗ ପ୍ଲେଗଜନିତ ‘ବ୍ଲାକ୍‌ ଡେଥ୍‌’ ବା ‘କଳା ମୃତ୍ୟୁ’ ପରେ ପୁନଃ ଅଭ୍ୟୁଦୟ ବା ନବଜାଗରଣ ମଧ୍ୟ ଆସିଥିଲା। ଠିକ୍‌ ସେହିପରି ସ୍ପାନିଶ ଫ୍ଲୁ ପରେ ସମୟ ନୂଆ ମୋଡ଼ ନେଲା ଏବଂ ୧୯୨୦ ଦଶନ୍ଧିରେ ବିଶ୍ୱ ଜି.ଡି.ପି. ଅଭିବୃଦ୍ଧି ତ୍ୱରାନ୍ବିତ ହେଲା । ବିଶେଷ କରି ଆମେରିକାରେ ଅର୍ଥନୈତିକ ପ୍ରଗତି ଅତ୍ୟନ୍ତ ବଳିଷ୍ଠ ହେଲା ଏବଂ ୧୯୨୦ ଦଶନ୍ଧିରେ ଆମେରିକାର ଜି.ଡି.ପି. ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଧାରାରେ ଗତି କଲା।
୧୯୨୦-୩୦ ମଧ୍ୟରେ ଦଶନ୍ଧି ତିନୋଟି ପ୍ରମୁଖ ମହାବଳ ଦ୍ୱାରା ଶକ୍ତିଶାଳୀ ହୋଇଥିଲା। ପ୍ରଥମତଃ ଉପଭୋକ୍ତାମାନେ ରୋଗ ଓ ଦୁଃଖ ଯନ୍ତ୍ରଣାରୁ ସେମାନଙ୍କର ପରିତ୍ରାଣକୁ ଉତ୍ସବ ଭାବେ ପାଳନ କରିବାକୁ ପ୍ରସ୍ତୁତ ଥିଲେ। ଚିତ୍ତ ବିନୋଦନ, ଆମୋଦ ପ୍ରମୋଦ, କଳା ଓ ସଂଗୀତର ପ୍ରଚାର ପ୍ରସାର ଏବଂ ଅଭିବୃଦ୍ଧି ଘଟିଲା। ପ୍ରକୃତରେ ଏହି ଦଶନ୍ଧି ଜ୍ୟାଜ୍‌ ସଂଗୀତ ଓ ନୃତ୍ୟର ଯୁଗ ବୋଲି ପରିଗଣିତ ହେଲା ଏବଂ କାବାରେଟ୍‌, ଜ୍ୟାଜ୍‌ ଏବଂ ବ୍ୟାଣ୍ଡ୍‌ ବାଜା ଓ ସଂଗୀତ ଲୋକପ୍ରିୟ ହୋଇଉଠିଲା। ମହିଳାମାନେ ଭୋଟ ଅଧିକାର ପାଇଲେ ଏବଂ ରାଜନୈତିକ ଓ ସାମାଜିକ ଜୀବନରେ ପୂର୍ଣ୍ଣ ପ୍ରାଣରେ ଜଡ଼ିତ ହେବାକୁ ଲାଗିଲେ। ବଡ଼ ବଡ଼ ପାର୍ଟିର ଆୟୋଜନ କରାଗଲା ଏବଂ ଲୋକମାନେ ସୁନ୍ଦର ସୁନ୍ଦର ପୋଷାକ ପରିଧାନ କରି ଆନନ୍ଦ ସହକାରେ ଏହି ପାର୍ଟିରେ ଯୋଗଦାନ ଦେଲେ। କଳାପୂର୍ଣ୍ଣ ବସ୍ତୁର ସାଜସଜ୍ଜା ଚରମ ସୀମାରେ ପହଞ୍ଚତ୍ଥିଲା; ଯାହା କି ନୂଆ ନୂଆ ଡିଜାଇନରେ ଭରପୂର ଥିଲା। ପୁରୁଣାକାଳିଆ ‘ଏର୍ଡୱାର୍ଡିଆନ ଷ୍ଟାଇଲ’କୁ ବର୍ଜନ କରି ପ୍ରଗତିଶୀଳ ଓ ନୂତନ ଷ୍ଟାଇଲକୁ ଲୋକମାନେ ଗ୍ରହଣ କରିବାକୁ ଲାଗିଲେ। ନିକଟ ଅତୀତର ସିନେମା ‘ଦି ଗ୍ରେଟ ଗ୍ୟାଟ୍ସବାଏ’ ଜ୍ୟାଜ୍‌ ଯୁଗର ଅହେତୁକ ଉତ୍ସାହକୁ ପ୍ରତିପାଦିତ କରିବାରେ ସକ୍ଷମ ହୋଇପାରିଛି।
ଦ୍ୱିତୀୟତଃ ଜୀବନକୁ ପରିବର୍ତ୍ତନର ନୂଆ ମୋଡ଼ ଦେବା ପାଇଁ ନୂଆ ନୂଆ ପ୍ରଯୁକ୍ତିବିଦ୍ୟାକୁ ଆପଣେଇବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥିଲା। ଇଲେକ୍‌ଟ୍ରିସିଟି ପ୍ରାୟ ସବୁ ଘରକୁ ପ୍ରବେଶ କଲା ଏବଂ ଆଧୁନିକ ଆଲୋକୀକରଣ ପ୍ରକ୍ରିୟା ଜୀବନର ଅଂଶ ବିଶେଷ ହୋଇଗଲା। ଅଟୋମୋବାଇଲର ବ୍ୟବହାରରେ ଦ୍ରୁତ ଅଭିବୃଦ୍ଧି ଘଟିଲା ଏବଂ ନିୟୁତ ନିୟୁତ ସଂଖ୍ୟାରେ ମୋଟର ଗାଡ଼ି ନୂଆ କରି ତିଆରି ହୋଇଥିବା ରାସ୍ତାରେ ଚଳପ୍ରଚଳ କରିବାକୁ ଲାଗିଲେ। ଟେଲିଫୋନର ବ୍ୟବହାର ଆରମ୍ଭ ହେଲା ଏବଂ ଏହା ଦ୍ୱାରା ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ସହ ବାର୍ତ୍ତାଳାପ କରିବାରେ ସହଜସାଧ୍ୟ ହେଲା ।
ଆଧୁନିକ ଉପକରଣ ଯଥା ରେଫ୍ରିଜରେଟର ଏବଂ ଅନ୍ୟାନ୍ୟ ବହୁବିିଧ ସାମଗ୍ରୀର ବ୍ୟବହାର ବଢ଼ିବାକୁ ଲାଗିଲା। ବିମାନ ଚଳାଚଳରେ ଦ୍ରୁତ ବିକାଶ ହେଲା ଏବଂ ଏକ ମହାଦେଶରୁ ଅନ୍ୟ ଏକ ମହାଦେଶକୁ ସ୍ବଳ୍ପ ସମୟରେ ଯାତ୍ରା ସମ୍ଭବପର ହୋଇପାରିଲା।
ତୃତୀୟ ପ୍ରମୁଖ ଅଭିବୃଦ୍ଧିର ବାହକ ହେଲା ପ୍ରଥମ ବିଶ୍ୱଯୁଦ୍ଧରେ ଧ୍ୱଂସ ପାଇଯାଇଥିବା ସହର, ରାସ୍ତାଘାଟ ଓ ପୋଲଗୁଡ଼ିକର ପୁନର୍ନିର୍ମାଣ। ନାନାବିଧ ଦ୍ରବ୍ୟର କ୍ରୟ ଓ ବ୍ୟବହାରରେ ଅସାଧାରଣ ଅଭିବୃଦ୍ଧି ଏବଂ ନୂଆ ନୂଆ ପ୍ରଯୁକ୍ତିବିଦ୍ୟା ହାତ ମୁଠାରେ ଉପଲବ୍ଧ ହେବା କାରଣରୁ ଏକ ନବର୍ନିର୍ମାଣ ଯୁଗର ଶୁଭାରମ୍ଭ ହେଲା। ଏହି ସମୟରେ ବିଶ୍ୱର ପ୍ରମୁଖ ସହର ଯଥା-ଲଣ୍ଡନ, ପ୍ୟାରିସ, ନ୍ୟୁୟର୍କ, ସାଂଘାଇ ଏବଂ ମୁମ୍ବାଇ ଆଦି ନୂଆ ରୂପରେ ଉଦ୍‌ଭାସିତ ହେଲେ। ନବତଳ ପ୍ରାସାଦ ନିର୍ମାଣ ହେଲା ତଥା ଉଭୟ ପାର୍ଶ୍ୱରେ ବୃକ୍ଷ ଥିବା ପ୍ରଶସ୍ତ ରାସ୍ତା ସହ ଉତ୍କୃଷ୍ଟ ଆପାର୍ଟମେଣ୍ଟମାନ ମୁଣ୍ଡ ଟେକି ଉଠିଲା। ଏକାଧିକ ନୂଆ ନୂଆ ହୋଟେଲର ନିର୍ମାଣ ହେଲା। ପ୍ରଥମ କରି ଏୟାରପୋର୍ଟ ଏବଂ ଏକାଧିକ ଗ୍ରାଣ୍ଡ ରେଲୱେ ଷ୍ଟେଶନ ନିର୍ମାଣ ହେଲା ଓ ସେ ସବୁ ମଧ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବାକୁ ଲାଗିଲା।
ଏହି ଘଟଣାର ଠିକ୍‌ ୧୦୦ ବର୍ଷ ପରେ, ଯେତେବେଳେ ଧୀରେ ଧୀରେ କୋଭିଡ୍‌-୧୯ ମହାମାରୀ ବିଶ୍ୱ ଦୃଶ୍ୟପଟରୁ ଅପସରି ଯିବ, ଆମେ ଠିକ୍‌ ସେହିଭଳି ଆଉ ଏକ ଦଶନ୍ଧିର ସମ୍ମୁଖୀନ ହେବା; ଯାହାକୁ ଆମେ ବିକାଶମୁଖର ବିଂଶ ଦଶନ୍ଧି ବୋଲି ଅଭିହିତ କରିପାରିବା। ଏହି ସମୟରେ ବିଶ୍ୱ ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧିମୁଖୀ ହେବ। ବାଣିଜ୍ୟ କାରବାରରେ ବୃଦ୍ଧି ଘଟିବ ଓ ସଫଳତାର ସ୍ବାଦ ବିଶ୍ୱବାସୀ ଚାଖିବେ। ଭାରତ ଅଭିବୃଦ୍ଧିର ଶିଡିରେ ପୁନର୍ବାର ବୀର ଦର୍ପରେ ଅଗ୍ରଗାମୀ ହେବ ଏବଂ ଅସାଧାରଣ ସମୃଦ୍ଧଶାଳୀ ଓ ଅନନ୍ୟ ବୈଭବଶାଳୀ ହେବ। ପଞ୍ଜୁରୀରେ ଅବରୁଦ୍ଧ ହୋଇ ରହିଥିବା ଗ୍ରାହକମାନେ ଅର୍ଥ ବିନିଯୋଗ କରିବାକୁ ପ୍ରବଳ ଭାବେ ଆଗ୍ରହାନ୍ବିତ ହୋଇ ଘରୁ ଗୋଡ଼ କାଢ଼ି ବସିରହିଛନ୍ତି। ଆମେ ଏକାଧିକ ପ୍ରମୁଖ ଶିଳ୍ପସଂସ୍ଥାରେ ଏହା ଲକ୍ଷ୍ୟ କରିପାରିବା। କାର୍‌, ମୋଟର ସାଇକେଲ ଏବଂ ଅନ୍ୟାନ୍ୟ ସରଞ୍ଜାମ ଆଦିର ବିକ୍ରିବଟା ୨୦୧୯ର ସ୍ତର ତୁଳନାରେ ୨୦୨୦ରେ ଅଧିକ ହୋଇଛି। ରିଏଲ୍‌ ଇଷ୍ଟେଟର ମୂଲ୍ୟ ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ସହରରେ ବଢ଼ି ବଢ଼ି ଚାଲିଛି। ମନୋରଞ୍ଜନ ସାମଗ୍ରୀ ଓ ଉପକରଣ କିଣିବାରେ ମଧ୍ୟ ଅଭିବୃଦ୍ଧି ଘଟିଛି। ଏପରି କି ବିଳାସ ଓ ଆମୋଦ ପ୍ରମୋଦ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ୨୦୨୦ରେ ଅଧିକ ବିକ୍ରିବଟା କରିଛନ୍ତି। ଏହି ଧାରାରେ ନିଶ୍ଚିତ ଅଭିବୃଦ୍ଧି ଘଟିବ, ଯେତେବେଳେ ସାଧାରଣ ଜନତା ସୁଖରେ ଜୀବନଯାପନ କରିବେ ଏବଂ ମନ ମୁତାବକ ଅର୍ଥ ବ୍ୟୟ କରିିବେ। ସବୁ ସାମଗ୍ରୀର ବ୍ୟବହାର ସେତେବେଳେ ଶୀର୍ଷ ଦେଶରେ ପହଞ୍ଚତ୍ବ, ଯେତେବେଳେ ଅବରୁଦ୍ଧ ହୋଇ ରହିଥିବା ଚାହିଦା ସମ୍ପୂର୍ଣ୍ଣ ଭାବେ ଉନ୍ମୁକ୍ତ ହୋଇଯିବ।
ଏକ ଦ୍ୱିତୀୟ ଶକ୍ତି ଯାହା କି ଅଭିବୃଦ୍ଧିକୁ ଇନ୍ଧନ ଯୋଗାଉଛି ତାହା ହେଲା ନୂତନ ପ୍ରଯୁକ୍ତିବିଦ୍ୟାର କ୍ରମାଗତ ସଂପ୍ରସାରିତ ରୂପରେଖ। ଇଲେକ୍‌ଟ୍ରିକ ଗତିଶୀଳତାର ଦ୍ରୁତ ଅଭିବୃଦ୍ଧି ଘଟୁଛି; ଯାହା କି ଇଲେକ୍‌ଟ୍ରିକ ମୋଟର ସାଇକେଲ, କାର୍‌,ବସ୍‌ ଆଦିକୁ ବ୍ୟବହାରର ପ୍ରଚଳିତ ଧାରାକୁ ନେଇଆସିବ। ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଏବଂ ‘ମେଶିନ ଲର୍ନିଂ’ ଏବଂ ‘୫ଜି ନେଟୱର୍କ’ ମିଳିମିଶି ଅଗମେଣ୍ଟେଡ ରିଆଲିଟି ଏବଂ ଭର୍ଚୁଆଲ ରିଆଲିଟିକୁ ଜନତାଙ୍କ ପାଖରେ ଉପସ୍ଥାପନା କରିବେ। ‘କ୍ଲାଉଡ କମ୍ପ୍ୟୁଟିଂ’ ଏକାଧିକ ଡିଜିଟାଲ ସେବାକୁ ଯେ କୌଣସି ସ୍ଥାନରେ, ଯେ କୌଣସି ସମୟରେ ଓ ଯେ କୌଣସି ଲୋକ ପାଖରେ ଉପଲବ୍ଧ କରାଇବ। କାର୍ଯ୍ୟ ସଂପାଦନ କଲାବେଳେ ଆପଣଙ୍କ ବ୍ୟବହାର ଏବଂ ପ୍ରଶିକ୍ଷଣ ଅଭିଜ୍ଞତା ‘ଆର୍ଟିଫିଲିଆଲ ଇଣ୍ଟେଲିଜେନ୍ସ’ ଓ ‘ମେଶିନ୍‌ ଲର୍ନିଂ ଟୁଲ୍ସ’ ମାଧ୍ୟମରେ ରୂପାନ୍ତରିତ ହୋଇ ସର୍ବୋତ୍ତମ ଉତ୍ପାଦକତା ଟୁଲ୍ସ ଉପଲବ୍ଧ କରାଇବ। ଠିକ୍‌ ସେହିପରି ‘ଇଣ୍ଟରନେଟ୍‌ ଅଫ ଥିଙ୍ଗ୍‌ସ’ ମାନୁଫ୍ୟାକଚରିଙ୍ଗ ଓ କୃଷିକୁ ରୂପାନ୍ତରିତ କରାଇବ।
ଏ ସମସ୍ତ ନୂତନ ପ୍ରଯୁକ୍ତିବିଦ୍ୟା ସମ୍ପୂର୍ଣ୍ଣ ଭାବେ ନୂତନ ଭିତ୍ତିଭୂମି ଆବଶ୍ୟକ କରିବ ଯଥା- ଉନ୍ନତ ୫ଜି ନେଟୱର୍କ୍ସ, ଚାର୍ଜିଂ ଷ୍ଟେସନ୍ସ, ଇଣ୍ଟେଲିଜେଣ୍ଟ ହାଇୱେଜ୍‌, ଗ୍ରିଡ ସହ ସଂଯୁକ୍ତ ହୋଇଥିବା ବ୍ୟାଟେରି ଗୋଦାମ ଏବଂ ବିଶାଳ ‘କ୍ଲାଉଡ କମ୍ପ୍ୟୁଟିଙ୍ଗ’ ସେଣ୍ଟର। ଏତଦ୍‌ବ୍ୟତୀତ ପରିବର୍ତ୍ତିତ ପାଣିପାଗର ଚାପ ସହ ଖାପ ଖୁଆଇ ବଞ୍ଚି ରହିବାକୁ ହେଲେ ଆମ ବାସସ୍ଥାନ ସହ ବାଣିଜି୍ୟକ ଓ ଶିଳ୍ପ ସଂକ୍ରାନ୍ତୀୟ କୋଠାବାଡିଗୁଡିକରେ ମଧ୍ୟ ବଡ ଧରଣର ପରିବର୍ତ୍ତନ ଆଣିବାକୁ ପଡିବ। ଏନର୍ଜି ନେଟୱର୍କଗୁଡିକ ମଧ୍ୟ ‘ଗ୍ରୀନ ଟେକ୍ନୋଲୋଜି’ ବା ସବୁଜ ପ୍ରଯୁକ୍ତିବିଦ୍ୟାକୁ ପରିବର୍ତ୍ତନ କରିବାକୁ ପଡିବ। ‘ସବୁଜ ଅର୍ଥନୀତି’ ମଧ୍ୟ ବିଶ୍ୱରେ ପ୍ରତିଷ୍ଠିତ ହେବ।
ଦେଶରେ ଏକ ଶକ୍ତିଶାଳୀ ଅଭିବୃଦ୍ଧି ପାଇଁ ଭାରତ ଏଭଳି ଅସାଧାରଣ ସୁଯୋଗକୁ ନିଜ ହାତମୁଠାକୁ ଆଣିବାକୁ ବଦ୍ଧପରିକର। କୋଭିଡ୍‌-୧୯ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଯାଉଥିବାରୁ ଆଗାମୀ ଦଶନ୍ଧି ଭାରତର ବିକାଶମୁଖର ବିଂଶ ଦଶନ୍ଧି ହେବା ପାଇଁ ପ୍ରତିଜ୍ଞାବଦ୍ଧ ଏବଂ ଏହି ଦଶନ୍ଧି ଅଭିବୃଦ୍ଧି ଓ ସମୃଦ୍ଧିର ନୂତନ ଦଶନ୍ଧି ଭାବେ ସମଗ୍ର ବିଶ୍ୱରେ ପ୍ରତିଭାତ ହେବ।
ବି-୩,ଏଚ.ଆଇ.ଜି. କଲୋନୀ
ବରମୁଣ୍ଡା ହାଉସିଂ ବୋର୍ଡ
ଭୁବନେଶ୍ୱର, ମୋ:୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। କାମଧନ୍ଦା ହରାଇ ଏମାନେ ରୋଜଗାରଶୂନ୍ୟ ହୋଇଯାଉଥିବାବେଳେ ଅରୁଣାଚଳ ପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ହଜାର...

ଏଇ ଭାରତରେ

୧୪ ବର୍ଷ ବୟସରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି ଉତ୍ତରପ୍ରଦେଶର ଅମର ପ୍ରଜାପତି। ସେ ନବମ ଶ୍ରେଣୀରେ ପଢୁଛନ୍ତି। ୨୦୨୦ରେ କରୋନା ଯୋଗୁ ଲକ୍‌ଡାଉନ ଲାଗୁ...

ଅନ୍‌ଲାଇନ ଶିକ୍ଷା ଆଶୀର୍ବାଦର ରୂପ ନେଉ

ଡ. ଭାରତ ଭୂଷଣ ରଥ କରୋନାରେ ସବୁକିଛି ଧୀରେ ଧୀରେ ସୁଧୁରୁଥିଲେ ମଧ୍ୟ ଶିକ୍ଷା, ଯାହା ସମାଜର ଭିତ୍ତିଭୂମି ତାହା ଏପର୍ଯ୍ୟନ୍ତ ସୁଦ୍ଧା ମୂଳସ୍ରୋତକୁ ଆସିପାରୁନାହିଁ।...

ଏଇ ଭାରତରେ

ପଡ଼ିଆ ଜମିକୁ ଶସ୍ୟଶ୍ୟାମଳା କରିବାରେ କେରଳରେ ଏକ ବ୍ଲକର ଗାଁଗୁଡ଼ିକ ଉଦାହରଣ ସୃଷ୍ଟି କରିଛନ୍ତି। ଥିରୁଭାନନ୍ତପୁରମ୍‌ ଜିଲାର ନେଦୁମନଗଡ ତହସିଲ ଅନ୍ତର୍ଗତ ନେଦୁମନଗଡ ବ୍ଲକର ପଞ୍ଚାତଗୁଡ଼ିକରେ...

ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ...

ଜନହିତ ଓ ବିଜ୍ଞାନ

ଇଂ. ମାୟାଧର ସ୍ବାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ୭୪ ବର୍ଷର ଜଣେ ମହିଳା ଟେଷ୍ଟ ଟ୍ୟୁବ୍‌ ପଦ୍ଧତିରେ ଦୁଇଟି ଯମଜ ଶିଶୁ...

ଏଇ ଭାରତରେ

ହ୍ବିଲ୍‌ ଚେୟାରର ସାହାରା ନେଇଥିବା ଜଣେ ମହିଳା ହଜାର ହଜାର ଦିବ୍ୟାଙ୍ଗଙ୍କୁ ନିଜ ଗୋଡ଼ରେ ଠିଆ କରାଉଥିବା ଭଳି ପ୍ରେରଣାଦାୟକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ।...

ଏଇ ଭାରତରେ

ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ...

Advertisement
Archives

Model This Week