ମହାନତା କ୍ଷୁଣ୍ଣ

ନିଜ ପେସାରେ ବିଫଳ ହୋଇଥିବା ସିନେମା ତାରକା କଙ୍ଗନା ରାଣାଓ୍ବତ ଗତ ୧୮ ଜାନୁୟାରୀରେ ଏକ ଟୁଇଟ୍‌ ମାଧ୍ୟମରେ କହିଛନ୍ତି ଯେ, ‘ତାଣ୍ଡବ’ ଓ୍ବେବ୍‌ସିରିଜ୍‌ରେ କାର୍ଯ୍ୟ କରିଥିବା ସମସ୍ତଙ୍କ ମୁଣ୍ଡକାଟ ହେବା ଦରକାର। ପରବର୍ତ୍ତୀ ସମୟରେ ସେହି ଟୁଇଟ୍‌କୁ କଙ୍ଗନା ଲିଭାଇ ଦେଇଥିଲେ। ଏଭଳି ହିଂସାତ୍ମକ ମନ୍ତବ୍ୟ ଦେବାରେ କଙ୍ଗନାଙ୍କ ବ୍ୟତୀତ ଅନ୍ୟ କେତେକ କେନ୍ଦ୍ରରେ ଶାସକ ଦଳର ସମର୍ଥକ ମଧ୍ୟ ସମ୍ପୃକ୍ତ ଅଛନ୍ତି। ତେବେ ଆମାଜନ ପ୍ରାଇମ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଥିବା ତାଣ୍ଡବ ସିରିୟଲର କାହାଣୀ କେଉଁ ପ୍ରକାର ତାହା ଜାଣିବା ଦରକାର। ଦର୍ଶକଙ୍କ କହିବା ଅନୁଯାୟୀ, ତାଣ୍ଡବ ଏକ ରାଜନୈତିକ ନାଟକ। ଏହାର କାହାଣୀରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପୁତ୍ର ବିଷଦେଇ ହତ୍ୟା କରୁଛି। ଏହାପରେ କ୍ଷମତା କନ୍ଦଳରେ ଯେଉଁ ଟଣାଓଟରା ଆରମ୍ଭ ହେଉଛି, ସେଥିରେ କେତେକ ଅସୁବିଧାଜନକ ମନ୍ତବ୍ୟ ପ୍ରକାଶ ପାଉଛି। ଆଜିର ବିବାଦ ମୂଳରେ ରହିଛି କାହାଣୀର ଗୋଟିଏ ଭାଗ, ଯେଉଁଥିରେ ଏକ ନାଟକ ରଚାଯାଉଥିବାବେଳେ ଶିବଙ୍କ ଭୂମିକାରେ ଥିବା ଅଭିନେତାଙ୍କୁ ନାରଦ ମୁନି କହୁଛନ୍ତି ଯେ, ଶିବଙ୍କର ଲୋକପ୍ରିୟତା ହ୍ରାସ ପାଉଛି। ରାମଙ୍କ ଲୋକପ୍ରିୟତାରେ ବୃଦ୍ଧି ଘଟୁଛି। ସେଥିପାଇଁ ନାରଦ ମତ ଦେଇଛନ୍ତି ଯେ, ଶିବ ତାଙ୍କର ସୋସିଆଲ ମିଡିଆରେ ଉପସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ। ଆଉ ପାଦେ ଆଗକୁ ଯାଇ ଶିବଙ୍କୁ କୁହାଯାଇଛି ଯେ, ଆପଣ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ତାଙ୍କର ‘ଆଜାଦି’ ଦାବିରେ ସମର୍ଥନ ଜଣାଇଲେ ଲୋକପ୍ରିୟତା ବୃଦ୍ଧି ପାଇବ। ଏଭଳି ମତ ଶୁଣିବା ପରେ ଶିବ ପ୍ରଶ୍ନ କରିଛନ୍ତି ଯେ, ଏହି ଆଜାଦିର ଅର୍ଥ କ’ଣ। ତାହାର ଉତ୍ତରରେ ନାରଦ ମୁନି କହିଛନ୍ତି, ଆଜାଦି ଦାବି କରୁଥିବା ଛାତ୍ରମାନେ ଦାରିଦ୍ର୍ୟ, ସାମନ୍ତବାଦ ଏବଂ ଜାତିପ୍ରଥାଠାରୁ ଆଜାଦି ବା ସ୍ବାଧୀନତା ମାଗୁଛନ୍ତି। ଏମାନେ ଦେଶଠାରୁ ଭିନ୍ନ ହେବାକୁ ଚାହୁଁନାହାନ୍ତି।
ହିନ୍ଦୁ ଠାକୁରମାନଙ୍କୁ ଅସମ୍ମାନିତ କରାଯାଇଛି ବୋଲି କହି ଏହି ଓ୍ବେବ୍‌ ସିରିୟଲ ବିରୋଧରେ ମତ ପ୍ରକାଶ ପାଉଛି। ଏଭଳି ପ୍ରଚ୍ଛଦପଟରେ ତାଣ୍ଡବର ନିର୍ମାତା ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିସାରିଲେଣି ଏବଂ ଆମାଜନ୍‌ ପ୍ରାଇମ୍‌ ଚ୍ୟାନେଲ ଏହି ବିବାଦରେ ପ୍ରବେଶ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଛି। ଆମାଜନ୍‌ର ଆଭିମୁଖ୍ୟ ବୁଝିବା କଷ୍ଟକର ନୁହେଁ। ଆମାଜନ୍‌ ମାଲିକ ଜେଫ୍‌ ବେଜୋସ ପୃଥିବୀର ଅନ୍ୟତମ ଧନିକ ବ୍ୟକ୍ତି। ଏହାଛଡ଼ା ଭାରତ ପାଇଁ ତାଙ୍କ ବେଖାତିର ମନୋଭାବ ବୁଝିବା ସହଜ, କାରଣ ଭାରତର ସବୁଠାରୁ ବଡ଼ କମ୍ପାନୀରେ ତାଙ୍କର ପୁଞ୍ଜି ଲାଗିଛି। ସେହି କମ୍ପାନୀର ସମର୍ଥନ କେନ୍ଦ୍ରରେ ଭାଜପା ସରକାର ପାଇଁ ଅସରନ୍ତି ବୋଲି ଦେଶବାସୀ ଜାଣିଛନ୍ତି। ଏଠାରେ କେତୋଟି ବିନ୍ଦୁ ଧ୍ୟାନ ଦେବାକୁ ପଡ଼ିବ। ଏହି ନାଟକ ସିରିୟଲର ଆରମ୍ଭରେ କୃଷକଙ୍କ ପ୍ରତିବାଦ ସମ୍ପର୍କରେ ଦର୍ଶାଯାଇଛି। ଏହା ବ୍ୟତୀତ ଉକ୍ତ ନାଟକର ନିର୍ଦ୍ଦେଶକ ଏବଂ କେତେକ ଅଭିନେତା ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର। ଏତଦ୍‌ବ୍ୟତୀତ ହିନ୍ଦୁ ଠାକୁରମାନଙ୍କୁ ଯେଉଁ ଭଳି ପୋଷାକ ପିନ୍ଧାଯାଇ ଦର୍ଶାଯାଇଛି, ସେଥିରେ ଅନେକଙ୍କର ବିରୋଧ ହେବା ଆଜିର ପରିସ୍ଥିତିରେ ସ୍ବାଭାବିକ ମନେ ହୋଇପାରେ।
ଆଜିର ଭାରତରେ ମୁସଲମାନ ଶବ୍ଦ ଶୁଣିବା ମାତ୍ରକେ କେତେକ ଲୋକଙ୍କ ନାହି ଡେଉଁଛି। ଇଣ୍ଟରନେଟ୍‌ରେ ଦେଖାଯାଉଥିବା ଅନେକ ସିନେମା ଏବଂ ଡ୍ରାମାକୁ ଭାରତ ସରକାର ସେନ୍‌ସର କରିବାର କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ଏଭଳି ନିର୍ମାତାଙ୍କ ଉପରେ ଖପ୍ପା ହୋଇ ଆଜିର ଶାସକମାନେ ବମ୍ବେ ସିନେମା ଜଗତକୁ ଏକପ୍ରକାର ବଦନାମ କରିବାର ଚେଷ୍ଟା ଚଳାଇ ରଖିଛନ୍ତି। ଏହା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାଠାରୁ ସ୍ପଷ୍ଟ ଜଣାପଡ଼ିଲା। ଏହିସବୁ ସିରିୟଲ ବମ୍ବେରେ ନିର୍ମିତ ହେଉଥିବା ହେତୁ ଶାସକ ଗୋଷ୍ଠୀ ଏକ ସୁବିଧାଜନକ ପରିସ୍ଥିତିରେ ନିଜକୁ ଦେଖୁଛନ୍ତି। ହିନ୍ଦୁ ଧର୍ମ ଏବଂ ଦେଶର କ୍ଷତି ଘଟାଯାଉଛି ବୋଲି କହି ଯେକୌଣସି ବ୍ୟକ୍ତିବିଶେଷ କିମ୍ବା କାର୍ଯ୍ୟକୁ ବଦନାମ କରିବା ସହଜ ହୋଇଗଲାଣି। ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ, ଏହି ନିର୍ମାତା କିମ୍ବା ତାରକାମାନେ ମହମ୍ମଦ କିମ୍ବା ଆଲ୍ଲାଙ୍କ ଉପରେ ସମାନ ଭାବରେ ତାଚ୍ଛଲ୍ୟପୂର୍ଣ୍ଣ ନାଟକ ପ୍ରସ୍ତୁତ କରିବାରେ ସତ୍‌ସାହସ ଦେଖାଇପାରିବେ ନାହିଁ। ଅନ୍ୟପଟେ ସବୁ ବିଷୟକୁ ରାଜନୈତିକ ମୋଡ଼ ଦିଆଯାଉଥିବାରୁ ଏକମତ ସୃଷ୍ଟି କରିବା ସମ୍ଭବପର ହେଉନାହିଁ। ହିନ୍ଦୁ ଠାକୁରମାନଙ୍କୁ ଅସମ୍ମାନିତ କରିବା କେବେହେଲେ ଗ୍ରହଣୀୟ ନୁହେଁ। କିନ୍ତୁ ଏଥିରେ ଥିବା କୃଷକ ପ୍ରତିବାଦ ଏବଂ ଛାତ୍ର ଅଶାନ୍ତି ସମ୍ପର୍କରେ ରାଜନୈତିକ ମତକୁ ଅସ୍ବୀକାର କରିହେବନାହିଁ।
ଗଣତନ୍ତ୍ରରେ ଭିନ୍ନମତର ସ୍ପଷ୍ଟସ୍ଥାନ ରହିଛି। ଆଜିର ଭାରତ ବର୍ଷରେ ସେହି ଭିନ୍ନ ମତକୁ ଦମନ କରିବାର ପ୍ରଚେଷ୍ଟା ଦେଶର ଭବିଷ୍ୟତ ପାଇଁ ନିଶ୍ଚିତ ଭାବେ କ୍ଷତିକାରକ ହେବ। ଭାରତରେ ହିନ୍ଦୁଧର୍ମର ମଧ୍ୟ ଅନେକ ଦିଗ ରହିଛି। ଉଦାହରଣ ସ୍ବରୂପ, ଓଡ଼ିଶାର ଗ୍ରାମାଞ୍ଚଳରେ ରାମ ମନ୍ଦିର ଦେଖିବାକୁ ମିଳେନାହିଁ। କିନ୍ତୁ ଅଧିକାଂଶ ସ୍ଥାନରେ ଗ୍ରାମ୍ୟଦେବୀଙ୍କ ସହିତ ଶିବ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ସ୍ଥାନ ରହିଛି। ଆଦିବାସୀ ଗ୍ରାମଗୁଡ଼ିକରେ ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ପୂଜାପାଠ କରାଯାଇଥାଏ। ଅନ୍ୟପଟେ ଉତ୍ତର ଭାରତରେ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଦେଖିବାକୁ ମିଳେନାହିଁ। ଅବଶ୍ୟ ଏଥିରେ ଆଧୁନିକ ସଂସ୍ଥା ଇସ୍କନ ଦ୍ୱାରା ଦିଲ୍ଲୀ, ବାଙ୍ଗାଲୋର କିମ୍ବା ଅହମ୍ମଦାବାଦର ରଥଯାତ୍ରାକୁ ଗଣତିରେ ନେଇହେବନାହିଁ। ସେଥିପାଇଁ ରାଜନୀତି ସହିତ ଠାକୁର ବିଶ୍ୱାସକୁ ଯୋଡୁଥିବା ଚିନ୍ତାଧାରା ଭାରତର ମହାନତାକୁ କ୍ଷୁଣ୍ଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri