ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର ହୋଇପଡ଼ୁଛି । ଏହି ମହୋତ୍ସବ ଦେଖିବା ପାଇଁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଥୁରାନଗରୀକୁ ଆସୁଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ମଥୁରାନଗରୀସ୍ଥିତ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ପହଞ୍ଚିବେ। ସେଠାରୁ ସନ୍ଧ୍ୟା ୫ଟା ୪୫ମିନିଟରେ ସ୍ଥାନୀୟ ନିଶାମଣି ହାଇସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡିଆରେ ନିର୍ମିତ ରଙ୍ଗମହଲ ମଞ୍ଚ ଅଭିମୁଖେ ବାହାରିବେ। ସନ୍ଧ୍ୟା ୬ଟାରେ ରଙ୍ଗମହଲକୁ ପହଞ୍ଚି ସନ୍ଧ୍ୟା ୭ଟା ୨୫ ମିନିଟ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଧନୁଯାତ୍ରା ମହୋତ୍ସବ ଦେଖିବେ। ଏହାପରେ ସନ୍ଧ୍ୟା ୭ଟା ୩୦ ମିନିଟରେ ସେଠାରୁ ସ୍ଥାନୀୟ ସର୍କିଟ ହାଉସ ଅଭିମୁଖେ ବାହାରିବେ ଏବଂ ରାତି ୮ଟାରେ ସେଠାରେ ପହଞ୍ଚିବେ । ସେଠାରେ ରାତ୍ରି ରହଣୀ କରିବେ ଏବଂ ବୁଧବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସଠାରେ ଆୟୋଜିତ ବୀରତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।


