ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ ଯୁକ୍ତିତର୍କରୁ ରକ୍ତରଞ୍ଜିତ ହୋଇଛି ଭୋଜି।
ଏକ ଘରୋଇ ସଂସ୍ଥାର କର୍ମଚାରୀମାନେ ଭୋଜି କରୁଥିବା ବେଳେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବଚସା ଉଗ୍ରରୂପ ନେଇଥିଲା ଏବଂ ଜଣେ ଯୁବକ ହଠାତ୍ ଏକ ଖଣ୍ଡା ବାହାର କରି ଅନ୍ୟମାନଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ଦୁଇଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।
ଜନଗହଳିପୂର୍ଣ୍ଣ ବ୍ୟବସାୟିକ ଅଞ୍ଚଳରେ ଏହି ଆକ୍ରମଣ ହେବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଗୁରୁତର ଯୁବକ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ଉଦ୍ବେଗଜନକ ଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ଖାରବେଳ ନଗର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଂପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଘଟଣା ପଛର ପ୍ରକୃତ କାରଣ ଖୋଜୁଛି ପୋଲିସ। ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ।


