ସମ୍ପାଦକୀୟ/ କାହା ପାଇଁ ସଂଯୋଗ

ସୋସିଆଲ ମିଡିଆରେ ବ୍ୟବହୃତ ପ୍ରୋଫାଇଲ ସହ ଆଧାର କାର୍ଡ ସଂଯୋଗ କରିବା ନେଇ ମାଡ୍ରାସ୍‌, ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରାଧୀନ ରହିଥିବା ମାମଲା ଉପରେ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ୨୦ ଅଗଷ୍ଟରେ ରାଜି ହୋଇଛନ୍ତି। ଏଥିସହିତ କେନ୍ଦ୍ର ସମେତ ଗୁଗଲ, ୟୁଟ୍ୟୁବ୍‌, ଟୁଇଟର ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ୧୩ ସେପ୍ଟେମ୍ବର ସୁଦ୍ଧା ଏ ନେଇ ମତ ରଖିବାକୁ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି। ସୂଚନା ଦିଆଯାଇପାରେ ଯେ, ମିଥ୍ୟା, ମାନହାନିମୂଳକ, ଦେଶ ବିରୋଧୀ ଏବଂ ଆତଙ୍କବାଦ ସଂକ୍ରାନ୍ତ ତଥ୍ୟ ପ୍ରସାର କରିବାରେ ସୋସିଆଲ ମିଡିଆ ସହାୟକ ହେଉଥିବାରୁ ସେଥିରେ ନିୟନ୍ତ୍ରଣ ଆଣିବା ଲାଗି ଆଧାର କାର୍ଡ ଲିଙ୍କ୍‌ କରିବା ଉପରେ ତାମିଲନାଡୁ ସରକାର ୧୯ ଅଗଷ୍ଟରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। ଏହାକୁ ଫେସ୍‌ବୁକ୍‌ ଇନ୍‌କର୍ପୋରେଟେଡ୍‌ (ଇଙ୍କ୍‌) ବିରୋଧ କରିଚାଲିଛି। ତେଣୁ ବିଭିନ୍ନ ହାଇକୋର୍ଟରେ ଥିବା ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଇ ବିଚାର କରିବା ଲାଗି ଫେସ୍‌ବୁକ୍‌ ଇଙ୍କ୍‌ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କ ଯୁକ୍ତି ଉପରେ ମତ ଦେଇ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ମାଡ୍ରାସ୍‌ ହାଇକୋର୍ଟରେ ଥିବା ମାମଲା ଉପରେ ଶୁଣାଣି ଚାଲିବ, ମାତ୍ର ହାଇକୋର୍ଟ ଚୂଡ଼ାନ୍ତ ରାୟ ଦେଇପାରିବେ ନାହିଁ। ଏପଟେ ଫେସ୍‌ବୁକ୍‌ ଇଙ୍କ୍‌ର ଯୁକ୍ତି ହେଉଛି ଯେ, ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଓ ବାୟୋମେଟ୍ରିକ୍‌ ଏକକ ପରିଚୟ ଯଦି ସୋସିଆଲ ମିଡିଆରେ ଥିବା ନାଗରିକଙ୍କ ପ୍ରୋଫାଇଲ୍‌ ସହ ସଂଯୋଗ କରାଯାଏ, ତେବେ ତାହା ଲୋକଙ୍କ ଅନ୍ତରଙ୍ଗ ତଥା ଗୋପନୀୟତାକୁ କ୍ଷୁଣ୍ଣ କରିବ। ବ୍ୟକ୍ତିଙ୍କ ତଥ୍ୟ ତୃତୀୟ ପକ୍ଷକୁ ପ୍ରଦାନ କରାଯାଇପାରିବ ନାହିଁ ବୋଲି କମ୍ପାନୀର ଗୋପନୀୟତା ନିୟମରେ ଉଲ୍ଲେଖ ରହିଥିବା ଫେସ୍‌ବୁକ୍‌ କହିଛି। ଫେସ୍‌ବୁକ୍‌ ପକ୍ଷରୁ କରାଯାଉଥିବା ଯୁକ୍ତି ସ୍ବାଗତଯୋଗ୍ୟ।
ସରକାର ନିଜ ଜିଦ୍‌ରେ ଅଟଳ ରହିବା ପାଇଁ ଆଧାରକୁ ସବୁ କ୍ଷେତ୍ରରେ ବ୍ୟବହାର କରିବାକୁ ଚାହୁଁଥିବାରୁ ଏବେ ନାଗରିକଙ୍କ ଜୀବନ ବିପଦରେ ପଡ଼ିଲାଣି। କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଅନ୍ତରଙ୍ଗ ତଥ୍ୟ ବଜାରରେ ସହଜରେ ଉପଲବ୍‌ଧ ହୋଇଯାଉଛି। ଉଦାହରଣ ସ୍ବରୂପ, ଜଣେ ବ୍ୟକ୍ତି ଜାଣତରେ ନିଜର ମୋବାଇଲ ନମ୍ବର କୌଣସି କମ୍ପାନୀକୁ ଦେଇ ନ ଥିଲେ ମଧ୍ୟ ତାଙ୍କ ପାଖକୁ ସାମଗ୍ରୀ ବା ସେବା ପାଇବା ପାଇଁ ଏକାଧିକ ଫୋନ୍‌ କଲ୍‌ ଆସୁଛି। ଏଥିରୁ ବୁଝିବାକୁ ହେବ ଯେ, ଅସଂଖ୍ୟ ଆଧାର ନମ୍ବରକୁ ନିଆଯାଇ ପ୍ରସ୍ତୁତ ଡାଟାବେସ୍‌ ବା ତଥ୍ୟାବଳିକୁ ଦାୟିତ୍ୱରେ ଥିବା ସଂସ୍ଥା ବା ବ୍ୟକ୍ତିବିଶେଷ ସହଜରେ ବିକ୍ରି କରିଦେଉଛନ୍ତି। ଏଭଳି ସ୍ଥଳେ ଯଦି ସୋସିଆଲ ମିଡିଆରେ ଥିବା ପ୍ରୋଫାଇଲ ଆଧାର ସହ ଲିଙ୍କ୍‌ ହୋଇଯିବ, ତାହା ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ସବୁ ପ୍ରକାର ତଥ୍ୟ ବଜାରରେ ହାଉଜାଉ ହେବ। ଏହି ପରିସ୍ଥିତିକୁ ଅନ୍ୟ ଏକ ଚିତ୍ର ଦେଇ କୁହାଯାଇପାରିବ ଯେ, ଏବେକାର ସରକାର ପ୍ରତ୍ୟେକ ନାଗରିକକୁ ଉଲଗ୍ନ କରି ମଝି ରାସ୍ତାରେ ଛିଡ଼ା କରିବାକୁ ଯୋରସୋର ପ୍ରୟାସ କରୁଛି। ଏହାଦ୍ୱାରା ନାଗରିକର ପ୍ରତିଟି ଗତିବିଧି, ତା’ର ମାନସିକ ଚିନ୍ତା ସହିତ ଭବିଷ୍ୟତ ପାଇଁ ରଖୁଥିବା ଯୋଜନା ପ୍ରଶାସନର ଦୃଷ୍ଟିକୁ ଆସିବ। କେହି ସ୍ବୀକାର କରୁନ୍ତୁ ବା ନ କରନ୍ତୁ, ଆଧାରକୁ ଯେତେ ଅଧିକ ସଂଯୋଗ କରାଯିବ ସେତିକି ଅଧିକ ବ୍ୟକ୍ତିବିଶେଷର ଅନ୍ତରଙ୍ଗ ତଥ୍ୟ ମିଳିପାରିବ। ସାଧାରଣରେ ଦେଖାଯାଏ, ଆଧାର ନମ୍ବର ମାଗୁଥିବା ସଂସ୍ଥାକୁ ସମ୍ପୂର୍ଣ୍ଣ ଆଧାର କାର୍ଡର ଅବିକଳ ନକଲ ଅଶିକ୍ଷିତ ଜନସାଧାରଣଙ୍କ ଦ୍ୱାରା ଦେଇ ଦିଆଯାଉଛି। ସେଭଳି ଅଶିକ୍ଷିତ ବା ଅସଚେତନ ନାଗରିକଙ୍କୁ ନିୟନ୍ତ୍ରଣାଧୀନ ରଖିବା ଅତ୍ୟନ୍ତ ସହଜ ହୋଇଥାଏ। ଯେତିକି ଅଧିକ କଟକଣା ବୃଦ୍ଧି କରାଯାଇପାରିଛି, ସେହି ପରିମାଣରେ ଗଣତନ୍ତ୍ରର ମୃତ୍ୟୁ ଘଟିବ।
କିଛି ମାସ ପୂର୍ବରୁ ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ କରିବା ଲାଗି ନିର୍ବାଚନ କମିଶନ ଏକ ପ୍ରସ୍ତାବ ଆଣିଥିଲେ। ଏପରି କି ଆଇନ କମିଶନଙ୍କ ନିକଟକୁ ଫାଇଲ ପଠାଯାଇଥିଲା। ଏହାକୁ ନେଇ କେତେକ ଚିନ୍ତାଶୀଳ ବ୍ୟକ୍ତି ବିରୋଧ କରିବା ପରେ ତାହା ବସ୍ତୁତଃ କାର୍ଯ୍ୟକାରୀ ହୋଇପାରି ନାହିଁ। ଦେଖିବାକୁ ଗଲେ ଭୋଟର ପରିଚୟପତ୍ର ହେଉଛି ନାଗରିକତ୍ୱର ପ୍ରମାଣପତ୍ର। ଅନ୍ୟପକ୍ଷରେ ଆଧାର କାର୍ଡ ସ୍ବେଚ୍ଛାକୃତ ଦଲିଲ, ଯାହା ଜଣଙ୍କୁ ପରିଚୟ ଦେବାରେ ସହାୟକ ହୋଇଥାଏ। ଆଧାର କାର୍ଡକୁ ନେଇ ଜଣେ ଜାତୀୟତାର ପ୍ରମାଣ ଦେଇପାରିବେ ନାହିଁ ବୋଲି କୁହାଯାଉଛି। ଭବିଷ୍ୟତରେ ଏହା କେଉଁ ରୂପ ଧାରଣ କରିବ ଏବେ କହିବା କଷ୍ଟକର। ସେହି ଦୃଷ୍ଟିରୁ ଦେଖିଲେ ଆଧାର କାର୍ଡକୁ ନାଗରିକ ଜୀବନର ପ୍ରତି ପଦକ୍ଷେପ ସହ ଯୋଡ଼ି ଦିଆଗଲେ, ତାହା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବ। ଆଧାରର ସ୍ବରୂପ ଦେଖିଲେ ଏହା ଏକ ନିରନ୍ତର ପ୍ରକ୍ରିୟା। କରଦାତାଙ୍କ ଅନେକ ହଜାର କୋଟି ଟଙ୍କା ବ୍ୟୟରେ କରାଯାଉଥିବା ଏହି କାର୍ଯ୍ୟକ୍ରମର ଅନ୍ତ ନାହିଁ। କାରଣ ପ୍ରତି ମୁହୂର୍ତ୍ତରେ ଶିଶୁ ଜନ୍ମ ନେଉଥିବାରୁ ତାହାର ଆଧାର କାର୍ଡ ସୃଷ୍ଟି କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଶ୍ନ ଉଠିବା ସ୍ବାଭାବିକ, ଭୋଟର ପରିଚୟପତ୍ର ଜଣେ ନାଗରିକର ପ୍ରମାଣପତ୍ର ଭାବେ ରହିଥିବା ବେଳେ ଆଧାର ଭଳି କାର୍ଡର ଆବଶ୍ୟକତା କ’ଣ ରହିଛି। ସେହି ଖିଅକୁ ଧରି କୁହାଯାଇପାରେ ଯେ ଏବେ ଉଠୁଥିବା ପ୍ରଶ୍ନ, ଯେଉଁଥିରେ ସୋସିଆଲ ମିଡିଆରେ ଥିବା ପ୍ରୋଫାଇଲ ସହ ଆଧାର ସଂଯୋଗ ପ୍ରକୃତରେ କାହାର ମଙ୍ଗଳ ପାଇଁ ଉଦ୍ଦିଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri