ଭୁବନେଶ୍ୱର,୧୭।୨: ସାଧାରଣ ନିର୍ବାଚନ-୨୦୨୪ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୋଗ । ଆଗାମୀ ବିଧାନସଭା ନିର୍ବାଚନରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ। ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ ପରିଚାଳନା ପାଇଁ ଆୟୋଗ ସମସ୍ତ ଜିଲାପାଳ ଏବଂ ଏସ୍ପିମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ଆୟୋଗ ଅଧିକାରୀ ମାନଙ୍କୁ କହିଛନ୍ତି। କୌଣସି ସ୍ଥାନରେ ଅନିୟମିତତାର ଖବର ଆସିଲେ ନିରପେକ୍ଷ, ସ୍ୱଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାରେ ମୋଟ ମୋଟ ୩୭, ୮୦୯ ବୁଥ୍ରେ ଭୋଟ୍ ଏବଂ ୨୨, ୬୮୫ରେ ୱେବକାଷ୍ଟିଂ ହେବ। ପ୍ରାୟ ୪ ହଜାର ବୁଥ୍ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ। ସି- ଭିଜିଲ୍ ଜରିଆରେ ହିଂସାକାଣ୍ଡ ଏବଂ ବୁଥ୍ରେ ଗଣ୍ଡଗୋଳ ଉପରେ ମଧ୍ୟ ଆୟୋଗ ନଜର ରଖିବେ। ମତଦାନ ସମୟରେ ଯଦି କେଉଁଠି କିଛି ଗଡ଼ବଡ଼ ହୁଏ ଲୋକେ ସିଧାସଳଖ ନାମ ଗୋପନ ରଖି ସି-ଭିଜିଲ୍ ଆପ୍ ଜରିଆରେ କମିଶନଙ୍କୁ ଅଭିଯୋଗ ଜଣାଇ ପାରିବେ। ଅଭିଯୋଗ ଆସିବାର ୧୦୦ ମିନିଟ୍ ଭିତରେ ଆମେ ପହଞ୍ଚିବୁ ବୋଲି ସେ କହିଛନ୍ତି। ତେବେ ମତଦାନ ପୂର୍ବରୁ ପ୍ରଚାର ପାଇଁ ନିର୍ଦ୍ଦିଷ୍ଟ ଜାଗାରେ ସଭା ପାଇଁ ଯିଏ ପ୍ରଥମେ ଆବେଦନ କରିବ ତାକୁ ଅନୁମତି ମିଳିବ। ଏହାବାଦ ନିର୍ବାଚନକୁ ସ୍ଵଛ କରିବା ପାଇଁ ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ୩ ଥର ବିଜ୍ଞାପନ ଦେଇ ଜଣାଇବେ ବୋଲି କୁହାଯାଇଛି।


