ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ ଏକ ପୂର୍ବରୁ ସାର୍ବଜନୀନ ହୋଇନଥିବା ଭିଡିଓ ମିଳିଛି । ଏଥିରେ ସେ ଭବିଷ୍ୟତର ଅଲକାଏଦା ନେତା ଅନୱର ଅଲ-ଅୱଲାକୀଙ୍କ ସହ ପେଣ୍ଟବଲ୍ ଖେଳୁଥିବା ଏବଂ କଥାବାର୍ତ୍ତା କରୁଥିବା ଦେଖାଯାଇଛି।
ଭିଡିଓରେ ସାଉଦି ଆରବର ଇସଲାମିକ୍ ଆଫେୟାର୍ସ ମନ୍ତ୍ରଣାଳୟ ସହ ଜଡ଼ିତ ଜଣେ ଅଧିକାରୀ ମଧ୍ୟ ଦେଖାଯାଇଥିବା ତଦନ୍ତରେ ଜଣାପଡିଛି । ଏହି ଫୁଟେଜ୍ ୧୯୯୭ କିମ୍ବା ୧୯୯୮ ମସିହାର ବୋଲି କୁହାଯାଉଛି ।
ରିପୋର୍ଟ ଅନୁସାରେ, ପେଣ୍ଟବଲ୍ ଖେଳ ସମୟରେ କିଛି ଲୋକ ସାମରିକ ପୋଷାକ ପିନ୍ଧିଥିଲେ ଏବଂ ଧାର୍ମିକ ନାରା ମଧ୍ୟ ଦେଇଥିଲେ। FBIର ତଦନ୍ତରେ ଏଭଳି ପେଣ୍ଟବଲ୍ ସେସନ୍କୁ ଜିହାଦୀ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ନେଇ ତଥ୍ୟ ମିଳିଥିବା ଦାବି କରାଯାଇଛି । ଅନୱର ଅଲ-ଅୱଲାକୀଙ୍କ ଅଲକାଏଦା ସଂପୃକ୍ତ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ FBI ପାଖରେ ସୂଚନା ଥିଲା। ୧୯୯୮ ଜାନୁଆରୀର ଆଉ ଏକ ଭିଡିଓରେ ବାୟୁମୀ ଓ ଅୱଲାକୀ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଥିବା ରିପୋର୍ଟରେ କୁହାଯାଇଛି।
ବାୟୁମୀ ୧୯୯୪ରେ ଇଂରାଜୀ ଶିଖିବା ପାଇଁ ସାଉଦି ଆରବରୁ ସାନ୍ ଡିଏଗୋ ଯାଇଥିବା କହିଥିଲେ। କିନ୍ତୁ ପରବର୍ତ୍ତୀ ତଦନ୍ତରେ ସେ ଇଂରାଜୀ ପଢ଼ିବା ଅପେକ୍ଷା ଧାର୍ମିକ କାର୍ଯ୍ୟକଳାପରେ ଅଧିକ ସକ୍ରିୟ ଥିବା ତଥ୍ୟ ସାମ୍ନାକୁ ଆସିଥିଲା। ୯/୧୧ ଆକ୍ରମଣ ପରେ ବାୟୁମୀ FBIର ନଜରକୁ ଆସିଥିଲେ। ତାଙ୍କ ନାମ ନୱାଫ୍ ଅଲ-ହାଜମୀ ଓ ଖାଲିଦ୍ ଅଲ-ମିହଧାରଙ୍କ ଆପାର୍ଟମେଣ୍ଟ ଭଡ଼ା ଚୁକ୍ତି ସହ ଜଡ଼ିତ ଥିଲା। ଏହି ଦୁଇଜଣ ୯/୧୧ ଆକ୍ରମଣର ୧୯ ଅପହରଣକାରୀଙ୍କ ମଧ୍ୟରେ ଥିଲେ ଏବଂ ପେଣ୍ଟାଗନ୍ ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ବିମାନ ସହ ସଂପୃକ୍ତ ଥିଲେ । ୯/୧୧ ଆକ୍ରମଣ ପରେ ବାୟୁମୀ ବ୍ରିଟେନ୍ର ବର୍ମିଂହାମ୍ ଯାଇଥିଲେ ଏବଂ ୨୧ ସେପ୍ଟେମ୍ବର ୨୦୦୧ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଠିକଣାରେ ତଦନ୍ତ ବେଳେ ହଜାର ହଜାର ଦସ୍ତାବିଜ, ଫଟୋ ଏବଂ ପ୍ରାୟ ୮୦ଟି ଭିଡିଓ ଟେପ୍ ମିଳିଥିଲା। ସେଥିରୁ ଏକ ନୋଟବୁକ୍ ପୃଷ୍ଠାରେ ବିମାନର ଚିତ୍ର ସହ ଏହାର ଉଚ୍ଚତା ଓ ଅନ୍ୟାନ୍ୟ ଗଣନା ଲେଖା ଥିଲା। ଏହାର କପି ଲଣ୍ଡନର FBI ଅଧିକାରୀଙ୍କ ପାଖରେ ମଧ୍ୟ ପହଞ୍ଚିଥିଲା।
ରିପୋର୍ଟ ଅନୁସାରେ, ଏହି ପ୍ରମାଣର କିଛି ଅଂଶ ଆମେରିକାର ୯/୧୧ ତଦନ୍ତକାରୀଙ୍କ ପାଖରେ ସମୟରେ ପହଞ୍ଚିନଥିଲା। ଫଳରେ ବାୟୁମୀଙ୍କ ସହ ୯/୧୧ ଆକ୍ରମଣର ସମ୍ଭାବ୍ୟ ସମ୍ପର୍କ ନେଇ ତଦନ୍ତରେ ବିଳମ୍ବ ହୋଇଥିବା ନେଇ ପ୍ରଶ୍ନ ଉଠିଛି।

