ଭୁବନେଶ୍ୱର,୧୮ା୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବାତ୍ୟା ପ୍ରଭାବିତ ହେବାକୁ ଥିବା ୪ଟି ପ୍ରମୁଖ ଜିଲାରେ ଉଦ୍ଧାର କାର୍ଯ୍ୟ, ରିଲିଫ୍ ବଣ୍ଟନ ଏବଂ ପ୍ରଶାସନିକ ପରିଚାଳନାର ତଦାରଖ କରିବା ନିମନ୍ତେ ସରକାର ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜଗତସିଂହପୁର ଜିଲା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପୁରୀ ଜିଲା ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ବାତ୍ୟା ପରିଚାଳନା ଦାୟିତ୍ୱ ସମୀର ପ୍ରଧାନଙ୍କୁ ଦିଆଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲା ପାଇଁ ମାନସୀ ନିମ୍ବାଲଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହି ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ଜିଲାଗୁଡ଼ିକରେ ପହଞ୍ଚି ଜିଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବେ। ବିଶେଷ କରି ତଳିଆ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା, ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ସେମାନେ ଗୁରୁତ୍ୱ ଦେବେ। ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ମୃତାହତ ନୀତିକୁ ଆପଣାଇ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଥାଉକି, ସମ୍ଭାବ୍ୟ ବାତ୍ୟା ଅକ୍ୱାନ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ୧୯ ତାରିଖ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀକୁ ରେଡ ୱାର୍ନିଂ ଦିଆଯାଇଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲା ପାଇଁ ୧୯ରେ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୯ରେ ଅବଶିଷ୍ଟ ସମସ୍ତ ଜିଲାକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୦ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱରକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୦ ପାଇଁ ଆଉ ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

