
ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ୩ ମାସ ଦୋକାନ ବଜାରରେ ଲୋକଙ୍କ ଭିଡ଼ ଅଧିକ ହେବ। ତେଣୁ ଏହି ସମୟରେ ପୁଣିଥରେ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହି ୩ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଓ ସମ୍ଭାବନାକୁ ନେଇ ଡିଏମ୍ଇଟି କହିଛନ୍ତି, ପାର୍ବଣ ସମୟ ପାଇଁ ଏବେ ଆମକୁ କୋଭିଡ଼ ଗାଇଡ଼ଲାଇନ୍ ମାନିବାକୁ ପଡିବ। ଟିକାକରଣକୁ ଜୋର୍ଦାର କରାଯାଇଛି। ଏହାସତ୍ତ୍ୱେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରୁନି। ବିଶେଷକରି ଭୁବନେଶ୍ୱର ଓ କଟକରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। କାରଣ ଏହି ଦୁଇ ସହର ହେଉଛି ରାଜ୍ୟର ହେଉଛି ହେଲ୍ଥ ହବ୍। ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ଭିଡ଼ ବଢୁଛି, ତେଣୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ ଲୋକଙ୍କ ସହଯୋଗ ଆବଶ୍ୟକ। ଏଥିପାଇଁ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ଡିଏମ୍ଇଟି କହିଛନ୍ତି।
ସେପଟେ ରାଜ୍ୟରେ ଗତ କିଛିଦିନ ହେବ କରୋନା ସଂକ୍ରମଣ ୫ଶହ ତଳେ ରହୁଥିବାବେଳେ ଏବେ ପୁଣି ବଢ଼ୁଥିବା ଦେଖିବାକୁ ମିଳିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ଗତ ୧୫ ତାରିଖରେ ରାଜ୍ୟରେ ୪୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୬ ତାରିଖରେ ୫୮୦ଜଣ ଚିହ୍ନଟ ହୋଇଥିଲେ। ତେବେ ୧୭ ତାରିଖରେ ତାହା ପୁଣି ବଢ଼ିଯାଇଛି ଅର୍ଥାତ୍ ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୬୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ଜଣ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୭୨ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୮,୯୨୬ରେ ପହଞ୍ଚତ୍ଛି। ଶୁକ୍ରବାର ଆଉ ୭୧୯ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୫,୫୬୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୫,୧୮୭ ଜଣ ସକ୍ରିୟ ରୋଗୀ ଥିବାବେଳେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨,୨୧୨ଜଣ ରହିଛନ୍ତି। ଫଳରେ ଅନ୍ୟ ସମସ୍ତ ଜିଲା ଗ୍ରୀନ ଜୋନ୍ରେ ଥିବାବେଳେ କେବଳ ଖୋର୍ଦ୍ଧା ୟେଲୋ ଜୋନ୍ରେ ରହିଛି।
ସେହିପରି ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଭଦ୍ରକରୁ ଜଣେ ଲେଖାଏ ମୃତକ ରହିଛନ୍ତି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ୮,୧୨୨କୁ ବୃଦ୍ଧି ପାଇଛି।