
କୋଟପାଡ଼,୨୮ା୬(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ନଷ୍ଟ ହେଉଥିବା ବେଳେ ଏହାକୁ ନିର୍ଦ୍ଧାରିତ ସମୟରେ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏ ନେଇ ସୂତିପଦର ପଞ୍ଚାୟତ ଡଙ୍ଗିରି ୬୩ ନଂ ଜାତୀୟ ରାଜପଥରେ ଚାଷୀ ଧାନ ରଖି ଶନିବାର ରାସ୍ତାରୋକୋ କରିଥିଲେ। ନିର୍ଦ୍ଧାରିତ ସମୟରେ ପ୍ରଶାସନ ଧାନ ନ ଉଠାଉ ଥିବାରୁ ମଣ୍ଡିଗୁଡ଼ିକରେ ଗଚ୍ଛିତ ଧାନ ବର୍ଷାରେ ଭିଜି ନଷ୍ଟ ସହ ଗଜା ହେବା ସମସ୍ୟା ଦେଖାଦେଇଛି। କୋଟପାଡ଼ ଅଞ୍ଚଳରେ ଚଳିତ ଖରିଫରେ ଜୟପୁର ନିୟନ୍ତ୍ରିତ ବଜାର କମିଟି, କୋଟପାଡ଼ ସମବାୟ ବିଭାଗ ଓ କେତେକ ଏସ୍ଏସ୍ଜି ଦ୍ୱାରା ୧ ଲକ୍ଷ ୭୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଜୁନ୍ ୩୦ ମଧ୍ୟରେ କିଣିବାକୁ ଟାର୍ଗେଟ ରଖାଯାଇଥିଲା। ଧାର୍ଯ୍ୟ ସମୟ ସରିବାକୁ ୨ ଦିନ ଥିବା ବେଳେ ୫୦ ପ୍ରତିଶତ ଧାନ କିଣାଯାଇଛି ଓ ବଳକା ଧାନ ଉଠି ପାରିନାହିଁ।
ଏହାକୁ ନେଇ ବିଭିନ୍ନ ଚାଷୀ ସଂଗଠନ ଜିଲାପାଳ, ଉପଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନୀରବ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରୁ ଧାନ କିଣିବା ପାଇଁ ୪୩ଟି ମିଲରଙ୍କୁ ନିର୍ଦ୍ଦେଶ ରହିଥିବା ବେଳେ ମଣ୍ଡିଗୁଡ଼ିକରେ ଧାନ ଉଠାଇବାକୁ ଟ୍ରକ୍ ଆସୁ ନ ଥିବାରୁ ସମସ୍ୟା ଦେଖାଦେଇଥିବା ଜଣାପଡିଛି। ଏ ନେଇ ଜୟପୁର ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ମଣ୍ଡିରେ ଧାନ ଉଠାଇବାକୁ ଗାଡି ଆସୁ ନ ଥିବା ବେଳେ କିଛିଦିନ ହେବ ବର୍ଷା ଲାଗି ରହିଛି। ଧାନ ମଣ୍ଡିରେ ଭିଜୁଛି l
ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଚାଷୀ ଗୁହାରି କଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହା ପରେ ସ୍ଥାନୀୟ ତହସିଲଦାର, ଯୋଗାଣ ବିଭାଗ ଅଧିକାରୀ, ଲ୍ୟାମ୍ପ ଅଧିକାରୀ, ପୋଲିସ ପହଞ୍ଚି ବୁଝାଶୁଝା କରି ୩୦ ତାରିଖ ସୁଦ୍ଧା ସମସ୍ତ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଚାଷୀ ରାସ୍ତାରୁ ଉଠିଥିଲେ। ପ୍ରଶାସନ ପ୍ରତିଶ୍ରୁତି ପାଳନ ନ କଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚାଷୀ କହିଛନ୍ତି।