ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କରିଛନ୍ତି। ସୂଚନାକ୍ରମେ ଅବକାରୀ କର୍ମଚାରୀ ଖଡ଼ିଆର ରୋଡ଼ ସ୍ବସ୍ତିକ ଲଜ୍ ସମ୍ମୁଖରେ ଚଢ଼ାଉ କରି ୧୦କେଜି ଗଞ୍ଜେଇ ଜବତ ସହ ସମ୍ପୃକ୍ତ ଅଭିଯୁକ୍ତ କନ୍ଧମାଳ ଜିଲାର ପୂର୍ଣ୍ଣଚନ୍ଦ୍ର କହଁର (୨୯)ଙ୍କୁ ଗିରଫ କରିଛନ୍ତି। ନୂଆପଡ଼ା ଅବକାରୀ ରେଞ୍ଜର ଇନ୍ସପେକ୍ଟର ହୀରାବତୀ ଠାଟି ଏ ନେଇ ମାମଲା (ନଂ.୯୨/୨୬-୨୭) ରୁଜୁ କରିଥିଲେ। ସେହିପରି ଖଡ଼ିଆର ରୋଡ଼ ରେଳ ଷ୍ଟେଶନ ରାସ୍ତା ନିକଟରେ ଚଢ଼ାଉ କରି ୬କେଜି ଗଞ୍ଜେଇ ଜବତ ସହ ସମ୍ପୃକ୍ତ କନ୍ଧମାଳ ଜିଲାର ସୁଫଳ କହଁର (୨୬)ଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସିଦ୍ଧାନ୍ତ ପାତ୍ର ଏ ନେଇ ଏକ ମାମଲା (ନଂ.୧୧୩/୨୬-୨୭) ରୁଜୁ କରିଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ନ୍ୟାୟାଳୟରେ ହାଜର ପରେ ଜିଲା ଓ ଦୌରାଜଜ୍ଙ୍କ ଆଦେଶକ୍ରମେ ନ୍ୟାୟିକ ହାଜତକୁ ପଠାଯାଇଛି।

