Posted inଖେଳ

ଶ୍ରୀସନ୍ଥଙ୍କ ସମେତ ୧୦୯୭ ଖେଳାଳିଙ୍କ ନାମ ପଞ୍ଜୀକୃତ

ଚେନ୍ନାଇ, ୬ା୨ (ପି.ଟି.)-ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ପାଇଁ ୧୦୯୭ ଜଣ ଖେଳାଳି ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଂଲାଦେଶ ଅଲ୍‌ରାଉଣ୍ଡର ଶକିବ ଅଲ ହସନ ଏବଂ ଭାରତର ଏସ. ଶ୍ରୀସନ୍ଥ ରହିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ଏବଂ ଅଷ୍ଟ୍ରେଲିଆନ ସ୍ପିଡ୍‌ଷ୍ଟର ମିଚେଲ ଷ୍ଟାର୍କ ଏଥିରୁ ଓହରିଯାଇଛନ୍ତି। କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ବାମହାତୀ ପେସ୍‌ ବୋଲର ଅର୍ଜୁନ ତେନ୍ଦୁଲକର ମଧ୍ୟ ନିଲାମରେ ଭାଗ ନେବେ। ତାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଛି। ଭାରତରୁ ୮୧୪ ଏବଂ ବିଦେଶରୁ ୨୮୩ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ନିଲାମରେ ଓ୍ବେଷ୍ଟଇଣ୍ଡିଜର ସର୍ବାଧିକ ୫୬ ଖେଳାଳି ଭାଗ ନେବେ। ଏହା ପଛକୁ ପଛ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା (୩୮)। ଷ୍ଟାର୍କ ୨୦୧୫ରେ ଶେଷ ଥର ପାଇଁ ଏହି ଲିଗ୍‌ରେ ଖେଳିଥିଲେ। ସେ ଏଥର ମଧ୍ୟ ଭାଗ ନେବେନାହିଁ। ଚଳିତ ଭାରତ ବିପକ୍ଷ ଓପନିଂ ଟେଷ୍ଟର ପ୍ରଥମ ଦିବସରେ ଶତକ ହାସଲ କରିଥିବା ରୁଟ୍‌ କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଙ୍କ ନାମ ପଞ୍ଜୀକୃତ କରିନାହାନ୍ତି। ଇଂଲଣ୍ଡର ଅନ୍ୟ ଦୁଇ ଖେଳାଳି ହ୍ୟାରି ଗୁର୍ନେ ଓ ଟମ୍‌ ବାଣ୍ଟନ ମଧ୍ୟ ସେମାନଙ୍କ ନାମ ରେଜିଷ୍ଟ୍ରେଶନ କରିନାହାନ୍ତି। ଖବର ଅନୁସାରେ ଫିକ୍ସିଂରେ ସମ୍ପୃକ୍ତ ହେବା ଲାଗି ପ୍ରଲୋଭନର ଶିକାର ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ ନ କରି ସସ୍‌ପେଣ୍ଡ ଦଣ୍ଡ ଭୋଗିସାରିଥିବା ଶକିବଙ୍କ ବେସ୍‌ ପ୍ରାଇସ୍‌ ସର୍ବୋଚ୍ଚ ୨ କୋଟି ଟଙ୍କା ରହିଛି। ଅନ୍ୟପକ୍ଷରେ ୭ବର୍ଷ ପରେ କେରଳ ତରଫରୁ ସୟଦ ମୁସ୍ତାକ ଅଲୀ ଟି୨୦ ଖେଳିଥିବା ଶ୍ରୀସନ୍ଥଙ୍କ ବେସ୍‌ ପ୍ରାଇସ୍‌ ୭୫ ଲକ୍ଷ ଟଙ୍କା ରହିଛି। ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ୍‌ ସ୍ପଟ୍‌ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କ ଭୂମିକାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩୭ ବର୍ଷୀୟ ଏହି ପେସ୍‌ ବୋଲରଙ୍କୁ ଆଜୀବନ ବାସନ୍ଦ କରିଥିଲା। କିନ୍ତୁ ୨୦୧୯ ଅଗଷ୍ଟରେ ବାସନ୍ଦ ସମୟସୀମା ୭ ବର୍ଷକୁ ହ୍ରାସ କରାଯାଇଥିଲା।
ହରଭଜନ ସିଂ, କେଦାର ଯାଦବ, ଷ୍ଟିଭ ସ୍ମିଥ୍‌, ଗ୍ଲେନ ମାକ୍ସଓ୍ବେଲ, ମୋଇନ ଅଲୀ, ସାମ୍‌ ବିଲିଙ୍ଗ୍ସ, ଜାସନ ରୟ, ମାର୍କ ଉଡ୍‌, ଲିଆମ ପ୍ଲଙ୍କେଟ ଏବଂ କଲିନ ଇନ୍‌ଗ୍ରାମ ଆଦି ସମସ୍ତଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖାଯାଇଛି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହନୁମା ବିହାରୀ (୧ କୋଟି ଟଙ୍କା) ଓ ଚେତେଶ୍ୱର ପୂଜାରା (୫୦ ଲକ୍ଷ ଟଙ୍କା) ମଧ୍ୟ ନିଲାମରେ ଭାଗ ନେବା ଲାଗି ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା ଇଂଲଣ୍ଡର ଦାଓ୍ବିଦ ମାଲାନ ଏଥର ଆଇପିଏଲ୍‌ରେ ପଦାର୍ପଣ କରିପାରନ୍ତି। ସେ ତାଙ୍କ ନାମ ପଞ୍ଜୀକୃତ କରିଥିବାବେଳେ ତାଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ଟଙ୍କା ରହିଛି। ସମାନ ବେସ୍‌ ପ୍ରାଇସ୍‌ ରହିଥିବା ଅନ୍ୟ ଖେଳାଳିମାନେ ହେଲେ ଆଲେକ୍ସ କୋରେ, ଟମ୍‌ କୁରାନ, ମିଚେଲ ସ୍ବେପସନ, ନାଥାନ କୁଲଟର ନାଇଲ, ମୁଜିବୁର ରହମନ, ଆଲେକ୍ସ ହେଲ୍ସ ଝେ ରିଚାର୍ଡସନ, ଆଦିଲ ରସିଡ୍‌, ଡେଭିଡ୍‌ ଓ୍ବିଲି, ଆଡାମ ଲିଥ୍‌ ଓ ଲିଓ୍ବସ ଗ୍ରେଗୋରି। ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସକୁ ଟାଇଟଲ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଷ୍ଟ୍ରେଲିଆନ ପେସର ଜେମ୍ସ ପ୍ୟାଟନସନ ଏଥର ଅନୁପସ୍ଥିତ ରହିବେ। ସେହିପରି ନିଲାମରେ ସହଯୋଗୀ ରାଷ୍ଟ୍ରଗୁଡ଼ିକରୁ ୨୭ଜଣ ଏବଂ ୮୬୩ ନୂଆ ଖେଳାଳି ଭାଗ ନେବେ। ସେମାନଙ୍କ ମଧ୍ୟରେ ୭୪୩ ଭାରତୀୟ ଓ ୬୮ ବିଦେଶୀ ଖେଳାଳି ଅଛନ୍ତି। ଯଦି ପ୍ରତିଟି ଫ୍ରାଞ୍ଚାଇଜ୍‌କୁ ଦଳରେ ସର୍ବାଧିକ ୨୫ ଖେଳାଳିଙ୍କୁ ରଖିବା ଲାଗି କୁହାଯାଏ ତେବେ ୬୧ଜଣ ଖେଳାଳି ନିଲାମରେ ଭାଗ ନେବେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶେଷ ହେବାର ଦିନକ ପରେ ନିଲାମ କାର୍ଯ୍ୟ ହେବ। ଏହା ଅପରାହ୍ନ ୩ଟାରୁ ଆରମ୍ଭ ହେବ। କିଙ୍ଗ୍ସ ଇଲେଭେନ ପଞ୍ଜାବ ସର୍ବାଧିକ ୫୩.୨୦ କୋଟି ଟଙ୍କା ପକେଟରେ ନେଇ ନିଲାମକୁ ଓହ୍ଲାଇବ। ଖେଳାଳି କ୍ରୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୩୫.୯୦ କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସ ନିକଟରେ ୩୪.୮୫ କୋଟି, ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ୨୨.୯୦କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୧୫.୩୫ କୋଟି ଏବଂ ଡେକାନ ଚାର୍ଜର୍ସ ପାଖରେ ୧୨.୯ କୋଟି ଟଙ୍କା ରହିବ। କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ନିକଟରେ ୧୦.୭୫ କୋଟି ଟଙ୍କା ରହିବ। ଆଇପିଏଲ୍‌ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସଂସ୍କରଣ ଭାରତରେ ହେବା ସମ୍ଭାବନା ରହିଛି। ଜାନୁୟାରୀ ୨୦ ରିଟେନଶନ ସମୟ ସୀମାର ଶେଷ ତାରିଖ ରହିଥିଲା। ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଯଥାକ୍ରମେ ଷ୍ଟିଭ ସ୍ମିଥ୍‌ ଓ ଗ୍ଲେନ ମାକ୍ସଓ୍ବେଲଙ୍କୁ ରିଲିଜ କରିଛନ୍ତି। ଅନ୍ୟ ଯେଉଁ କେତେଜଣ ଜଣାଶୁଣା ଖେଳାଳି ରିଲିଜ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିସ୍‌ ମୋରିସ, ହରଭଜନ ସିଂ ଓ ଆରୋନ ଫିଞ୍ଚ୍‌। ଫ୍ରାଞ୍ଚାଇଜ୍‌ଗୁଡ଼ିକ ମୋଟ ୧୩୯ ଖେଳାଳି ସେମାନଙ୍କ ପାଖରେ ରଖିଥିବାବେଳେ ୫୭ ଖେଳାଳିଙ୍କୁ ରିଲିଜ କରିଛନ୍ତି। କେଉଁ ଦେଶରୁ କେତେଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି, ତାହାର ଏକ ତାଲିକା ପ୍ରକାଶ କରାଯାଇଛି: ଅଷ୍ଟ୍ରେଲିଆ (୪୨), ଆଫଗାନିସ୍ତାନ (୩୦), ବାଂଲାଦେଶ (୫), ଇଂଲଣ୍ଡ (୨୧), ଆୟର୍ଲାଣ୍ଡ (୨), ନେପାଳ (୮), ନେଦରଲାଣ୍ଡ୍ସ (୮), ନ୍ୟୁଜିଲାଣ୍ଡ (୨୯), ସ୍କଟଲାଣ୍ଡ (୭), ଦକ୍ଷିଣ ଆଫ୍ରିକା (୩୮), ଶ୍ରୀଲଙ୍କା (୩୧), ସଂଯୁକ୍ତ ଆରବ ଏମିରେଟ୍ସ (୯), ଯୁକ୍ତରାଷ୍ଟ୍ର ଆମେରିକା (୨), ଓ୍ବେଷ୍ଟଇଣ୍ଡିଜ (୫୬) ଓ ଜିମ୍ବାଓ୍ବେ (୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri