ଭୁବନେଶ୍ୱର, ୮।୨(ବ୍ୟୁରୋ): ଓଡ଼ିଶାର ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧ କୋଟି ୨୩ ଲକ୍ଷ ଶ୍ରମିକ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଲାଭ ପାଇଛନ୍ତି। ସୋମବାର ଲୋକ ସଭାରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହି ସୂଚନା ଦେଇଛନ୍ତି।
ଓଡ଼ିଶାରୁ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେ ଶ୍ରମିକ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି ବୋଲି ବିଜେଡି ଏମ୍ପି ଚନ୍ଦ୍ରଶେଖର ସାହୁ ପ୍ରଶ୍ନ କରିଥିଲେ। କେନ୍ଦ୍ରମନ୍ତ୍ରୀ ତେଲି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ-ଧନ ପେନ୍ସନ ସ୍କିମ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନାରେ ଓଡ଼ିଶାର ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଲାଭବାନ ହୋଇଛନ୍ତି। ୨୦୨୨ ଜାନୁୟାରୀ ୨୮ ସୁଦ୍ଧା ଓଡ଼ିଶାରୁ ୧ ଲକ୍ଷ ୭୦ ହଜାର ୯୩୬ ଜଣ ଶ୍ରମିକ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ-ଧନ ପେନ୍ସନ ସ୍କିମ୍ରେ ଉପକୃତ ହୋଇଥିବା ବେଳେ ୨୦୨୧ ଅକ୍ଟୋବର ସୁଦ୍ଧା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୧, ୪୫, ୮୫୦ ଜଣ ଉପକୃତ ହୋଇଛନ୍ତି। ସେହିପରି ୨୦୨୧ ଅକ୍ଟୋବର ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୮୯, ୮୪, ୮୫୯ ଜଣ ଶ୍ରମିକ ଉପକୃତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।