ହିଡ଼ର ମାଟି ହିଡ଼େ ନଦିଥିଲେ

ଡା. ବାସୁଦେବ ପ୍ରଧାନ
ବୃତ୍ତି ପାଇଁ ଗାଁଠାରୁ ଦୂରରେ ରହୁଛି। ଭାଇ ଫୋନ୍‌ କରି କହିଲା କାଲି ଗାଁକୁ ଆସ। ଜମି ମାପ ହେବ। ଉପର ଜମିବାଲା କହୁଛି କୁଆଡେ ତା’ ଜମି ଆମ ବିଲକୁ ରହିଛି। ରାତିରେ ଭଲ ନିଦ ହେଲାନି। ସକାଳୁ ଉଠି ଗାଁକୁ ବାହାରିଲି। ଜମିରେ ପହଞ୍ଚିଲା ବେଳକୁ ଜମି ହିଡ଼ରେ ଭଦ୍ର ଲୋକମାନେ ଧାଡ଼ିହୋଇ ବସିଛନ୍ତି। ସମସ୍ତଙ୍କୁ ଯଥାମାନ୍ୟ ଜଣାଇଲି। କିଛି ସମୟ ପରେ ଅମିନ ଆସି ପହଞ୍ଚିଲା। ଜମି ମପାହେଲା। ଦେଖିଲାବେଳକୁ ଉପର ଜମିମାଲିକଙ୍କର ଜମି ଅଧିକ, ମୋ ଜମି କମ୍‌ ଅଛି। ତାଙ୍କ ସପକ୍ଷରେ ଥିବା ଗାଁର ଭଦ୍ରଲୋକମାନେ ମତ ବଦଳେଇଲେ। କହିଲେ, ସେ ତ ସହରରେ ରହୁଛି, ଜମି ଚାଷୀଙ୍କ ହାତରେ। ସେମାନେ କାହିଁକି ହିଡ଼ ହାଣିବେ? କେତେ କ’ଣ ଆଲୋଚନା ହେଲା। ଅମିନ ଚାଲିଗଲେ। ଉପର ଜମିମାଲିକଙ୍କର ମୁହଁ କଳା ପଡ଼ିଗଲା। ମୁଁ କହିଲି ଭାଇ କ’ଣ କରିବା। ସେ କିଛି କହିଲେ ନାହିଁ। ଗାଁର ମୁରବିମାନଙ୍କ ପରାମର୍ଶରେ କିଛି ଯୁବକ ହିଡ଼ ସଜାଡିବା ପାଇଁ ପଥର ପୋତି ଜମିର ଆୟତନ ଠିକ୍‌ କଲେ। ଜମି ମାପ ପାଇଁ ଆସିଥିବା ଭଦ୍ରଲୋକଙ୍କ ପାଖରେ ସେ ଲୋକହସା ହେଲେ। ସମସ୍ତେ ଗାଁକୁ ଫେରିଲେ। ହେଲେ ମୋ ପାଦ ଦୁଇଟି ଆଗକୁ ପଡ଼ିଲାନି। ହିଡ଼ରେ ବସିପଡ଼ିଲି। ପିଲା ବେଳ କଥା ଗୋଟି ଗୋଟି ହୋଇ ମନେ ପଡ଼ିଗଲା। ପିଲାବେଳେ ସେଇ ହିଡ଼ରେ ଚାଲିଛି ବୁଲିଛି। ବଣ ମୁଗ, ହିଡ଼ ବିରି ଖାଇଛି। ବିଲ ପାଣି ପିଇଛି। ବାପାଙ୍କ ସାଙ୍ଗରେ ପଖାଳ ଖାଇଛି। ଯେଉଁ ହିଡ଼ ପିଲାବେଳେ ସୁସ୍ଥ ସବଳ ଥିଲା, ଛାତି ତା’ର ଚଉଡା ଥିଲା, ସେ ଆଜି ସଙ୍କୁଚିତ। ଜାଣିପାରିଲି ମୋ ଚାଷୀ ନୁହେଁ ବରଂ ଉପର ଜମିମାଲିକ ହିଡ଼ ହାଣି ତାର କାୟା ଛୋଟ କରିଛି। ଚଉଡା ହିଡ଼ରୁ କିଛି ହାଣି ତା’ ଜମିରେ ମିଶାଇ ଦେଇଛି। ସେତିକି ନୁହେଁ ତା’ ଜମିର ଉପରମୁଣ୍ଡରେ ଥିବା କେନାଲ ହୁଡ଼ାରୁ ମଧ୍ୟ କିଛି ଅଂଶ ମିଶାଇଦେଇଛି। ତେଣୁ ତା’ ଜମିର ଆୟତନ ବଢ଼ିଛି। ସେଇ ଚଉଡ଼ା ହିଡ଼ରେ ବେଉଷଣ ବେଳେ ଆମ କାଳିଆ କସରା ବଳଦ ବିଶ୍ରାମ କରୁଥିଲେ। ଧାନଗଛ ନ ଖାଇ ବିଲ ହିଡ଼ରେ ଜାତିଜାତିକା ଘାସ ଖାଇବାକୁ ସେମାନେ ଭାରିି ଭଲ ପାଆନ୍ତି।
ବିଲ ହଡ଼ରେ ବହୁ କଥା ଲୁଚି ରହିଛି। ଘରକୁ ଲାଗିଥିବା ହିଡ଼, ଗହୀର ହିଡ଼ ଆଉ ପାହାଡ଼ ପାଖ ବିଲ ହିଡ଼ ଭିତରେ କିଛି କିଛି ଫରକ ରହିଛି। ପାହାଡ଼ ପାଖ ବିଲ ହିଡ଼ରେ ବାପା ଜେଜେ ଭାଡ଼ି ପକାଉଥିଲେ ଫସଲ ଜଗିବା ପାଇଁ। ଘର ଛାଡ଼ି ଭାଡ଼ିରେ ଶୋଉଥିଲେ। ଜଙ୍ଗଲୀ ପଶୁମାନେ କ୍ଷେତକୁ ଆସି ଫସଲ ଯେତିକି ଖାଆନ୍ତି ତା’ଠାରୁ ଦଳିଚକଟି ଅଧିକ ନଷ୍ଟ କରନ୍ତି। ତେଣୁ ଭାଡ଼ି ପକାଇ ଜଗିବାକୁ ପଡ଼େ। ହେଲେ ଗହୀର ବିଲ ହିଡ଼ ଆଉ ଘରକୁ ଲାଗିଥିବା ଜମି ହିଡ଼ରେ ଭାଡ଼ି ପଡେ ନାହିଁ। ହେଲେ ସମସ୍ତ ହିଡ ମୋ ପରି ଚାଷୀର ସାହା ଭରସା। ଋତୁ ଅନୁସାରେ ତା’ର ରୂପ ବଦଳେ। ବର୍ଷା ଦିନେ ସବୁଜ ଘାସରେ ଲୁଚିଯାଏ। ଖରାଦିନେ ଟାଙ୍ଗରା। ବର୍ଷା ଋତୁରେ କାକୁଡି, ଭେଣ୍ଡିର ତ ହାଟ ବସେ। ପରିବା ପାଇଁ ହାଟକୁ ଯିବାକୁ ପଡେନି। ଜହ୍ନି, ଭେଣ୍ଡି ଯାହାକୁ ଯେତେ। ଆଉ ଶୀତଦିନେ ହିଡ ବିରି ପେନ୍ଥି ପେନ୍ଥି ହୋଇ ଝୁଲେ। ଧାଡ଼ି ଧାଡ଼ି ଗେଣ୍ଡୁଫୁଲରେ ଗଭା ଖୋସେ। ଖୁବ୍‌ ସୁନ୍ଦର ଦିଶେ ବିଲ ହିଡ। ହିଡରେ ସାରୁ, ଖମ୍ବଆଳୁ ପୋତି ଦିଆଯାଏ। ହିଡରେ ଥିବା ବବୁଲ ଗଛର ଡାଙ୍ଗ ଦାନ୍ତକାଠି କାମରେ ଲାଗେ। ଶିମ୍ବଲତା ସେଇ ଗଛକୁ ଆଶ୍ରୟ କରି ଫଳେ। ଆଗେ ବଡ଼ ଧାନ ଚାଷ କରାଯାଉଥିଲା। ବିଲ ହିଡରେ ଗଲେ ମୁଣ୍ଡ ବି ଲୁଚିଯାଏ। ଏବେ ବିଲରେ ଆଣ୍ଠୁଏ ଆଣ୍ଠୁଏ ଧାନ। ବିଲ ହିଡରେ ଗର୍ଭଣା ସଂକ୍ରାନ୍ତିରେ ମାଟିହାଣ୍ଡି ବସାଇ ଖିରି କରାଯାଏ। ଚାଷ କାମ କରି ଥକିପଡିଲେ ବାପା ହିଡ଼ରେ ବିଶ୍ରାମ ନିଅନ୍ତି। ହିଡ଼ ଜମିକୁ ସୁରକ୍ଷିତ ରଖେ। ଜମିଠାରୁ ଜମିକୁ ଅଲଗା କରେ। ପାଣି ସାଇତି ରଖେ। ଧାନକଟା ସମୟରେ ବର୍ଷା ଅଧିକ ହେଲେ ବାପା ଧାନ କାଟି ବିଲ ହିଡରେ ଶୁଖାନ୍ତି। ଧାନକଟା ସମୟରେ ହିଡରେ ଧାଡି ଧାଡି କଳେଇ ରଖାଯାଏ। ଶଗଡରେ ଖଳାକୁ ବୁହାଯାଏ। ମୂଷା ଧାନ କେଣ୍ଡା କାଟି ହିଡ ଭିତରେ ତା’ର ଖାଦ୍ୟ ବର୍ଷକ ପାଇଁ ସାଇତି ରଖେ। ସେହିପରି ବର୍ଷାଦିନେ ଆଉ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ବିଲୁଆମାନେ କଙ୍କଡା ଗାତରେ ଲାଞ୍ଜ ପୂରାଇଥାନ୍ତି। କଙ୍କଡା ଲାଞ୍ଜକୁ ଜାବୁଡି ଧରିଲେ ବିଲୁଆ ଉପରକୁ ଟାଣିଆଣେ। କିଛି ଖାଏ କିଛି ଛାଡିଯାଏ। ସେଇ ଦରଖିଆ କଙ୍କଡା ଖାଇବାକୁ କାଉମାନେ ବିଲ ହିଡରେ ଜଗି ବସନ୍ତି। ବଗ ଜଗିଥାଏ ମୀନ ଖାଇବାକୁ। ହିଡ ଫେରରେ ମୁଗୁରା ବସାଯାଇ ମାଛ ଧରାଯାଏ। ଫେର ମାଟିକୁ ଜାବୁଡିଧରେ ବେଣାର ଗୁଚ୍ଛ ଚେର। ବେଣାର ବହୁ ଉପକାର ରହିଛି। ବେଣା ଚେରରେ ତାଟି ତିଆରି କରି ଝରକାରେ ଝୁଲାଯାଏ। ପାଣି ଢଳାଯାଏ। ଆଜିକାଲି ସେଇ ଚେର କୁଲରରେ ବ୍ୟବହାର ହେଉଛି। ଏହି ଚେରରୁ ସୁବାସ ବାହାରେ ପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ସହଜରେ ଶଢେ ନାହିଁ। ଗ୍ରୀଷ୍ମ ଦାଉରୁ ରକ୍ଷା ମିଳେ। ଘର ଶୀତଳ ରହେ। ପାକଳ ବେଣା ଗଛରୁ କାଣ୍ଡ ବାହାରେ। କାଣ୍ଡ ଶେଷରେ ଖଇରିଆ ରଙ୍ଗର ଚଅଁର ବାହାରିଥାଏ। ତା’ କାଣ୍ଡକୁ କାଇଁଚ କୁହାଯାଏ। ଏଥିରେ ସୁନ୍ଦର ସୁନ୍ଦର ଭୋଗେଇ, ଚାଙ୍ଗୁଡି, ଆସନ, ପଟି, ଘର ଉପକରଣ ତିଆରି ହୁଏ। ବେଣା ମୂଳ ବିଲୁଆମାନଙ୍କର ବାସସ୍ଥାନ। ରାତି ଅଧରେ ସେମାନେ ହୁକେ ହୋ ହୁକେ ହୋ ରଡି ଛାଡନ୍ତି। ବିଲ ହିିଡ ଗାଁକୁ ଗାଁ ଯୋଡିବାର ସମ୍ପର୍କର ସେତୁ। କେବେ ମାମୁ ଘରକୁ ତ କେବେ ପିଉସୀ ଘରକୁ ରାସ୍ତା ଦେଖାଏ। ଗାଁକୁ ଗାଁ ଦୂରତା କମାଏ। ଆଗ କାଳରେ ସବୁ ଗାଁରେ ସ୍କୁଲ ନ ଥିଲା। ପିଲାମାନେ ହିଡ ଦେଇ ଅନ୍ୟ ଗାଁ ସ୍କୁଲରେ ପହଞ୍ଚୁଥିଲେ। କ୍ଷେତର ଧାନ, ମୁଗ, ବିରି ଆର୍ଥିକ ଅନଟନ ଦୂର କରେ। ସେଇମିତି ହିଡର ପନିପରିବା, ବିରି, କୋଳଥ, ହରଡ ଚାଷ କୃଷି ଅର୍ଥନୀତିକୁ ସୁଦୃଢ଼ କରେ। ନିଜର ବୁଝିବାପଣର ଅଭାବରୁ ହିଡହଣା କଳି ସୃଷ୍ଟି ହୁଏ। ଲୋକେ କୋର୍ଟକଚେରି ଯାଆନ୍ତି। ବିଲ ହିଡ଼ ବେଳେ ବେଳେ ଔଷଧର ପେଡି ପରି ରୋଗବୈରାଗ ଦୂର କରେ। ବଣ ଭେଣ୍ଡି, ବଣ ମୁଗ, ମୁଥା, ବେଣା ପ୍ରଭୃତି ବିନା ଯତ୍ନରେ ହିଡରେ ବଢ଼ିଥାନ୍ତି। ବଣ ମୁଗ ଏକ ଶ୍ରେଷ୍ଠ ବଳକାରୀ ଖାଦ୍ୟ। ଯେତେ ପୁରୁଣା ନାଳରକ୍ତ ଝାଡ଼ା ହେଉନା କାହିଁକି ମୁଥା ଦୂର କରେ। ସେହିପରି ଅନିଦ୍ରା, ରକ୍ତଚାପ, ପରିସ୍ରା ଜଳାପୋଡ଼ା ଅନେକ ସ୍ବାସ୍ଥ୍ୟ ସମସ୍ୟା ବେଣା ଦୂର କରେ। ହିଡ କେବଳ ବିଲକୁ ସୁରକ୍ଷା ଦିଏନି, ଆମର ଖାଦ୍ୟ ଓ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ। ଭାଇ ଭିନେ ହେଲା ପରେ ଜମି ଭାଗ କରାଯାଇ ନୂଆ ହିଡ ଟଣାଯାଏ। ଚକବନ୍ଦୀରେ ବହୁ ହିଡ଼ ଉଠାଇ ଛୋଟ ଛୋଟ ବିଲକୁ ବଡ କରାଯାଇଛି। କଥାରେ ଅଛି- ଏଣୁତେଣୁ କରି ପନ୍ଦର ଦିନ, ଚାକିରି ପଇସା ମାସେ, ହିଡ଼ର ମାଟି ହିଡ଼େ ନଦିଥିଲେ ବସି ଖାଉଥା ବରଷେ।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri