ହାତଛଡ଼ା ସୁଯୋଗ

ଡ. ସୁବାସ ଚନ୍ଦ୍ର ପାତ୍ର
କୁହାଯାଏ ନାୟକ ଓ ଖଳନାୟକ ମଧ୍ୟରେ ପାର୍ଥକ୍ୟରେଖା ବହୁତ କ୍ଷୀଣ। ସାମାନ୍ୟ ବୈଚାରିକ ତ୍ରୁଟିପାଇଁ ଏହି ମୁହୂର୍ତ୍ତରେ ଯେ ନାୟକ, ସାଧାରଣ ମୂଲ୍ୟାୟନରେ ଯେ ହିମାଳୟର ଶିଖରରେ, ପରବର୍ତ୍ତୀ ସମୟରେ ଆମେ ତାଙ୍କୁ ଧୂଳିଧୂସରିତ ଅବସ୍ଥାରେ ଦେଖୁଁ ବଙ୍ଗୋପସାଗର କୂଳରେ। ଗ୍ରୀକ୍‌ ଟ୍ରାଜେଡି ଏବଂ ସେକ୍ସପିୟରଙ୍କ ଟ୍ରାଜେଡିରେ ନାୟକମାନଙ୍କ ଏହି ପ୍ରକାର ପତନର ଏକ ନାଟ୍ୟରୂପ ଦେଖିବାକୁ ମିଳେ, ସେଇଥିପାଇଁ ବିୟୋଗାନ୍ତକ ନାଟକର ନାୟକମାନଙ୍କୁ ସର୍କସର ଭିଡ଼ା ହୋଇଥିବା ଦଉଡ଼ି ଉପରେ ଭାରସାମ୍ୟ ରଖି ଚାଲୁଥିବା କଳାକାର ସହ ତୁଳନା କରାଯାଏ। ଭାରସାମ୍ୟ ଠିକ୍‌ଠାକ୍‌ ରହିଲେ ବହୁତ କରତାଳି, ସେ ଜଣେ ସଫଳ ନାୟକ, ଟିକେ ଏପଟ ସେପଟ ହେଲେ ତଳେ ବିଛା ହୋଇଥିବା ଜାଲ ଉପରେ ପତନ। ସର୍କସର ପରିଚାଳକଙ୍କ ପାଇଁ ସେ ଖଳନାୟକ, ଦର୍ଶକମାନଙ୍କ ପାଇଁ ସେ ଜୋକର।
ନାଟକ ଯେମିତି ଜୀବନ ସେମିତି। ଯାବତୀୟ ମହନୀୟତା, ସଂଯମ, ଶୃଙ୍ଖଳାବୋଧ ସତ୍ତ୍ୱେ ମଣିଷର କେତେବେଳେ ଯେ ସ୍ଖଖଳ ଘଟିବ, କେତେବେଳେ ଯେ ନୈତିକ ପତନ ଘଟିବ ସେ କଥା ଅନୁମାନ କରିବା କଷ୍ଟକର। ମଣିଷ ଯେହେତୁ ଭଗବାନ ନୁହଁ, ତା’ର ଚରିତ୍ର, ବ୍ୟକ୍ତିତ୍ୱରେ ବିଦ୍ୟମାନ ଅପୂର୍ଣ୍ଣାଙ୍ଗତା ହିଁ ତାକୁ ପତନ ଆଡ଼କୁ ଅଗ୍ରସର କରାଏ। ତେଣୁ ଇଂଲିଶ କବି ଆଲେକ୍‌ଜାଣ୍ଡର ପୋପ୍‌ କହନ୍ତି, ‘ମଣିଷ ସବୁର ଅଧୀଶ୍ୱର, ପୁଣି ସବୁର ଶିକାର’ (ଗ୍ରେଟ୍‌ ଲର୍ଡ ଅଫ୍‌ ଅଲ୍‌ ଥିଙ୍ଗସ୍‌ ୟେଟ୍‌ ଏ ପ୍ରେ ଟୁ ଅଲ୍‌)। ନିଜର ବିଚାରବୋଧ ଅବା ଚେତନାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ଏକ ନୈତିକ ରାସ୍ତାରେ ଭାରସାମ୍ୟ ରଖି ଚାଲିବା ସଚରାଚର ଦୈନନ୍ଦିନ ଜୀବନରେ ସମ୍ଭବ ନୁହେଁ, ତେଣୁ ଯଦି ସେମିତି କିଛି ତ୍ରୁଟି ଘଟିଯାଏ, ଉତ୍ତମ ମାର୍ଗ ହେଲା ତ୍ରୁଟିକୁ ମାନିଯାଇ ନିଷ୍ଠାର ସହ ସମାଜ ତଥା ଅନୁଷ୍ଠାନ ଦରବାରରେ ଆତ୍ମସମର୍ପଣ କରି ଜନମାନସରେ ବିଶ୍ୱାସଭାଜନ ହେବା ପାଇଁ ଉଦ୍ୟମ କରିବା। କାରଣ ଜଣକର ଯତେବେଳେ ପତନ ଘଟେ ସେ ଯେତିକି ଅପମାନିତ ଅନୁଭବ କରନ୍ତି ସମଭାବରେ ଅପମାନିତ ଓ ଦୁଃଖିତ ହୁଅନ୍ତି ତାଙ୍କ ପରିବାରବର୍ଗ, ଅଞ୍ଚଳବାସୀ ଓ ସେ ବୃତ୍ତି ବା ଗୋଷ୍ଠୀର ଅନ୍ୟ ସଦସ୍ୟମାନେ। ଦୁଇ, ତିନୋଟି ଘଟଣା ଉପରେ ଦୃଷ୍ଟିପାତ କରାଯାଉ।
ଏବେ ଓଡ଼ିଶାର ଏକ ସରକାରୀ ମହାବିଦ୍ୟାଳୟର ଜନୈକ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀନିର୍ଯାତନା ଅଭିଯୋଗ ଆସିଲା। କ୍ରମେ ତାହା ଛାତ୍ର ଅଶାନ୍ତିରେ ପରିଣତ ହେଲା। କଲେଜର ଅଧ୍ୟକ୍ଷ ସଂପୃକ୍ତ ଅଧ୍ୟାପକଙ୍କୁ ଛୁଟିରେ ଯିବାକୁ ବାଧ୍ୟ କଲାବେଳେ ଅନ୍ୟ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଲା। ଯେଉଁ ଛାତ୍ରୀଛାତ୍ରଙ୍କୁ ସେ ପାଠ ପଢ଼ାଉଥିଲେ ସେମାନେ କାଳେ ତାଙ୍କୁ ଲୁକ୍କାୟିତ ଅବସ୍ଥାରୁ ବାହାର କରି ପୋଲିସକୁ ହସ୍ତାନ୍ତର କଲେ। ଶିକ୍ଷାନୁଷ୍ଠାନ ହେଉ ଅବା ଅନ୍ୟ କର୍ମକ୍ଷେତ୍ର, ନାରୀ-ପୁରୁଷ କୈନ୍ଦ୍ରିକ ଏହି ଅଭିଯୋଗର ମୂଳଭିତ୍ତି ହେଲା ମଣିଷର ପ୍ରବୃତ୍ତି ଉପରେ ନିୟନ୍ତ୍ରଣର ଅଭାବ। ଯେହେତୁ ସେ ଜଣେ ଅଧ୍ୟାପକ ଏବଂ ସର୍ବସାଧାରଣରେ ଏହି ବୃତ୍ତି ପ୍ରତି ଯେହେତୁ ଏକ ଉଚ୍ଚ, ଅନୁକୂଳ ମନୋଭାବ ରହିଛି ଏବଂ ଘଟଣାର ଯଦି ଆପାତ ସତ୍ୟତା ରହିଛି, ତାହା ଅଧିକ ପ୍ରଘଟ ହୋଇ ସେ ଅଧିକ ଭୂଲୁଣ୍ଠିତ ହେବା ପୂର୍ବରୁ ନିଜେ ଯାଇ ପୋଲିସ ପାଖରେ ଆତ୍ମସମର୍ପଣ କରିପାରିଥାନ୍ତେ। ଏହାଦ୍ୱାରା ବୃତ୍ତି ଅନୁପମ ଏକ ଉଚ୍ଚ ଆଦର୍ଶ ସହିତ ସେ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିପାରିଥାନ୍ତେ। ଦୋଷ ବା ଦୋଷହୀନତା ନିର୍ବିଶେଷରେ ଏକ ନୈତିକ ପଦକ୍ଷେପ ନେବାର ସୁଯୋଗ ହାତଛଡ଼ା କଲେ ସେ।
କିଛିବର୍ଷ ତଳେ ଓଡ଼ିଶା ସରକାରଙ୍କ ଜଣେ ମନ୍ତ୍ରୀ ନିର୍ଦ୍ଦୋଷରେ ପାରବାରିକ କଳହରେ ଛନ୍ଦି ହୋଇଗଲେ। ପୁଅ-ବୋହୂ କଳିର ଦୃଶ୍ୟପଟରେ ସେ ଜଣେ ଖଳନାୟକ ବୋଲି ଗଣମାଧ୍ୟମ ଚିତ୍ରିତ କଲା, ଜନମାନସରେ ସେ ଧାରଣା କିନ୍ତୁ ସୃଷ୍ଟି ହୋଇ ନ ଥିଲା। ଶେଷରେ ଚାପର ବଶବର୍ତ୍ତୀ ହୋଇ ସେ ଇସ୍ତଫା ଦେଲେ। କିନ୍ତୁ ତା’ ପରବର୍ତ୍ତୀ ଘଟଣା ଥିଲା ବିୟୋଗାନ୍ତକ ନାଟକର କାହାଣୀ। ନିଜର ସୈଦ୍ଧାନ୍ତିକ ତ୍ରୁଟି, ମନ୍ତ୍ରୀସୁଲଭ ଅହଂକାର, ଚାଟୁକାରମାନଙ୍କ ମନ୍ତ୍ରଣାରେ ସେ ଯେତେବେଳେ ଆଇନର ରାସ୍ତାରୁ ଖସିଯିବାକୁ ଚାହିଁଲେ ଜନ-ସହାନୁଭୂତି ହରାଇଲେ ଏବଂ ଶେଷରେ ଏକ ମହାନଗରୀରୁ ପୋଲିସ ହାତରେ ସସ୍ତ୍ରୀକ ଧରାପଡ଼ି ସେ ନିଜର ରାଜନୈତିକ ଜୀବନ ପାଇଁ ଅଧିକ ବିପଦ ଡାକି ଆଣିଲେ। ସମୟକ୍ରମେ ସେ ପାରିବାରିକ କଳହ ସମ୍ମାନର ସହ ସମାଧାନ ହେଲା, କିନ୍ତୁ ପଙ୍କିଳ ରାଜନୈତିକ ମହଲରେ ଭିନ୍ନ ଉଦାହରଣ ସୃଷ୍ଟିର ଏକ ସୁଯୋଗ ସେ ହାତଛଡ଼ା କଲେ। ତଥାକଥିତ ଅଭିଯୋଗ ଆଧାରରେ ଇସ୍ତଫା ଦେବା ପରେ ସେ ଯଦି ଥାନାକୁ ଯାଇ ଆତ୍ମସମର୍ପଣ କରିଥାନ୍ତେ, ନିଜର ସମ୍ମାନ ଫେରି ପାଇବା ସହ ରାଜନେତାମାନଙ୍କୁ ନେଇ ସର୍ବସାଧାରଣରେ ଯେଉଁ ନକାରାତ୍ମକ ଧାରଣା ସୃଷ୍ଟି ହେଉଛି ତା’ ମଧ୍ୟ କିଛିଟା ପ୍ରତିହତ ହୋଇ ପାରିଥାନ୍ତା।
ପତନ ଯେତିକି ଦୁଃଖଦାୟକ, ପତନ ପଛରେ କାହାରି ପ୍ରଚ୍ଛନ୍ନ ଭୂମିକା ସେତିକି ଦୁଃଖଦାୟକ। ସେ ପ୍ରକାର ଏକ ବିବାଦୀୟ ଭୂମିକାରୁ ଭାରତର ପ୍ରଧାନମନ୍ତ୍ରୀ ନିଜକୁ ଦୂରେଇ ରଖି, ସେ ଜଣେ ଦଳଭୁକ୍ତ ସଦସ୍ୟ ନୁହନ୍ତି, ସେ ଦେଶର ପ୍ରଧାନମନ୍ତ୍ରୀ ବୋଲି ପ୍ରମାଣିତ କରିବାର ଅପୂର୍ବ ସୁଯୋଗ ହାତଛଡ଼ା କଲେ। ନିକଟରେ ମହାରାଷ୍ଟ୍ରରେ ଘଟିଯାଇଥିବା ରାଜନୈତିକ ଘଟଣା ପ୍ରସଙ୍ଗରେ ସେ ଯଦି ପ୍ରଧାନମନ୍ତ୍ରୀ ସୁଲଭ ନିରପେକ୍ଷତା ରକ୍ଷା କରିଥାନ୍ତେ, ବିଗତ ନିର୍ବାଚନରେ ସେ ଯେଉଁ ବିପୁଳ ଜନସମର୍ଥନ ହାସଲ କରିଥିଲେ ତା’ ଉପରେ ଏକ ଶକ୍ତ ଚାପୁଡ଼ା ଲାଗି ନ ଥାନ୍ତା। ଉପରୋକ୍ତ ଦୁଇଟି ଘଟଣାରେ ପ୍ରକଟିତ ବୈଚାରିକ ତ୍ରୁଟି, ଚାଟୁକାରମାନଙ୍କ କୁମନ୍ତ୍ରଣାର ସେ ଶିକାର ହେଲେ। ସାଧାରଣରେ ଜଳଜଳ ହୋଇ ଦେଖାଯାଉଥିବା ଏକ ଆତ୍ମ-ପରାଜୟୀ, ବିଫଳ ରାଜନୈତିକ ପ୍ରୟାସକୁ ସେ ସର୍ବୋଚ୍ଚ ପ୍ରଶାସନର ଆନୁଷ୍ଠାନିକ ସମର୍ଥନ ଜଣାଇ ନିଜର ଅପରିପକ୍ୱତା ପ୍ରଦର୍ଶନ କରିବା ସହିତ ଭାରତୀୟ ଅମଲାତନ୍ତ୍ର ଏବଂ ରାଜ୍ୟପାଳମାନଙ୍କ ମେରୁଦଣ୍ଡହୀନତା ନେଇ ଯେଉଁ ଧାରଣା ରହିଛି ତାହାକୁ ସେ ଅଧିକ ଦୃଢ଼ୀଭୂତ କଲେ। ଏହି ଦୟନୀୟ ରାଜନୈତିକ ନାଟକରେ ସରକାରୀ ସଂଶ୍ଳିଷ୍ଟତା ରାତ୍ର ୯.୩୦ରୁ ଆରମ୍ଭ ହୋଇ ଆପାତତଃ ଶେଷ ହୋଇଥିଲା ତା’ପରଦିନ ସକାଳ ୭.୩୦ରେ। ଏ ନିରର୍ଥକ ସରକାରୀ ତପତ୍ରତାର ମୂଲ୍ୟ କ’ଣ? ଯୁଦ୍ଧ, ବନ୍ୟା, ବାତ୍ୟା, ଜାତୀୟ ଦୁର୍ବିପାକ ବେଳେ ଏ ପ୍ରକାର ତପତ୍ରତା ସାଜେ। ଖାଲି ଆଖିରେ ଦେଖାଯାଉଥିବା ଆସନ୍ନ ବିଫଳତା କେମିତି ଦେଶର ସର୍ବୋଚ୍ଚ ନେତାଙ୍କୁ ଦେଖାଗଲା ନାହିଁ?
ହାତଛଡ଼ା ସୁଯୋଗକୁ ଇଂଲିଶରେ ‘ଲଷ୍ଟ ଅପରଚ୍ୟୁନିଟିଜ୍‌’ କହନ୍ତି। ବ୍ୟକ୍ତିଗତ ବା ବୃତ୍ତିଗତ ଜୀବନରେ ବେଳେବେଳେ ଏମିତି ସୁଯୋଗ ଆସେ ଯେତେବେଳେ ମଣିଷ ତା’ର ପତନର ନୈତିକ ରୂପାନ୍ତରୀକରଣ ମାଧ୍ୟମରେ କିଛିଟା ଆତ୍ମସମ୍ମାନ ରକ୍ଷା କରିବାରେ ସମର୍ଥ ହୁଏ ଏବଂ ବେଶି କିଛି ଅବଦାନ ରହୁ ବା ନ ରହୁ, ସେ ଯେ ଅନ୍ୟଠୁ ଭିନ୍ନ ଆପାତତଃ ସେତିକି ପ୍ରମାଣ କରିବାରେ ନିହତ ଥାଏ ଏ ସୁଯୋଗ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri