ସ୍ମାର୍ଟ ସିଟିରେ ଟ୍ରାଫିକ୍‌ ସମସ୍ୟା

ଅଂଶୁମାନ ଦାଶ
ବର୍ତ୍ତମାନର ସ୍ମାର୍ଟ ଯୁଗ ସହ ତାଳଦେଇ ଯିବାକୁ ହେଲେ ଆବଶ୍ୟକ ରହିଛି ଉତ୍କୃଷ୍ଟ ଗମନାଗମନର ବ୍ୟବସ୍ଥା। ଯେଉଁ ଦେଶରେ ଏହି ବ୍ୟବସ୍ଥା ଯେତେ ଉନ୍ନତ ସେହି ଦେଶ ସେତେ ବିକଶିତ। ଏହି ଗମନାଗମନ ବ୍ୟବସ୍ଥାକୁ ସନ୍ତୁଳିତ କରିଥାଏ ଟ୍ରାଫିକ୍‌ ବ୍ୟବସ୍ଥା। ସ୍ମାର୍ଟ ସିଟି ବା ବଡ ବଡ ସହରମାନଙ୍କରେ ଅଧିକ ସଂଖ୍ୟାରେ ସ୍କୁଲ୍‌, କଲେଜ, ଜୀବିକା, ଚିକିତ୍ସାଳୟ, ଏୟାର୍‌ପୋର୍ଟ, ଷ୍ଟେସନ୍‌, ମାର୍କେଟ୍‌ ଓ ଶପିଂ ମଲ୍‌ ପରି ସୁବିଧା ମିଳୁଥିବାରୁ ଆଖପାଖ ତଥା ଦୂର ଅଞ୍ଚଳରୁ ଅନେକ ଲୋକ ନିଜ ଜୀବିକା ଅନ୍ବେଷଣ ତଥା ଲକ୍ଷ୍ୟ ପୂରଣ ନିମନ୍ତେ ଆସିଥା’ନ୍ତି। ତେଣୁ ସହରମାନଙ୍କରେ ଜନସଂଖ୍ୟା ଓ ଯାନବାହନର ଦ୍ରୁତ ବୃଦ୍ଧି ଅବଶ୍ୟମ୍ଭାବୀ ଏବଂ ଟ୍ରାଫିକ୍‌ଜନିତ ଭିଡର ପରିସୀମାରେ ବୃଦ୍ଧି ମଧ୍ୟ ଅବ୍ୟାହତ। ଏକ ସର୍ଭେରୁ ଜଣାଯାଇଛି ଭାରତର ରାଜଧାନୀ ଦିଲ୍ଲୀରେ ଜଣେ ସାଧାରଣ ଲୋକ ତା’ର ଚାକିରି ଜୀବନ ଭିତରେ ହାରାହାରି ତିନିବର୍ଷ ସମୟ ଟ୍ରାଫିକ୍‌ରେ କାଟିଥାଏ। ୨୦୧୦ ମସିହା ଅଗଷ୍ଟ ମାସରେ ୫୦ ଲେନ୍‌ ବିଶିଷ୍ଟ ମଙ୍ଗୋଲିଆରୁ ବେଜିଙ୍ଗ୍‌ ରାଜପଥରେ ପୃଥିବୀର ସବୁଠାରୁ ବଡ ଟ୍ରାଫିକ୍‌ ଜାମ୍‌ ହୋଇଥିଲା, ଯାହା କି ୧୦ ଦିନ କାଳ ଲାଗି ରହିଥିଲା ଏବଂ ଯାତ୍ରୀମାନଙ୍କୁ ରାସ୍ତା ଉପରେ ରାତ୍ରିଯାପନ କରିବାକୁ ପଡିଥିଲା। ଭାରତରେ ପ୍ରତିବର୍ଷ ରୋଡ୍‌ ଟ୍ରାଫିକ୍‌ଜନିତ ଦୁର୍ଘଟଣାରେ ହାରାହାରି ଏକ ଲକ୍ଷ ଚାଳିଶି ହଜାର ଲୋକ ପ୍ରାଣ ହରାଇଥା’ନ୍ତି ଏବଂ ସଂଖ୍ୟାଧିକ ଲୋକ ପଙ୍ଗୁ ପାଲଟି ଥା’ନ୍ତି।
ରାଜଧାନୀ ଭୁବନେଶ୍ୱର ସମେତ ଦେଶର ଅନ୍ୟାନ୍ୟ ସ୍ମାର୍ଟ ସହରରେ ବିଗତ ଦଶନ୍ଧି ମଧ୍ୟରେ ଅନେକ ରାସ୍ତାର ପ୍ରଶସ୍ତୀକରଣ, ଜବରଦଖଲ ଉଚ୍ଛେଦ, ସଂଖ୍ୟାଧିକ ଫ୍ଲାଏଓଭରର ନିର୍ମାଣ ଆଦି ପଦକ୍ଷେପ ଟ୍ରାଫିକ୍‌ ସମସ୍ୟାକୁ ସାମୟିକ ଭାବେ ସରଳ କରିଛି। ଏଥିପାଇଁ କିନ୍ତୁ ବଳିପଡିଛନ୍ତି ହଜାର ହଜାର ସଂଖ୍ୟାର ରାସ୍ତାକଡର ବୃକ୍ଷଲତା। ଗ୍ରୀଷ୍ମର ପ୍ରଚଣ୍ଡ ତାପରେ ବାଟୋଇଟି ଚଲାପଥରେ ବୃକ୍ଷର ଶୀତଳ ଛାୟାର ଆଶ୍ୱସ୍ତି ପାଇବାର ସୁଯୋଗ ଆଉ ନାହିଁ। ନିଜ ସ୍ବାର୍ଥ ପାଇଁ ମଣିଷ ସମାଜ ଲକ୍ଷ ଲକ୍ଷ ଗଛ ସହ ଭାଙ୍ଗିଦେଲା ଗଛଡାଳରେ ସୁନ୍ଦର ବସା କରି ରହୁଥିବା ଚଢେଇମାନଙ୍କ ଘର। ପର୍ଯ୍ୟାବରଣ ସହ ମଣିଷ ସମାଜର ଖେଳୁଆଡ ନୀତି ସମୟକ୍ରମେ ମହଙ୍ଗା ପଡୁଛି ଏବଂ ପରିବେଶ ପ୍ରଦୂଷଣଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିକଟ ଅତୀତରେ ମେଟ୍ରୋ ସହର ମୁମ୍ବାଇର ଫୁସ୍‌ଫୁସ୍‌ କୁହାଯାଉଥିବା ଠାଣେରେ ଥିବା ‘ଆରେ’ ଜଙ୍ଗଲକୁ ମେଟ୍ରୋ ଟ୍ରେନ୍‌ର ସମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ଲୋପ କରିବାର ନିଷ୍ପତ୍ତି ପରିବେଶବିତ୍‌ଙ୍କ ମତରେ ଦୁର୍ଭାଗ୍ୟଜନକ। କ୍ଷତିପୂରଣ ବାବଦରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରି ନିଜକୁ ଦୋଷମୁକ୍ତ ଘୋଷଣା କରୁ। ହେଲେ ବୃକ୍ଷର ଚାରାସବୁକୁ ଗୋଟିଏ ପ୍ରାପ୍ତ ବୟସ୍କ ଘଞ୍ଚଜଙ୍ଗଲରେ ଉପନୀତ ହେବା ପାଇଁ କେତେ ସମୟ ଲାଗିଥାଏ ତା’ର ହିସାବ ଆମେ କରି ନ ଥାଉ।
ରାସ୍ତାର ଆକାର ଅନୁସାରେ ଯାନବାହନର ସଂଖ୍ୟା ଅଧିକ ହେବା ଏବଂ ପାର୍କିଂ ପାଇଁ ସ୍ଥାନର ଅଭାବ ଟ୍ରାଫିକ୍‌ ପରିସ୍ଥିତିକୁ ଗୁରୁତର କରିଛି। ଏପରି ସ୍ଥଳେ ବ୍ୟକ୍ତିଗତ ଯାନ ଅପେକ୍ଷା ଟାଉନ୍‌ ବସ୍‌ ସେବା, ମେଟ୍ରୋ ଆଦି ସାର୍ବଜନିକ ପରିବହନ ବ୍ୟବସ୍ଥାର ଉପଯୋଗକୁ ପ୍ରାଧାନ୍ୟ ଦେବା ନିତାନ୍ତ ଜରୁରୀ। ଏହି ସେବାର ହାରାହାରି ସଂଖ୍ୟା-ସୀମା ବୃଦ୍ଧି ହେବା ଆବଶ୍ୟକ। ଦିଲ୍ଲୀର ରୋଡ୍‌ ଟ୍ରାଫିକ୍‌ ସମସ୍ୟାର ସମାଧାନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଯୁଗ୍ମ ଅଯୁଗ୍ମ ନୀତିର ପ୍ରୟୋଗ କଲେ, ଯାହାଦ୍ୱାରା ସମସ୍ତ ଯୁଗ୍ମ ଗାଡିକୁ ଏବଂ ଅଯୁଗ୍ମ ଗାଡିକୁ ଯଥାକ୍ରମେ ଦିନେ ଛଡା ଦିନେ ବ୍ୟବଧାନରେ ଚାଲିବାକୁ ନିର୍ଦ୍ଦେଶ ଦିଆଗଲା। ଏହାଦ୍ୱାରା ଗାଡିମୋଟର ଧୂଆଁ, ଧୂଳି ଓ ଶବ୍ଦଜନିତ ପ୍ରଦୂଷଣ ମଧ୍ୟ ନିମ୍ନଗାମୀ ହେଲା।
ଅନେକ ସମୟରେ ରାସ୍ତାମାନଙ୍କରେ ଗୋରୁଙ୍କ ରାଜୁତି ମଧ୍ୟ ଦେଖିବାକୁ ମିଳିଥାଏ, ଯାହା କି ବହୁବାର ଦୁର୍ଘଟଣାର କାରଣ ହୋଇଥାଏ। ସନ୍ଧ୍ୟା ସମୟରେ ସଙ୍କୁଚିତ ରାସ୍ତା ଉପରେ ଚା-ପାନ-ସିଗାରେଟ୍‌ ଦୋକାନ କଡରେ ମୋଟରସାଇକେଲ୍‌ ରଖି ଯୁବଦଳଙ୍କ ଏକ ଗୋଷ୍ଠୀ ଖଟିରେ ବ୍ୟସ୍ତ ଥିବାର ନମୁନା ବହୁତ ସ୍ଥାନରେ ଦେଖିବାକୁ ମିଳିଥାଏ। ବଡ ଗାଡି ଯିବା ପାଇଁ ହର୍ନ ମାରିଲେ ସେମାନଙ୍କ ପ୍ରତିକ୍ରିୟାରୁ ରାସ୍ତାପାର୍ଶ୍ୱକୁ ଅକ୍ତିଆର କରିବା ସେମାନଙ୍କର ବ୍ୟକ୍ତିଗତ ଅଧିକାର ପରି ମନେହୁଏ। ହର୍ନ ମାରିବା କିମ୍ବା ଓଭରଟେକ୍‌କୁ କେନ୍ଦ୍ରକରି ମରଣାନ୍ତକ ଝଗଡା ହେବା ସେମାନଙ୍କ ବିକୃତ ମାନସିକତାକୁ ସୂଚାଇଥାଏ, ଯାହା କି ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ।
ଭାରତରେ ରାସ୍ତା ଦୁର୍ଘଟଣାର ପରିସଂଖ୍ୟାନ ଉଦ୍‌ବେଗଜନକ। ବେପରୁଆ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚାଳନା, ହେଲ୍‌ମେଟ୍‌ ନ ପିନ୍ଧିବା ତଥା ଖରାପ ରାସ୍ତା ଅବସ୍ଥା ଏଥିପାଇଁ ଦାୟୀ। ନିକଟ ଅତୀତରେ କେରଳ ଏବଂ ମହାରାଷ୍ଟ୍ରରେ ରାସ୍ତାରେ ଥିବା ଗର୍ତ୍ତରେ ସନ୍ତୁଳନ ହରାଇ ଜଣେ ପୁରୁଷ ଏବଂ ମହିଳା ପ୍ରାଣ ହରାଇଥିବା ଖବର ଚର୍ଚ୍ଚାଭୁକ୍ତ ହୋଇଥିଲା। କେରଳରେ ସମାନ ଗର୍ତ୍ତରେ ପଡି ଜଣେ ମହିଳା ଆହତ ହେବାର କିଛି କ୍ଷଣ ପରେ ହିଁ ପୁରୁଷ ଜଣକ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ମୃତ୍ୟୁବରଣ କରିଥିଲେ। ମହାରାଷ୍ଟ୍ରରେ ବାହାଘର ଠିକ୍‌ ହୋଇଥିବା ମହିଳା ଜଣକ ବିବାହ ପାଇଁ ବଜାରରୁ ଜିନିଷ କିଣି ନିଜ ଭାଇଙ୍କ ସହ ଫେରୁଥିବାବେଳେ ଗର୍ତ୍ତରେ ପଡିଯିବାରୁ ପଛରୁ ଆସୁଥିବା ଦ୍ରୁତଗାମୀ ଟ୍ରକ୍‌ ଦ୍ୱାରା ଦୁର୍ଘଟଣାର ଶିକାର ହେଲେ। ଏହିପରି ଅଗଣିତ ମର୍ମାନ୍ତକ ଦୁର୍ଘଟଣାର ଖବର ନିତିଦିନ ଶୁଣିବାକୁ ମିଳିଥାଏ। ପାଶ୍ଚାତ୍ୟ ରାଷ୍ଟ୍ରରେ ଗାଡି ଚଳାଇବା ବେଳେ ଟୁ ସେକେଣ୍ଡ୍‌ ଥିଓରିକୁ ପାଳନ କରିଥାନ୍ତି। ଅର୍ଥାତ୍‌ ଚାଲିବା ସମୟରେ ଦୁଇ ଯାନ ମଧ୍ୟରେ ବ୍ୟବଧାନ ୨ ସେକେଣ୍ଡର ଦୂରତା ହୋଇଥାଏ, ଯାହା କି ହାରାହାରି ୧୬ ମିଟର। କିନ୍ତୁ ଆମ ଦେଶରେ ଏହାର ବ୍ୟତିକ୍ରମ ଦେଖାଯାଏ ଏବଂ ସ୍ବଳ୍ପ ବ୍ୟବଧାନରେ ଗାଡି ଚାଳନା କରିବା ଦୁର୍ଘଟଣାର କାରଣ ହୋଇଥାଏ। ରାସ୍ତା ଦୁର୍ଘଟଣାର ସଚେତନତା ପାଇଁ ପ୍ରତିବର୍ଷ ୧୧ରୁ ୧୭ ଜାନୁୟାରୀ ପର୍ଯ୍ୟନ୍ତ ରୋଡ୍‌ ସେଫ୍ଟି ସପ୍ତାହ ରୂପେ ପାଳନ କରାଯାଏ।
ସଂପ୍ରତି ଭୁବନେଶ୍ୱର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ବ୍ୟବସ୍ଥାରେ ନୂଆ ପ୍ରଯୁକ୍ତି ଜ୍ଞାନକୌଶଳ adaptive traffic signal systemର ବିନିଯୋଗର ଯୋଜନା ସ୍ବାଗତଯୋଗ୍ୟ। Artificial intelligence ବିଦ୍ୟା ଉପରେ ପର୍ଯ୍ୟବସିତ ଏହି କମ୍ପ୍ୟୁଟର୍‌ ସିଷ୍ଟମ୍‌ ଟ୍ରାଫିକ୍‌ରେ ଲୋକମାନଙ୍କ ଘନତ୍ୱ ହିସାବରେ ନିଜ timerକୁ ନିଜେ ପରିବର୍ତ୍ତନ କରିଥାଏ। ଏହି ସିଷ୍ଟମ୍‌ର ସଫଳ ରୂପାୟନ ପାଇଁ ଆବଶ୍ୟକ ଉନ୍ନତ ଧରଣର ଉପକରଣ ସହ ଉପଯୁକ୍ତ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌, ଯାହା କି ବ୍ୟୟସାପେକ୍ଷ। ତେଣୁ ପର୍ଯ୍ୟାୟକ୍ରମେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହାର ବ୍ୟବହାରକୁ ପ୍ରାଥମିକତା ଦିଆଯିବାର କଳ୍ପନା ଅଛି।
କେବଳ ଟ୍ରାଫିକ୍‌ ନିୟମକୁ କଡାକଡି କରିବା ଦ୍ୱାରା ଦୁର୍ଘଟଣାକୁ ରୋକିବା ସମ୍ଭବ ନୁହେଁ। ଏହା ସହ ଉନ୍ନତମାନର ରାସ୍ତା ତିଆରି ତଥା ରାସ୍ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଗଲେ ଦେଶରେ ଟ୍ରାଫିକ୍‌ଜନିତ ଦୁର୍ଘଟଣା ନିଶ୍ଚୟ ହ୍ରାସ ହେବ। ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ଏବଂ ପ୍ରଶାସନର ତପତ୍ରତା ନିତାନ୍ତ ଜରୁରୀ।
ଶିଶୁପାଳଗଡ଼, ଭୁବନେଶ୍ୱର, ମୋ- ୯୪୩୭୫୬୫୩୯୩


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri