ସ୍ବାମିଜୀ ଓ ଶିକାଗୋର ବାର୍ତ୍ତା

ଗିରିଜା ଶଙ୍କର ତରାସିଆ
ଆଜକୁ ଠିକ୍‌ ୧୨୬ ବର୍ଷ ତଳେ ଆମେରିକାର ଶିକାଗୋ ସହରସ୍ଥିତ କଲମ୍ବସ୍‌ ହଲ୍‌ରେ ଅନୁଷ୍ଠିତ ହେଉଥାଏ ପ୍ରଥମ ବିଶ୍ୱ ଧର୍ମ ମହାସଭା। ୧୮୯୩ ସେପ୍ଟେମ୍ବର ୧୧ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଧର୍ମ ମହାସଭାରେ ବିଶ୍ୱର ବିଭିନ୍ନ ଧର୍ମ ସମ୍ପ୍ରଦାୟର ଧର୍ମଗୁରୁ ତଥା ବିଦ୍ୱାନ୍‌ମାନେ ଯୋଗ ଦେଇଥାନ୍ତି। ଭାରତବର୍ଷରୁ ବ୍ରହ୍ମବିଦ୍ୟା ସମିତିର ପ୍ରତିନିଧି ଜ୍ଞାନେନ୍ଦ୍ରନାଥ ଚକ୍ରବର୍ତ୍ତୀ ତଥା ବ୍ରାହ୍ମ ସମାଜର ପ୍ରତିନିଧି ପ୍ରତାପଚନ୍ଦ୍ର ମଜୁମଦାର ପ୍ରମୁଖ ବିଦ୍ୱାନ୍‌ମାନେ ଏହି ଐତିହାସିକ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ଉପସ୍ଥିତ ଥାନ୍ତି। ଧର୍ମ ମହାସଭାରେ ଯୋଗଦେବା ପାଇଁ ଆସିଥିବା ପ୍ରତିନିଧିଙ୍କୁ ବାଦ୍‌ଦେଇ ସାତ ହଜାର ଦର୍ଶକ ମଧ୍ୟ କଲମ୍ବସ୍‌ ହଲ୍‌ରେ ଉପସ୍ଥିତ ଥାନ୍ତି। ଅଧିବେଶନର ପ୍ରଥମ ଦିବସରେ ଗୈରିକ ପୋଷାକଧାରୀ ଜଣେ ସୌମ୍ୟ ଯୁବକ ମାତ୍ର ସ୍ବଳ୍ପ ସମୟ ନିମନ୍ତେ ବକ୍ତୃତା ଦେବା ପାଇଁ ଅନୁମତି ପାଇ କୋମଳ ଅଥଚ ଭାବଗାମ୍ଭୀର୍ଯ୍ୟ କଣ୍ଠରେ ଉଦ୍‌ବୋଧନ ଦେବାକୁ ଆରମ୍ଭ କଲେ- ‘ଆମେରିକାବାସୀ ଭାଇ ଓ ଭଉଣୀମାନେ!’ ଏହି କଥାପଦକ ଶ୍ରୋତାଙ୍କ ମଧ୍ୟରେ ବିଦ୍ୟୁତ୍‌ ସଂଚାରଣ ପରି ଏକ ଆଲୋଡ଼ନ ସୃଷ୍ଟି କଲା। କଲମ୍ବସ୍‌ ହଲ୍‌ ଘନଘନ କରତାଳିରେ ପ୍ରକମ୍ପିତ ହେବାକୁ ଲାଗିଲା। ମାତ୍ର ଦୁଇ ମିନିଟ୍‌ ନିମନ୍ତେ ଉଦ୍‌ବୋଧନ ଦେବାକୁ ଅନୁମତି ପାଇଥିବା ଏହି ବିଦ୍ୱାନ ଯୁବକ ତତ୍‌କ୍ଷଣାତ୍‌ ପାଲଟିଗଲେ ତାରକା ବକ୍ତା। ସେ ଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ ସ୍ବାମୀ ବିବେକାନନ୍ଦ।
ବିବେକାନନ୍ଦ ଥିଲେ ଶ୍ରୀରାମକୃଷ୍ଣଙ୍କର ଆଧ୍ୟାମତ୍ିକ ଉତ୍ତରାଧିକାରୀ। ଦେହାବସାନର ମାତ୍ର କିଛିଦିନ ପୂର୍ବରୁ ଶ୍ରୀରାମକୃଷ୍ଣ ନିଜର ସାଧନାଲବ୍‌ଧ ସମସ୍ତ ଶକ୍ତି ବିବେକାନନ୍ଦଙ୍କୁ ଦେଇ କହିଥିଲେ- ”ଆଜି ତୋତେ ମୋର ସର୍ବସ୍ବ ଦେଇ ଫକିର ହୋଇଗଲି। ଏହି ଶକ୍ତିରେ ତୁ ଜଗତର ଅଶେଷ କଲ୍ୟାଣ ସାଧନ କରିବୁ।“ ବିଶ୍ୱଭ୍ରାତୃତ୍ୱ ଓ ବିଶ୍ୱସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଗୁରୁ ଶ୍ରୀରାମକୃଷ୍ଣଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ସଂକଳ୍ପ ନେଇ ସ୍ବାମିଜୀ ବିଶ୍ୱ ଭ୍ରମଣର ପରିକଳ୍ପନା କଲେ।
କପର୍ଦ୍ଦକଶୂନ୍ୟ ଏହି ଅମିତ ତେଜସ୍ବୀ ଯୁବସନ୍ନ୍ୟାସୀ ଆମେରିକାର ଉକ୍ତ ବିଶ୍ୱ ସର୍ବଧର୍ମ ମହାସଭାରେ ଅଂଶଗ୍ରହଣ କରିବାର ଆକାଂକ୍ଷା ନେଇ ବମ୍ବେ ବନ୍ଦରରୁ ଜାହାଜ ଯୋଗେ ୧୮୯୩ ମେ ୩୧ରେ ଆମେରିକା ଯାତ୍ରା କଲେ। ଯାତ୍ରା ସମୟରେ ସେ କଲମ୍ବୋ, ମାଳୟ ଉପଦ୍ୱୀପର ପେନାଙ୍ଗ ସହର ସମେତ, ସିଙ୍ଗାପୁର, ହଂକଂ, ଚାଇନାର କ୍ୟାଣ୍ଟନ ସହର, ଜାପାନର ଓସାକା, କିୟାଟୋ ଆଦି ସହରମାନ ପରିଦର୍ଶନ କରିବାର ସୁଯୋଗ ପାଇଥିଲେ। ଜାପାନରୁ ଜାହାଜ ଯାଇ ଜୁଲାଇ ମାସରେ ଆମେରିକାର ଭାଙ୍କୁଭର ବନ୍ଦରରେ ପହଞ୍ଚିଲା। ସ୍ବାମିଜୀ ଶିକାଗୋରେ ପହଞ୍ଚି ସେଠାକାର ବ୍ୟୟବହୁଳ ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହେବାରୁ ଶିକାଗୋ ଛାଡ଼ି ବୋଷ୍ଟନ ସହର ଅଭିମୁଖେ ଯାତ୍ରାକଲେ। ବାଟରେ ଟ୍ରେନରେ ଜଣେ ସହୃଦୟ ମହିଳାଙ୍କ ସହିତ ତାଙ୍କର ବାର୍ତ୍ତାଳାପ ହେଲା। ମହିଳା ଜଣକ ସ୍ବାମିଜୀଙ୍କ ସହିତ କଥାବାର୍ତ୍ତାରେ ଆକୃଷ୍ଟ ହୋଇ ତାଙ୍କୁ ବୋଷ୍ଟନ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ଥିବା ନିଜ ଗୃହରେ ଆଣି ରଖିଲେ। ସଂପୃକ୍ତ ଭଦ୍ର ମହିଳା ସ୍ବାମିଜୀଙ୍କ ସହିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଗ୍ରୀକ୍‌ଭାଷାର ଅଧ୍ୟାପକ ଡ. ରାଇଟ୍‌ଙ୍କ ସାକ୍ଷାତ ଆଲୋଚନାର ବନ୍ଦୋବସ୍ତ କରିଦେଲେ। ମାତ୍ର ତିନିଘଣ୍ଟାର କଥୋପକଥନରେ ଅଧ୍ୟାପକ ରାଇଟ୍‌ ଏତେ ମୁଗ୍‌ଧ ହେଲେ ଯେ ସ୍ବାମିଜୀଙ୍କ ପରିଚୟପତ୍ର ଅଭାବରୁ ଧର୍ମ ମହାସଭାରେ ଯୋଗଦେଇ ପାରୁ ନ ଥିବା ଶୁଣି କହିଥିଲେ- ”ଧର୍ମ ମହାସଭାରେ ବକ୍ତୃତା ଦେବାର ଅଧିକାର ପାଇଁ ଆପଣଙ୍କୁ ପରିଚୟପତ୍ର ଦେଖାଇବାକୁ ହେଲେ ସୂର୍ଯ୍ୟଙ୍କୁ ମଧ୍ୟ ଆଲୋକ ଦେଖାଇବାର ଅଧିକାର ପାଇଁ ପରିଚୟପତ୍ର ଦେଖାଇବାକୁ ହେବ।“ ସୌଭାଗ୍ୟକୁ ଡ. ରାଇଟ୍‌ଙ୍କର ଜଣେ ବନ୍ଧୁ ଡ. ଜେ.ଏଚ୍‌. ବ୍ୟାରୋଜ୍‌ ଧର୍ମ ମହାସଭାର ସଦସ୍ୟ ନିର୍ବାଚନ ସଂସଦର ସଭାପତି ଥିଲେ। ଡ. ରାଇଟ୍‌ ସ୍ବାମିଜୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବନ୍ଧୁଙ୍କ ନିକଟକୁ ଏକ ପତ୍ର ଲେଖି ଦର୍ଶାଇଥିଲେ ଯେ- ”ଏହି ବ୍ୟକ୍ତିଙ୍କର ପାଣ୍ଡିତ୍ୟ ଆମ ଦେଶର ସମସ୍ତ ଶିକ୍ଷିତ ବ୍ୟକ୍ତିଙ୍କର ସମବେତ ପାଣ୍ଡିତ୍ୟ ଅପେକ୍ଷା ବେଶି।“ ଏହି ସୁପାରିସ ପତ୍ରଟି ଧରି ଶିକାଗୋ ଧର୍ମ ମହାସଭାରେ ଯୋଗଦାନ କରିବା ନିମନ୍ତେ ସ୍ବାମିଜୀ ଯାତ୍ରା କରନ୍ତେ ଦୁର୍ଭାଗ୍ୟକୁ ସମିତି ଠିକଣାଟି ବାଟରେ ହଜାଇଦେଇ ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଷ୍ଟେଶନ ପ୍ରାଙ୍ଗଣରେ ମାଲପରିବହନ ନିମନ୍ତେ ରଖାଯାଇଥିବା ଗୋଟିଏ ଖାଲି କାଠବାକ୍ସ ମଧ୍ୟରେ ପଶି କୌଣସି ପ୍ରକାରେ ପ୍ରାଣରକ୍ଷା କଲେ। ସେ ଆଶଙ୍କା ଭିତରେ କ୍ଳାନ୍ତ ହୋଇ ବସିଥିବା ବେଳେ ଫୁଟ୍‌ପାଥ୍‌ର ଅପରପାର୍ଶ୍ୱରେ ଥିବା ଏକ ଅଟ୍ଟାଳିକାର ଦରଜା ଖୋଲିଗଲା ଏବଂ ମିସେସ୍‌ ହେଲ୍‌ ନାମ୍ନୀ ଜନୈକା ସହୃଦୟା ମହିଳା ଦେବଦୂତ ପରି ବାହାରି ଆସି ସ୍ବାମିଜୀଙ୍କୁ ନିଜ ଗୃହକୁ ନେଇଗଲେ। ଏହି ଭଦ୍ରମହିଳାଙ୍କ ସହାୟତା କ୍ରମେ ସ୍ବାମିଜୀ ଡ. ବ୍ୟାରୋଜ୍‌ଙ୍କ ସହିତ ସାକ୍ଷାତ୍‌ କରି ଧର୍ମ ମହାସଭାରେ ଯୋଗଦାନ ପାଇଁ ଅନୁମତି ପାଇଲେ। ସ୍ବାମିଜୀଙ୍କର ଐତିହାସିକ ଶିକାଗୋ ବକ୍ତୃତା ତାଙ୍କୁ ସମଗ୍ର ବିଶ୍ୱରେ ଜ୍ଞାନର ଏକ ପ୍ରଦୀପ୍ତ ସୂର୍ଯ୍ୟଭାବେ ପରିଚୟ ପ୍ରଦାନ କରିଥିଲା। ଶିକାଗୋ ଧର୍ମସଭାରେ ସ୍ବାମିଜୀ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଦେଇଥିବାରୁ ସେହି ଦିବସକୁ ବିଶ୍ୱ ଭ୍ରାତୃତ୍ୱ ଦିବସ ଭାବେ ପାଳନ କରାଯାଉଛି।
(ବିଶ୍ୱ ଭ୍ରାତୃତ୍ୱ ଦିବସ ଉପଲକ୍ଷେ)
ଖଣ୍ଡପଡ଼ା, ନୟାଗଡ଼, ମୋ: ୯୯୩୭୩୩୪୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri