ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ଅନୁଗୋଳ ଅଫିସ, ୧୯।୪- ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ନିୟୋଜିତ ସେକ୍ଟର ଅଫିସରମାନଙ୍କୁ ଗୁରୁବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ ପ୍ରଦାନ କରାଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେକ୍ଟର ଅଫିସରମାନଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରିଥିଲେ। ଭୋଟ ଗ୍ରହଣର ୨ ଦିନ ପୂର୍ବରୁ ତଥା ୨୧ ତାରିଖରେ ସାମଗ୍ରୀ ବଣ୍ଟନ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ପୋଲିଂ ପାର୍ଟି ନିଜ ନିଜ ବୁଥ୍‌ରେ ପହଞ୍ଚତ୍ଲେ କି ନାହିଁ ତାହା ତଦାରଖ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରତି ବୁଥ୍‌ରେ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ସହ ଭୋଟିଂ କମ୍ପାର୍ଟମେଣ୍ଟ ଠିକ୍‌ ଅଛି କି ନାହିଁ ଅନୁଧ୍ୟାନ କରିବାକୁ ମଧ୍ୟ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତା ୨୨ ତାରିଖରେ ଅଣୁ ପର୍ଯ୍ୟବେକ୍ଷକମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥ୍‌ରେ ପହଞ୍ଚତ୍ବେ। ୨୩ ତାରିଖ ଭୋଟ ଗ୍ରହଣ ଦିନ ସକାଳ ୫ ଟା ୩୦ରେ ମକ୍‌ ପୋଲ କରି ୭ ଘଟିକା ସୁଦ୍ଧା ସମ୍ପୃକ୍ତ ରିଟର୍ନିଂ ଅଫିସରଙ୍କୁ ସୂଚନା ପ୍ରଦାନ କରିବେ। ଇଭିଏମ୍‌ ଓ ଭିଭିପିଏଟିକୁ ପୋଲିଂ ପାର୍ଟି ଠିକ୍‌ ଭାବେ ପରିଚାଳନା କରି ପାରୁଛନ୍ତି ବୋଲି ଭୋଟ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ସେକ୍ଟର ଅଫିସରମାନେ ପ୍ରମାଣ ପତ୍ର ପ୍ରଦାନ କରିବେ। ଭୋଟ ଗ୍ରହଣ ପୂର୍ବରୁ ସେକ୍ଟର ଅଫିସରମାନେ ନିଜ ନିଜ ବୁଥ୍‌ ପରିଦର୍ଶନରେ ଯାଇ ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ ଯୋଗାଣ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଥିଲା। ଭୋଟ ଦିନ ପ୍ରତି ୨ ଘଣ୍ଟାରେ ଥରେ କେତେ ପୋଲିଂ ହେଉଛି ତାର ଠିକ୍‌ ସୂଚନା ପ୍ରଦାନ କରିବା ସହ ସମୟାନୁବର୍ତ୍ତିତା ଓ ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ତେବେ ଜିଲାର ୧୨୦ଟି ବୁଥ୍‌ରେ ୱେବ୍‌ କାଷ୍ଟିଙ୍ଗ କରାଯାଇଥିବାବେଳେ କିଛି ସମ୍ବେଦନଶୀଳ ବୁଥ୍‌ରେ ସିସିଟିଭି ଲାଗାଯାଇଥିବା ସମ୍ପର୍କରେ ଜିଲାପାଳ ସୂଚନା ପ୍ରଦାନ କରିଥିଲେ। ଏଥିସହ ସମସ୍ତ ସେକ୍ଟର ଅଫିସରଙ୍କ ଗାଡ଼ିକୁ ଜିପିଏସ୍‌ ଟ୍ୟାଗିଙ୍ଗ୍‌ କରାଯିବ। ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୧୬୩ଟି ବୁଥ୍‌ ପାଇଁ ୧୨୨ ଜଣ ସେକ୍ଟର ଅଫିସର ଓ ୭୩ ଜଣ ଅଣୁପର୍ଯ୍ୟବେକ୍ଷକ ନିର୍ବାଚନ ପରିଚାଳନା କାର୍ଯ୍ୟକୁ ତଦାରଖ କରିବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଯୋଗଦେଇ ଚଳିତ ନିର୍ବାଚନରେ ବ୍ୟବହାର ହେଉଥିବା ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଆବଶ୍ୟକ ଜ୍ଞାନ ଆହରଣ କରି ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ। ସାଧନକର୍ମୀ ଭାବେ ଏନ୍‌ଆଇସିର ଡିଆଇଓ ସୁବ୍ର୍ରତ କୁମାର ଚାଟାର୍ଜୀ ଓ ଜିଲା କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ସୋଫି ସାଇନିକା ଜିପିଏସ୍‌ ଟ୍ୟାଗିଙ୍ଗ ଓ ମୋବାଇଲ ଆପ୍‌ର ଠିକ୍‌ ବ୍ୟବହାରକୁ ନେଇ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ରଖିଲେ ଚାଷୀ ପୁଅ: ନିଟ୍-ୟୁଜିରେ ସଫଳତା ହାସଲ କଲେ ବିସ୍ମୟ, ଡାକ୍ତର ହେବାର ସ୍ୱପ୍ନ…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri