ସୀମା ସଂଘର୍ଷ

ଇଂ. ମାୟାଧର ସ୍ବାଇଁ

ଭାରତ ଓ ଚାଇନା ହେଉଛି ପୃଥିବୀର ଦୁଇଟି ପ୍ରାଚୀନ ସଭ୍ୟତା। ଏହି ଦୁଇଦେଶରେ ଅନେକ ଜ୍ଞାନବିଜ୍ଞାନ ବିକାଶିତ ହୋଇ ସମଗ୍ର ପୃଥିବୀକୁ ପ୍ରସାରିତ ହୋଇଛି। ମାତ୍ର ଦୁଇ ଦେଶର ସଂସ୍କୃତି, ଆଚାର ବ୍ୟବହାର ପୃଥକ୍‌। ଅବଶ୍ୟ ପୂର୍ବରୁ ଚାଇନା ଆମର ପଡୋଶୀ ନ ଥିଲା। ମାତ୍ର ଏହା ୧୯୫୦ ମସିହାରେ ତିବ୍ବତ ଅଧିକାର କରିନେବା ପରେ ଆମର ପଡୋଶୀ ହୋଇଗଲା। ଦୁଇ ଦେଶ ମଧ୍ୟରେ ଉତ୍ତୁଙ୍ଗ ହିମାଳୟ ପ୍ରାକୃତିକ ରକ୍ଷକ ଭାବେ ରହିଛି। କିନ୍ତୁ ଆଧୁନିକ ଯୁଗରେ ଏହା ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ।
ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ୩୪୮୮ କି.ମି. ଦୈର୍ଘ୍ୟର ସୀମା ଅଛି। କିନ୍ତୁ ଏହି ସୀମା ଅନେକ କ୍ଷେତ୍ରରେ ସ୍ପଷ୍ଟ କିମ୍ବା ସୁନିର୍ଦ୍ଦିଷ୍ଟ ହୋଇ ନ ଥିବାରୁ ଦୁଇଦେଶ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି। ୧୯୬୨ ମସିହାରେ ଏହି କାରଣରୁ ଚାଇନା ଆମ ଦେଶକୁ ଆକ୍ରମଣ କରି ଆମର ୩୭୦୦୦ ବର୍ଗ କି.ମି. ଅଞ୍ଚଳର ଅକ୍‌ସାଇ ଚାଇନାକୁ ଅଧିକାର କରି ନେଇଛି। ଏହା ବ୍ୟତୀତ ସୀମାରେ ପହରା ଦେଉଥିବା ଦୁଇ ଦେଶର ସୈନିକଙ୍କ ମଧ୍ୟରେ ମଝିରେ ମଝିରେ ସଂଘର୍ଷ ହେଉଛି। ଏହି ବର୍ଷ ଜୁନ୍‌ ୧୫ ତାରିଖରେ ଲଦାଖର ଗଲଓ୍ବାନା ଉପତ୍ୟକାଠାରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇ ଭାରତର ୨୦ଜଣ ଓ ଚାଇନାର ୪୧ ଜଣ ସୈନ୍ୟ ମୃତ୍ୟୁବରଣ କରିଥିଲେ। ଏହାପରେ ଆପୋଷ ଆଲୋଚନା ହୋଇ ପରିସ୍ଥିତି ଶାନ୍ତ ହୋଇଥିବାବେଳେ ଅଗଷ୍ଟ ୨୯ ତାରିଖ ରାତିରେ ପୁଣି ଏକ ସଂଘର୍ଷ ହୋଇଥିଲା। ଫଳରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଭାରତ ସ୍ବାଧୀନତା ଲାଭ କରିବା ପୂର୍ବରୁ ଇଂରେଜମାନେ ତିବ୍ବତ ସହ ଆମ ଦେଶର ସୀମାକୁ ସ୍ଥିର କରିଥିଲେ। ଚାଇନାର ତିବ୍ବତ ଅଧିକାର ପରେ ଏହା ସେହି ସୀମାକୁ ସ୍ବୀକାର ନ କରି ଭାରତର କେତେକ ଅଞ୍ଚଳକୁ ଦାବି କରିଛି ଏବଂ ଅକ୍‌ସାଇ ଚାଇନା ସମେତ କେତେକ ଅଞ୍ଚଳକୁ ଅଧିକାର କରିନେଇଛି। ବର୍ତ୍ତମାନ ଯେଉଁ ସୀମାକୁ ଉଭୟ ଦେଶ ଜଗି ରହିଛନ୍ତି ତାହା ହେଉଛି ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)। ସରକାରୀ ଭାବେ କୌଣସି ଦେଶ ଏହାକୁ ନିଜ ମାନଚିତ୍ର କିମ୍ବା ଅନ୍ୟତ୍ର ସ୍ବୀକାର କରୁ ନ ଥିଲେ ସୁଦ୍ଧା ବାସ୍ତବରେ ଏହା ହିଁ ରହିଛି ବର୍ତ୍ତମାନର ସୀମା।
ଭାରତର ଚାରିଟି ରାଜ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ସୀମା ଚାଇନା ସହ ଲାଗିକରି ରହିଛି। ଏହିସବୁ ଅଞ୍ଚଳ ହେଉଛି ହିମାଳୟ ପାର୍ବତ୍ୟାଞ୍ଚଳ ଅନ୍ତର୍ଗତ। ସୁଦର୍ଘ ଭାରତ-ଚାଇନା ସୀମା ପଶ୍ଚିମରେ ଲଦାଖଠାରୁ ପୂର୍ବରେ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି। ଏହାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ। ଏହା ହେଉଛି ପୂର୍ବ କ୍ଷେତ୍ର, ମଧ୍ୟ କ୍ଷେତ୍ର ଓ ପଶ୍ଚିମ କ୍ଷେତ୍ର। ପୂର୍ବ କ୍ଷେତ୍ରର ସୀମା ଅରୁଣାଚଳ ପ୍ରଦେଶ ଓ ସିକିମ୍‌ ସହ ସଂଲଗ୍ନ। ଅରୁଣାଚଳ ପ୍ରଦେଶ ସହ ସୀମା ହେଉଛି ୧୧୨୬ କି.ମି. ଓ ସିକିମ୍‌ ସହ ଏହା ହେଉଛି ୨୨୦ କି.ମି.। ସମଗ୍ର ଅରୁଣାଚଳ ପ୍ରଦେଶକୁ ଚାଇନା ନିଜର ବୋଲି ଦାବି କରୁଛି। ୧୯୧୪ ମସିହାରେ ସିମ୍‌ଲାଠାରେ ଏକ ବୈଠକରେ ଭାରତର ଉତ୍ତର-ପୂର୍ବାଞ୍ଚଳ ଓ ତିବ୍ବତ ମଧ୍ୟରେ ସୀମାରେଖା ନିର୍ଦ୍ଧାରଣ କରାଯାଇଥିଲା। ଏହି ବୈଠକରେ ବ୍ରିଟେନ୍‌ର ହେନ୍‌ରି ମାକ୍‌ମାହୋନ୍‌ ମୁଖ୍ୟ ମଧ୍ୟସ୍ଥ ଥିଲେ ଏବଂ ଫଳରେ ଏହି ସୀମା ରେଖାକୁ ତାଙ୍କ ନାମାନୁସାରେ ‘ମାକ୍‌ମାହୋନ୍‌ ରେଖା’ କୁହାଯାଏ। ଚାଇନା ଏହି ବୈଠକରେ ଯୋଗଦେଇଥିଲେ ସୁଦ୍ଧା ରାଜିନାମାରେ ସ୍ବାକ୍ଷର କରି ନ ଥିଲା। ତିବ୍ଦତ ଏଥିରେ ସ୍ବାକ୍ଷର କରିଥିଲା। ଚାଇନା ବର୍ତ୍ତମାନ ଏହି ସୀମାରେଖାକୁ ସ୍ବୀକାର କରୁନାହିଁ। ବାସ୍ତବରେ ଅରୁଣାଚଳ ପ୍ରଦେଶ କେବେ ଚାଇନା ଅଧୀନରେ ନ ଥିଲା। କେବଳ ୧୯୧୦-୧୨ ମସିହାରେ ଚାଇନା ଅରୁଣାଚଳ ପ୍ରଦେଶ ଭିତରକୁ ପଶି ଆସି ସେଠାରେ କେତେକ ଖୁଣ୍ଟି ପୋତିଥିଲା। କେବଳ ଦୁଇ ବର୍ଷ ପର୍ଯ୍ୟନ୍ତ ଏହା ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ନିଜ ଅଧୀନରେ ରଖିଥିଲା ଏବଂ ଏହାପରେ ଏହା ଏହି ଅଞ୍ଚଳରୁ ଚାଲି ଯାଇଥିଲା। କିନ୍ତୁ ଯେତେବେଳେ ଭାରତ-ଚାଇନା ସୀମା ବିବାଦ ଆଲୋଚନା ହେଉଛି, ଚାଇନା ସେହି ସମୟର ମାନଚିତ୍ରକୁ ଦେଖାଇ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରୁଛି।
ପୂର୍ବକ୍ଷେତ୍ର ପରେ ଭାରତ ଓ ଚାଇନା ମଧ୍ୟମରେ ଭୁଟାନ ଏବଂ ନେପାଳ ଥିବାରୁ ଭାରତର ସୀମା ସିଧାସଳଖ ଚାଇନା ସହ ସଂଲଗ୍ନ ହୋଇନାହିଁ। ଏହାପରେ ମଧ୍ୟକ୍ଷେତ୍ରରେ ଚାଇନା ସହ ଉତ୍ତରାଖଣ୍ଡର ୩୪୫ କି.ମି. ଓ ହିମାଚଳ ପ୍ରଦେଶର ୨୦୦ କି.ମି. ସୀମା ଅଛି। ଏହି କ୍ଷେତ୍ରଟି ଅପେକ୍ଷାକୃତ ବିବାଦହୀନ। ପଶ୍ଚିମ କ୍ଷେତ୍ରରେ ଲଦାଖ ସହ ଚାଇନାର ୧୫୯୭ କି.ମି. ସୀମା ଅଛି। ୧୯୬୨ ମସିହା ଯୁଦ୍ଧରେ ଚାଇନା ଏହାକୁ ଅଧିକାର କରି ନେଇଥିଲା। ସମୁଦ୍ର ପତ୍ତନରୁ ଚଉଦ ହଜାର ଫୁଟ୍‌ରୁ ଅଧିକ ଉଚ୍ଚରେ ଥିବା ଏହି ଅଞ୍ଚଳ ବର୍ଷସାରା ବରଫାବୃତ ରହିଥାଏ ଏବଂ ଏହି ଅଞ୍ଚଳରେ ପ୍ରାୟ ଜନବସତି ନାହିଁ। ପୂର୍ବରୁ ଏହି ଅଞ୍ଚଳରେ ସୀମା ସୁରକ୍ଷାବଳ ପ୍ରାୟ ରହୁ ନ ଥିଲେ। ଏପରି କି ଚାଇନା ୧୯୫୦ ମସିହାରେ ଏହାର ସିନଜାନ୍‌ ପ୍ରଦେଶରୁ ପଶ୍ଚିମ ତିବ୍ବତକୁ ଏକ ରାସ୍ତା ନିର୍ମାଣ କଲା, ଯାହାର ୧୮୦ କି.ମି. ଦୈର୍ଘ୍ୟ ଅକ୍‌ସାଇ ଚାଇନା ମଧ୍ୟ ଦେଇ ଯାଇଥିଲା ଏବଂ ଭାରତ ୧୯୫୭ ମସିହା ପର୍ଯ୍ୟନ୍ତ ଏହା ଜାଣି ପାରି ନ ଥିଲା। ୧୮୬୫ ମସିହାରେ ସର୍ଭେ ଅଫ୍‌ ଇଣ୍ଡିଆର ଅଧିକାରୀ ଉଇଲିୟମ୍‌ ଜନସନ୍‌ ଅକ୍‌ସାଇ ଚାଇନାକୁ କଶ୍ମୀର ରାଜ୍ୟର ଅଂଶ ଭାବେ ଦର୍ଶାଇ ଯେଉଁ ସୀମା ନିର୍ଦ୍ଧାରଣ କରିଥିଲେ, ତାହା ‘ଜନସନ୍‌ ରେଖା’ ଭାବେ ଜଣା। କଶ୍ମୀର ମହାରାଜା ଏହି ଅଞ୍ଚଳରେ ସହିଦୁଲ୍ଲାଠାରେ ଏକ ଦୁର୍ଗ ନିର୍ମାଣ କରି ସୈନ୍ୟ ମୁତୟନ କରିଥିଲେ। ଚାଇନା ଜନସନ୍‌ ରେଖାକୁ ନ ମାନିବାରୁ ବ୍ରିଟିଶ ସରକାର ୧୮୯୭ ମସିହାରେ ଏଥିରେ କେତେକ ସଂଶୋଧନ କଲେ। ଚାଇନାରେ ଅବସ୍ଥାପିତ ବ୍ରିଟିଶ୍‌ ରାଜଦୂତ ସାର୍‌ କ୍ଲଡ୍‌ ମାକ୍‌ଡୋନାଲ୍ଡଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ରରେ ଅକ୍‌ସାଇ ଚାଇନାକୁ ଚାଇନାର ଅଂଶ ଭାବେ ଦର୍ଶାଯାଇଥିଲା। ଏହାକୁ ‘ମ୍ୟାକାର୍ଟନୀ-ମାକ୍‌ଡୋନାଲ୍ଡ ରେଖା’ କୁହାଗଲା। ସ୍ବାଧୀନତା ପରେ ଭାରତ ଏହି ରେଖାକୁ ସ୍ବୀକାର ନ କରି ଜନସନ୍‌ ରେଖା ଅନୁଯାୟୀ ଅକ୍‌ସାଇ ଚାଇନାକୁ ନିଜର କହୁଛି, କିନ୍ତୁ ଚାଇନା ମ୍ୟାକାର୍ଟନୀ-ମାକ୍‌ଡୋନାଲ୍ଡ ରେଖା ଅନୁସାରେ ଏହାକୁ ନିଜର ଦାବି କରୁଛି। ଏହି ଅଞ୍ଚଳରେ ଥିବା ଗଲଓ୍ବାନା ଉପତ୍ୟକା ଓ ପୋଙ୍ଗ୍‌ୟାଙ୍ଗ୍‌ ହ୍ରଦ ନିକଟରେ ଏବେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଲାଗୁଛି।
ଏହିପରି ଭାବେ ଭାରତ-ଚାଇନା ସୀମା ସୁସ୍ପଷ୍ଟ ଓ ସୁନିର୍ଦ୍ଦିଷ୍ଟ ନାହିଁ। ଯାହା ଅଛି ତାହା ହେଉଛି ପ୍ରକୃତ ନିୟନ୍ତ୍ରଣ ରେଖା ଏବଂ କୌଣସି ଦେଶ ଏହାକୁ ସରକାରୀ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ। ଉଭୟ ଦେଶ ପାଇଁ ଗ୍ରହଣୀୟ ହେବା ଭଳି ଏକ ସୀମା ନିର୍ଦ୍ଧାରଣ ହୋଇପାରିଲେ ପୃଥିବୀର ଦୁଇ ସର୍ବବୃହତ୍‌ ଜନବହୁଳ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପିତ ହୋଇପାରିବ।
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର,
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri