ସାହିତ୍ୟିକ ବନାମ ଏନ୍‌ପିଡବ୍ଲ୍ୟୁ

ଜିତେନ୍ଦ୍ର କୁମାର ନାୟକ

ତାମିଲ, ତେଲୁଗୁ, ସଂସ୍କୃତ, କନ୍ନଡ଼ ଓ ମାଲାୟାଲମ୍‌ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ହେଲେ ଏବର ଓଡ଼ିଆ ସାହିତ୍ୟ କେବଳ ମଞ୍ଚରେ ବଞ୍ଚତ୍ଲା ଭଳି ମନେହେଉଛି। ତାହା ସାହିତ୍ୟ ପୁସ୍ତକ ଉନ୍ମୋଚନ ମଞ୍ଚ ହେଉ ବା ହେଉ ସୋସିଆଲ ମିଡିଆ କିମ୍ବା ପୁରସ୍କାର ଦିଆଯାଉଥିବା ମଞ୍ଚ। ଓଡ଼ିଆ ଭାଷା ଯେଉଁ ଶାସ୍ତ୍ରୀୟ ମାନ୍ୟତା ପାଇଛି, ତାହା ଅତୀତର କୃତି ଆଧାରିତ। ସେହି ମର୍ଯ୍ୟାଦାକୁ ବିକିଭାଙ୍ଗି ଆଜିର କେତେକ ସାହିତି୍ୟକ ନାମ କମାଇବାକୁ ଇଚ୍ଛୁକ। ସାହିତ୍ୟ ଏକଦା ସାମାଜିକ ସଂସ୍କାର ଆଣୁଥିଲା। ନାଟକ ଓ ରୂପକ ଜରିଆରେ ଗଣଙ୍କୁ ପରିବର୍ତ୍ତନ କରିବାର ବାର୍ତ୍ତା ଦେଉଥିଲା। ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୁଗ୍ଧ ବ୍ୟକ୍ତି ରଚନା କରିଥିଲେ ପ୍ରକୃତିର ରୂପ ସମ୍ଭାର। ଉଚ୍ଚକୋଟୀର ପ୍ରବନ୍ଧ ଓ ସମାଲୋଚନାଧର୍ମୀ ଲେଖା ସାହିତ୍ୟର ବୌଦ୍ଧିକ ଦିଗକୁ ପୁଷ୍ଟ କରିଥିଲା। ସାହିତ୍ୟ ପ୍ରତି ନିଷ୍ଠା ଯୋଗୁ ସୃଷ୍ଟି ହେଉଥିଲେ ସୁସାହିତି୍ୟକ। ହେଲେ ଇଣ୍ଟରନେଟ୍‌ର ପ୍ରାବଲ୍ୟ ଓ ସୋସିଆଲ ମିଡିଆରେ ନିଜକୁ ଲେଖକ ଭାବେ ବିଜ୍ଞାପିତ କରିବାର ସୁଯୋଗ ଯେବେଠାରୁ ମିଳିଲାଣି, ସେବେଠୁ ସୃଜନଶୀଳତା କମ୍‌, ଅଧିକ ପ୍ରଚାର। ଆତ୍ମପ୍ରଚାରରେ ମତ୍ତ ଆଜିର ପିଢ଼ି। ସାମାଜିକ ଗଣମାଧ୍ୟମ ଅଳ୍ପ ସମୟ ମଧ୍ୟରେ ଲେଖକଙ୍କୁ ସେହି ମଞ୍ଚରେ ଥିବା ବ୍ୟକ୍ତିଙ୍କ ନିକଟରେ ପରିଚିତ କରାଇପାରୁଛି।
ସୋସିଆଲ ମିଡିଆ ନିଶ୍ଚିତ ଭାବେ ସାହିତ୍ୟର ପ୍ରସାର କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ। ଅଥଚ କେତେଜଣ ଯାହିତାହି ଲେଖି ଏହି ମାଧ୍ୟମକୁ ଅଳିଆକୁଣ୍ଡରେ ପରିଣତ କରି ଦେଉଥିବାରୁ ସେଥିରୁ ଭଲ ସୃଷ୍ଟିଟିଏ ଖୋଜି ପାଇବା ପାଇଁ ନୟାନ୍ତ ହେବାକୁ ପଡ଼ୁଛି। ଏବେ, ନିଜକୁ ଯିଏ ବଜାରରେ ଯେତେ ବିକେଇ ପାରୁଛି, ତା’ ପାଇଁ ଲାଭ ଉଠାଇବା ସେତେ ସହଜ ହୋଇଯାଉଛି। ଭଲ ଲେଆଉଟ୍‌ ବା ଗ୍ରାଫିକ୍‌ ଡିଜାଇନ୍‌ କରିପାରୁଥିବା ସୃଜନକର୍ମୀଟିଏ ପ୍ରକାଶନ ସଂସ୍ଥା କରି ଭଲ ଦୁଇ ପଇସା ଅର୍ଜନ କରିପାରୁଛି। ନିଯୁକ୍ତି କ୍ଷେତ୍ରରେ ଏହା ଏକ ସୁନ୍ଦର ଯୋଗଦାନ ବୋଲି କୁହାଯାଇପାରିବ। କିନ୍ତୁ ଯେତେବେଳେ ସାହିତ୍ୟ ପ୍ରତି ଅନୁରାଗ ନ ଥିବା ବ୍ୟକ୍ତି ସିଧାସଳଖ ସାହିତ୍ୟ ସୃଷ୍ଟିକୁ ଓହ୍ଲାଇ ଆସୁଛି, ସେତେବେଳେ ଲେଖାର ମାନ କେଉଁ ସ୍ତରକୁ ଚାଲିଯାଉଛି ଭାବିଲେ ଆଶ୍ଚର୍ଯ୍ୟ ଲାଗିବ। ଅବଶ୍ୟ ଓଡ଼ିଶାରେ ହାତଗଣତି କେତେଜଣ ସୃଜନକର୍ମୀ ଅଭିନବ ଚିନ୍ତା ପୋଷଣ କରି ସାହିତ୍ୟ କ୍ଷେତ୍ରରେ ସେଲିବ୍ରିଟି ହୋଇପାରିଛନ୍ତି। ସେମାନଙ୍କ ନିଷ୍ଠା ପ୍ରଶଂସାଯୋଗ୍ୟ। କିନ୍ତୁ ମାଳମାଳ ଏମିତି ଅଛନ୍ତି, ଯେଉଁମାନେ ନିଜର ପ୍ରକାଶନ ସଂସ୍ଥା ଥିବାରୁ ଲେଖକ ହୋଇଯାଉଛନ୍ତି। ଲେଖା କିଏ ପଢ଼ୁ ବା ନ ପଢ଼ୁ, ସେଥିପାଇଁ ସେମାନଙ୍କ ପରବାୟ ନାହିଁ।
ଏଇଠି ମନେପଡ଼େ, ଭାରତୀୟ ରାଜନୀତିରେ ଗତ ଶତାବ୍ଦୀର ଶେଷ ଦଶନ୍ଧି କଥା। ବିଶେଷକରି ବିହାର ଏବଂ ଉତ୍ତରପ୍ରଦେଶରେ ଅପରାଧୀମାନେ ଯେତେବେଳେ ଅନୁଭବ କଲେ ଯେ ରାଜନେତାଙ୍କ ପାଇଁ ଗୁଣ୍ଡା ପାଲଟି ସେମାନଙ୍କ ସକାଶେ ଭୋଟ ଗୋଟାଇବା ଅପେକ୍ଷା ନିଜେ ଟିକେଟ ନେଇ ଲଢ଼ିବା ଶ୍ରେୟସ୍କର, ସେତେବେଳେ ରାଜନୀତିରେ ଅପରାଧୀକରଣ ପ୍ରବେଶ କଲା। ଅପରାଧୀ ପାଲଟିଲେ ନେତା। ବିଧାନସଭା ଓ ସଂସଦରେ ସେମାନଙ୍କୁ ମିଳିଲା ସମ୍ମାନ। ଅବଶ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନୁଗତମାନେ ହାଜତରେ ଭେଟିଥିବା ଦେଖିବାକୁ ମିଳିଛି। ଆଜି ଓଡ଼ିଆ ସାହିତ୍ୟକୁ ସେହିଭଳି କିଛି ଅଣ-ସାହିତି୍ୟକ ମାଡ଼ି ବସିଛନ୍ତି। ସେଥିପାଇଁ ଶୁଦ୍ଧ ସାହିତ୍ୟ ରଚନାରେ ମନୋନିବେଶ କରୁଥିବା ବ୍ୟକ୍ତିମାନେ ମନ ମାରିଦେଲେଣି। ଆଉ କିଛି ନାମକରା ଓ ବୟସ୍କ ସାହିତି୍ୟକ ପରିଚୟ ହଜିଯିବ ଭାବି ନୂଆପିଢ଼ି ସହ ସାଲିସ କରିଗଲେଣି।
ଆଜିର ସାହିତ୍ୟ ସର୍ଜନାକୁ ଦେଖିଲେ ଚାକିରି ହେଉ ବା ଅନ୍ୟ କେଉଁ ଉତ୍ସରୁ ଭଲ ଅର୍ଥଲାଭ କରୁଥିବା କେତେକ ଅକ୍ଷରରଙ୍କୁଣା ଏହି ଦିଗରେ ନଁା କମାଇବାକୁ ଧାଇଁଛନ୍ତି। ସେଥିପାଇଁ ଯୋଗାଡ଼ିଆଙ୍କୁ ଧରୁଛନ୍ତି। ଏପରି କି କେତେକେ ବହି ଉପରେ ମୁଦ୍ରିତ ନାମ ଦେଖିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଠାରେ ମନରେ ପ୍ରଶ୍ନ ଆସେ, ପ୍ରସିଦ୍ଧି ପାଇବା ପାଇଁ କ’ଣ ଲେଖକ ହେବା ଜରୁରୀ? ଉତ୍ତର ବିତର୍କର ଅପେକ୍ଷା ରଖେ। ଅନେକେ ଭାବନ୍ତି, ବ୍ୟକ୍ତିତ୍ୱକୁ ଆକର୍ଷଣୀୟ ଓ ଅନ୍ୟମାନଙ୍କ ପାଇଁ ଈର୍ଷଣୀୟ କରିବା ଦିଗରେ ଏହା ସହାୟକ ହେବ। ସମ୍ଭବତଃ ଚିନ୍ତକ, ଭାବୁକ ଏବଂ ଦିଗ୍‌ଦର୍ଶକଙ୍କ ସ୍ଥାନରେ ନିଜକୁ ରଖିବା ପାଇଁ ଏକ ଗଳଦ୍‌ଘର୍ମ ପ୍ରୟାସ ଚାଲିଛି। ହେଲେ ପ୍ରସିଦ୍ଧି ପାଇବା ଲାଗି ସୋଜା ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତି ସାହିତ୍ୟର ଶୀର୍ଷ ସ୍ତର ଛୁଇଁବା ନେଇ ସନ୍ଦେହ ରହିଛି। ଏହି ପରିପ୍ରେକ୍ଷୀରେ ସରୋଗେସି (ଭଡ଼ାଟିଆ) ମା’ଙ୍କ ଉଦାହରଣ ଆଖି ଆଗକୁ ଆସୁଛି। ଅନ୍ୟର ଭ୍ରୂଣକୁ ଧରି ରଖୁଥିବା ସରୋଗେସି ମା’ମାନେ ଯେତେବେଳେ ଏହାକୁ ବ୍ୟବସାୟରେ ପରିଣତ କରିଦେଲେ, ସେତେବେଳେ ଏହା ଉପରେ କଟକଣା ଲଗାଗଲା। ବାସ୍ତବିକ ଯେଉଁମାନେ ଅର୍ଥଲୋଭୀ ହୋଇଯିବେ, ସେମାନେ ସେତେବେଳେ ଛୁଆ କିଭଳି ବଢ଼ୁଛି ତା’ ପ୍ରତି ଯତ୍ନବାନ ହୋଇ ନ ପାରନ୍ତି। ଯେମିତି ହେଉ ପଛେ ପିଲା ଜନ୍ମ ହୋଇଗଲେ ସେମାନଙ୍କ କାମ ସରିଗଲା ବୋଲି ଧରି ନେଇଥାଆନ୍ତି। ଠିକ୍‌ ସେହିପରି ଅର୍ଥ ନେଇ ଅନ୍ୟ ପାଇଁ ବହି ଲେଖୁଥିବା ବ୍ୟକ୍ତି ସୃଜନକୁ ଗୁରୁତ୍ୱ ଦେଇ ନ ଥାଆନ୍ତି। ଫଳରେ ରଦି କାଗଜ ଭଳି ସେହି ବହି ପରବର୍ତ୍ତୀ ସମୟରେ ଓଜନ ହୋଇ ବିକ୍ରି ହେବାର ସାମଗ୍ରୀ ହୋଇଥାଏ। ଯେଉଁ ଓଡ଼ିଆ ପାଠିକାପାଠକ ଏହି ଗୂଢ଼ ରହସ୍ୟ ଜାଣି ନ ଥିବେ, ସେମାନେ ଏହି ଲେଖାରୁ ଅବଗତ ହୋଇ ଯଦି ଜୀବନରେ ସେହି ଅକ୍ଷରରଙ୍କୁଣାଙ୍କୁ ଆବିଷ୍କାର କରିବେ, ତାହାହେଲେ ସେମାନଙ୍କ ଭାବନା କ’ଣ ହେବ ବୁଝିବା କଷ୍ଟକର ନୁହେଁ।
ବର୍ତ୍ତମାନ ସମୟରେ ଲେଖାଲେଖି କରୁଥିବା ଅଧିକାଂଶ ବ୍ୟକ୍ତି ପରସ୍ପରକୁ ଟେକାଟେକି କରିବାରେ ବ୍ୟସ୍ତ। ଜଣଙ୍କ ସାହିତ୍ୟ କେତେ ପ୍ରଭାବଶାଳୀ ତାହା ପାଠକୀୟ ପ୍ରତିକ୍ରିୟାରୁ ଜଣାପଡ଼େ। ସେହିପରି ସମୀକ୍ଷକଙ୍କ ମନ୍ତବ୍ୟ ବା ଟିପ୍ପଣୀରୁ ଜଣେ ଲେଖକଙ୍କ ସୃଜନ ଗଭୀରତା ମାପିହୁଏ। ଆଜି ରାଜନୀତି, ପ୍ରଶାସନଠାରୁ ଆରମ୍ଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ଅସଙ୍ଗତିକୁ ଯେଉଁମାନେ ଇଙ୍ଗିତ କରୁଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଉଛି। ନିରୋଳା ପ୍ରଶଂସା କରି ଫାଇଦା ନେବା ଲକ୍ଷ୍ୟରେ ଯେଉଁମାନେ ଯୋଗାଡ଼ିଆ ପାଲଟି ଯାଉଛନ୍ତି, ସେମାନଙ୍କୁ ସବୁ ସ୍ତରରୁ ସୁବିଧା ମିଳିପାରୁଛି ଓ ସେମାନଙ୍କ ପିଠିରେ ଦେଶପ୍ରେମୀର ମୋହର ବାଜିଯାଉଛି। ‘କେବଳ ପ୍ରଶଂସାରେ କେତେ ଦିନ ସାହିତ୍ୟ ତିଷ୍ଠିବ’ ବୋଲି ଜଣେ ବନ୍ଧୁଙ୍କ ସହ କଥା ହୁଅନ୍ତେ, ଉତ୍ତର ମିଳିଲା- ଧରାଧରି ଓ ସେଟିଂ ଦୁନିଆରେ ଚଳି ନ ପାରିଲେ ଅଯୋଗ୍ୟ ବିବେଚିତ ହେବା ନିଶ୍ଚିତ। ଏହାର ମର୍ମ ବୁଝିବାକୁ ହେଲେ ସମସ୍ତଙ୍କ ହିତରେ ସାହିତ୍ୟ ନାହିଁ ବୋଲି ଧରିନେବାକୁ ହେବ। ସମାଜ ସେବାରେ ବ୍ରତୀ ଜଣେ ଶିକ୍ଷିତା ମହିଳା ଘରେ ଶାଶୁଙ୍କୁ ନିର୍ଯାତନା ଦେଉଥିଲେ ହେଁ ବୃଦ୍ଧାବୃଦ୍ଧଙ୍କ ଦୁଃଖ ଦୂର ଲାଗି ମଞ୍ଚରେ ଭାଷଣ ଦେଇ ତାଳି ସାଉଁଟୁଥିବାର ଉଦାହରଣ ଖୋଜିଲେ ଅନେକ ମିଳିବ। ସୃଜନଶୀଳତା ଅନେକାଂଶରେ ଅବାସ୍ତବ ଦୃଷ୍ଟାନ୍ତ ସୃଷ୍ଟି କରୁଥିଲେ ମଧ୍ୟ ଅନେକେ ସେହି ଦିଗ ପ୍ରତି ଦୃଷ୍ଟି ଦେଉନାହାନ୍ତି। ସ୍ରୋତର ପ୍ରତିକୂଳରେ ଗଲେ ବିପଦକୁ ସାମ୍ନା କରିବାର ଭୟ ରହୁଛି। ଆଜିର ଅଧିକାଂଶ ଲେଖକ ସାଧନା ପରିବର୍ତ୍ତେ ସୁବିଧା ବାଟ ଖୋଜିବାରେ ବ୍ୟସ୍ତ। ମନେରଖିବା ଉଚିତ ଯେ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା କେବେ ବି ‘ରେବତୀ’, ‘ବୁଢ଼ାଶଙ୍ଖାରୀ’, ‘ପରଜା’, ‘ଲକ୍ଷ୍ମୀର ଅଭିସାର’, ‘କାଳିଜାଈ’ ବା ‘ବିହଙ୍ଗବିପ୍ଳବ’ ଭଳି କ୍ଲାସିକ୍‌ ଲେଖା ସୃଷ୍ଟି କରିପାରିବ ନାହିଁ। ସେହିପରି ‘ସଂଖ୍ୟାତ୍ମକ’ ସୃଷ୍ଟି ପଛରେ ପଡ଼ି ଯେଉଁମାନେ ‘ଗୁଣାତ୍ମକତା’କୁ ଗୁରୁତ୍ୱ ଦେଉନାହାନ୍ତି, ସେମାନେ ଓଡ଼ିଆ ଭାଷାର ଅଧୋଗତିର କାରଣ ପାଲଟୁଛନ୍ତି।
ଭାଷାର ପ୍ରଚାର ଓ ପ୍ରସାର ଲାଗି ଏହାର ବହୁଳ ବ୍ୟବହାର ନିତାନ୍ତ ଆବଶ୍ୟକ। ଅନୁରୂପ ଭାବେ ଉତ୍ତମ ସାହିତ୍ୟକୃତି ପିଢ଼ି ପରେ ପିଢ଼ିକୁ ଅନୁପ୍ରାଣିତ କରି ଚାଲିଥାଏ। କାଳକୁ ଜୟ କରୁଥିବା ସୃଜନଶୀଳତା ଏକ ଜାତିକୁ ନୂଆ ଦିଗନ୍ତ ଦେଇଥାଏ। ଭାଷା କିମ୍ବା ସାହିତ୍ୟରେ ସମୟୋପଯୋଗୀ ପରୀକ୍ଷାନିରୀକ୍ଷା ସ୍ବାଗତଯୋଗ୍ୟ। କିନ୍ତୁ ପରିବର୍ତ୍ତନ ନାମରେ ନିଆଯାଉଥିବା ପଦକ୍ଷେପ ଯଦି ଗଛ ସୃଷ୍ଟିର ପରିକଳ୍ପନା କରି ମାଟି ତା’ର ଆଉ ଆଧାର ନୁହେଁ ବୋଲି କହେ, ତା’ହେଲେ ଧରିନେବାକୁ ହେବ ସାହିତ୍ୟ ଅବକ୍ଷୟକବଳିତ। ସୃଜନଶୀଳତାର ଅଭିବୃଦ୍ଧିରେ ବାଧକ ସାଜୁଥିବା ଏଭଳି ନନ୍‌ପରଫର୍ମିଂ ରାଇଟର (ଏନ୍‌ପିଡବ୍ଲ୍ୟୁ) ବା ଅ-ସାହିତି୍ୟକମାନଙ୍କୁ ସାହିତ୍ୟ ପରିସରରୁ ଦୂରେଇ ରଖାଯିବା ଦରକାର। ଏମାନଙ୍କ ମଧ୍ୟରୁ ଯେଉଁମାନେ ସାଧନା କରି ସାହିତ୍ୟରେ ସ୍ବଚ୍ଛତା ରକ୍ଷା କରିବାର ପ୍ରମାଣ ଦେଇପାରିବେ, ସେମାନେ ଗ୍ରହଣୀୟ ହେବେ। ଅତଏବ, ସାହିତ୍ୟର ବିଚାରମଞ୍ଚରେ ପାଠକ ବସି ସୃଜନଶୀଳତାର ଗୁଣାତ୍ମକ ମାନଦଣ୍ଡ ଧାର୍ଯ୍ୟ କଲାବେଳେ ମଞ୍ଚ ତଳେ ବସିଥିବା ଲେଖକମାନେ କେଉଁ ସ୍ତରରେ ଅଛନ୍ତି ନିଜେ ନିଜକୁ ପରଖି ନେବାର ସମୟ ଆସିଲାଣି।
ଏଇ-୫୮, ଭିଏସ୍‌ଏସ୍‌ ନଗର, ଭୁବନେଶ୍ୱର-୭, ମୋ- ୯୪୩୭୨୨୯୨୫୯


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri