ଛବିରେ ହାତୀ

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୨୬ ଦିନ ମଧ୍ୟରେ ୪ ହାତୀଙ୍କ ପ୍ରାଣ ଯାଇସାରିଲାଣି। ସେପ୍ଟେମ୍ବର ୧୯ ଓ ୨୦ରେ ଯଥାକ୍ରମେ ମାଈହାତୀ ‘କମଳା’ ଓ ‘ଗୌରୀ’ର ମୃତ୍ୟୁ ଘଟିବା ପରେ ଏବେ ସେଠାରେ ଆଉ ୪ ହାତୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଟି ମଧ୍ୟ ହର୍ପିସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ବୋଲି କୁହାଯାଉଛି। ହାତୀମାନେ ଏହି ଭୂତାଣୁର ବାହକ ହୋଇଥିବାରୁ ସଂକ୍ରମିତ ହେବାର ୪ରୁ ୫ ଦିନ ମଧ୍ୟରେ ଜୀବନ ହରାଇଥାଆନ୍ତି। ଏହି ରୋଗ ଲାଗି ସ୍ବତନ୍ତ୍ର ଔଷଧ ବାହାରି ନ ଥିବାରୁ ପ୍ରାଣୀ ଚିକିତ୍ସକମାନେ ପାରମ୍ପରିକ ଭାବେ ଆଣ୍ଟିବାଓଟିକ୍‌ ଦେଇ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ଏବେ ଚିଡ଼ିଆଖାନା କର୍ତ୍ତୃପକ୍ଷ କହୁଛନ୍ତି, ଆସାମ ଓ କେରଳରେ ଥିବା ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯାଇ ପରାମର୍ଶ ଗ୍ରହଣ କରାଯାଉଛି। ଏଠାକାର ପ୍ରାଣୀଚିକିତ୍ସକମାନେ ପ୍ରାଣୀଙ୍କ ଉପରେ ଅଧିକ ଗବେଷଣା କରୁ ନ ଥିବାରୁ ସର୍ବଦା ବାହାର ରାଜ୍ୟର ବିଶେଷଜ୍ଞଙ୍କ ଉପରେ ନିର୍ଭର କରୁଛନ୍ତି। ଏଠାରେ ମନେପଡ଼େ ୨୦୧୮ ନଭେମ୍ବରରେ ଅନୁଗୋଳ ଜିଲା ସାତକୋଶିଆ ଜଙ୍ଗଲରେ ପ୍ରାଣ ହରାଇଥିବା ମହାବଳ ବାଘ ‘ମହାବୀର’ କଥା। ପ୍ରଥମେ କୁହାଯାଇଥିଲା, ଝିଙ୍କ ଶିକାର କରିବାରୁ ମହାବୀରର ପେଟ ସଂକ୍ରମଣ ହୋଇ ମୃତ୍ୟୁ ଘଟିଥିଲା। ତା’ ପରେ କୁହାଗଲା ଶିକାରୀଙ୍କ ଯନ୍ତାରେ ପଡ଼ି ଖଣ୍ଡିଆ ହୋଇଗଲା, ଯାହାକି ପରବର୍ତ୍ତୀ ସମୟରେ ଗାଙ୍ଗରିନ୍‌ରେ ତା’ର ମୃତ୍ୟୁ ହେଲା। ସେତେବେଳେ ଆମ ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ତାହାର ମୂଳ କାରଣ ଖୋଜି ବାହାର କରିପାରି ନ ଥିଲେ। ଏହା ପରେ ଜଣାପଡ଼ିଲା ଯେ ବାଘକୁ ଠାବ କରିବା ସକାଶେ ତା’ ବେକରେ ବନ୍ଧା ଯାଇଥିବା ରେଡିଓ କଲାର ଦ୍ୱାରା ଖଣ୍ଡିଆ ହୋଇ ମହାବୀରର ମୃତ୍ୟୁ ଘଟିଥିଲା। ଏହିଭଳି ମୌଳିକ ଚିକିତ୍ସା ପାଇଁ ଓଡ଼ିଶା ପ୍ରାଣୀ ବିଶେଷଜ୍ଞମାନେ ସକ୍ଷମ ହେଉ ନ ଥିବା ଦୁଃଖଦାୟକ। ଏଠାରେ ଛାତ୍ରୀଛାତ୍ରଙ୍କୁ ଦୋଷ ଦେବା ପରିବର୍ତ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଗବେଷଣା କରିବାକୁ ଅନିଚ୍ଛା କେବଳ ଯେ ପ୍ରାଣୀ ଜୀବନକୁ ଅସୁରକ୍ଷିତ କରୁଛି ତାହା ନୁହେଁ, ସମଗ୍ର ରାଜ୍ୟର କୃଷି ବିକାଶରେ ଏହି ବିଶ୍ୱବିଦ୍ୟାଳୟର ସେଭଳି କୌଣସି ଯୋଗଦାନ ଦେଖିବାକୁ ମିଳୁନାହିଁ।
ଆଜିର ପରିସ୍ଥିତି ଦେଖିଲେ ଯେତେବେଳେ ଗୋଟିଏ ମାସ ମଧ୍ୟରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି, ସେତେବେଳେ ଆସାମ ଓ କେରଳର ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ାଯାଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ହାତବାନ୍ଧି ବସିପଡ଼ିବା ପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରିବା ସ୍ବାଭାବିକ। ମନେପଡ଼େ ୨୦୦୦ ମସିହା ଜୁନ୍‌ ମାସର ୪ ଦିନ ମଧ୍ୟରେ ୧୨ଟି ବାଘଙ୍କ ଜୀବନ ଯିବା କଥା। ଏମାନଙ୍କ ମଧ୍ୟରେ ୮ ଧଳା ବାଘ ଥିଲେ। ବାଘଙ୍କ ଏଭଳି ମୃତ୍ୟୁକୁ ନେଇ ସେତେବେଳେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏପରି କି ଚିଡ଼ିଆଖାନାରେ ବନ୍ଦୀ ଅବସ୍ଥାରେ ଥିବା ପ୍ରାଣୀମାନଙ୍କ ଯତ୍ନ ଓ ପରିଚାଳନା ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା। ଏଭଳି ଭୁଲରୁ ନନ୍ଦନକାନନ କର୍ତ୍ତୃପକ୍ଷ ନ ଚେତିବାରୁ ଏବେ ପୃଥିବୀପୃଷ୍ଠରେ ଆତଯାତ କରୁଥିବା ବିରାଟକାୟ ପ୍ରାଣୀ ହାତୀ ବିପଦରେ ପଡ଼ିଛି। ୨୮ ମାର୍ଚ୍ଚ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୦୯-୧୦ରୁ ୨୦୧୮-୧୯ ଦଶବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ କାରଣରୁ ୭୩୨ ହାତୀଙ୍କ ଜୀବନ ଯାଇଛି। ଚଳିତ ବର୍ଷ ଦେଖିଲେ ବିଦ୍ୟୁତ୍‌ ସଂସ୍ପର୍ଶରେ ୨୪ ହାତୀଙ୍କ ପ୍ରାଣ ଯାଇଥିବା ବେଳେ ରେଳ ଦୁର୍ଘଟଣାରେ ୧୭, ଶିକାରରେ ୨, ରୋଗରେ ୨୮ ଏବଂ ୩ଟିର ସ୍ବାଭାବିକ ମୃତ୍ୟୁ ଘଟିଛି। ୭ ହାତୀଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଅଦ୍ୟାବଧି ଜଣାପଡ଼ି ନାହିଁ। ଏବେ ହର୍ପିସ ଭୂତାଣୁ ଦ୍ୱାରା ହାତୀଙ୍କ ମୃତ୍ୟୁ ହେବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ କହୁଛନ୍ତି, ବାହ୍ୟ ଭୂତାଣୁ ହାତୀ ଦେହରେ ଥିବାରୁ ଏହା ସଂକ୍ରମିତ ହୋଇଛି। ତେବେ ୨୦୧୦ ଅଗଷ୍ଟରେ ଚନ୍ଦକା ଅଭୟାରଣ୍ୟରୁ ଅଣାଯାଇଥିବା ହାତୀ ‘ଚନ୍ଦନ’ ଦେହରେ ଏହି ଭୂତାଣୁ ଥିଲା ବୋଲି କୁହାଯାଉଛି। ପ୍ରଶ୍ନ ଉଠୁଛି, ଚନ୍ଦନ ଦେହରେ ଏହି ଭୂତାଣୁ ଥିବା ଜଣାପଡ଼ିବା ପରେ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଯାଇ କାହିଁକି ସେଠାରେ ରଖାଯାଇଥିଲା। ଏହି ହାତୀମଡ଼କ ପରେ ବିଶେଷଜ୍ଞମାନେ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ୭ ନଭେମ୍ବର ୨୦୦୯ରେ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (ସିଜେଡ୍‌ଏ) ଦେଶର ଚିଡ଼ିଆଖାନାରେ ହାତୀକୁ ରଖିବାରେ ବାରଣ କରି ଏକ ସର୍କୁଲାର ଜାରି କରିଥିଲେ। ଏପରି କି ଚିଡ଼ିଆଖାନାରୁ ହାତୀଙ୍କୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ସିଜେଡ୍‌ଏ ବହନ କରିବ ବୋଲି କୁହାଯାଇଥିଲା। ସେହି ଅନୁଯାୟୀ ଶିମିଳିପାଳ, ସାତକୋଶିଆ ଆଦି ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇପାରିଥାଆନ୍ତା। କିନ୍ତୁ ତାହା କରା ନ ଯାଇ ପ୍ରାଣୀ ଉନ୍ୟାନରେ ହାତୀଙ୍କୁ ଚେନ୍‌ ଶିକୁଳି ପକାଯାଇ ରଖାଯାଉଛି। ବାସ୍ତବରେ ଦେଖିଲେ ଏଭଳି ବୃହତ୍‌କାୟ ପ୍ରାଣୀଙ୍କ ଚଲାବୁଲା ପାଇଁ ଆବଶ୍ୟକ ଜାଗା ମିଳୁ ନାହିଁ। ନନ୍ଦନକାନନ ବୁଲିଯାଇଥିବା ବ୍ୟକ୍ତି ହାତୀଙ୍କ ରହଣି ସ୍ଥାନ ଦେଖିଥିଲେ ଅନୁମାନ ଲଗାଇପାରିବେ ଯେ କେଡ଼େ ଛୋଟିଆ ଜାଗାରେ ସେମାନଙ୍କୁ ବାନ୍ଧି ରଖାଯାଉଛି। ଆଉ ଏକ ଅଭିଯୋଗ ଆସୁଛି ଯେ, ହାତୀମାନେ ପ୍ରାୟ ୪ ପ୍ରକାରର ଗଛଡାଳକୁ ଖାଇବାକୁ ଭଲ ପାଆନ୍ତି। ସେଗୁଡ଼ିକ ହେଲା ବର, ଓସ୍ତ, ମଇ ଓ ରାଜି। କିନ୍ତୁ ନନ୍ଦନକାନନରେ କେବଳ ବର ଓ ଓସ୍ତ ଡାଳପତ୍ର ଖାଇବାକୁ ଦିଆଯାଇଥାଏ। ସୁଷମ ପୋଷଣ ଅଭାବଜନିତ ସ୍ବାସ୍ଥ୍ୟ ସମସ୍ୟାରେ ହାତୀ ପଡ଼ୁଥିବେ ବୋଲି ସନ୍ଦେହ କରାଯାଇପାରେ। ସେହିପରି ପ୍ରାଣୀଉଦ୍ୟାନ ତରଫରୁ ଓୟୁଏଟିରେ ଥିବା ‘ସେଣ୍ଟର ଫର୍‌ ଓ୍ବାଇଲ୍ଡ୍‌ ଲାଇଫ୍‌ ହେଲ୍‌ଥ’କୁ ବାର୍ଷିକ ଅନୁଦାନ ୨୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା କରାଯାଇଛି। ତଥାପି ହାତୀମାନଙ୍କ ସ୍ବାସ୍ଥ୍ୟ ରକ୍ଷା କରାଯାଇପାରୁ ନାହିଁ। ଏବେ ଚିଡ଼ିଆଖାନା କର୍ତ୍ତୃପକ୍ଷ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ବିଧିବଦ୍ଧ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଲାଣି। ତାହା ନ ହେଲେ ଜାତୀୟ ଐତିହ୍ୟ ପ୍ରାଣୀ ମାନ୍ୟତା ପାଇଥିବା ହାତୀ ନନ୍ଦନକାନନ ଚିଡ଼ିଆଖାନାର ସେହି ସ୍ଥାନରେ କେବଳ ଦର୍ଶକଙ୍କ ପାଇଁ ଛବି ଆକାରରେ ଟଙ୍ଗା ହୋଇଥିବାର ଦେଖିବାକୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?