ସାଥୀ ଚୟନରେ ପୋଷା ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମେ ଜାଣୁ ଯେ ଆମ ମାନସିକ ସ୍ବାସ୍ଥ୍ୟ ପାଇଁ କୁକୁର ଉପଯୋଗୀ। ଅନେକ ଅନୁଧ୍ୟାନରୁ ବି ଏ ସତ୍ୟ ପ୍ରମାଣିତ ହୋଇଛି। ୟେଲ୍‌ ବିଶ୍ୱବିଦ୍ୟାଳୟର କାନାଇନ୍‌ କଗ୍‌ନିଶନ ସେଣ୍ଟରର ନିର୍ଦ୍ଦେଶକ ତଥା ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ଡ. ଲୁରି ସାଣ୍ଟୋସ୍‌ଙ୍କ ଦ୍ୱାରା ପରିଚାଳିତ ଗବେଷଣାରୁ ଜଣାପଡ଼ିଛି ଯେ, କୁକୁର ସହିତ ଅଳ୍ପ ସମୟର ମିଳାମିଶା ଦ୍ୱାରା ମଧ୍ୟ ଆମର ଉଦ୍‌ବେଗ ଓ ଦୁଶ୍ଚିନ୍ତା ଦୂର ହୋଇଯାଏ ଏବଂ ମନୋଭାବ ବଦଳିଯାଏ। ଗବେଷଣାରୁ ଜଣାପଡ଼ିଛି ଯେ, କୁକୁର ପାଳିବାର ଓ କୁକୁର ସହ ମିଳାମିଶା କରିବାର ଅନୁକୂଳ ପ୍ରଭାବ ତା’ର ମାଲିକ ବା ଅଭିଭାବକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ, ଯେପରି ରକ୍ତଚାପ କମିବା, ଏକଲାପଣ ଦୂରହେବା, ଶାରୀରିକ କ୍ରିୟାକଳାପ ବଢ଼ିବା ଏବଂ ସାମଗ୍ରିକଭାବେ ନିଜେ ଭଲରେ ଅଛି ବା ସୁଖରେ ଅଛି ବୋଲି ଭାବ ସୃଷ୍ଟି ହେବା।
ପୋଷା ପ୍ରାଣୀ, ବିଶେଷତଃ କୁକୁରକୁ ଆଜିକାଲି ଅଧିକରୁ ଅଧିକ ଲୋକ ନିଜ ପରିବାର ସଦସ୍ୟ ବୋଲି ବିଚାର କଲେଣି। ଅଧିକାଂଶ ଆମେରିକୀୟ ଓ ଇସ୍ରାଏଲୀ ବୟସ୍କମାନେ କୁକୁର ଓ ବିରାଡ଼ିଙ୍କୁ ତାଙ୍କ ପରିବାର ସଦସ୍ୟ ବୋଲି ବିଚାର କରୁଥିବା ଗବେଷଣାରୁ ଜଣାପଡ଼ିଛି। କୁକୁର ଓ ବିରାଡ଼ିଙ୍କୁ ପରିବାର ସଦସ୍ୟଭାବେ ବିଚାର କରାଯାଉଥିବାରୁ ମଣିଷଙ୍କ ପ୍ରେମ ଓ ସାଥୀ ଚୟନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ପ୍ରଭାବ ରହିଥାଏ।
ଗୋଟିଏ ଝିଅ ଏକ ଡେଟ୍‌ ବା ସମ୍ଭାବ୍ୟ ସାଥୀ ବାଛିବା ବେଳେ ପୋଷା କୁକୁରର ମତାମତ କିପରି ଭୂମିକା ନିର୍ବାହ କରିଥାଏ? ପୁରୁଷମାନେ କୁକୁରଙ୍କୁ ତାଙ୍କ ସାଥୀ ଓ ବନ୍ଧୁ ଭାବୁଥିବା ବେଳେ ମହିଳାମାନେ ତାଙ୍କୁ ନିଜର ବନ୍ଧୁ ଛଡ଼ା ସନ୍ତାନ ଦୃଷ୍ଟିରେ ମଧ୍ୟ ଦେଖିଥାନ୍ତି। ତେଣୁ ସାଥୀ ଚୟନ ବେଳେ ମହିଳାମାନେ ଚିନ୍ତା କରିଥାନ୍ତି, ତାଙ୍କର ନୂତନ ସାଥୀ ପୋଷା କୁକୁର ପ୍ରତି କିପରି ବ୍ୟବହାର କରିବ। ସାଇକୋଲୋଜି ଟୁଡେରେ ପ୍ରକାଶିତ ନେଭାଡା ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିତ୍‌ ପିଟର ଗ୍ରେଙ୍କ ଗବେଷଣା ଅନୁସାରେ କୁକୁର ସହିତ ଜଣେ ପୁରୁଷର ଭାବବିନିମୟକୁ ଦେଖି ଜଣେ ମହିଳା ଉକ୍ତ ପୁରୁଷ ସହ ତାଙ୍କର ସମ୍ପର୍କ ଓ ଡେଟ୍‌ କିପରି ହେବ ତାହା ବିଚାର କରିଥାନ୍ତି। ଯଦି ଉକ୍ତ ପୁରୁଷ ବି କୁକୁର ପାଳିଥାନ୍ତି, ବିଶେଷତଃ ଏକ ଉଦ୍ଧାର କରାଯାଇଥିବା କୁକୁର ଓ ତା’ର ଯତ୍ନ ନେଉଥାନ୍ତି, ତେବେ ସେ ତାଙ୍କର ଓ ପରିବାରର ଯତ୍ନ ନେଇପାରିବେ ଏବଂ ସେ ଜଣେ ସହୃଦୟ ସ୍ନେହୀ ମଣିଷ ବୋଲି ମହିଳାଙ୍କର ବୁଝିବାକୁ ବାକି ରହେ ନାହିଁ।
ସାଥୀ ଚୟନରେ ପୋଷା ପ୍ରାଣୀଙ୍କ ଭୂମିକା ବିଷୟରେ ଜାଣିବା ପାଇଁ ଅନ୍‌ଲାଇନ ଡେଟିଂ ସାଇଟ୍‌ Match.comରେ ନାମ ପଞ୍ଜୀକରଣ କରିଥିବା ଦଳେ ଅବିବାହିତଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଏହାର ଫଳାଫଳରୁ ଜଣାପଡ଼ିଲା ଯେ, ସମ୍ଭାବ୍ୟ ସାଥୀଟି ପୋଷା ପ୍ରାଣୀଙ୍କ ପ୍ରତି କିପରି ବ୍ୟବହାର କରୁଛି ତାହାକୁ ମହିଳାମାନେ ଦେଖିଥାନ୍ତି। ସେଥିରୁ ସେମାନେ ଉକ୍ତ ପୁରୁଷଟି ଭବିଷ୍ୟତରେ ଜଣେ ଭଲ ଜୀବନସାଥୀ ହୋଇପାରିବ କି ନାହିଁ ତାହା ଆକଳନ କରିଥାନ୍ତି। ପୋଷା ପ୍ରାଣୀ ପ୍ରତି ପୁରୁଷଟିର ବ୍ୟବହାରକୁ ଦେଖି ତାଙ୍କ ସହ ଡେଟ୍‌ରେ ଯିବା ଉଚିତ ହେବ କି ନାହିଁ ତାହା ମଧ୍ୟ ମହିଳାମାନେ ସ୍ଥିର କରିଥାନ୍ତି। ଏପରି ପୁରୁଷକୁ ବିବାହ କଲେ ପରେ ସେ ନିଜ ପିଲାଛୁଆଙ୍କର ଯତ୍ନ କିପରି ନେବେ ତାହା ମଧ୍ୟ ପୋଷା ପ୍ରାଣୀ ପ୍ରତି ତାଙ୍କ ବ୍ୟବହାରରୁ ଜଣାପଡ଼ିଥାଏ। ଅପରପକ୍ଷେ ଉକ୍ତ ପୁରୁଷ ବା ସମ୍ଭାବ୍ୟ ସାଥୀ ପ୍ରତି କୁକୁରର ପ୍ରତିକ୍ରିୟା ବା ବ୍ୟବହାର ମଧ୍ୟ ସାଥୀ ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ସର୍ବେକ୍ଷଣରୁ ଜଣାପଡ଼ିଲା ଯେ, ଯେତେବେଳେ ପୋଷା ପ୍ରାଣୀ ପ୍ରତି ଉକ୍ତ ପୁରୁଷ ଓ ମହିଳା ଉଭୟଙ୍କର ବ୍ୟବହାର ସମାନ ହୋଇଥାଏ, ସେତେବେଳେ ଉଭୟେ ପରସ୍ପରକୁ ସାଥୀ ଭାବେ ପାଇ ଖୁସି ହୋଇଥାନ୍ତି ଏବଂ ବିବାହ ପରେ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ।
ଡେଟିଂ ଓ୍ବାର୍ଲଡରେ ବିରାଡ଼ିଙ୍କ ଅପେକ୍ଷା କୁକୁରମାନେ ଅଧିକ ସାମାଜିକ ମାର୍ଗଦର୍ଶିକା ଭାବେ ଭୂମିକା ତୁଲାଇଥାନ୍ତି। ବିରାଡ଼ିମାନେ କୁକୁରଙ୍କ ଅପେକ୍ଷା କମ୍‌ ସାମାଜିକ ଓ ମାଲିକଙ୍କ ଜୀବନ ସହିତ କମ୍‌ ସଂହତ ହୋଇଥିବାରୁ ସାଥୀ ଚୟନରେ କମ୍‌ ସାହାଯ୍ୟ କରିପାରନ୍ତି। ଅନୁଧ୍ୟାନ ବେଳେ ଅଧିକାଂଶ ଅବିବାହିତ କହିଲେ ଯେ, ଯଦି ସମ୍ଭାବ୍ୟ ସାଥୀଟିର ଏକ କୁକୁର ଥାଏ, ତେବେ ଭାବର ଆଦାନପ୍ରଦାନରେ ସୁବିଧା ହୋଇଥାଏ, କାରଣ କୁକୁରମାନେ ସହଜ ବାର୍ତ୍ତାଳାପ ଆରମ୍ଭକାରୀ ହୋଇଥାନ୍ତି।
ପୁରୁଷମାନେ ବି ଏକଥା ହୃଦୟଙ୍ଗମ କରିଛନ୍ତି। ଯେତେବେଳେ ସେମାନଙ୍କୁ ପଚରାଗଲା ଯେ ସମ୍ଭାବ୍ୟ ଡେଟ୍‌ ଧାର୍ଯ୍ୟ କରିବାରେ ସେମାନେ କେବେ ଏକ ପୋଷା ପ୍ରାଣୀକୁ ବ୍ୟବହାର କରିଛନ୍ତି କି, ସେତେବେଳେ ଅଧିକାଂଶ ପୁରୁଷ ହଁ ବୋଲି ଉତ୍ତର ଦେଇଥିଲେ। ଏଥିରୁ ଜଣାପଡ଼ୁଛି ଯେ ବାଞ୍ଛିତ ସାଥୀଙ୍କୁ ମନେଇବାରେ ପୋଷା ପ୍ରାଣୀମାନେ ସାହାଯ୍ୟ କରନ୍ତି ବୋଲି ସେମାନେ ଜାଣିଛନ୍ତି। ଟିଫରେଟ ଓ ଅନ୍ୟମାନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନ ରିପୋର୍ଟ ଇଭଲ୍ୟୁଶନାରୀ ସାଇକୋଲୋଜିରେ ପ୍ରକାଶ ପାଇଛି ଯେ, ମହିଳାଙ୍କ ପାଖରେ ପୋଷା କୁକୁର ରଖିଥିବା ପୁରୁଷମାନେ ଅଧିକ ଆକର୍ଷଣୀୟ ହୋଇଥାନ୍ତି। ପୋଷା ପ୍ରାଣୀଙ୍କ ପସନ୍ଦ କରୁ ନ ଥିବା ପୁରୁଷମାନେ ମହିଳାଙ୍କ ପାଖରେ କମ୍‌ ଗ୍ରହଣୀୟ ହୋଇଥାନ୍ତି।
ଜାପାନର କ୍ୟୋଟୋ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ କାଜୁଓ ଫୁଜିଟା ୧୮ଟି କୁକୁରଙ୍କ ଉପରେ ପରୀକ୍ଷା କରିଥିଲେ। ଏହି ପରୀକ୍ଷାରେ କୁକୁରଙ୍କ ଉପସ୍ଥିତିରେ ତାଙ୍କ ମାଲିକମାନେ ଏକ ବାକ୍ସ ଖୋଲିବାରେ ସାହାଯ୍ୟ କରିବା ପାଇଁ ଅପରିଚିତ ଲୋକମାନଙ୍କୁ ଡାକିଲେ। କିଛି ଅପରିଚିତ ଲୋକ ସାହାଯ୍ୟ କରିବାକୁ ମନା କରିଦେଲେ ଓ କିଛି ଲୋକ ସାହାଯ୍ୟ କଲେ। ଆଉ କିଛି ଲୋକ ସାହାଯ୍ୟ କରିବାକୁ ମନା କଲେନି କି ସାହାଯ୍ୟ କଲେନି। ତା’ପରେ ଉକ୍ତ ଅପରିଚିତ ଲୋକମାନେ କୁକୁରଙ୍କୁ ଖାଇବାକୁ ଯାଚିଲେ। ସେତେବେଳେ ଉକ୍ତ କୁକୁରମାନେ ସାହାଯ୍ୟ କରିବାକୁ ମନା କରିଥିବା ଲୋକଙ୍କ ହାତରୁ କିଛି ଖାଇଲେ ନାହିଁ, କେବଳ ସାହାଯ୍ୟ କରିଥିବା ବା ସାହାଯ୍ୟ କରି ନ ଥିଲେ ବି ସାହାଯ୍ୟ କରିବାକୁ ମନା କରି ନ ଥିବା ଲୋକଙ୍କ ହାତରୁ ଖାଦ୍ୟ ଖାଇଲେ।
ପୋଷା ରଖିବା ଭିତରଦେଇ ମଣିଷ-କୁକୁରଙ୍କ ସମ୍ପର୍କ ଦୃଢ଼ୀଭୂତ ହୋଇଛି। ମାଲିକମାନଙ୍କ ବ୍ୟବହାରକୁ କୁକୁରମାନେ ଅନୁଧ୍ୟାନ କରିଆସିଛନ୍ତି। ସେମାନେ ଆମର ପ୍ରତ୍ୟେକ କାର୍ଯ୍ୟକଳାପକୁ ନିରୀକ୍ଷଣ କରିଥାନ୍ତି ଓ ଆମେ କେମିତିକା ମଣିଷ ତାହା ଅନୁମାନ କରିନେଇଥାନ୍ତି। ବୁଲିଯିବାର ସମୟ ହେଲା ବା ଭୋଜନ ସମୟ ହେଲା ବା ଆପଣ କୁଆଡ଼େ ଯିବାକୁ ବାହାରିଛନ୍ତି ତାହା କୁକୁରମାନେ ବୁଝିପାରନ୍ତି। ସେମାନେ ମଣିଷର ଶାରୀରିକ ଚଳନ ଓ କଥିତ ଭାଷା ବୁଝିବାର କ୍ଷମତା ଅର୍ଜନ କରିଥାନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେଣୁ ତାଙ୍କ ମାଲିକାଣୀ ଚାହୁଁଥିବା ପୁରୁଷଟି ଭଲ ମଣିଷ କି ନା ଏବଂ ତାଙ୍କ ସହ ସମ୍ବନ୍ଧ ବାନ୍ଧିବା ଭବିଷ୍ୟତ ପାଇଁ ଭଲ ହେବ କି ନା ସେ ସମ୍ପର୍କରେ କୁକୁରମାନେ ନିଜ ବ୍ୟବହାର ମାଧ୍ୟମରେ ସ୍ପଷ୍ଟ ମତାମତ ଜଣାଇଦେଇ ପାରନ୍ତି। ସେମାନେ ଉପରଠାଉରିଆ ଭାବେ ଆକର୍ଷିତ ହେଉ ନ ଥିବାରୁ ଏବଂ ବ୍ୟବହାରକୁ ବିଶ୍ଳେଷଣ କରିବାରେ ସମୟ ଦେଇଥିବାରୁ ସେମାନଙ୍କ ବିଚାର ଉପରେ ନିର୍ଭର କରାଯାଇପାରେ। ଏହାଦ୍ୱାରା ଆପଣଙ୍କ ଜୀବନ ନଷ୍ଟ ହେବାରୁ ରକ୍ଷା ପାଇପାରିବ।
ଆପଣଙ୍କ କୁକୁର ଆପଣଙ୍କ ସମ୍ଭାବ୍ୟ ସାଥୀକୁ ନାପସନ୍ଦ କରୁଛି କିନା ତାହା ତା’ର ନିମ୍ନଲେଖ୍ୟ ବ୍ୟବହାରରୁ ଜାଣିପାରିବେ: * ପଛ ଦୁଇ ଗୋଡ଼ ମଝିରେ ଲାଞ୍ଜ ସ୍ଥିର ଥାଇ କାନ ଦୁଇଟା ପିଠିକୁ ଲାଗିଯାଇଥିବ। * ଗର୍ଜନ କରିବା ବା ରାଗରେ ଗର ଗର ହେବା। * ଊରୁ ସନ୍ଧିକୁ ନମ୍ର ଭାବରେ ଶୁଙ୍ଘିବା ହେଉଛି ଅନୁମୋଦନର ଲକ୍ଷଣ। କିନ୍ତୁ ଊରୁ ସନ୍ଧିକୁ କାମୁଡ଼ିବା ଏହାର ବିପରୀତ ଲକ୍ଷଣ। * ତୃତୀୟ ଡେଟ୍‌ରେ ଯଦି ଆପଣଙ୍କ କୁକୁର ଆପଣଙ୍କ ପୁରୁଷ ସାଥୀକୁ ଚାଟୁଛି, ତେବେ ସବୁ ଠିକ୍‌ ଅଛି। ପ୍ରଥମ ଡେଟ୍‌ରୁ ଯଦି ଉକ୍ତ ଚାଟିବା ଦେଖାଯାଏ, ତେବେ ଉକ୍ତ ସାଥୀକୁ ଆପଣ ସନ୍ଦେହ ଭିତରେ ରଖିପାରନ୍ତି। * ଯଦି ଆପଣଙ୍କ ଡେଟ୍‌ ଦିନ ଏକ ବାଡ଼ିକୁ ଫୋପାଡ଼ି ଦିଆଯାଏ ଏବଂ ସବୁ ଜିନିଷକୁ ଗୋଟେଇ ଆଣୁଥିବା କୁକୁର ଯଦି ଉକ୍ତ ବାଡ଼ିକୁ ଆଣିବାକୁ ନ ଯାଏ, ତେବେ ସେ ପୁରୁଷ ସାଥୀ ଆପଣଙ୍କ ପାଇଁ ଠିକ୍‌ ନୁହେଁ। * କୁକୁର ଯଦି ଉକ୍ତ ଲୋକକୁ ସ୍ବାଗତ ନ କରେ। * ଉକ୍ତ ସାଥୀ ସହ ଆପଣଙ୍କୁ ଏକୁଟିଆ ଛାଡ଼ି କୁକୁର ଯଦି କୁଆଡ଼େ ଯିବାକୁ ନ ଚାହେଁ। * କୁକୁର ସହ ଆପଣଙ୍କ ସାଥୀ ଗଲାବେଳେ କୁକୁର ଯଦି ତାଙ୍କୁ ଆଗରେ ଯିବାକୁ ନ ଦିଏ। ଅର୍ଥାତ୍‌ କୁକୁର ଯଦି ନିଜେ ଆଗରେ ଯାଏ, ତେବେ ପୁରୁଷ ଲୋକଟି ପ୍ରତି ତା’ର ସମ୍ମାନ ନ ଥିବା ବୁଝାପଡ଼ିବ। ଏହିସବୁ ଲକ୍ଷଣରୁ ଆପଣ ବୁଝିପାରିବେ ଉକ୍ତ ସାଥୀ ଅପଣଙ୍କ ପାଇଁ ଉପଯୁକ୍ତ କି ନା।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri