ସମ୍ପାଦକୀୟ/ସିଏସ୍‌ଆର୍‌ ପାଇଁ ଦଣ୍ଡ

ନିକଟରେ ଭାରତୀୟ ପାର୍ଲାମେଣ୍ଟ କମ୍ପାନୀ ଆଇନରେ କେତେକ ସଂଶୋଧନ ଆଣିଛିି। କମ୍ପାନୀ (ସଂଶୋଧନ) ଆଇନ ୨୦୧୯ରେ ଅନ୍ୟତମ ମୁଖ୍ୟ ଦିଗ ଯାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ତାହା ହେଲା କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)। ଏଥିରେ କୁହାଯାଇଛି ଯେ, ସିଏସ୍‌ଆର୍‌ ସର୍ତ୍ତ ଉଲ୍ଲଂଘନ କରୁଥିବା କମ୍ପାନୀକୁ ଅପରାଧୀ ଭାବେ ଘୋଷଣା କରାଯିବା ସହ ଜରିମାନା ପରିମାଣ ୫୦ ହଜାର ଟଙ୍କାରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ସେହିଭଳି କମ୍ପାନୀ ଅଧିକାରୀଙ୍କୁ ୩ ବର୍ଷ ଜେଲଦଣ୍ଡ କିମ୍ବା ଜରିମାନା ବାବଦରେ ୫୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟର ବ୍ୟବସ୍ଥା କରାଯାଇଛି ଏବଂ ସ୍ଥଳବିଶେଷରେ ଉଭୟ ଦଣ୍ଡ ଲାଗୁ ହୋଇପାରେ। ଶିଳ୍ପ ଜଗତ ସରକାରଙ୍କ ଏଭଳି ନିୟମକୁ ପ୍ରତ୍ୟାହାର କରିନେବା ପାଇଁ ଅଡ଼ି ବସିଛି। ବିଶେଷକରି ଜେଲଦଣ୍ଡ ଅଧିକ କଠୋର ହୋଇଯାଉଛି ବୋଲି ଅଭିଯୋଗ ହୋଇଛି। କର୍ପୋରେଟ୍‌ କ୍ଷେତ୍ରର ଏଭଳି ଦାବିକୁ ବିଚାର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି।
ସିଏସ୍‌ଆର୍‌ ହେଉଛି କମ୍ପାନୀର ଏକ ବ୍ୟବସାୟିକ ପଦକ୍ଷେପ, ଯାହା ଦ୍ୱାରା ସାମାଜିକ ମଙ୍ଗଳ କାର୍ଯ୍ୟ କରାଯାଇଥାଏ। ସମାଜର ନିରନ୍ତର ଅଭିବୃଦ୍ଧି ଓ ବିକାଶ ଦିଗରେ ସିଏସ୍‌ଆର୍‌ ଏକ ସମନ୍ବୟ ଆଣିଥାଏ। ଧରାଯାଉ କୌଣସି ଅଞ୍ଚଳରେ ଏକ କାରଖାନା ପ୍ରତିଷ୍ଠା କରାଯାଇଛି। ସେଥିରୁ ନିର୍ଗତ ଧୂଆଁ ଓ ବର୍ଜ୍ୟବସ୍ତୁ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଉପରେ ପ୍ରଭାବ ପକାଇବା ସ୍ବାଭାବିକ। ବ୍ୟାପକ ଗାଡ଼ିମୋଟର ଚଳାଚଳ ଫଳରେ ରାସ୍ତାଘାଟ ଖରାପ ହେବା ସହ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ତେଣୁ ସେଠାକାର ଲୋକଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସହ ପରିବେଶ ରକ୍ଷା ଲାଗି କମ୍ପାନୀ ପକ୍ଷରୁ ବ୍ୟାପକ ଚାରା ରୋପଣ, ରାସ୍ତାଘାଟର ଉନ୍ନତି, ସ୍କୁଲ ଓ ହସ୍ପିଟାଲ ଭଳି ମୌଳିକ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆଇନରେ ସିଏସ୍‌ଆର୍‌ ନେଇ ଉଲ୍ଲେଖ ରହିଛି। ସେହି ଅନୁଯାୟୀ କାର୍ଯ୍ୟ କରୁଥିଲେ ପ୍ରତ୍ୟେକ ସରକାରୀ ଓ ବେସରକାରୀ କମ୍ପାନୀ ସେମାନଙ୍କ ଲାଭର ଦୁଇ ପ୍ରତିଶତ ଏହିଭଳି ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ବାଧ୍ୟ। କିନ୍ତୁ ବାସ୍ତବତା ଏହାଠାରୁ ଯଥେଷ୍ଟ ଭିନ୍ନ। ଘରୋଇ କମ୍ପାନୀ କଥା ଦୂରେ ଥାଉ, ସରକାରୀ ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭିନ୍ନ ଆଳରେ ଲୋକଙ୍କୁ ଭୁଆଁ ବୁଲାଇ ଏହି ଅର୍ଥକୁ ବାଟବଣା କରିଦିଅନ୍ତି। ଏହି ଦୁର୍ନୀତିରେ ମୁଖ୍ୟତଃ ସମ୍ପୃକ୍ତ ରାଜ୍ୟ ସରକାରୀ ଅଧିକାରୀ, ସ୍ଥାନୀୟ ରାଜନେତା ଓ କମ୍ପାନୀ ଅଧିକାରୀ ବାଣ୍ଟି କରି ବିପୁଳ ଅର୍ଥ ତୋସରପାତ କରୁଥିବାର ଦୃଷ୍ଟାନ୍ତ ପ୍ରାୟ ସବୁ ଜାଗାରେ ମିଳିଥାଏ। କୌତୂହଳର ବିଷୟ, ସବୁ ଉଦ୍ୟୋଗ ଏହି ପାଣ୍ଠି ବିନିଯୋଗ ସମ୍ପର୍କରେ ଅତି ସୁନ୍ଦର ପାଓ୍ବାରପଏଣ୍ଟ ପ୍ରେଜେଣ୍ଟେଶନ ପ୍ରସ୍ତୁତ କରି ଠକି ଦେଇପାରୁଛନ୍ତି।
ସିଏସ୍‌ଆର୍‌ ନାମରେ ଏହି ପାଣ୍ଠି ପ୍ରସ୍ତୁତ ହୋଇଥିବାରୁ ଏହାକୁ ପରିଚାଳନା ସକାଶେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥାଏ। ସିଏସ୍‌ଆର୍‌ ପାଣ୍ଠି ଲାଗି ସଂସ୍ଥାଗୁଡ଼ିକ କେତେ ଅର୍ଥ ରଖିବେ ସେଥିନେଇ କମ୍ପାନୀ ଆଇନରେ ନିୟମାବଳୀ ସ୍ଥିର କରାଯାଇଛି। ୫୦୦ କୋଟି ଟଙ୍କାର ନେଟ୍‌ ମୂଲ୍ୟ କିମ୍ବା ୧୦୦୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିଲେ ଅଥବା ୫ କୋଟି ଟଙ୍କାରୁ ଅଧିକ ଲାଭ କରୁଥିବା କମ୍ପାନୀ ସିଏସ୍‌ଆର୍‌ ପାଣ୍ଠି ରଖିବାକୁ ବାଧ୍ୟ। ସାଧାରଣତଃ ୩ ବର୍ଷର ହାରାହାରି ଲାଭର ୨ ପ୍ରତିଶତ ପ୍ରତ୍ୟେକ ବର୍ଷ ଉକ୍ତ ପାଣ୍ଠିରେ ରଖାଯିବାର ବ୍ୟବସ୍ଥା ରହିଛି। ସିଏସ୍‌ଆର୍‌ ଦାୟିତ୍ୱରେ ଥିବା ଅଧିକାରୀ ଏସବୁ ଖର୍ଚ୍ଚ କରିବା ଲାଗି ଉତ୍ତରଦାୟୀ ରହିବା କଥା। ହେଲେ ଦେଖାଯାଉଛି, ଅନେକ ସଂସ୍ଥା ଉକ୍ତ ନିୟମକୁ ସିଧାସଳଖ ଉଲ୍ଲଂଘନ କରୁଛନ୍ତି। ବାରମ୍ବାର ଏଭଳି ତ୍ରୁଟି ଲକ୍ଷ୍ୟ କରାଯିବା ପରେ ସରକାର କଠୋର ଆଇନ ପ୍ରଣୟନ କରିବାକୁ ବାଧ୍ୟ ହେଲେ । ଏବେ କର୍ପୋରେଟ୍‌ ଜଗତ ଉକ୍ତ ନିୟମରେ ସଂଶୋଧନ ଆଣିବା ଲାଗି ଦାବି କରୁଛନ୍ତି। ହୁଏତ ଆଗକୁ ଅର୍ଥମନ୍ତ୍ରୀ ନିୟମ କୋହଳ କରିପାରନ୍ତି। ଦେଖିବାକୁ ଗଲେ ଏକ କଡ଼ା ଆଇନ ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ଆଣିଥାଏ। ଜଣେ ଅଧିକାରୀ ଦାୟିତ୍ୱରେ କ୍ରମାଗତ ଅବହେଳା କରୁଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଆର୍ଥିକ ଏବଂ ଜେଲଦଣ୍ଡର ବ୍ୟବସ୍ଥା ରହିଲେ ସେ କାର୍ଯ୍ୟ ପ୍ରତି ଉତ୍ତରଦାୟୀ ହେବାକୁ ଚେଷ୍ଟା କରିବେ।
ଯୋଗ୍ୟ କମ୍ପାନୀଗୁଡ଼ିକ ସିଏସ୍‌ଆର୍‌ ଲାଗି ବ୍ୟୟ କରୁଥିବା ଅର୍ଥକୁ ଅପବ୍ୟୟ ବୋଲି ବିଚାର କରିବା ଠିକ୍‌ ନୁହେଁ। କାରଣ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ପାଇଁ ଏହା ଏକ ମାଧ୍ୟମ ପାଲଟିଥାଏ। ଆଜିର ନବ୍ୟ ବଜାର ବ୍ୟବସ୍ଥାକୁ ଦେଖିଲେ ଗ୍ରାହକଙ୍କ ନିକଟତର ହେବା ଲାଗି ସାମାଜିକ ବିକାଶ ଦିଗରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକର ନାମ ସ୍ବତଃ ଆଲୋଚନା ପରିସରକୁ ଆସିଥାଏ। ବିଶ୍ୱର ବୃହତ୍‌ କର୍ପୋରେଟ୍‌ ଏହାର ଗୁରୁତ୍ୱକୁ ଉପଲବ୍‌ଧି କରି ନିଜର ଉତ୍ପାଦର ଚାହିଦା ବଢ଼ାଇବାରେ ଲାଗିଲେଣି। ଭାରତରେ ଏଭଳି ପାଶ୍ଚାତ୍ୟ ଚିନ୍ତାଧାରାକୁ ଅନେକ କମ୍ପାନୀ ସ୍ବୀକାର କରିବାକୁ ଚାହୁଁ ନ ଥିବାରୁ ସିଏସ୍‌ଆର୍‌ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଠିକ୍‌ ଭାବେ ବ୍ୟୟ କରୁନାହାନ୍ତି। ଫଳରେ ବର୍ଷକ ମଧ୍ୟରେ ଯେଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ହେବା କଥା, ତାହା ହୋଇପାରୁ ନାହିଁ। ଏଭଳିସ୍ଥଳେ ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡିତ କରାଯିବା ଉଚିତ। ଅର୍ଥମନ୍ତ୍ରୀଙ୍କ ସମୀକ୍ଷା ପରେ ଦଣ୍ଡର ପରିମାଣ କିଭଳି ରହିବ ତାହା ଆଉ ଏକ ଦିଗକୁ ସୂଚାଉଛି। କିନ୍ତୁ ତାହା ନ୍ୟାୟୋଚିତ ଢଙ୍ଗରେ ହୋଇପାରିଲେ କମ୍ପାନୀ ଓ ସମାଜର ମଙ୍ଗଳ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri