ସମ୍ପାଦକୀୟ/ ପିମ୍ପୁଡ଼ି ଦଳିଦେଲୁ

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ୧୬ ଜୁନ୍‌ରେ ହୋଇଥିବା ବିଶ୍ୱକପ୍‌ କ୍ରିକେଟ୍‌ର ଏକ ମ୍ୟାଚରେ ପାକିସ୍ତାନକୁ ଭାରତ ୮୯ ରନ୍‌ରେ ପରାସ୍ତ କରିଛି। ବିଶ୍ୱକପ୍‌ ଆରମ୍ଭ ହେବା ଦିନରୁ ଅଦ୍ୟାବଧି ଦୁଇ ଟିମ୍‌ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନଠାରୁ କେବେ ହାରି ନ ଥିବାର ରେକର୍ଡ ଭାରତ ରଖିଆସିଛି। ଏହା ନିଶ୍ଚିତ ଭାବେ ଭାରତୀୟଙ୍କ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଉତ୍କୃଷ୍ଟ ଖେଳକୁ ସବୁଆଡ଼ୁ ଶୁଭେଚ୍ଛା ମିଳିବା ସ୍ବାଭାବିକ। କିନ୍ତୁ ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟିମ୍‌ ଇଣ୍ଡିଆର ବିଜୟକୁ ପାକିସ୍ତାନ ଉପରେ ଆଉ ଏକ ‘ଷ୍ଟ୍ରାଇକ୍‌’ ବା ମାଡ଼ ହେଲା ବୋଲି ଅଭିହିତ କରି ଟୁଇଟରରେ ଉଲ୍ଲେଖ କରିବା ପରେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି। କ୍ରିକେଟ୍‌ରେ ଭାରତର ବିଜୟକୁ ଶାହ ପାକିସ୍ତାନ ବିପକ୍ଷରେ ଅତି ଆକ୍ରମଣାତ୍ମକ ଢଙ୍ଗରେ ବର୍ଣ୍ଣନା କରିବାକୁ ଯାଇ ଏଭଳି ମତ ରଖିବାକୁ ଅନେକେ ଗ୍ରହଣ କରିପାରିନାହାନ୍ତି। ହର୍ସନ ସିଂ ନାମକ ଜଣେ ବ୍ୟକ୍ତି ଟୁଇଟରରେ କହିଛନ୍ତି, ‘ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଭାରତର ବିଜୟ ନେଇ ଯେଭଳି ଆକ୍ରମଣଶୀଳ ବିବୃତି ରଖିଛନ୍ତି, ତାହାଦ୍ୱାରା ତାଙ୍କର ରାଷ୍ଟ୍ର ନେତୃତ୍ୱରେ ଅଭାବ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରୀଡ଼ାକୁ ବୁଝିବାରେ ଅକ୍ଷମ ଥିବା ଜଣାପଡ଼ୁଛି’। ସେହିପରି ବୈଭବ ଚାଓ୍ବଲା ଲେଖିଛନ୍ତି, ‘କ୍ରିକେଟ୍‌ର ଷ୍ଟ୍ରାଇକ୍‌କୁ ଅନ୍ୟ କୌଣସି ଷ୍ଟ୍ରାଇକ୍‌ ସହ ତୁଳନା କରାଯିବା ଉଚିତ ନୁହେଁ। ଏଠାରେ ଆପଣଙ୍କ ଯୁଦ୍ଧପ୍ରିୟ ଅବାନ୍ତର କଥା ଶୁଣିବାକୁ ଆମେ ପସନ୍ଦ କରୁନାହୁଁ। ଖେଳକୁ ଅନ୍ୟ ସବୁଥିରୁ ପୃଥକ୍‌ ରଖାଯାଉ’। ଶାହଙ୍କ ବିରୋଧରେ ଏଭଳି ଏକାଧିକ ସମାଲୋଚନାମୂଳକ ମନ୍ତବ୍ୟ ପ୍ରକାଶ ପାଇବାରେ ଲାଗିଛି। ଅନ୍ୟପଟେ ବିହାରର ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ ବା ମସ୍ତିଷ୍କ ଜ୍ୱରରେ ୧୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ଗଲାଣି। କ୍ରିକେଟ୍‌ରେ ଜିତିବା ନେଇ କେନ୍ଦ୍ରମନ୍ତ୍ରୀମାନେ ଯେଭଳି ଉତ୍ସାହିତ ହୋଇ ମନ୍ତବ୍ୟ ଦେଇଛନ୍ତିି, ଏନ୍‌ସେଫାଲାଇଟିସ୍‌ ଦ୍ୱାରା ମୃତ୍ୟୁମୁଖରେ ପଡ଼ୁଥିବା ପିଲାଙ୍କ କଥା ଉଠାଉ ନାହାନ୍ତି। ଏହା ନିଶ୍ଚିତ ଚିନ୍ତାର ବିଷୟ।
ସ୍କୁଲ ଅବସ୍ଥାରୁ ପିଲାମାନେ ଖେଳରେ ଭାଗ ନେଲାବେଳେ ଶିକ୍ଷୟିତ୍ରୀଶିକ୍ଷକ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବାକୁ ଯାଇ କହିଥାଆନ୍ତି- ‘ଜିତିବା ହାରିବା କିଛି ନୁହେଁ, ଅଂଶଗ୍ରହଣ କରିବା ହେଉଛି ବଡ଼ କଥା’। ଏଥିରୁ ବୁଝିବାକୁ ହେବ ଯେ ଖେଳୁଆଡ଼ ମନୋବୃତ୍ତିକୁ ଗୁରୁତ୍ୱ ଦିଆଯାଇଥାଏ। ଖେଳ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱ ବୃଦ୍ଧିରେ ସହାୟକ ହୋଇଥାଏ। ହେଲେ ଆଜିର ପରିସ୍ଥିତିରେ ଗୋଟିଏ ଦେଶର ଟିମ୍‌ ଅନ୍ୟ ରାଷ୍ଟ୍ରର ଟିମ୍‌ ଉପରେ ବିଜୟଲାଭ କଲେ ଅନେକେ ଏହାକୁ ରାଜନୈତିକ ଢଙ୍ଗରେ ଚିତ୍ରଣ କରୁଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଭାରତର ବିରାଟକାୟ ଜନସଂଖ୍ୟା ମଧ୍ୟରୁ ଅନ୍ତର୍ଜାତୀୟ କ୍ରୀଡ଼ାରେ ଏହି ଦେଶର ନାମଗନ୍ଧ ଶୁଣିବାକୁ ମିଳେ ନାହିଁ। ଗୋଟିଏ ପଟେ କ୍ରିକେଟ୍‌କୁ ନେଇ ମନ୍ତ୍ରିବୃନ୍ଦ ଗୌରବାନ୍ବିତ ହେଉଥିବା ବେଳେ ହକି ଏବଂ ଅନ୍ୟ ଖେଳ ପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ। ୧୫ ଜୁନ୍‌ରେ ଭୁବନେଶ୍ୱରଠାରେ ଶେଷ ହୋଇଥିବା ପୁରୁଷ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଥିବା କଥା ସମ୍ଭବତଃ ଅଧିକାଂଶ ଭାରତୀୟ ଜାଣି ନ ଥିବେ। ତା’ର ଏକମାତ୍ର କାରଣ ଭାବେ କୁହାଯାଇପାରେ ଯେ, ହକି ପଛରେ କୌଣସି ରାଜନୀତି ଏପର୍ଯ୍ୟନ୍ତ ଯୋଡ଼ି ହୋଇ ନାହିଁ। ହେଲେ କ୍ରିକେଟ ଭାରତବାସୀଙ୍କ ପାଇଁ ଅତ୍ୟଧିକ ମହତ୍ତ୍ୱ ରଖିଥାଏ। ଏହି ଖେଳରେ ଭାରତ-ପାକିସ୍ତାନ ଭେଟ ହେଲେ ସମସ୍ତଙ୍କ ଆଶା ଅଭିଳାଷ ଗୋଟିଏ ମ୍ୟାଚରେ କେନ୍ଦ୍ରିତ ହୋଇଯାଏ। ବେଟିଂଠାରୁ ଆରମ୍ଭ କରି ବିଜ୍ଞାପନରେ ଦର ପର୍ଯ୍ୟନ୍ତ ସବୁକିଛି ଆକାଶଛୁଆଁ ହୋଇଯାଏ। ଯେପରିକି ଭାରତ ମ୍ୟାଚ ଜିତିଲେ କୂଟନୈତିକ ଓ ସାମରିକ ସ୍ତରରେ ପାକିସ୍ତାନକୁ ମାତ୍‌ ଦେଲା ବୋଲି ଧରାଯିବ, ହାରିଲେ ଅସଂଖ୍ୟ ଭାରତୀୟଙ୍କ କ୍ରୋଧ ଟିମ୍‌ ଇଣ୍ଡିଆ ଉପରେ ପଡ଼ିଥାଏ।
ଏବେ ଶାହଙ୍କ ଟୁଇଟରକୁ ବିଶ୍ଳେଷଣ କଲେ ସେଥିରେ ଅନ୍ତର୍ନିହିତ ଭାବକୁ ବୁଝିହେଉଛି। ପାକିସ୍ତାନର ବାଲାକୋଟ୍‌ ଉପରେ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ବିଷୟ ଗତ କିଛିମାସ ଧରି ଭାରତୀୟଙ୍କ ମନରେ ବସା ବାନ୍ଧି ରହିଛି। ବର୍ତ୍ତମାନ କ୍ରିକେଟ୍‌ରେ ପାକିସ୍ତାନ ଉପରେ ଭାରତର ବିଜୟ ଆଉ ଏକ ଷ୍ଟ୍ରାଇକ୍‌ ହେଲା ବୋଲି ଶାହ ଯାହା କହିଛନ୍ତି, ସେଥିରେ ତାଙ୍କ ବିବୃତିି ମାଧ୍ୟମରେ କିଛି ଅବାଞ୍ଛିତ ବ୍ୟକ୍ତିଙ୍କ ଦେଶପ୍ରେମ ଜାଗ୍ରତ ହୋଇଥାଇପାରେ। କିନ୍ତୁ ଜଣେ ଦାୟିତ୍ୱସମ୍ପନ୍ନ ରାଜନେତାଙ୍କଠାରୁ ଏଭଳି ଆଶା କରାଯାଇ ନ ଥାଏ। ଭାରତରେ ସାଧାରଣ ନିର୍ବାଚନ ଥିବାରୁ ଭାରତୀୟ ଜନତା ପାର୍ଟି (ଭାଜପା) ବାଲାକୋଟ ଷ୍ଟ୍ରାଇକ୍‌କୁ ଆୟୁଧ କରି ଭୋଟ ଜିତିଥିବା କୁହାଯାଇଥିଲା। ନିର୍ବାଚନ ସରି ସରକାର ଗଢ଼ାଯିବା ପରେ ଶାହଙ୍କ ଏଭଳି ତୁଳନା କେଉଁ ଉଦ୍ଦେଶ୍ୟ ଚରିତାର୍ଥ କରିବ ତାହା ବୁଝିବା କଷ୍ଟକର ନୁହେଁ। ଏଠାରେ ସ୍ତମ୍ଭକାର ମନଦୀପ୍‌ ସିଂ ବାଜଓ୍ବାଙ୍କ ଟୁଇଟ୍‌କୁ ଲକ୍ଷ୍ୟ କରାଯାଇପାରେ। ସେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗଠାରେ ୫ ସିଆର୍‌ପିଏଫ୍‌ ଯବାନ ଶହୀଦ ଏବଂ ଭାରତୀୟ ବାୟୁସେନାର ଏଏନ୍‌-୩୨ ଏୟାରକ୍ରାଫ୍ଟ ଧ୍ୱଂସ ପାଇ ୧୩ ଜଣଙ୍କ ପ୍ରାଣହାନି ଘଟିବା ଉପରେ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କିଛି କହି ନ ଥିଲେ। ଏଥିରୁ ସରକାର କେଉଁ ଘଟଣାକୁ ଅଗ୍ରାଧିକାର ଦେଉଛନ୍ତି, ତାହା ଉପରେ ମନଦୀପ୍‌ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌-୩୨ ଏୟାରକ୍ରାଫ୍ଟରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ଓଡ଼ିଆ ଯୁବକ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ବଳିଆପଲ୍ଲୀ ଗ୍ରାମର ସୁନୀତ୍‌ ମହାନ୍ତି ଥିଲେ।
ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘବର୍ଷ ଧରି ଅପଡ଼ ରହିଆସିଛି। ଦୁଇ ଦେଶ ଏକାଧିକ ଯୁଦ୍ଧ ଲଢ଼ି ପ୍ରତିଶୋଧପରାୟଣ ହୋଇଛନ୍ତି। ହେଲେ କ୍ରୀଡ଼ା କ୍ଷେତ୍ରକୁ ଏଭଳି ଚିନ୍ତାଧାରା ଦ୍ୱାରା କଳୁଷିତ କରାଯିବା ଉନ୍ନତ ମସ୍ତିଷ୍କର ପରିଚୟ ଦେଉ ନାହିଁ। ଏହାବ୍ୟତୀତ ପ୍ରତ୍ୟେକ ଭାରତୀୟଙ୍କୁ ମନେରଖିବାକୁ ହେବ ଯେ ମଣିଷ ପିମ୍ପୁଡ଼ିକୁ ଦଳିଦେବା ଯାହା, ଭାରତ ଦ୍ୱାରା ପାକିସ୍ତାନକୁ ପରାଜିତ କରିବା ସମାନ ଗୁରୁତ୍ୱ ରଖିଥାଏ। ଆମ ଦେଶବାସୀଙ୍କ ସାଧାରଣ ମାନସିକତା ହେଉଛି ଦୁର୍ବଳକୁ ପିଟି ପକାଇବା। ଯେତେବେଳେ ଅମିତ ଶାହ କିମ୍ବା ତାଙ୍କର ବନ୍ଧୁମାନେ ଭାରତର ପ୍ରକୃତ ଶତ୍ରୁ ଚାଇନା ବିରୋଧରେ ଏଭଳି ମନ୍ତବ୍ୟ ପ୍ରକାଶ କରିପାରିବେ, ସେତେବେଳେ ଜାଣିବା ଯେ ମୁସଲମାନ ବିରୋଧୀ ଭୋଟ ନୁହେଁ, ଶକ୍ତିଶାଳୀ ଭାରତ ସୃଷ୍ଟି କରିବା ଦିଗରେ ଏମାନେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri