ସମ୍ପାଦକୀୟ/ଜଳବାୟୁ

ଆଜିର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହାର ପରିଣତି ବିଷୟରେ ଅସଂଖ୍ୟ ଆଲୋଚନା ଓ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶ ପାଇଚାଲିଛି। ଅନ୍ତର୍ଜାତୀୟ ସମୁଦାୟ ଏହାର ମୁକାବିଲା କରିବା ଲାଗି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀରେ ମତ ପ୍ରକାଶ କରିଚାଲିଛନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକ ବିକାଶଶୀଳ ଓ ଅନୁନ୍ନତ ଦେଶଗୁଡ଼ିକୁ ଏଥିପାଇଁ ଦାୟୀ କରୁଛନ୍ତି। ୨୦୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ରାଜିନାମାକୁ ବିରୋଧ କରି ସେଥିରୁ ଓହରି ଯାଇଥିଲେ। ଟ୍ରମ୍ପଙ୍କ କହିବା ଅନୁସାରେ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ବୋଲି କିଛି ନାହିଁ ଏବଂ ଏହାସବୁ ଅସତ୍ୟ। ସେଭଳି ଜଣେ ବ୍ୟକ୍ତିଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଖୋଲାଖୋଲି ସମର୍ଥନ ଜଣାଇଥିବାରୁ ମୋଦିଙ୍କ ଏହି କାର୍ଯ୍ୟ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। କେତେକ ବିଦେଶୀ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଏଭଳି ଆଭିମୁଖ୍ୟ ଦେଶର ଭବିଷ୍ୟତରେ କେଉଁ ପ୍ରକାର ପ୍ରଭାବ ପକାଇବ ତାହା କହିବା କଷ୍ଟକର।
ଉଲ୍ଲେଖଯୋଗ୍ୟ, ୟୁନାଇଟେଡ୍‌ ନେଶନ୍ସ ଫ୍ରେମ୍‌ଓ୍ବର୍କ କନ୍‌ଭେନ୍‌ଶନ ଅନ୍‌ କ୍ଲାଇମେଟ ଚେଞ୍ଜ୍‌ (ୟୁଏନ୍‌ଏଫ୍‌ସିସିସି) ସହିତ ପ୍ୟାରିସ୍‌ ରାଜିନାମା ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଚାଲିଛି। ୧୯୫ ଦେଶର ସହମତିରେ ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିବା ସକାଶେ ପ୍ୟାରିସ୍‌ ରାଜିନାମା ୨୦୧୫ ଡିସେମ୍ବରରେ କରାଯାଇଥିଲା। ଏଥିରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ମଧ୍ୟ ସ୍ବାକ୍ଷର କରିଥିଲେ। ମାତ୍ର ଟ୍ରମ୍ପଙ୍କ ଏକଜିଦିଆ ନୀତି ଉକ୍ତ ରାଜିନାମାରେ କେଁ ପୂରାଇ ଦେଇଥିଲା। ଫଳରେ ତାଙ୍କ ନିଷ୍ପତ୍ତି ସମସ୍ୟାକୁ ଅଧିକ ଜଟିଳ କରିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଏବେ ଏକ ନୂତନ ଆଶା ସଞ୍ଚାର ହୋଇଛି। ୨୩ ସେପ୍ଟେମ୍ବର ୨୦୧୯ରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଚାଲିଥିବା ବେଳେ ଟ୍ରମ୍ପ ଅପ୍ରତ୍ୟାଶିତ ଭାବେ ସେଠାରେ ଉପସ୍ଥିତ ହୋଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ। ଏପରି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପୂରା ଶୁଣିଥିଲେ। ଉକ୍ତ ସମ୍ମିଳନୀରେ ଟ୍ରମ୍ପଙ୍କ ଯୋଗଦାନ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।
ଏହା ସମସ୍ତେ ଜାଣନ୍ତି ଯେ, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଲାଗି ସମ୍ମିଳିତ ଉଦ୍ୟମ ଲୋଡ଼ା। ବିକଶିତ ରାଷ୍ଟ୍ରଗୁଡ଼ିକର ଅଭିଯୋଗ ଯେ, ଏବେ ବିକାଶଶୀଳ ଓ ଅନୁନ୍ନତ ଦେଶଗୁଡ଼ିକ ପୃଥିବୀକୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନ କରୁଛନ୍ତି। ବିକାଶ ଲକ୍ଷ୍ୟରେ ଏହି ରାଷ୍ଟ୍ରଗୁଡ଼ିକ ଉତ୍ପାଦନ ବଢ଼ାଇବାରେ ଲାଗିଛନ୍ତି। କଳକାରଖାନାରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ବିଷାକ୍ତ କରିଦେଉଛି। ଏଭଳି ଅଭିଯୋଗ ଆଣୁଥିବା ବିକଶିତ ରାଷ୍ଟ୍ରଗୁଡ଼ିକ ବୁଝିବା ଦରକାର ଯେ, ପୂର୍ବରୁ ସେମାନେ ଅତ୍ୟଧିକ ପରିମାଣର କାର୍ବନ ଛାଡ଼ି ବାୟୁମଣ୍ଡଳର ବ୍ୟାପକ କ୍ଷତି କରିସାରିଛନ୍ତି ଏବଂ କୌଣସି ସାଲିସ କରିବାକୁ ରାଜି ହେଉନାହାନ୍ତି। ବିଶେଷକରି ଆମେରିକା କଥା ଦେଖିଲେ, ପ୍ୟାରିସ୍‌ ଜଳବାୟୁ ରାଜିନାମାରୁ ଓହରି ଆସିବା ପାଇଁ ୨୦୧୭ରେ ଟ୍ରମ୍ପ ନେଇଥିବା ନିଷ୍ପତ୍ତି ପଛରେ ତାଙ୍କ ‘ଆମେରିକା ଫାଷ୍ଟ୍‌’ ନୀତି ରହିଥିଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କ୍ଷମତାକୁ ଆସିଲେ ଆମେରିକା ଉକ୍ତ ରାଜିନାମାରୁ ଓହରି ଆସିବ। ଏହା ଦ୍ୱାରା ତାଙ୍କ ଦେଶର ବ୍ୟବସାୟୀ ଓ ଶ୍ରମିକ ଉପକୃତ ହେବେ। ଅନ୍ୟପକ୍ଷରେ ମୋଦି ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ କହିଛନ୍ତି ଯେ ଏବେ କଥାରେ ନୁହେଁ, କାମରେ କରି ଦେଖାଇବା ଉଚିତ। ଏଭଳି ମନ୍ତବ୍ୟ ନିଶ୍ଚିତ ସ୍ବାଗତଯୋଗ୍ୟ। କିନ୍ତୁ ମୋଦି ଏହା ମଧ୍ୟ କହିଛନ୍ତି ଯେ, ଭାରତ ଜଳ ସଂରକ୍ଷଣ ସକାଶେ ୫୦ ବିଲିୟନ ଡଲାର ଖର୍ଚ୍ଚ କରିବ। ଧରାଯାଉ ଭାରତର ଜଳ ସମସ୍ୟା ଦୂର ପାଇଁ ୫୦ ବିଲିୟନ ଡଲାର ଖର୍ଚ୍ଚ କରାଯାଇପାରିବ, ତେବେ ଏହା କେତେ ସମୟ ମଧ୍ୟରେ ବିନିଯୋଗ ହୋଇ ଲୋକଙ୍କ ପାଖରେ ତା’ର ସୁଫଳ ପହଞ୍ଚିବ କେହି କୌଣସି ଜାଗାରେ କିଛି କହୁନାହାନ୍ତି। ବିଶ୍ୱ ମଞ୍ଚରେ କହିବା ପଛରେ ଅନେକ ଲକ୍ଷ୍ୟ ରହିଥାଇପାରେ। ଭାରତୀୟ ଅର୍ଥନୀତିରେ ଦେଖାଯାଇଥିବା ମାନ୍ଦାବସ୍ଥା କାଳେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବ, ଏହା ଏକ ରାଜନୈତିକ ଘୋଷଣା ହୋଇଥାଇପାରେ। କେବଳ କର୍ପୋରେଟ ଟିକସର ପରିମାଣ ହ୍ରାସ କରି ଜାତୀୟ ରାଜକୋଷକୁ ପ୍ରାୟ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା ଆୟରୁ ବଞ୍ଚିତ କରିବା ଫଳରେ ସରକାରଙ୍କ ପାଖରେ ଖର୍ଚ୍ଚ ପାଇଁ ଥିବା ଅର୍ଥ ପରିମାଣ କମିଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ତାତି ଦର୍ଶାଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ବ୍ୟବସାୟଠାରୁ କେତେ ଅଧିକ ଅର୍ଥ ଯୋଗାଡ଼ କରାଯାଇପାରିବ, ତାହାର ସ୍ପଷ୍ଟ ଧାରଣା ସମ୍ଭବତଃ କାହାର ନ ଥିବ। ସେଥିପାଇଁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବା ବେଳେ ଅନ୍ତର୍ଜାତୀୟ ମଞ୍ଚରେ ବଡ଼ ଘୋଷଣା କରିବା ଜଳବାୟୁ ପରିବର୍ତ୍ତନ ପାଇଁ ନକାରାତ୍ମକ ଭାବନାର ପ୍ରତୀକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri