ସମାପ୍ତ ନା ସମ୍ପ୍ରସାରଣ

ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ୧୭ ମେ’ରେ ସରିବାକୁ ଯାଉଛି। ଯଦି ଲକ୍‌ଡାଉନ୍‌ ୪.୦ କାର୍ଯ୍ୟକାରୀ ହୁଏ, ତେବେ ସଂକ୍ରମଣ ରୋକିବା ପାଇଁ ରେଳଗାଡ଼ି ବନ୍ଦ କରିଥିଲେ ତାହାର ଏକ ସକାରାତ୍ମକ ପ୍ରଭାବ ପଡ଼ିଥାଆନ୍ତା। ଉଲ୍ଲେଖଯୋଗ୍ୟ ଯେ, ୧୦ ମେ’ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ୧୨ ମେ’ରୁ ଦେଶରେ ୧୫ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବ। ଏଠାରେ ଓଡ଼ିଆରେ ଏକ ଢଗ ମନେପଡ଼େ-‘ନଈ ନ ଦେଖୁଣୁ ଲଙ୍ଗଳା’। ସେହି ଦୃଷ୍ଟିରୁ ଦେଖିଲେ ଯେଉଁ କାର୍ଯ୍ୟକୁ ଅତିଶୀଘ୍ର କରିବାର ଥିଲା, ତାହା ହୋଇପାରିଲା ନାହିଁ। ଯଥା-ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇ ନ ଥାଆନ୍ତା। ଅନ୍ୟପଟେ ସଂକ୍ରମଣ ସମ୍ଭାଳିବା ଭଳି ପରିସ୍ଥିତିରେ ଥିବା ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ଫେରିଯିବାର ସୁଯୋଗ ଦିଆଯାଇପାରିଥାଆନ୍ତା। କିନ୍ତୁ ତାହା କରାଗଲା ନାହିଁ। ଆଜି ଭାରତର ସ୍ଥିତିକୁ ଦେଖିଲେ ସମ୍ଭବତଃ ସମଗ୍ର ପୃଥିବୀରେ ଏହା ହେଉଛି ଏକମାତ୍ର ଦେଶ, ଯେଉଁଠାରେ ଏଭଳି ଅତ୍ୟଧିକ ମାତ୍ରାର ମଣିଷ ଦେଶର ଏମୁଣ୍ଡରୁ ସେମୁଣ୍ଡକୁ ଯିବାଆସିବା କରୁଛନ୍ତି। ତେବେ ଏ ଲକ୍‌ଡାଉନ୍‌ର ମାନେ କ’ଣ? ସବୁବେଳେ ବାହୁସ୍ଫୋଟ ମାରିବା କିମ୍ବା ରାଜନୈତିକ ଫାଇଦା ଖୋଜିବା ଲୋକଙ୍କ ପାଇଁ ଓଡ଼ିଆରେ ଅନ୍ୟ ଏକ ଢଗ ଅଛି-‘ଅତି ଚାଲାକରେ କୁଆ….ଖାଏ’। ଏବେ ଭାରତରେ ସେହିଭଳି ପରିସ୍ଥିତି ପରିଲକ୍ଷିତ ହେଉଛି। ଗୋଟିଏ ପଟେ କାରଖାନା ଚଳାଇବା ଲାଗି ନୂଆ ନିୟମାବଳୀ ଜାରି କରାଯାଇଥିବା ବେଳେ ସେପଟେ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। କହିବାକୁ ଗଲେ ସରକାରଙ୍କ ନିଷ୍ପତ୍ତି ଉପରେ ଦ୍ୱନ୍ଦ୍ୱ ରାଜୁତି କରୁଛି।
ଭାରତୀୟ ସଂସଦୀୟ ବ୍ୟବସ୍ଥାକୁ ଦେଖିଲେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସଂସଦର ଜଣେ ସଦସ୍ୟ। ସଂଖ୍ୟାଗରିଷ୍ଠ ସଦସ୍ୟମାନଙ୍କ ସମର୍ଥନ ପାଇ ସେ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତି। ତେଣୁ କୌଣସି ନିଷ୍ପତ୍ତି ନିଆଯିବାରେ ସଂସଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା କଥା। ଦେଖାଯାଉଛି, ହାତଗଣତି କ୍ୟାବିନେଟ ସଦସ୍ୟ ଓ ଅମଲାତନ୍ତ୍ରୀଙ୍କ ଦ୍ୱାରା ଦେଶ ଶାସିତ ହେଉଛି। ଲକ୍‌ଡାଉନ୍‌ କଥାକୁ ଆଲୋଚନା ପରିସରକୁ ନିଆଗଲେ, ପ୍ରତ୍ୟେକ ରାଜନୈତିକ ଦଳର ମତକୁ ଗୁରୁତ୍ୱ ଦିଆଯିବାର ଥିଲା। ଯେହେତୁ ଦେଶବ୍ୟାପୀ ତାଲାବନ୍ଦ କରାଯିବା ଲାଗି ପଦକ୍ଷେପ ନିଆଗଲା, ତାହାର ସାମାଜିକ ଓ ଅର୍ଥନୈତିକ ଦିଗ କ’ଣ ରହିବ, ସେ ନେଇ ସବୁ ଦଳର ନେତାଙ୍କ ମତ ବାରମ୍ବାର ନିଆଯିବା ଉଚିତ। ଅନୁରୂପ ଭାବେ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍‌, ଉଦ୍ୟୋଗୀ ଓ ସାମାଜିକ କର୍ମୀମାନଙ୍କୁ ବିଶ୍ୱାସକୁ ନିଆଯାଇ ସେମାନଙ୍କ ମତକୁ ପ୍ରାଧାନ୍ୟ ଦିଆଯାଇଥିଲେ, ଭିନ୍ନ ଏକ ପରିସ୍ଥିତି ସୃଷ୍ଟି ହୋଇପାରିଥାଆନ୍ତା। କିନ୍ତୁ ପ୍ରଧାନମନ୍ତ୍ରୀ କେବଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭର୍ଚ୍ୟୁଆଲ ବୈଠକକୁ ଡାକି ସମଗ୍ର ଦେଶ ସକାଶେ ପଦକ୍ଷେପ ନେଉଛନ୍ତି। ଏଠାରେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସବୁ ଦଳର ବିଧାୟକ, ବୁଦ୍ଧିଜୀବୀ ଓ ଅନ୍ୟ ପରାମର୍ଶଦାତାଙ୍କୁ ମତ ରଖିବାକୁ ସୁଯୋଗ ଦେଇଥିଲେ, ସେଥିରୁ ବାହାରିଥିବା ନିଷ୍କର୍ଷକୁ ଜାତୀୟ ସ୍ତରରେ ଉପସ୍ଥାପନ କରିପାରିଥାଆନ୍ତେ। ତା’ ହେଲେ ଆଜି ଦେଶବ୍ୟାପୀ ଦେଖାଦେଇଥିବା ପ୍ରବାସୀ ଶ୍ରମିକ ଅଶାନ୍ତି ଓ ଆନ୍ତଃରାଜ୍ୟ କଜିଆ ଉପୁଜି ନ ଥାଆନ୍ତା। କେବଳ ପ୍ରଶାସନିକ ଅଧିକାରୀଙ୍କୁ ନେଇ ନିଆଯାଉଥିବା ନିଷ୍ପତ୍ତି ଫଳରେ ସବୁ କିଛି ବିଗିଡ଼ି ଯାଉଛି।
ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବାର ଅଧିକାର ହାତଗଣତିଙ୍କ ମଧ୍ୟରେ ସୀମିତ ରହିଯାଉଥିବାରୁ ସମସ୍ୟା ବ୍ୟାପକ ହୋଇଗଲା ବେଳକୁ ବୁଦ୍ଧିଶୂନ୍ୟ ହୋଇଯାଉଛି। ଜନସଂଖ୍ୟା, ଭୌଗୋଳିକ ସ୍ଥିତି, ସାମାଜିକ ଓ ଅର୍ଥନୈତିକ ଆବଶ୍ୟକତା ଆଦି ଅନେକ ମୌଳିକ ଉପାଦାନ ରହିଛି, ଯାହାକୁ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବା ଏକ ଗଣତାନ୍ତ୍ରିକ ଦେଶ ପାଇଁ ମଙ୍ଗଳଦାୟକ ହୋଇଥାଏ। ସମସ୍ତେ ଜାଣନ୍ତି କରୋନା ଭଳି ମହାମାରୀ ମଣିଷର ଜୀବନ ପ୍ରତି ବିପଦ ଆଣିଛି। ଏହା ମଧ୍ୟ ସତ୍ୟ ଯେ ଦୀର୍ଘଦିନ ଅର୍ଥନୈତିକ କାର୍ଯ୍ୟକଳାପକୁ ବାତିଲ କରିଦିଆଯାଇ ବ୍ୟବସ୍ଥାକୁ ସ୍ଥାଣୁ କରିଦିଆଗଲେ, ସମଗ୍ର ଜାତି ଉପରେ ଆର୍ଥିକ ସଙ୍କଟ ପଡ଼ିବା ଥୟ। ଆଜି ସେୟା ହିଁ ଘଟିଛି। ଯଦି ଲକ୍‌ଡାଉନ୍‌ ପୂର୍ବରୁ ଟ୍ରେନ୍‌ ଓ ବସ୍‌ ଯୋଗେ ଶ୍ରମିକମାନଙ୍କୁ ସେମାନଙ୍କ ଅଞ୍ଚଳକୁ ଫେରିଯିବା ଲାଗି ସୁଯୋଗ ଦିଆଯାଇଥାଆନ୍ତି, ତାହା ହେଲେ ଆଜି ସଂକ୍ରମଣ ସ୍ତର ବୃଦ୍ଧି ପାଉଥିବା ବେଳେ ଭିଡ଼ରେ ଦେହକୁ ଦେହ ଲଗାଲଗି ହୋଇ ସେମାନଙ୍କୁ ଯିବାକୁ ପଡ଼ି ନ ଥାନ୍ତା। ଭୂତାଣୁ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହଁାଇଥିବା ବେଳେ ଲକ୍‌ଡାଉନ୍‌ ସମାପ୍ତ ନା ସମ୍ପ୍ରସାରଣ କରାଯିବ, ସେଥିମଧ୍ୟରୁ କେଉଁଠିକୁ ବଛାଯିବା ଉଚିତ ସେହି ଦୁଇ ନାବରେ ସମସ୍ତେ ଗୋଡ଼ ଦେଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri