ସବୁଠୁ ଉପରେ ରାଷ୍ଟ୍ର

ଉପେନ୍ଦ୍ର ବିଶ୍ୱାଳ

ମୋରର ଗୌରବୋଜ୍ଜ୍ୱଳ ଇତିହାସର ଏକ ଅଧ୍ୟାୟ। ଆକସ୍ମିକ ଭାବେ ଦେହାନ୍ତ ଘଟିଛି ମୋର ମହାରାଣୀ କର୍ମବତୀଙ୍କର। ତା’ପୂର୍ବରୁ ଶିଶୁପୁତ୍ରର ଲାଳନପାଳନ ଦାୟିତ୍ୱ ନ୍ୟସ୍ତ କରିଥିଲେ ଅତି ବିଶ୍ୱସ୍ତ ସେବିକା ପାନ୍ନା ଧାଈଙ୍କ ଉପରେ। କଥିତ ଅଛି, ନିଜ ନବଜାତ ଶିଶୁପୁତ୍ର ସହିତ ରାଜପୁତ୍ର ଉଦୟଙ୍କୁ ବି ସ୍ତନ୍ୟପାନ କରାଇ ସଯତ୍ନ ବଢ଼ାଇଥିଲେ ଧାତ୍ରୀ ପାନ୍ନା। ଇତ୍ୟବସରରେ ମୋର ମହାରାଜ ରାଣା ସଙ୍ଗଙ୍କର ମଧ୍ୟ ନିଧନ ହୁଏ କ୍ଷମତାଲିପ୍‌ସୁ ଭାଇ ହାତରେ। ନିରଙ୍କୁଶ ଦୀର୍ଘ ସିଂହାସନ ଲୋଭରେ ମୋରର ଭାବୀ ଉତ୍ତରାଧିକାରୀ ରାଜକୁମାର ଉଦୟ ସିଂହଙ୍କୁ ମଧ୍ୟ ହତ୍ୟା କରିବାକୁ ଛୁଟି ଆସିଛନ୍ତି ସେ। ବିଜୁଳି ବେଗରେ ଏ ସୂଚନା ପହଞ୍ଚତ୍ଛି ରାଜ ଅନ୍ତଃପୁରରେ। ତିଳେମାତ୍ର ବିଳମ୍ବ ନ କରି ରାଜ ଦରବାରର ଅତ୍ୟନ୍ତ ବିଶ୍ୱସ୍ତ ଦୂତ ହସ୍ତେ ନିରାପଦରେ ଚିତୋର ଦୁର୍ଗ ବାହାରକୁ (କୁମ୍ଭଲଗଡ଼) ପାନ୍ନା ପଠେଇଦେଲେ ରାଜପୁତ୍ର ଉଦୟ ସିଂହଙ୍କୁ। ରାଜପୁତ୍ରଙ୍କୁ ନ ପାଇଲେ ବନବୀରଙ୍କ କ୍ରୋଧ ବହୁଗୁଣିତ ହୋଇଯିବ। ଦୁର୍ଗର ଅନେକ ନିରୀହ ପ୍ରାଣୀଙ୍କ ପ୍ରାଣହାନି ହେବା ସହିତ ଉଦୟଙ୍କ ଭବିଷ୍ୟତ ମଧ୍ୟ ଆହୁରି ସଙ୍କଟମୟ ହେବ। ମୋରର ଭାବୀ ଉତ୍ତରାଧିକାରୀ ଉଦୟ ନିଧନ ନ ହେଲାଯାଏଁ ନିଶ୍ଚିନ୍ତ ନୁହନ୍ତି ନିଷ୍ଠୁର ବନବୀର। ଏହିଭଳି ବିଭିନ୍ନ ଦିଗରୁ ଚିନ୍ତାକରି ମୋର ରାଜ୍ୟର ଭବିଷ୍ୟତ ପାଇଁ ଖୁବ୍‌ ବ୍ୟାକୁଳ ହୋଇ ଉଠିଲେ ପାନ୍ନା ଧାଈ। ଆଖି ଆଗରେ ଏକମାତ୍ର ବିକଳ୍ପ, ନିଜର ଶିଶୁପୁତ୍ର ଚନ୍ଦନ। ଚମକି ପଡିଛି ନିଜ ମାତୃ ହୃଦୟ। ପୁତ୍ର ବଡ଼ ନା ରାଜପୁତ୍ର ବଡ଼, ସ୍ବସ୍ବାର୍ଥ ବଡ଼ ନା ରାଜ୍ୟସ୍ବାର୍ଥ? ନିଜକୁ ସମ୍ଭାଳି ନେଲେ, ସଜା ନେଲେ ପାନ୍ନା। କାଳ ବିଳମ୍ବ ନ କରି ନିଜର ନିଦ୍ରିତ ଶିଶୁପୁତ୍ରକୁ ଆଣି ଶୁଆଇ ଦେଲେ ରାଜକୁମାରଙ୍କ ସୁକୋମଳ ଶଯ୍ୟାରେ। ଉନ୍ମୁକ୍ତ ତରବାରି ହସ୍ତେ ଧରି କ୍ଷିପ୍ରବେଗରେ ଅନ୍ତଃପୁର ଭିତରକୁ ମାଡ଼ି ଆସିଛନ୍ତି ନିଷ୍ଠୁର ବନବୀର। ପାନ୍ନାଙ୍କ ବେକରେ ତରବାରି ଲଗାଇ ଉଦୟ ସିଂହ କାହିଁ ବୋଲି ପଚାରିବାରୁ ପାନ୍ନାଙ୍କ ଅଙ୍ଗୁଠି ସ୍ବତଃ ଇଙ୍ଗିତ କରିଛି ସୁକୋମଳ ଶଯ୍ୟାଧାର ଆଡ଼କୁ। ତତ୍‌କ୍ଷଣାତ୍‌ ତରବାରି ଚୋଟରେ ଦୁଇଗଡ଼ ହୋଇଯାଇଛି ନିଦ୍ରାବିଷ୍ଟ ନିଷ୍ପାପ, ନିରୀହ ଶିଶୁଟିର ନିସ୍ତେଜ ଶରୀର। ନିଜ ସ୍ବାର୍ଥ ଅପେକ୍ଷା ରାଷ୍ଟ୍ରର ସ୍ବାର୍ଥ ସର୍ବାଗ୍ରେ- ଏହା ଲିପିବଦ୍ଧ ହୋଇଗଲା ଭାରତର ଅମ୍ଳାନ ଇତିହାସ ବକ୍ଷରେ ସେଦିନ।
ସମୃଦ୍ଧଶାଳୀ ଦେବଗିରି ରାଜ୍ୟ ସର୍ବଦା ଶିକାର ହେଉଥିଲା ଆକ୍ରମଣକାରୀ ଶତ୍ରୁପକ୍ଷଙ୍କ ଦ୍ୱାରା। କିନ୍ତୁ ଦେବଗିରିର ବିଶାଳ ସେନାବାହିନୀ ନିକଟରେ ପରାଜିତ ହେବାକୁ ପଡୁଥିଲା ତାଙ୍କୁ। ଦେବଗିରିର ପ୍ରାଚୁର୍ଯ୍ୟ ପାଗଳ କରିଥିଲା ଆଲ୍ଲାଉଦ୍ଦିନଙ୍କୁ । ପରାଜୟ ଲଭିବା ସତ୍ତ୍ୱେ ନିରବୀ ଯାଇନଥିଲେ ସେ। ଛଳ, କୌଶଳ ଓ ପ୍ରଲୋଭନର ଜାଲ ବିଛାଇଲେ। ଶେଷରେ ରାଜ୍ୟର ସୁଦକ୍ଷ ସେନାପତି କୃଷ୍ଣ ରାଓଙ୍କୁ ନିଜ ପକ୍ଷକୁ ନେଇ ଦେବଗିରି ଉପରେ ପୁନଃ ଆକ୍ରମଣ କରି ବିଜୟଲାଭ କଲେ ଆଲ୍ଲାଉଦ୍ଦିନ। ରାଜ୍ୟ ପ୍ରତି ବିଶ୍ୱାସଘାତ କରିଥିବା କୃଷ୍ଣ ରାଓ ସେଦିନ ବିଜୟ ଉଲ୍ଲାସରେ ଗୃହକୁ ଫେରିଛନ୍ତି ଯୁଦ୍ଧାନ୍ତେ। କିନ୍ତୁ ରାତ୍ରିର ଦୁର୍ବଳ ମୁହୂର୍ତ୍ତରେ ନବ ବିବାହିତା ପତ୍ନୀ ତାଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ, ଶତ୍ରୁ ସହିତ ହାତ ମିଳାଇ ରାଜ୍ୟ ପ୍ରତି ବେଇମାନି କରିଥିବା ଅପରାଧରେ। ରାଷ୍ଟ୍ର ସର୍ବୋପରି। ରାଷ୍ଟ୍ର ପ୍ରତି ବିଶ୍ୱାସଘାତକତା କରିବା, ରାଷ୍ଟ୍ର ବିରୋଧୀ କାମ କରିବା ଏକ ଅକ୍ଷମଣୀୟ ଅପରାଧ। ରାଷ୍ଟ୍ରର ସୁରକ୍ଷା ପ୍ରତିଟି ସନ୍ତାନଙ୍କ ଶ୍ରେଷ୍ଠ କର୍ମ ଓ ଧର୍ମ- କୃଷ୍ଣ ରାଓଙ୍କ ଧର୍ମପତ୍ନୀ ଆମ ସଭିଙ୍କ ସମ୍ମୁଖରେ ଏହାର ଯଥାର୍ଥ ଦୃଷ୍ଟାନ୍ତ ରଖି ଯାଇଛନ୍ତି। ଇତିହାସର ଗୌରବୋଜ୍ଜ୍ୱଳ ପୃଷ୍ଠାରୁ ଏବେ ଫେରିବା ଚଳିତ ଚବିଶର ବହୁ ପ୍ରତୀକ୍ଷିତ ଆମ ଗଣତନ୍ତ୍ରର ମହାପର୍ବ ନିକଟକୁ। ବହୁଚର୍ଚ୍ଚିତ ଆମର ଏହି ନିର୍ବାଚନ କେବଳ ଭାରତ ନୁହେଁ, ବିଶ୍ୱର ଭାଗ୍ୟ ଓ ଭବିଷ୍ୟତର ମଧ୍ୟ ନିର୍ଣ୍ଣାୟକ ହେବ। ସେଥିପାଇଁ ସାରା ବିଶ୍ୱ ଅତ୍ୟନ୍ତ ଉତ୍ସୁକତାର ସହିତ ଚାହିଁରହିଛି ଏହି ନିର୍ବାଚନ ଫଳାଫଳକୁ। ବିଶେଷକରି ଏହି ନିର୍ବାଚନକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନିରୀକ୍ଷଣ କରୁଛନ୍ତି ଶତ୍ରୁଦେଶ ପାକିସ୍ତାନ ଓ ଚାଇନା। କାରଣ ଭାରତର ଏହି ନିର୍ବାଚନ ଫଳାଫଳ ସହିତ ସେମାନଙ୍କ ସ୍ବାର୍ଥ ବି ଜଡ଼ିତ। ବୈଶ୍ବିକ ଦୃଷ୍ଟିକୋଣରୁ ବିବିଧ ସମସ୍ୟାରେ ବିଶ୍ୱ ଆଜି ସନ୍ତୁଳିତ। ପ୍ରାୟ ୪୦ମାସ ହେବାକୁ ବସିଲାଣି ରୁଷିଆ-ୟୁକ୍ରେନ ଯୁଦ୍ଧ, ୭ମାସ ହେଲାଣି ଚାଲିଛି ଇସ୍ରାଏଲ-ହମାସ୍‌ ଯୁଦ୍ଧ। ପର୍ଯ୍ୟାବରଣ ଜନିତ ସଙ୍କଟରେ କି କଲବଲ ନ ହେଉଛି ବିଶ୍ୱ! ଅଶାନ୍ତି, ଅସ୍ଥିରତା ଭିତରେ ପେଷି ହୋଇଯାଉଛନ୍ତି ବିଶ୍ୱବାସୀ। ସୁଖ ଶାନ୍ତି ବ୍ୟାହତ। ବିପର୍ଯ୍ୟସ୍ତ ବଳୟରୁ ବର୍ତ୍ତିବାକୁ ବିଶ୍ୱ ଆଜି ବ୍ୟାକୁଳ। ଏପରିସ୍ଥଳେ କିଏ ହେବ ବିଶ୍ୱ ପାଇଁ ଆଶାବାଡ଼ି। ସ୍ବାର୍ଥବାଦୀ ଆମେରିକା ଉପରେ ତୁଟିଯାଇଛି ଭରସା। ଚାଇନାର ଚଞ୍ଚକତା, ସାମ୍ରାଜ୍ୟବାଦୀ ମାନସିକତାରେ ଉଦ୍‌ବିଗ୍ନ ଦୁନିଆ। ଏପରିସ୍ଥଳେ ଭାରତର ଉଚ୍ଚ ସାଂସ୍କୃତିକ ମୂଲ୍ୟବୋଧ, ଉଦାତ୍ତ ବିଚାର, ସହୃଦୟତାର ସହିତ ସମସ୍ତଙ୍କୁ କୋଳେଇ ନେବାର ଭବ୍ୟ ଭାବନା ହିଁ ବିଶ୍ୱକୁ ମୁକୁଳାଇପାରିବ ମହାସଂକଟରୁ।
ଆଇନ୍‌ଷ୍ଟାଇନ, ବର୍ଣ୍ଣାଡ଼ ଶ, ଲିଓ ଟଲଷ୍ଟୟ ପ୍ରମୁଖ ବିଶ୍ୱର ବହୁ ଦୂରଦ୍ରଷ୍ଟା ବିଦ୍ୱାନ୍‌ମାନେ ବି ”ବିଶ୍ୱର ଯଥାର୍ଥ ନେତୃତ୍ୱ ନେବା ପାଇଁ ହିନ୍ଦୁସ୍ତାନ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି“ ବୋଲି ଇଙ୍ଗିତ କରିଯାଇଛନ୍ତି। ସେଥିପାଇଁ ଭାରତରେ ଲୋଡ଼ା ଏକ ଦୃଢ଼ ନେତୃତ୍ୱ, ସ୍ଥିର ଓ ଦୂରଦର୍ଶୀ ସରକାର। ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ବିଚାର ଓ ନିଷ୍ପତ୍ତି ଉପରେ ନିର୍ଭର କରେ ଦେଶ ଓ ଜାତିର ଭାଗ୍ୟ, ଭବିଷ୍ୟତ। ଅତଏବ ଚେତନାର ଜାଗରଣ ପୂର୍ବକ ସଠିକ ନିଷ୍ପତ୍ତି ନେବାକୁ ହେବ। ଆମର ସାମାନ୍ୟ ଭୁଲ୍‌ ନିଷ୍ପତ୍ତି ହୁଏତ ଦେଶକୁ ବିପର୍ଯ୍ୟୟ ଆଡ଼କୁ ଟାଣି ନେଇପାରେ। ବ୍ୟକ୍ତି ସ୍ବାର୍ଥ, ବିଭେଦ, ବିବାଦ ଆଦି ଭୁଲି ରାଷ୍ଟ୍ରର ବୃହତ୍ତର ସ୍ବାର୍ଥରେ ଆମେ ଭୋଟ ଦେବା ଉଚିତ। ଆସନ୍ତୁ ରାଷ୍ଟ୍ର ଗଠନରେ ଆମେ ଭାଗୀଦାର ହେବା। ଆମ ଭୋଟ ଭାଗୀଦାର ହେଉ ରାଷ୍ଟ୍ରର ଭବିଷ୍ୟତ ନିର୍ଣ୍ଣୟରେ। କାରଣ ରାଷ୍ଟ୍ର ସର୍ବୋପରି। ଶେଷରେ ବିଶ୍ୱର ବିଶିଷ୍ଟ ବିଦ୍ୱାନ୍‌ ଦୂରଦ୍ରଷ୍ଟା ଦାର୍ଶନିକ ପ୍ଲାଟୋଙ୍କ ସୁଚିନ୍ତିତ ମତଟିଏ, ”କ୍ଷମତାସୀନ ହେବାକୁ ଅତୀବ ବ୍ୟାକୁଳ ଥିବା ଲୋକଙ୍କୁ ଶାସନଡୋରି ଦିଆ ନ ଯାଇ କ୍ଷମତାପ୍ରତି ନିର୍ଲିପ୍ତ ଥିବା ଲେଖକ, ଦାର୍ଶନିକ ପ୍ରମୁଖଙ୍କୁ ଶାସନଡୋରି ଦେଲେ ଲୋକଙ୍କର ମଙ୍ଗଳ ହେବ।“ ବିଚାର ଓ ନିଷ୍ପତ୍ତି ଆପଣଙ୍କର।
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri