ବାତ୍ସଲ୍ୟର ବାରିଧାରା

ଡ. ପ୍ରଫୁଲ୍ଲ କୁମାର ସାହୁ

ମା’ କେବଳ ଏକ ଶବ୍ଦ ନୁହେଁ, ସ୍ପନ୍ଦନ। କେବଳ ଏକ ସମ୍ବୋଧନ ନୁହେଁ, ବିମୁଗ୍ଧ ଅନୁଭବ। ଆମ ଚେତନାରେ, ଆମ ସ୍ପନ୍ଦନରେ ଅହରହ ଗୁଞ୍ଜରିତ ହେଉଥିବା ଏକ ଦ୍ୱିଜ ମନ୍ତ୍ର। ମା’ ବୋଲି ଡାକିଦେଲେ ପ୍ରାଣରେ ସୃଷ୍ଟିହୁଏ ଏକ ଅମୃତମୟ ଆହ୍ଲାଦ। ଏକ ଅଲଗା ଅସ୍ତିତ୍ୱ। ମାଟିରୁ ଆକାଶଯାଏ ପରିବ୍ୟାପ୍ତ ତା’ର ସ୍ନେହ ଓ ସୋହାଗର ପଣତ। ତା’ ପଣତରେ ବିଞ୍ଚତ୍ଦେଲେ ଉଲ୍ଲସିତ ହୋଇଯାଏ ମନ ଓ ପ୍ରାଣ। ମମତା ଅଜାଡ଼ି ଦେବାର ଅନ୍ୟ ନାମ ମା’। ଆମ ଜୀବନ ଭୂମିକୁ ସିକ୍ତ କରି ବହିଯାଉଥିବା ଏକ ଶୀତଳ ଝର। ଗଛର ଚେର ଲମ୍ବିବା ପାଇଁ ମାଟି ଯେପରି ପତେଇଦିଏ ଛାତି, ମା’ ସେମିତି ତା’ ସନ୍ତାନ ଲାଗି ବକ୍ଷରୁ ଝରାଇଦିଏ ଅମୃତର ଧାରା। ସେଥିପାଇଁ ସେ ନିଜେ ପଳପଳ କରି ପିଇଯାଏ ଦୁଃଖର ଗରଳ। ପିିଲାଙ୍କ ପାଦରେ କଣ୍ଟା ଫୁଟିିଗଲେ ବିଦାରି ହୋଇଯାଏ ମା’ର ବକ୍ଷ। ତା’ର ଅନାବିଳ ମମତାରେ ଓଦା ହୋଇଯାଏ ଶୁଖିଲା ଭୂଇଁ। କିଏ ତାକୁ ବାତ୍ସଲ୍ୟର ବାରିଧାରା କହେ ତ କିଏ କହେ ସେବା ଓ ସୋହାଗର ମନ୍ଦାକିନୀ ଧାରା। କିଏ ତାକୁ ମେଦିନୀଠାରୁ ମହାନ୍‌ କହେ ତ କିଏ କହେ ସ୍ବର୍ଗାଦପି ଗରୀୟସୀ।
ଈଶ୍ୱରଙ୍କ ସୃଷ୍ଟିରେ ଶ୍ରେଷ୍ଠ ବୋଲି ଯଦି କେହି ଥାଏ, ସେ ହେଉଛି ମା’। ସେ ପୀୟୂଷର ପ୍ଳାବନ। ସ୍ନେହ ଓ ପ୍ରେମର କୋମଳ ଗାନ୍ଧାର। ଜନ୍ମ ଦେବା ତ ପ୍ରଜନନ ପ୍ରକ୍ରିୟାର ଏକ ସ୍ବାଭାବିକ ପରିଣତି, କିନ୍ତୁ ମାତୃତ୍ୱ ଏକ ତପସ୍ୟା। ଏକ ଅପ୍ରମିତ ସାଧନା। ସନ୍ତାନ ପାଇଁ ନିଜକୁ ଉଜେଁଇ ଦେବାର ଏକ ଦ୍ୱିଜ ଉପଲବ୍ଧି। ସୁନାମି ସମୟର ଘଟଣା। ଭୟଙ୍କର ଭାବରେ ଉଠୁଥାଏ ଜୁଆର। ପ୍ରାଣ ବିକଳରେ ନିରାପଦ ସ୍ଥାନକୁ ଧାଇଁଥିଲେ ସମୁଦ୍ରକୂଳିଆ ଲୋକେ। କିନ୍ତୁ ଜୁଆର ଆସୁଥିବା ଜାଣି ସୁଦ୍ଧା ମା’ଟିଏ ସମୁଦ୍ର ଆଡ଼କୁ ପ୍ରାଣମୂର୍ଚ୍ଛା ଧାଇଁଥାଏ ନିଜ ପୁଅକୁ ଖୋଜିବା ପାଇଁ। କାରଣ ତା’ର ଛୋଟ ପୁଅଟି ସେ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା, ଯିଏ ସବୁଦିନ ସମୁଦ୍ର କୂଳକୁ ଯାଏ ଖେଳିବାପାଇଁ।
ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କ ସମୟର ଘଟଣା। ଶ୍ବାସନଳୀରେ ଭୟଙ୍କର ସଂକ୍ରମଣର ଶିକାର ହେଲା ମହାରାଣୀଙ୍କ କ୍ୱିଯା ଏଲିସ୍‌ଙ୍କ ଶିଶୁପୁତ୍ର। ଡାକ୍ତରଙ୍କ ସକଳ ଚେଷ୍ଟା ସତ୍ତ୍ବେ କ୍ରମଶଃ ସଙ୍କଟାପନ୍ନ ହେବାକୁ ଲାଗିଲା ଶିଶୁର ସ୍ଥିତି। ସଂକ୍ରମଣ ବ୍ୟାପିବା ନିଶ୍ଚିତ ଜାଣି ପିଲାକୁ କେହି କୋଳରେ ନ ଧରିବା ପାଇଁ ପରାମର୍ଶ ଦେଲେ ଡାକ୍ତର। ସତର୍କତା ସ୍ବରୂପ ପିଲା ପାଖରୁ ଯଥାସମ୍ଭବ ଦୂରେଇ ରହିଲା ସାରା ରାଜ ପରିବାର। ପୁଅକୁ କୋଳକୁ ନେଇ ପାରିଲେନି ନିଜେ ଏଲିସ୍‌। ହେଲେ କେତେଦିନ ହୃଦୟର ଆବେଗକୁ ଚାପିରଖି ସନ୍ତାନଠାରୁ ନିଜକୁ ଦୂରେଇ ରଖିପାରିବ ଗର୍ଭଧାରଣୀ ମା’! ଦିନେ ପୁଅର ରୋଗଶଯ୍ୟା ପାଖରେ ଠିଆ ହୋଇ ତାକୁ ଅଶ୍ରୁଳ ଆଖିରେ ଚାହିଁ ରହିଛନ୍ତି ମା’ ଏଲିସ୍‌। କେଇଟା ମୁହୂର୍ତ୍ତ ଭିତରେ ତାଙ୍କ ମାତୃତ୍ୱକୁ ବିଗଳିତ କରିଦେଲା ମୃତ୍ୟୁ ଅପେକ୍ଷାରେ ଥିବା ଶିଶୁପୁତ୍ରର ନିରୀହ ଚାହାଣି। ମା’ କୋଳକୁ ଆସିବା ପାଇଁ ତା’ ଭିତରେ ବଢ଼ୁଥିବା ଆବେଗ ଓ ଆତୁରତାକୁ ଅନୁଭବ କରି ସେ ଭୁଲିଗଲେ ଡାକ୍ତରଙ୍କ ଚେତାବନୀ ଓ କଟକଣା। ବାତ୍ସଲ୍ୟର ବିସ୍ମୟ ବିଭୋରତା ଆଗରେ ହାର୍‌ମାନିଲା ସବୁ ସଜାଗ ଓ ସତର୍କତା। ଅକସ୍ମାତ୍‌ ପୁଅକୁ ରୋଗଶଯ୍ୟାରୁ ଉଠେଇ ଆଣି ଛାତିରେ ଜାକି ଧରିଲେ ଏବଂ ସ୍ନେହର ଆତିଶଯ୍ୟରେ ଆଙ୍କିଦେଲେ ଚୁମ୍ବନ ପରେ ଚୁମ୍ବନ। ଏକଥା ଜାଣିଲା ପରେ ପ୍ରମାଦ ଗଣିଲେ ପରିବାରବର୍ଗ। ଅସହାୟ ହୋଇପଡ଼ିିଲେ ଡାକ୍ତର। ଏହାର ପରିଣାମ ସମ୍ପର୍କରେ ଜାଣିଥିଲେ ଏଲିସ୍‌। ତଥାପି ପୁଅକୁ ଚୁମ୍ବନ ଦେଇ ମୃତ୍ୟୁକୁ ଆମନ୍ତ୍ରଣ କଲେ କାହିଁକି? ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ମୃତ୍ୟୁର ଭୟ ନୁହେଁ, ବରଂ ଏଲିସ୍‌ଙ୍କୁ ବିଚଳିତ କଲା ତାଙ୍କ ପ୍ରତି ସମସ୍ତଙ୍କ ଭିତରେ ଥିବା ଏହି କାହିଁକିର ପ୍ରଶ୍ନ। ଅଗତ୍ୟା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଗୋଟିଏ ବାକ୍ୟରେ କହିଥିଲେ-‘କାରଣ ମୁଁ ଜଣେ ମାଆ’। ଏ ଉତ୍ତର ଯେତିକି ମର୍ମଦାହୀ, ସେତିକି ସ୍ମରଣୀୟ। ସାରା ଦୁନିଆକୁ ସେ କଥା ଜଣେଇ ଦେବାପାଇଁ ଏଲିସ୍‌ଙ୍କ ସମାଧି ଉପରେ ଲେଖାଯାଇଛି-‘କାରଣ ମୁଁ ଜଣେ ମା।’
ମା’ର କୋଳ ହେଉଛି ଏକ ଅଭୟ ଆଶ୍ରୟସ୍ଥଳ। ତା’ର ବାତ୍ସଲ୍ୟମମତା ଆଗରେ ହାରମାନେ ମୃତ୍ୟୁର ଭୟ। ମଣିଷ ହେଉ କି ପଶୁପକ୍ଷୀ, ବାତ୍ସଲ୍ୟର ଜୈବିକ ଉଦାରତା ଏତେ ଶକ୍ତିଶାଳୀ ଯେ ତାକୁ ଭୟ ଭାଙ୍ଗିପାରେନି କି କାଟିପାରେନି କ୍ରୂରତାର କଟୁରି। ଚିତାବାଘ ମାଙ୍କଡ଼ ଶିକାର କରିବାକୁ ଗଛକୁ ଚଢ଼ିଲେ ପିଲାମାନଙ୍କ ଜୀବନ ରକ୍ଷା କରିବା ପାଇଁ ଚିତା ପାଖରେ ନିଜକୁ ସମର୍ପିଦିଏ ମା’ ମାଙ୍କଡ। ଚିଲ ଆକ୍ରମଣ ସମୟରେ ଶାବକମାନଙ୍କୁ ପେଟତଳେ ରଖି ନିଜ ସୁରକ୍ଷା କଥା ଭୁଲିଯାଏ। ସତରେ ଯମ ରାଜାଙ୍କ ପାଇଁ ସଂସାରରେ ଯଦି କେଉଁଠି ଅପହଞ୍ଚ ଇଲାକା ଅଛି, ତେବେ ତାହା ହେଉଛି ମା’ର କୋଳ।
ଶିଶୁକୁ ମଣିଷ କରି ଗଢ଼ିତୋଳିବାରେ ମା’ର ତ୍ୟାଗ, ସମର୍ପଣଭାବ ଓ ବୁଦ୍ଧିମତ୍ତା ସଂସାରରେ ଅଦ୍ବିତୀୟ। ସେ ପାଠୋଇ ହେଉ ଅପାଠୋଇ ହେଉ, ସନ୍ତାନ ପାଇଁ ସେ ପ୍ରଥମ ଶିକ୍ଷୟିତ୍ରୀ, ସ୍ବତନ୍ତ୍ର ସେବିକା ଓ ବିଶିଷ୍ଟ ଡାକ୍ତରାଣୀ। କେବେ ସେ ଧୋ’ରେ ବାଇଆ ଧୋ ଗୀତ ଗାଏ ତ; କେବେ କହେ ପରୀ ରାଇଜର କାହାଣୀ। କେବେ ସେ କାହା ଉପରେ ରାଗେନି, ଅଭିମାନ କରେନି, ବରଂ ସଂସାରଯାକର ଗାଳିକୁ ପିଇଯାଏ ନୀଳକଣ୍ଠ ପରି। କେବେ କାହାକୁ କହେନି ତା’ ଦେହ ଅସୁସ୍ଥ କଥା। ମା’ କିଛି ନେଇ ଜାଣେନି, କେବଳ ଦେଇ ଜାଣେ ଏବଂ ଦେଇ ଦେଇ ନିିଃସ୍ବ ହୋଇ ଯିବାରେ ତା’ର ଆନନ୍ଦ।
ମା’ ସବୁବେଳେ ମା’। ସେ ପେଟ ଚିହ୍ନି ଖାଇବାକୁଦିଏ ଭୋକ ଲାଗିବା ଆଗରୁ। ସେଥିପାଇଁ କୁହାଯାଏ ‘ନାଆ ଚିହ୍ନେ ଘାଟ, ମା’ ଚିହ୍ନେ ପେଟ’। ସେ ନିଜେ ସହିଯାଏ ଯାବତୀୟ ଦୁଃଖ ଯନ୍ତ୍ରଣା। ଅଥଚ ସନ୍ତାନ ପାଇଁ ବିଛାଏ ସ୍ନେହର ବିଛଣା। ଅଭାବୀ ଘରେ ନିଜ ପାଇଁ କିଛି ନରଖି ପିଲାଙ୍କ ଥାଳିରେ ସବୁତକ ସେ ବାଢ଼ିଦିଏ ଓ ପଚାରିଲେ ଖାଇସାରିଛି ବୋଲି କହେ କିମ୍ବା କଥା ବାଆଁରେଇ ଉଠିଯାଏ କାମ ବାହାନାରେ। ମା’ର ଭଲ ପାଇବାରେ ନଥାଏ ପ୍ରାପ୍ତିର ପ୍ରତ୍ୟାଶା କିମ୍ବା ସ୍ବାର୍ଥ ଓ ସର୍ତ୍ତ। ତାକୁ ଗାଳି ଦେଲେ ବି ସେ ପିଲାଙ୍କ ମଥା ଉପରେ ଅଜାଡ଼ିଦିଏ ଆଞ୍ଜୁଳା ଆଞ୍ଜୁଳା କଲ୍ୟାଣ।
ମା’ ଆମ ପ୍ରାଣ। ମା’ର ଆଶୀର୍ବାଦ ବଳରେ ଅସମ୍ଭବକୁ ସମ୍ଭବ କରିପାରେ ମଣିଷ। ମା’ ହସିଲେ ଝରିପଡ଼େ ଦେବତାଙ୍କ ଆଶୀର୍ବାଦ। ତେଣୁ ମା’କୁ ପୂଜା କରିବା ଅର୍ଥ ଈଶ୍ୱରଙ୍କ ସାନିଧ୍ୟ ପାଇବା ସହିତ ସମାନ। ଥରେ ଜଣେ ସନ୍ଥ କହୁଥିଲେ-”ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନ କାଳର ସମଗ୍ର ସାଧନା ବିନିଯୋଗ କରି ଅପ୍ରାପ୍ତିଜନିତ ହତାଶାରେ ଭାଙ୍ଗିପଡ଼ିଥିବା ବେଳେ ହଠାତ୍‌ ଆଖିପଡ଼ିଲା ଜନ୍ମଦାତ୍ରୀ ମା’ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ନିରେଖିଲା ପରେ ଆଉ ଅନୁଭବ କରିପାରିଲିନି ଈଶ୍ୱରଙ୍କୁ ଖୋଜିବାର ଆବଶ୍ୟକତା। ଅଦୃଶ୍ୟ ଈଶ୍ୱରଙ୍କ ପରି ମା’ ଦୟା ଓ କରୁଣାର ଅବତାର ହୋଇଥିବାରୁ ମୋତେ ଲାଗିଲା ଉଭୟ ମା’ ଓ ଈଶ୍ବର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।“ ସତରେ ସଂସାରରେ ଆଉ ଏମିତି କିଛି ବିଭବ ନାହିଁ, ଯାହା ମାଆର ତ୍ୟାଗଠାରୁ ଅଧିକ ମହିମାମୟ। ତେଣୁ ମାଆର ସେବା ଆମର ପରମ କର୍ତ୍ତବ୍ୟ। ଏହା ଆମ ଜଟିଳ ଜୀବନର ଏକ ସରଳ ସତ୍ୟ। ଏକ ସର୍ବକାଳୀନ ସିଦ୍ଧାନ୍ତ। କେଉଁ ଅନାଦି କାଳରୁ ଆମ ରକ୍ତରେ ମିଶି ଯାଇଥିବା ଏ ବିଚାରଧାରାରୁ ବିଚ୍ୟୁତ ହେଲେ ଦୁର୍ବିଷହ ହୋଇପଡ଼ିବ ଏ ସୁନ୍ଦର ପୃଥିବୀ।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri