ଶ୍ରମର ମର୍ଯ୍ୟାଦା

ଡ. ମନୋରଞ୍ଜନ ପ୍ରଧାନ

ପ୍ରବନ୍ଧର ଶ୍ରୀଗଣେଶ କରିବା ସାମାଜିକ ଗଣମାଧ୍ୟମରୁ ସଂଗୃହୀତ ଏକ ସୁନ୍ଦର ବାର୍ତ୍ତାରୁ। ଅବ୍ରାହମ ଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାର ଆଭିଜାତ୍ୟ ବର୍ଗକୁ ଆଘାତ ଲାଗିଲା! ସିନେଟ ସମ୍ମୁଖରେ ସେ ଯେବେ ନିଜର ପ୍ରଥମ ଅଭିଭାଷଣ ଦେବାକୁ ଛିଡ଼ା ହେଲେ, ଜଣେ ସିନେଟର ଉଚ୍ଚ ସ୍ବରରେ କହିଲେ, ‘ମିଷ୍ଟର ଲିଙ୍କନ ମନେରଖ ତୁମ ବାପା ମୋର ଓ ମୋ ପରିବାରର ଜୋତା ତିଆରି କରୁଥିଲେ!’ ଏଥି ସହିତ ପୂରା ସିନେଟ ଅଟ୍ଟହାସ୍ୟରେ ଗୁଞ୍ଜରିତ ହେଲା! କିନ୍ତୁ ଲିଙ୍କନ ତ ଏକ ଅଲଗା ମାଟିରେ ଗଢ଼ା ହୋଇଥିଲେ; ସେ କହିଲେ ”ମୁଁ ଜାଣିଛି ଯେ ମୋ ପିତା ଜୋତା ତିଆରି କରୁଥିଲେ! କେବଳ ଆପଣଙ୍କର ନୁହେଁ, ଏଠାରେ ଉପସ୍ଥିତ ଅନେକ ମାନନୀୟଙ୍କର ଜୋତା ସେ ତିଆରି କରିଥିବେ। ସେ ପୂର୍ଣ୍ଣ ମନୋଯୋଗ ସହ ଜୋତା ପ୍ରସ୍ତୁତ କରନ୍ତି। ତାଙ୍କ ତିଆରି ଜୋତାରେ ତାଙ୍କର ଆତ୍ମା ବାସ କରେ! ନିଜ କର୍ମ ପ୍ରତି ପୂର୍ଣ୍ଣ ନିଷ୍ଠା କାରଣରୁ ଜୋତାରେ କେବେ କିଛି ଅଭିଯୋଗ ଆସି ନାହିଁ! ଆପଣଙ୍କର ତାଙ୍କ କାମରେ କିଛି ଅଭିଯୋଗ ଅଛି କି? ତାଙ୍କ ପୁତ୍ର ହୋଇ ଥିବାରୁ ମୁଁ ନିଜେ ମଧ୍ୟ ଜୋତା ପ୍ରସ୍ତୁତ କରିପାରେ, ଯଦି ଆପଣଙ୍କର କିଛି ଅଭିଯୋଗ ରହିଛି ତା’ହେଲେ କୁହନ୍ତୁ ମୁଁ ତାଙ୍କ ତିଆରି ଜୋତାକୁ ସଜାଡି ଦେବି! ମୁଁ ନିଜ ପିତା ଏବଂ ତାଙ୍କ କର୍ମକୁ ନେଇ ଗର୍ବିତ।“
ତାଙ୍କର ଏହି ତର୍କବାଦୀ ଭାଷଣରୁ ସିନେଟରେ ନୀରବତା ଛାଇଗଲା ଓ ଏହି ଭାଷଣକୁ ଆମେରିକାର ସିନେଟ ଇତିହାସର ସବୁଠାରୁ ଉତ୍କୃଷ୍ଟ ଭାଷଣ କୁହାଯାଇଛି। ଏହି ଭାଷଣରୁ ଗୋଟେ ଥିଓରି ବାହାରିଲା ଶ୍ରମର ମର୍ଯ୍ୟାଦା ଓ ଏହାର ପ୍ରଭାବରେ ଯେତେ ବି ଶ୍ରମଜୀବୀ ଥିଲେ ସେମାନେ ନିଜ ପେସାକୁ ନିଜର ଉପନାମ(surname)କରିଦେଲେ; ଯେପରି କି- ଫିଶରମ୍ୟାନ, ବଟଲର୍‌, ଶୁମେକର, ବୁଚର, ଟେଲର, ସ୍ମିଥ, କାର୍‌ପେଣ୍ଟର, ପୋଟର ଆଦି। ଆମେରିକାରେ ଆଜି ମଧ୍ୟ ଶ୍ରମକୁ ମହତ୍ତ୍ୱ ଦିଆଯାଏ, ସେଥିଲାଗି ସେ ଦୁନିଆର ସବୁଠୁ ବଡ଼ ମହାଶକ୍ତି । ସେମାନଙ୍କ ଆଖିରେ ସବୁ ବୃତ୍ତି ଓ କାମର ମହତ୍ତ୍ୱ ରହିଛି, ତେଣୁ କର୍ମ ଆଧାରରେ କେହି ଛୋଟ ବଡ଼ ନାହିଁ।
ବର୍ତ୍ତମାନ ଚିନ୍ତା କରିବା ଆମ ଦେଶ କଥା। ହାଡ଼ଭଙ୍ଗା ପରିଶ୍ରମ କରି ଦେଶର କୋଟି କୋଟି ଜନତାଙ୍କର ଅନ୍ନଦାତା କୃଷକ ସମାଜ ଆମ ଭଳି ତଥାକଥିତ ଶିକ୍ଷିତ ବର୍ଗଙ୍କ ଆଖିରେ ମଳିମୁଣ୍ଡିଆ ଚଷା। ସେମାନଙ୍କ ସହଯୋଗ ବିନା ପେଟକୁ ଦାନା ମିଳିବନି କିନ୍ତୁ ସେମାନେ ଇତର ଶ୍ରେଣୀର। ସକାଳୁ ଉଠିଲେ ଅଳିଆ ଆବର୍ଜନା ଗାଡ଼ିରେ ନେଇ ଆମର ସୁସ୍ଥ ପରିବେଶ ଓ ଉତ୍ତମ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରୁଥିବା ମେହନ୍ତର ବା ସଫେଇ କର୍ମଚାରୀମାନେ ଏ ତଥାକଥିତ ବଡ଼ ପାଠୁଆଙ୍କ ଆଖିରେ ଅଳିଆବାଲା। ଆଉ କୁଢ଼ କୁଢ଼ ଅଳିଆ ଆବର୍ଜନା ସୃଷ୍ଟି କରୁଥିବା ଆମ୍ଭେମାନେ କୁଆଡ଼େ ବାବୁ ତଥା ସେମାନଙ୍କ ହାକିମ। ଏପରି କି କିଛି ଲୋକ ସେମାନଙ୍କ ହାତକୁ ଅଳିଆ ବଢ଼େଇବାକୁ ପସନ୍ଦ କରନ୍ତି ନାହିଁ। ସେମାନଙ୍କୁ ଛୁଇଁ ଦେଲେ ସତେ ଯେପରି ଦେହ ଅଶୁଦ୍ଧି ହୋଇଯିବ। ଠିକ୍‌ ସେଭଳି ଦରଜୀ ଭାଇମାନଙ୍କୁ ମଧ୍ୟ ଶ୍ରମର ମର୍ଯ୍ୟାଦା ଓ ସମ୍ମାନ ଆମ ସମାଜ ଦେଇ ଜାଣିନି। ତାଙ୍କ ସିଲେଇ ପୋଷାକ ପିନ୍ଧି ନିଜକୁ ବଡ଼ ବାବୁ ବୁଲାଉ ଥିବା ବାବୁମାନେ ସେମାନଙ୍କୁ ମଧ୍ୟ ଠିକ୍‌ ଭାବରେ ଦେଖନ୍ତି ନାହିଁ। ଅର୍ଥାତ୍‌ କୌଳିକ ବୃତ୍ତି କରି ସ୍ବାଭିମାନ ଓ ସ୍ବାବଲମ୍ବୀ ଜୀବନ ବିତେଉ ଥିବା ଆତ୍ମନିର୍ଭର ମଣିଷର ଶ୍ରମର ମର୍ଯ୍ୟାଦା ଆମେ ବୁଝି ପାରୁନାହୁଁ, ଯାହା କି ବିଡ଼ମ୍ବନା ନିଶ୍ଚୟ।
ବହୁ ଲୋକଙ୍କ ଧାରଣା ଚାକିରି ବିଶେଷକରି ସରକାରୀ ଚାକିରିଆମାନେ ହିଁ ବଡ଼ ଓ ମର୍ଯ୍ୟାଦାପୂର୍ଣ୍ଣ ଲୋକ। ବେଳେବେଳେ ସରକାରୀ ଚାକିରିଆମାନଙ୍କ ଆଚରଣ, ଅହଙ୍କାର ତଥା ଥାଟ ଦେଖିଲେ ବଡ଼ ଅଜବ ଲାଗେ। ପଦପଦବୀ ପାଇଗଲେ ବା ଶୀତତାପ ନିୟନ୍ତ୍ରିତ କୋଠରିରେ ବସିଗଲେ ଅଧିକାଂଶ ଅଧିକାରୀ/କର୍ମଚାରୀ ନିଜର ନୈତିକ ଓ ବୃତ୍ତିଗତ ଶିଷ୍ଟାଚାର ଭୁଲି ଯାଆନ୍ତି। ଯାହା ପାଇଁ ସେମାନେ ଚାକିରି କରୁଛନ୍ତି ସେମାନଙ୍କୁ ଅତି ନିର୍ମମ ବ୍ୟବହାର କରନ୍ତି। ଏଠି ମାଲିକ ଚାକର ଆଉ ଚାକର ମାଲିକ ବା ହାକିମ। ଏମାନେ ଏତିକି ବୁଝିପାରନ୍ତି ନାହିଁ କି ମାସ ପୂରିଲା ବେଳକୁ ଯେଉଁ ରକମ ନିଜ ବ୍ୟାଙ୍କଖାତାକୁ ପୈଠ ହେଉଛି ତାହା ସାଧାରଣ ଲୋକଙ୍କ ଟିକସର କରାମତି। ଆଉ ଯେଉଁ ପଦପଦବୀ ଖଣ୍ତିକ ପାଇଛନ୍ତି ତାହା ମଧ୍ୟ ଜନତାଙ୍କ ଆଶୀର୍ବାଦ। ଜନ୍ମଠାରୁ ପାଠପଢି ବଡ଼ ହେଲା ଯାଏ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସହଯୋଗରୁ ହିଁ ସେମାନେ ଏ ପଦପଦବୀ ପାଇଛନ୍ତି ଏକଥା ମଣିଷ ବୁଝିପାରୁ ନାହିଁ।
ବଡ଼ ବିଚିତ୍ର ଆଜିର ସମାଜ। ଗୋପାଳ ଗୋ-ରସ ବୁଲିବୁଲି ବାକିରେ ବିକୁଛି ଅଥଚ ମଦ ଦୋକାନରେ ଅଗ୍ରୀମ ରାଶି ଦେଇ ପଛେ ବୋତଲ ମିଳୁଛି। କ୍ଷୀର ବିକାଳିକୁ ନାଁ ଧରି ଅତି ଅରୁଚିକର ଭାବେ ଡାକୁଛେ ଅଥଚ ମଦ ବେପାରୀଙ୍କୁ ଆଜ୍ଞା ସାର୍‌ କହି ମଦ କିଣୁଛେ। ଏସବୁ ଶ୍ରମର ମର୍ଯ୍ୟାଦା ନା ଅପମାନ, ବିଚାର କରିବା ସମୟ ଉପନୀତ।
ସତ କହିବାକୁ ଗଲେ ଚପରାସୀଠାରୁ ଉଚ୍ଚ ପଦସ୍ଥ ଅଧିକାରୀ ସମସ୍ତଙ୍କ କାମର ମୂଲ୍ୟ ରହିଛି। ଅଫିସରେ ଝାଡୁ ମାରୁଥିବା ସଫେଇ କର୍ମଚାରୀମାନେ ସଫେଇ ନ କଲେ ଅଫିସରେ ମୁଖା ପିନ୍ଧି ମଧ୍ୟ ବସି ହେବନାହିଁ। ସେମାନଙ୍କ ପରିଶ୍ରମରୁ ଅଫିସ ସଫାସୁତୁରା ରହୁଛି। ଆମେ ଭଲରେ କାମ କରିପାରୁଛେ। ହେଲେ ଆମ ସ୍ବାସ୍ଥ୍ୟକର ପରିବେଶ ଦେଉଥିବା ସଫେଇ କର୍ମଚାରୀଟିକୁ ଘୃଣା କରିବା କାହିଁକି? ପୋଷାକ ଇସ୍ତ୍ରି କରୁଥିବା ଲୋକଟି ଅଛୁଆଁ କେମିତି ହେଲା ଯେ! ଆମ ଚପଲ ମରାମତି କାର୍ଯ୍ୟ କରି ସୁଖଦ ଚାଲିବାର ମାର୍ଗ ପ୍ରଶସ୍ତ କରୁଥିବା ମୋଚି ଭାଇଟି ଇତର କେମିତି ହୋଇଗଲା! ଏ ଜାତିବାଦୀ ଅବିଚାର ଓ କାମ ଅନୁସାରେ ସମ୍ମାନ ଦେବା ସଂକୀର୍ଣ୍ଣ ମାନସିକତାରୁ ଊଦ୍ଧର୍‌ବକୁ ଉଠି ସବୁ ଶ୍ରମର ମର୍ଯ୍ୟାଦା ଓ ମହତ୍ତକୁ ବୁଝିବା ଆବଶ୍ୟକ। ସମାଜ ରୂପକ ଶରୀରର ପ୍ରତ୍ୟେକ ଅଙ୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନଖରୁ ଶିଖ ସମସ୍ତଙ୍କ ସହଯୋଗରେ ଯେପରି ଏକ ସୁସ୍ଥ ସବଳ ଶରୀର ସମ୍ଭବ ଠିକ୍‌ ସେହିପରି ସମାଜର ପ୍ରତ୍ୟେକ ବୃତ୍ତିଧାରୀମାନଙ୍କ ସହଯୋଗ ଓ ଯୋଗଦାନରେ ଆମର ସର୍ବାଙ୍ଗୀନ ବିକାଶ ସମ୍ଭବ। ଏଥିପାଇଁ ଜାତିଆଣ ମନୋଭାବର ବୁଢ଼ିଆଣୀ ଜାଲରୁ ମୁକୁଳି ମାନବବାଦରେ ବିଶ୍ବାସ ରଖିବା ଉଚିତ।
ଏଠାରେ ସ୍ବାମୀ ବିବେକାନନ୍ଦଙ୍କ ଏକ କଥା ପ୍ରାସଙ୍ଗିକ ମନେହୁଏ। ଥରେ ରେଳରେ ଯାତ୍ରା କରିବା ବେଳେ ଜଣେ ବୃଦ୍ଧା ସ୍ବାମିଜୀଙ୍କୁ ତାଙ୍କ ଜାତି ସମ୍ବନ୍ଧରେ ପଚାରିଲେ। ସ୍ବାମିଜୀ ଅତି ସୁନ୍ଦର ଭାବରେ ନିଜର ଜାତି ସମ୍ବନ୍ଧରେ ବୁଝେଇ ଦେଲେ। ଫଳରେ ବୃଦ୍ଧାଙ୍କ ଭିତରେ ଜାତିଆଣ ମନୋଭାବର ବୃଥା ଅହଂ ଦୂର ହୋଇଗଲା। ସ୍ବାମିଜୀ କହିଲେ, ମୁଁ ସକାଳୁ ଉଠୁ ଉଠୁ ଘର ଝାଡ଼ୁ ମାରେ ଓ ସଂପୂର୍ଣ୍ଣ ଘର ସଫାକରେ। ତେଣୁ ମୁଁ ମେହନ୍ତର। ତା’ପରେ ସ୍ନାନ ସାରି ପୂଜାପାଠ କରେ, ସେତେବେଳେ ବ୍ରାହ୍ମଣ। ଯେତେବେଳେ ମୋର ଲୁଗା ସଫାକରେ ସେତେବେଳେ ରଜକ। ରୋଷେଇ କଲାବେଳେ ସୂପକାର, ଇତ୍ୟାଦି। ଅର୍ଥାତ୍‌ ଆମେ ପ୍ରତି ଦିନ ଘରେ ସବୁ ବୃତ୍ତିର କାମ କରନ୍ତି। ତେବେ ସେହି କାମ କରି ଗୁଜୁରାଣ ମେଣ୍ଟାଉଥିବା ସ୍ବାଭିମାନୀ ଲୋକଟି ଅଛୁଆଁ କେମିତି ହୋଇପାରିବ? ଗୋଟିଏ ଧାଡ଼ିରେ କହିଲେ ଆମେ ଯେତେବେଳେ ଯାଏ ସବୁ ବୃତ୍ତିକୁ ସମ୍ମାନ ଦେଇନାହାନ୍ତି, ସବୁ ଶ୍ରମର ମହତ୍ତ୍ୱକୁ ହୃଦୟଙ୍ଗମ କରିନାହାନ୍ତି, ସେତେବେଳ ଯାଏ ଏକ ବିକଶିତ ଓ ସମାବେଶୀ ସମାଜ ଗଠନ ଅସମ୍ଭବ। ଆସନ୍ତୁ ଶ୍ରମକୁ ସମ୍ମାନ ଓ ମର୍ଯ୍ୟାଦା ଦେବା।
ସହକାରୀ ପ୍ରାଧ୍ୟାପକ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri