ଶ୍ରମର ମର୍ଯ୍ୟାଦା

ଡ. ମନୋରଞ୍ଜନ ପ୍ରଧାନ

ପ୍ରବନ୍ଧର ଶ୍ରୀଗଣେଶ କରିବା ସାମାଜିକ ଗଣମାଧ୍ୟମରୁ ସଂଗୃହୀତ ଏକ ସୁନ୍ଦର ବାର୍ତ୍ତାରୁ। ଅବ୍ରାହମ ଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାର ଆଭିଜାତ୍ୟ ବର୍ଗକୁ ଆଘାତ ଲାଗିଲା! ସିନେଟ ସମ୍ମୁଖରେ ସେ ଯେବେ ନିଜର ପ୍ରଥମ ଅଭିଭାଷଣ ଦେବାକୁ ଛିଡ଼ା ହେଲେ, ଜଣେ ସିନେଟର ଉଚ୍ଚ ସ୍ବରରେ କହିଲେ, ‘ମିଷ୍ଟର ଲିଙ୍କନ ମନେରଖ ତୁମ ବାପା ମୋର ଓ ମୋ ପରିବାରର ଜୋତା ତିଆରି କରୁଥିଲେ!’ ଏଥି ସହିତ ପୂରା ସିନେଟ ଅଟ୍ଟହାସ୍ୟରେ ଗୁଞ୍ଜରିତ ହେଲା! କିନ୍ତୁ ଲିଙ୍କନ ତ ଏକ ଅଲଗା ମାଟିରେ ଗଢ଼ା ହୋଇଥିଲେ; ସେ କହିଲେ ”ମୁଁ ଜାଣିଛି ଯେ ମୋ ପିତା ଜୋତା ତିଆରି କରୁଥିଲେ! କେବଳ ଆପଣଙ୍କର ନୁହେଁ, ଏଠାରେ ଉପସ୍ଥିତ ଅନେକ ମାନନୀୟଙ୍କର ଜୋତା ସେ ତିଆରି କରିଥିବେ। ସେ ପୂର୍ଣ୍ଣ ମନୋଯୋଗ ସହ ଜୋତା ପ୍ରସ୍ତୁତ କରନ୍ତି। ତାଙ୍କ ତିଆରି ଜୋତାରେ ତାଙ୍କର ଆତ୍ମା ବାସ କରେ! ନିଜ କର୍ମ ପ୍ରତି ପୂର୍ଣ୍ଣ ନିଷ୍ଠା କାରଣରୁ ଜୋତାରେ କେବେ କିଛି ଅଭିଯୋଗ ଆସି ନାହିଁ! ଆପଣଙ୍କର ତାଙ୍କ କାମରେ କିଛି ଅଭିଯୋଗ ଅଛି କି? ତାଙ୍କ ପୁତ୍ର ହୋଇ ଥିବାରୁ ମୁଁ ନିଜେ ମଧ୍ୟ ଜୋତା ପ୍ରସ୍ତୁତ କରିପାରେ, ଯଦି ଆପଣଙ୍କର କିଛି ଅଭିଯୋଗ ରହିଛି ତା’ହେଲେ କୁହନ୍ତୁ ମୁଁ ତାଙ୍କ ତିଆରି ଜୋତାକୁ ସଜାଡି ଦେବି! ମୁଁ ନିଜ ପିତା ଏବଂ ତାଙ୍କ କର୍ମକୁ ନେଇ ଗର୍ବିତ।“
ତାଙ୍କର ଏହି ତର୍କବାଦୀ ଭାଷଣରୁ ସିନେଟରେ ନୀରବତା ଛାଇଗଲା ଓ ଏହି ଭାଷଣକୁ ଆମେରିକାର ସିନେଟ ଇତିହାସର ସବୁଠାରୁ ଉତ୍କୃଷ୍ଟ ଭାଷଣ କୁହାଯାଇଛି। ଏହି ଭାଷଣରୁ ଗୋଟେ ଥିଓରି ବାହାରିଲା ଶ୍ରମର ମର୍ଯ୍ୟାଦା ଓ ଏହାର ପ୍ରଭାବରେ ଯେତେ ବି ଶ୍ରମଜୀବୀ ଥିଲେ ସେମାନେ ନିଜ ପେସାକୁ ନିଜର ଉପନାମ(surname)କରିଦେଲେ; ଯେପରି କି- ଫିଶରମ୍ୟାନ, ବଟଲର୍‌, ଶୁମେକର, ବୁଚର, ଟେଲର, ସ୍ମିଥ, କାର୍‌ପେଣ୍ଟର, ପୋଟର ଆଦି। ଆମେରିକାରେ ଆଜି ମଧ୍ୟ ଶ୍ରମକୁ ମହତ୍ତ୍ୱ ଦିଆଯାଏ, ସେଥିଲାଗି ସେ ଦୁନିଆର ସବୁଠୁ ବଡ଼ ମହାଶକ୍ତି । ସେମାନଙ୍କ ଆଖିରେ ସବୁ ବୃତ୍ତି ଓ କାମର ମହତ୍ତ୍ୱ ରହିଛି, ତେଣୁ କର୍ମ ଆଧାରରେ କେହି ଛୋଟ ବଡ଼ ନାହିଁ।
ବର୍ତ୍ତମାନ ଚିନ୍ତା କରିବା ଆମ ଦେଶ କଥା। ହାଡ଼ଭଙ୍ଗା ପରିଶ୍ରମ କରି ଦେଶର କୋଟି କୋଟି ଜନତାଙ୍କର ଅନ୍ନଦାତା କୃଷକ ସମାଜ ଆମ ଭଳି ତଥାକଥିତ ଶିକ୍ଷିତ ବର୍ଗଙ୍କ ଆଖିରେ ମଳିମୁଣ୍ଡିଆ ଚଷା। ସେମାନଙ୍କ ସହଯୋଗ ବିନା ପେଟକୁ ଦାନା ମିଳିବନି କିନ୍ତୁ ସେମାନେ ଇତର ଶ୍ରେଣୀର। ସକାଳୁ ଉଠିଲେ ଅଳିଆ ଆବର୍ଜନା ଗାଡ଼ିରେ ନେଇ ଆମର ସୁସ୍ଥ ପରିବେଶ ଓ ଉତ୍ତମ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରୁଥିବା ମେହନ୍ତର ବା ସଫେଇ କର୍ମଚାରୀମାନେ ଏ ତଥାକଥିତ ବଡ଼ ପାଠୁଆଙ୍କ ଆଖିରେ ଅଳିଆବାଲା। ଆଉ କୁଢ଼ କୁଢ଼ ଅଳିଆ ଆବର୍ଜନା ସୃଷ୍ଟି କରୁଥିବା ଆମ୍ଭେମାନେ କୁଆଡ଼େ ବାବୁ ତଥା ସେମାନଙ୍କ ହାକିମ। ଏପରି କି କିଛି ଲୋକ ସେମାନଙ୍କ ହାତକୁ ଅଳିଆ ବଢ଼େଇବାକୁ ପସନ୍ଦ କରନ୍ତି ନାହିଁ। ସେମାନଙ୍କୁ ଛୁଇଁ ଦେଲେ ସତେ ଯେପରି ଦେହ ଅଶୁଦ୍ଧି ହୋଇଯିବ। ଠିକ୍‌ ସେଭଳି ଦରଜୀ ଭାଇମାନଙ୍କୁ ମଧ୍ୟ ଶ୍ରମର ମର୍ଯ୍ୟାଦା ଓ ସମ୍ମାନ ଆମ ସମାଜ ଦେଇ ଜାଣିନି। ତାଙ୍କ ସିଲେଇ ପୋଷାକ ପିନ୍ଧି ନିଜକୁ ବଡ଼ ବାବୁ ବୁଲାଉ ଥିବା ବାବୁମାନେ ସେମାନଙ୍କୁ ମଧ୍ୟ ଠିକ୍‌ ଭାବରେ ଦେଖନ୍ତି ନାହିଁ। ଅର୍ଥାତ୍‌ କୌଳିକ ବୃତ୍ତି କରି ସ୍ବାଭିମାନ ଓ ସ୍ବାବଲମ୍ବୀ ଜୀବନ ବିତେଉ ଥିବା ଆତ୍ମନିର୍ଭର ମଣିଷର ଶ୍ରମର ମର୍ଯ୍ୟାଦା ଆମେ ବୁଝି ପାରୁନାହୁଁ, ଯାହା କି ବିଡ଼ମ୍ବନା ନିଶ୍ଚୟ।
ବହୁ ଲୋକଙ୍କ ଧାରଣା ଚାକିରି ବିଶେଷକରି ସରକାରୀ ଚାକିରିଆମାନେ ହିଁ ବଡ଼ ଓ ମର୍ଯ୍ୟାଦାପୂର୍ଣ୍ଣ ଲୋକ। ବେଳେବେଳେ ସରକାରୀ ଚାକିରିଆମାନଙ୍କ ଆଚରଣ, ଅହଙ୍କାର ତଥା ଥାଟ ଦେଖିଲେ ବଡ଼ ଅଜବ ଲାଗେ। ପଦପଦବୀ ପାଇଗଲେ ବା ଶୀତତାପ ନିୟନ୍ତ୍ରିତ କୋଠରିରେ ବସିଗଲେ ଅଧିକାଂଶ ଅଧିକାରୀ/କର୍ମଚାରୀ ନିଜର ନୈତିକ ଓ ବୃତ୍ତିଗତ ଶିଷ୍ଟାଚାର ଭୁଲି ଯାଆନ୍ତି। ଯାହା ପାଇଁ ସେମାନେ ଚାକିରି କରୁଛନ୍ତି ସେମାନଙ୍କୁ ଅତି ନିର୍ମମ ବ୍ୟବହାର କରନ୍ତି। ଏଠି ମାଲିକ ଚାକର ଆଉ ଚାକର ମାଲିକ ବା ହାକିମ। ଏମାନେ ଏତିକି ବୁଝିପାରନ୍ତି ନାହିଁ କି ମାସ ପୂରିଲା ବେଳକୁ ଯେଉଁ ରକମ ନିଜ ବ୍ୟାଙ୍କଖାତାକୁ ପୈଠ ହେଉଛି ତାହା ସାଧାରଣ ଲୋକଙ୍କ ଟିକସର କରାମତି। ଆଉ ଯେଉଁ ପଦପଦବୀ ଖଣ୍ତିକ ପାଇଛନ୍ତି ତାହା ମଧ୍ୟ ଜନତାଙ୍କ ଆଶୀର୍ବାଦ। ଜନ୍ମଠାରୁ ପାଠପଢି ବଡ଼ ହେଲା ଯାଏ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସହଯୋଗରୁ ହିଁ ସେମାନେ ଏ ପଦପଦବୀ ପାଇଛନ୍ତି ଏକଥା ମଣିଷ ବୁଝିପାରୁ ନାହିଁ।
ବଡ଼ ବିଚିତ୍ର ଆଜିର ସମାଜ। ଗୋପାଳ ଗୋ-ରସ ବୁଲିବୁଲି ବାକିରେ ବିକୁଛି ଅଥଚ ମଦ ଦୋକାନରେ ଅଗ୍ରୀମ ରାଶି ଦେଇ ପଛେ ବୋତଲ ମିଳୁଛି। କ୍ଷୀର ବିକାଳିକୁ ନାଁ ଧରି ଅତି ଅରୁଚିକର ଭାବେ ଡାକୁଛେ ଅଥଚ ମଦ ବେପାରୀଙ୍କୁ ଆଜ୍ଞା ସାର୍‌ କହି ମଦ କିଣୁଛେ। ଏସବୁ ଶ୍ରମର ମର୍ଯ୍ୟାଦା ନା ଅପମାନ, ବିଚାର କରିବା ସମୟ ଉପନୀତ।
ସତ କହିବାକୁ ଗଲେ ଚପରାସୀଠାରୁ ଉଚ୍ଚ ପଦସ୍ଥ ଅଧିକାରୀ ସମସ୍ତଙ୍କ କାମର ମୂଲ୍ୟ ରହିଛି। ଅଫିସରେ ଝାଡୁ ମାରୁଥିବା ସଫେଇ କର୍ମଚାରୀମାନେ ସଫେଇ ନ କଲେ ଅଫିସରେ ମୁଖା ପିନ୍ଧି ମଧ୍ୟ ବସି ହେବନାହିଁ। ସେମାନଙ୍କ ପରିଶ୍ରମରୁ ଅଫିସ ସଫାସୁତୁରା ରହୁଛି। ଆମେ ଭଲରେ କାମ କରିପାରୁଛେ। ହେଲେ ଆମ ସ୍ବାସ୍ଥ୍ୟକର ପରିବେଶ ଦେଉଥିବା ସଫେଇ କର୍ମଚାରୀଟିକୁ ଘୃଣା କରିବା କାହିଁକି? ପୋଷାକ ଇସ୍ତ୍ରି କରୁଥିବା ଲୋକଟି ଅଛୁଆଁ କେମିତି ହେଲା ଯେ! ଆମ ଚପଲ ମରାମତି କାର୍ଯ୍ୟ କରି ସୁଖଦ ଚାଲିବାର ମାର୍ଗ ପ୍ରଶସ୍ତ କରୁଥିବା ମୋଚି ଭାଇଟି ଇତର କେମିତି ହୋଇଗଲା! ଏ ଜାତିବାଦୀ ଅବିଚାର ଓ କାମ ଅନୁସାରେ ସମ୍ମାନ ଦେବା ସଂକୀର୍ଣ୍ଣ ମାନସିକତାରୁ ଊଦ୍ଧର୍‌ବକୁ ଉଠି ସବୁ ଶ୍ରମର ମର୍ଯ୍ୟାଦା ଓ ମହତ୍ତକୁ ବୁଝିବା ଆବଶ୍ୟକ। ସମାଜ ରୂପକ ଶରୀରର ପ୍ରତ୍ୟେକ ଅଙ୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନଖରୁ ଶିଖ ସମସ୍ତଙ୍କ ସହଯୋଗରେ ଯେପରି ଏକ ସୁସ୍ଥ ସବଳ ଶରୀର ସମ୍ଭବ ଠିକ୍‌ ସେହିପରି ସମାଜର ପ୍ରତ୍ୟେକ ବୃତ୍ତିଧାରୀମାନଙ୍କ ସହଯୋଗ ଓ ଯୋଗଦାନରେ ଆମର ସର୍ବାଙ୍ଗୀନ ବିକାଶ ସମ୍ଭବ। ଏଥିପାଇଁ ଜାତିଆଣ ମନୋଭାବର ବୁଢ଼ିଆଣୀ ଜାଲରୁ ମୁକୁଳି ମାନବବାଦରେ ବିଶ୍ବାସ ରଖିବା ଉଚିତ।
ଏଠାରେ ସ୍ବାମୀ ବିବେକାନନ୍ଦଙ୍କ ଏକ କଥା ପ୍ରାସଙ୍ଗିକ ମନେହୁଏ। ଥରେ ରେଳରେ ଯାତ୍ରା କରିବା ବେଳେ ଜଣେ ବୃଦ୍ଧା ସ୍ବାମିଜୀଙ୍କୁ ତାଙ୍କ ଜାତି ସମ୍ବନ୍ଧରେ ପଚାରିଲେ। ସ୍ବାମିଜୀ ଅତି ସୁନ୍ଦର ଭାବରେ ନିଜର ଜାତି ସମ୍ବନ୍ଧରେ ବୁଝେଇ ଦେଲେ। ଫଳରେ ବୃଦ୍ଧାଙ୍କ ଭିତରେ ଜାତିଆଣ ମନୋଭାବର ବୃଥା ଅହଂ ଦୂର ହୋଇଗଲା। ସ୍ବାମିଜୀ କହିଲେ, ମୁଁ ସକାଳୁ ଉଠୁ ଉଠୁ ଘର ଝାଡ଼ୁ ମାରେ ଓ ସଂପୂର୍ଣ୍ଣ ଘର ସଫାକରେ। ତେଣୁ ମୁଁ ମେହନ୍ତର। ତା’ପରେ ସ୍ନାନ ସାରି ପୂଜାପାଠ କରେ, ସେତେବେଳେ ବ୍ରାହ୍ମଣ। ଯେତେବେଳେ ମୋର ଲୁଗା ସଫାକରେ ସେତେବେଳେ ରଜକ। ରୋଷେଇ କଲାବେଳେ ସୂପକାର, ଇତ୍ୟାଦି। ଅର୍ଥାତ୍‌ ଆମେ ପ୍ରତି ଦିନ ଘରେ ସବୁ ବୃତ୍ତିର କାମ କରନ୍ତି। ତେବେ ସେହି କାମ କରି ଗୁଜୁରାଣ ମେଣ୍ଟାଉଥିବା ସ୍ବାଭିମାନୀ ଲୋକଟି ଅଛୁଆଁ କେମିତି ହୋଇପାରିବ? ଗୋଟିଏ ଧାଡ଼ିରେ କହିଲେ ଆମେ ଯେତେବେଳେ ଯାଏ ସବୁ ବୃତ୍ତିକୁ ସମ୍ମାନ ଦେଇନାହାନ୍ତି, ସବୁ ଶ୍ରମର ମହତ୍ତ୍ୱକୁ ହୃଦୟଙ୍ଗମ କରିନାହାନ୍ତି, ସେତେବେଳ ଯାଏ ଏକ ବିକଶିତ ଓ ସମାବେଶୀ ସମାଜ ଗଠନ ଅସମ୍ଭବ। ଆସନ୍ତୁ ଶ୍ରମକୁ ସମ୍ମାନ ଓ ମର୍ଯ୍ୟାଦା ଦେବା।
ସହକାରୀ ପ୍ରାଧ୍ୟାପକ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri