ଶିକ୍ଷକଙ୍କ ସପକ୍ଷରେ

ଡ. କୁଳାଙ୍ଗାର
ସକାଳୁ ସକାଳୁ ସିଏ ହାତରେ ଠେଙ୍ଗାଟିଏ ଧରି ଦୁଇ ଅକ୍ଷରୀ ଶ୍ଲୋକ ଉଚ୍ଚାରଣ ପୂର୍ବକ ଲେଖକଙ୍କ ଘରେ ପହଞ୍ଚତ୍ଲା ଏବଂ ବିଦ୍ୟାଳୟର ନାନା ଅବ୍ୟବସ୍ଥା ସମ୍ପର୍କରେ କାହିଁକି ଲେଖିଚ ବୋଲି ପଚାରିଲା। ଲେଖକ ଚକିତ ହୋଇ ବୁଝେଇଲେ- ଆରେ ଭାଇ ତମ ପିଲାମାନଙ୍କର ମଙ୍ଗଳ ପାଇଁ ଲେଖିଚି!
ସିଏ କହିଲା- ମଙ୍ଗଳ ନୁହେଁ ଅମଙ୍ଗଳ ପାଇଁ ଲେଖିଚ। ଏବେ ଯଦି ତୁମ ଲେଖା ପଢି ଉଚ୍ଚ ଅଧିକାରୀଏ ଦିଦି ସାର୍‌ମାନଙ୍କର କାର୍ଯ୍ୟକଳାପକୁ ବନ୍ଦ କରିଦିଅନ୍ତି, ହଇରାଣ ତ ଆମେ ହେବୁ ନା!
ଲେଖକ ପଚାରିଲେ- କେମିତି ହଇରାଣ ହେବ ଶୁଣେ! ସିଏ କହିଲା- ତମେ ଲେଖିଚ; ହେଡମାଷ୍ଟ୍ରେ ଗାଁରେ ଦି’ଟା ଦୋକାନ ଖୋଲିଛନ୍ତି। ଅଧିକାଂଶ ସମୟ ଦୋକାନରେ ରହୁଛନ୍ତି। ବିଦ୍ୟାଳୟକୁ ଆସିବାର ନାଁ ଧରୁନାହାନ୍ତି! କିନ୍ତୁ ସତକଥା ହେଲା ମାଷ୍ଟ୍ରେ ଏଇ ଦୋକାନଟି ଖୋଲିବା ଦିନଠାରୁ ଆମକୁ ଆଉ ଛଅ କିଲୋମିଟର ଦୂରକୁ ସଉଦା ଆଣିବାକୁ ଯିବାକୁ ପଡୁନି। ଦୂର ବଜାର ଅପେକ୍ଷା ମାଷ୍ଟ୍ରେ ଆମକୁ ଶସ୍ତା ଦରରେ ଚାଉଳ, ଅଣ୍ଡା, ତେଲ, ବଡି ଓ ମସଲାମସଲି ଯୋଗେଇ ଦେଉଛନ୍ତି। ଏବେ ପୁଣି ଗୋଟେ ମୋବାଇଲ ଦୋକାନ ଖୋଲିଚନ୍ତି, ଯେଉଁଠି ଆମେ ମୋବାଇଲ ମରାମତି କରିବା ସହ ରିଚାର୍ଜ ମଧ୍ୟ କରିପାରୁଛୁ। କେବଳ ହେଡମାଷ୍ଟ୍ରଙ୍କ ପାଇଁ ନ ମିଳିଲା ଜିନିଷକୁ ବି ରାତିଅଧ ପାହାନ୍ତା ପ୍ରହରରେ ଆମେ ହାତପାଆନ୍ତାରେ ପାଇପାରୁଛୁ। ସେମିତି ମାଷ୍ଟ୍ରଙ୍କୁ ତମେ ନିନ୍ଦିଲେ ଆମ ଦେହ ସହିବ?
ଯେଉଁମାଷ୍ଟ୍ରେ ଦିନସାରା ବିଦ୍ୟାଳୟରେ ଶୋଇକି ଘୁଙ୍ଗୁଡି ମାରନ୍ତି ବୋଲି ଲେଖିଚ, ସିଏ କେଡେ ପରୋପକାରୀ ତମେ ଜାଣିଚ? ମାଷ୍ଟ୍ରେ ଯେହେତୁ ନାଇଟ୍‌କୋଚ ବସ୍‌ରେ କଣ୍ଡକ୍ଟରୀ କରନ୍ତି, ବାଧ୍ୟ ହୋଇ ଦିନରେ ଶୁଅନ୍ତି। ନ ପଢାନ୍ତୁ ପଛେ ସେଥିରେ ଆମର ସିଏ ବହୁ ଉପକାର କରନ୍ତି। ବସ୍‌ରେ ଆମ ଗାଁ ଲୋକଙ୍କଠାରୁ କମ୍‌ ପଇସା ନିଅନ୍ତି, କେବେକେବେ କାହା ପାଖରେ ନ ଥିଲେ ମଧ୍ୟ ଚଳେଇ ଦିଅନ୍ତି। ସହରରେ କୋଉ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବୁ, କୋଉ ପ୍ରାଇଭେଟ କଲେଜରେ ପିଲାର ନାଁ ଲେଖେଇବୁ, କୋଉ ଅଫିସ କୋଉଠି? ସବୁକଥାରେ କଣ୍ଡକ୍ଟର ହୋଇ ଯାଉଥିବା ମାଷ୍ଟ୍ରେ ସାହାଯ୍ୟ କରନ୍ତି।
ଆଉ ଜଣେ ମାଷ୍ଟ୍ରେ ମାସରେ ଦିନେ ଆସି ଦରମା ନେଇ ଯାଆନ୍ତି। ଏକଥା ସତ। ଏକଥା ବି ସତ କି ସେଦିନ ସିଏ ସ୍କୁଲ୍‌ରେ ଗୋଟେ ବଢିଆ ଭୋଜି ଦିଅନ୍ତି। କୋଠଘରେ ଯେଉଁ ବଡ ଟିଭିଟା ଲାଗିଚି ସିଏ ଦେଇଛନ୍ତି, ଆଉ ସେଥିରେ ଲାଗିଥିବା କେବୁଲ୍‌ ସଂଯୋଗର ମାସିକ ଦେୟ ବି ସିଏ ଦିଅନ୍ତି। ଗାଁରେ ଏମିତି ମର୍ଦ୍ଦପୁଅ ନାହାନ୍ତି, ଯିଏ ସେଇ ମାଷ୍ଟ୍ରଙ୍କଠାରୁ କରଜ ନେଇ ନାହାନ୍ତି।
ଲେଖାରେ ଆମମାନଙ୍କୁ ବି ଛାଡିନ। ଲେଖିଚ କି ଆମେମାନେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ମଦପିଇ ବିଦ୍ୟାଳୟକୁ ଯାଉଛୁ ଆଉ ଖାଇ ପିଇ ସବୁଥିରେ ଦସ୍ତଖତ କରି ଦଉଛୁ! ଦେଖନ୍ତୁ ଆଜ୍ଞା, ଯେଉଁମାନେ ଆଜିଯାଏ ସ୍କୁଲ ହତା ମାଡି ନ ଥିଲେ ସେମାନେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ହେବାରୁ ଅନ୍ତତଃ ସେତକ ହୋଇପାରୁଛି। ଆମ ଏମେଲେ ତ ସେଦିନ ସଭାରେ କହୁଥିଲେ କି- ସରକାରଙ୍କର ଲକ୍ଷ୍ୟ ହେଲା ସମସ୍ତେ ସ୍କୁଲ୍‌ ଯାଆନ୍ତୁ! ସ୍କୁଲ୍‌କୁ ଯଦି ଯିବେ, ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟିବା ପରି ସେମାନେ ସେଠି ଅଲ୍‌ବତ ମଦ ପିଇବେ!
ଆହୁରି ଲେଖିଚ କ’ଣ ନା ଉପରିସ୍ଥ ଅଧିକାରୀମାନେ ଏକଥା ଦେଖିବାକୁ ଆସୁନାହାନ୍ତି! ସେମାନେ ଆସିଲେ ତ ଆମର କ୍ଷତି। ଚାଉଳ, ଡାଲି, ତେଲ ସିନା ସ୍କୁଲ୍‌ରେ ଅଛି କିନ୍ତୁ କୁକୁଡା ତ ଆମ ଘରୁ ଯିବ ନା। ଆମ ପିଲେ ପଢା ଛାଡି ରୋଷେଇ ପାଇଁ ଜାଳେଣି କାଠ ଆଣିବାକୁ ଘରକୁ ଧାଇଁବେ! ସିଏ ଆସିକି କ’ଣ ସବୁ ପଚରାପଚରି କରି ମାଷ୍ଟ୍ର, ଦିଦିଙ୍କ ମନ ଖରାପ କରିଦେଇ ଯିବେ। ସିଏ ଗଲାପରେ ଏମାନେ ଆମ ପିଲାଙ୍କୁ ମାଡ ଦେଇ ରାଗ ସାରିବେ।
ପୁଣି ଆମର ପୁରୁଷପଣିଆକୁ ଧିକ୍କାର କରି ଲେଖିଚ କ’ଣ ନା- ପିଲା ସଂଖ୍ୟା କମିଯାଉଥିବାରୁ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ପଡୁଛି! ହଇଓ ପିଲାସଂଖ୍ୟା କ’ଣ ଆମେ ଜାଣିକରି କମାଉଛୁ? ସର୍କାର ତ କହିଲା କି- ଛୋଟ ପରିବାର ସୁଖୀ ପରିବାର, ଦୁଇଟି ସନ୍ତାନ ଯଥେଷ୍ଟ, ଆମେ ଦୁଇ ଆମର ଦୁଇ। ଦୁଇରୁ ଅଧିକ ପିଲାଥିଲେ ଭୋଟ୍‌ ଲଢିପାରିବନି, ସୁବିଧା ପାଇପାରିବନି। ତେଣୁ ବିଦ୍ୟାଳୟରେ ପିଲାସଂଖ୍ୟା କମିବା ପାଇଁ ସର୍କାର ଦାୟୀ। ସର୍କାର ଚାହିଁବ ତ ଆମେ ବର୍ଷ କେତେଟାରେ ପିଲାସଂଖ୍ୟା ବଢେଇଦେବୁ!
ତା’ କଥାଶୁଣି ଲେଖକ ଆବାକାବା। ତା’ର ଅକାଟ୍ୟ ଯୁକ୍ତିକୁ କାଟିବାକୁ ଯାଇ ଲେଖକେ ଥଙ୍ଗଥଙ୍ଗ କଣ୍ଠରେ କହିଲେ- କିନ୍ତୁ ପାଠପଢା ତ ହେଉନି ନା! ସିଏ କହିଲା- ପାଠପଢାରେ କେତେ ଖର୍ଚ୍ଚ ଆମେ ଜାଣିଛୁ। ଥରେ ଗାଁକୁ ଜଣେ ନୂଆମାଷ୍ଟ୍ର ଆସିଲେ। ଦିନସାରା ବିଦ୍ୟାଳୟରେ ପଢେଇ ସକାଳ ସନ୍ଧ୍ୟାରେ ପୁଣି ଟ୍ୟୁଶନ କଲେ। ତା’ଠୁ ଦେଖି ସମସ୍ତେ ପିଲାଙ୍କୁ ତାଙ୍କ ପାଖକୁ ଟ୍ୟୁଶନ ଛାଡିଲୁ। ମାସ ଶେଷରେ ସିଏ ପଇସା ମାଗିଲେ। ଠିକ୍‌ରେ ଦେଇ ନ ପାରି ଟ୍ୟୁଶନ ଫିସ୍‌ ବାକିଆ ବଢିଚାଲିଲା। ଅନ୍ୟ ଉପାୟ ନ ପାଇ ଶେଷରେ ସମସ୍ତେ ଲାଗିପାଗି ମାଷ୍ଟ୍ରଙ୍କୁ ବଦଳି କରିଦେଲୁ।
ଆପଣ ବୋଧେ ଜାଣିନାହାନ୍ତି, ସରକାରୀ ହୁଅନ୍ତୁ କି ବିରୋଧୀ; ସମସ୍ତଙ୍କ ସହିତ ଆମ ମାଷ୍ଟ୍ରମାନଙ୍କର ଭଲ ସମ୍ପର୍କ। ତେଣୁ ମନେରଖ, ଭଲ ଗତି ଥିଲେ ଆଗକୁ କେବେ ଆମ ଦିଦି କି ସାର୍‌ଙ୍କ ବିଷୟରେ ହୀନ କରି ଲେଖିବ ନାଇଁ। ଲେଖିବ ଯଦି ଟେକାଟେକି କରି ଲେଖିବ, ଯେମିତି ଜଣକୁ ଆଗାମୀ ଭୋଟ୍‌ରେ ପ୍ରାର୍ଥୀ ହେବା ପାଇଁ ଟିକେଟ ମିଳିଯିବ !
ମୋ-୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri