ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର

ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ। ତମେ ଯଦି ମନ୍ତ୍ରୀ ବା ନେତା ହୋଇଥାଆନ୍ତ, ତେବେ ସବୁ ସମସ୍ୟା କ’ଣ ସମାଧାନ କରିପାରିବ?“ ଆମେ ତାଙ୍କୁ କହିଲୁ- ସମାଲୋଚନା କଲେ ଜଣେ ଲାଭବାନ୍‌ ହୁଏନା, ବରଂ ବ୍ୟକ୍ତିଗତ ଭାବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। କିନ୍ତୁ ତାହା ଆବଶ୍ୟକ। ଯଦି ଜଣେ ସମାଲୋଚକ ରାଜନୀତିରେ ଯୋଗଦିଏ ବା ନେତା ମନ୍ତ୍ରୀ ହୁଏ, ତେବେ ତାଙ୍କର ତ୍ରୁଟି ଦର୍ଶାଇବା ଅନ୍ୟ ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ କର୍ତ୍ତବ୍ୟ ହୋଇଥାଏ। ପ୍ରତ୍ୟେକ ଲୋକର ବୃତ୍ତି ଅନୁସାରେ କର୍ତ୍ତବ୍ୟ ରହିଛି। ଯେପରି ପୋଲିସ ଚୋର ଓ ଅପରାଧୀଙ୍କୁ ଧରିବା, ବିଚାରପତି ଦୋଷୀକୁ ଦଣ୍ଡଦେବା କର୍ତ୍ତବ୍ୟ, ସେହିପରି ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ ଶାସକ ଶ୍ରେଣୀର ବିଫଳତା ଦେଖାଇବା ନୈତିକ କର୍ତ୍ତବ୍ୟ; ଯାହା ଗତ କିଛିବର୍ଷ ହେବ ବ୍ୟତିକ୍ରମ ଦେଖାଦେଇଛି। ପୁନଶ୍ଚ ପ୍ରଶ୍ନ ନୁହେଁ ଜଣେ ବାମପନ୍ଥୀ ନା ଦକ୍ଷିଣପନ୍ଥୀର, ପ୍ରଶ୍ନ ହେଉଛି ଠିକ୍‌ କ’ଣ? କେଉଁ ନୀତିରେ ସର୍ବାଧିକ ଲୋକ ବିଶେଷକରି ସମାଜର ଦୁର୍ବଳ ଶ୍ରେଣୀ ଲୋକ ବେଶି ଉପକୃତ ହେବେ। ଜଣେ ମାନବବାଦୀ ହେବା ଉଚିତ। ଲୋକଙ୍କ କଥା ବା ଅବହେଳିତ ଶ୍ରେଣୀଙ୍କ କଥା କହିବା ଯେଉଁ ଚିନ୍ତାଧାରାର ଲୋକ କୁହାଯାଉନା କାହିଁକି ତାହା କରିବା ଉଚିତ। ଗାନ୍ଧିଜୀ କହିଥିଲେ, ସରକାର କୌଣସି ପଦକ୍ଷେପ ଓ ସିଦ୍ଧାନ୍ତ ନେବା ପୂର୍ବରୁ ଭାବିବା ଉଚିତ ଯେ ତାଙ୍କର ସେହି ସିଦ୍ଧାନ୍ତ ବା ପଦକ୍ଷେପ ଦ୍ବାରା ସମାଜର ସବୁଠାରୁ ଦୁର୍ବଳ ଶ୍ରେଣୀ ଲୋକ କେତେ ଉପକୃତ ହେଉଛନ୍ତି।
ପୁନଶ୍ଚ ଏକ ଶକ୍ତିଶାଳୀ ବିରୋଧୀ ଦଳ ରହିଲେ ଗଣତନ୍ତ୍ର ମଜଭୁତ ହୋଇଥାଏ । ଗଣମାଧ୍ୟମ, ବୁଦ୍ଧିଜୀବୀମାନେ ସରକାରଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ସମାଲୋଚନା କରିପାରନ୍ତି। ଗୋଟିଏ ଶାସନ ବ୍ୟବସ୍ଥା ହେଉଛି ଏକ ଗାଡ଼ି। ଶାସକ ଶ୍ରେଣୀ ହେଉଛି ତାହାର ପରିଚାଳକ। ସମାଲୋଚକ, ଗଣମାଧ୍ୟମ, ନ୍ୟାୟାଳୟ, ବିରୋଧୀ ଦଳ, ବୁଦ୍ଧିଜୀବୀ ବିଶେଷକରି ପ୍ରଗତିଶୀଳ ଚିନ୍ତାଧାରାର ଲୋକ ଏମାନେ ହେଉଛନ୍ତି ବ୍ରେକ୍‌। ଯଦି ଦ୍ରୁତଚାଳିତ ଗାଡ଼ିର ବ୍ରେକ୍‌ ଦୁର୍ବଳ ହୁଏ ବା ଫେଲ୍‌ ମାରେ ଯାହା ଅବସ୍ଥା ହୁଏ, ଆମ ଦେଶରେ ଶାସନ ବ୍ୟବସ୍ଥା, ଶାସକ ଶ୍ରେଣୀର କାର୍ଯ୍ୟକଳାପ ସେହି ଅବସ୍ଥାକୁ ଗଲାଣି। ଗରିବ ଓ ଦୁର୍ବଳ ଶ୍ରେଣୀ ଉପରେ ଶୋଷଣ ରୂପକ ଗାଡ଼ି ଦ୍ରୁତ ଗତିରେ ଚଢ଼ି ଯାଉଛି। ଶାସକ ଶ୍ରେଣୀର ନୀତି ଧନିକ ଶ୍ରେଣୀଙ୍କୁ ସୁହାଉଛି। କର୍ପୋରେଟ୍‌ ଜଗତ ସରକାରଙ୍କୁ ଏପରି ନୀତି ପ୍ରଣୟନ କରିବାକୁ ବାଧ୍ୟ କରୁଛି, ଯେପରି ସେମାନେ ଟିକସ ରିହାତି ପାଇବେ, ଋଣ ପରିଶୋଧ କରିବାକୁ ପଡ଼ିବ ନାହିଁ। ଯଦି ପଡ଼ିବ କମ୍‌ ପଡ଼ିବ ଏବଂ ଟିକସର ବୋଝ ଗରିବଙ୍କ ଉପରେ ବେଶି ପଡ଼ିବ।
ବର୍ତ୍ତମାନ ଧନୀ, ଶିଳ୍ପପତି, ପୁଞ୍ଜିପତି ତଥା କ୍ଷମତାଶାଳୀଙ୍କ ସ୍ବାର୍ଥ ଯେଉଁଥିରେ ସାଧନ ହେବ, ସେହିପରି ପଦକ୍ଷେପ ନିଆଯାଉଛି ଏବଂ ଟିକସଦାତାଙ୍କ ଅର୍ଥରେ ଘନ ଘନ ପ୍ରଚାର କରାଯାଉଛି। ଦେଶରେ ଦରଦାମ ବୃଦ୍ଧି ଅତ୍ୟନ୍ତ ଭୟଙ୍କର ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଅପହଞ୍ଚ। ମାର୍ଚ୍ଚ ୧୮ରେ ପ୍ରକାଶିତ ୱାର୍ଲ୍‌ଡ ଇନ୍‌ଇକ୍ବାଲିଟି ଲ୍ୟାବ ରିପୋର୍ଟ ଅନୁସାରେ, ଭାରତର ଆଧୁନିକ ପୁଞ୍ଜିପତିବର୍ଗଙ୍କ ‘ବିଲିଓନେୟାର ରାଜ୍‌’ ଉପନିବେଶବାଦୀଙ୍କ ‘ବ୍ରିଟିଶ ରାଜ୍‌’କୁ ବଳିଯାଇଛି। ଧନିକ ଶ୍ରେଣୀର ଲୋକମାନଙ୍କ ପାଖରେ ବିପୁଳ ସମ୍ପଦ ଥିବା ବେଳେ ଗରିବ ଲୋକମାନେ ଠିକ୍‌ ଢଙ୍ଗରେ ଜୀବନ କାଟିବାକୁ ସଂଘର୍ଷ କରୁଛନ୍ତି। ଗତ ୧୦୦ ବର୍ଷ ଭିତରେ ଏଭଳି ସ୍ଥିତି ଦେଶରେ ଦେଖିବାକୁ ମିଳି ନ ଥିଲା। ବର୍ତ୍ତମାନ ସମୟର ସ୍ଥିତି ଉପନିବେଶବାଦ ବେଳର ସ୍ଥିତିଠାରୁ ଖରାପ ମନେହେଉଛି। ପରାଧୀନ ସମୟରେ ମଧ୍ୟ ଦେଶରେ ଆୟ ବୈଷମ୍ୟର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିନଥିଲା। ‘ଇଣ୍ଡିଆ ଏମ୍ପ୍ଲୟମେଣ୍ଟ ରିପୋର୍ଟ ୨୦୨୪’ ଅନୁସାରେ ଯୁବକମାନଙ୍କ ମଧ୍ୟରେ ବେକାର ହାର ବିଶ୍ବ ତୁଳନାରେ ଭାରତରେ ଅଧିକ ରହିଛି। ରିଜର୍ଭ ବ୍ୟାଙ୍କ ଅନୁସାରେ ପାରିବାରିକ ଋଣ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଆର୍ଥିକ ସଞ୍ଚୟ ହ୍ରାସ ପାଇଛି ଓ ଦୁଃସ୍ଥିତି ବୃଦ୍ଧି ପାଇଛି। ଜିଡିପି ସିନା ବୃଦ୍ଧି ପାଉଛି, ବିଭିନ୍ନ ସୂଚକାଙ୍କରେ ଭାରତ ଅତ୍ୟନ୍ତ ନିମ୍ନରେ ରହିଛି। ପରିସ୍ଥିତି ଏପରି ଭୟଙ୍କର ଯେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାର ଆବଶ୍ୟକତା ପଡ଼ୁଛି। ନିର୍ବାଚନରେ ମିଥ୍ୟା ତଥା ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ହେଉଛି। ଗରିବ, ଶ୍ରମିକ ଓ ଚାଷୀ ଅବହେଳିତ ହେଉଛନ୍ତି ଏବଂ ସେମାନଙ୍କ ସ୍ବର ଆଜି ନିଷ୍ପ୍ରଭ। କିଛି ଭାବୁଛନ୍ତି ଧନୀମାନେ ଅତ୍ୟନ୍ତ ଆରାମଦାୟକ ଜୀବନ ବିତାଇବେ, କୋଟି କୋଟି ଟଙ୍କା ଠୁଳ କରିବେ, କିନ୍ତୁ କୋଟି କୋଟି ଜନତା ମୁଠାଏ ଖାଇ ଚୁପ୍‌ ରୁହନ୍ତୁ। ଶାସକ ଶ୍ରେଣୀର ଗୁଣଗାନ କରନ୍ତୁ।
ସତ୍ୟ ହେଉଛି, ବିଶ୍ୱର ଶାସନ ବ୍ୟବସ୍ଥା କର୍ପୋରେଟ ତଥା ଧନିକ ଶ୍ରେଣୀକୁ ସୁହାଇଲା ପରି ପରିବର୍ତ୍ତନ କରାଯାଉଛି। ଜଣେ କ୍ଷମତାରେ ରହିବାକୁ ହେଲେ ବା ହାସଲ କରିବାକୁ ହେଲେ କର୍ପୋରେଟ ତଥା ଧନିକ ଶ୍ରେଣୀଙ୍କ ସ୍ବାର୍ଥକୁ ସର୍ବାଧିକ ଶାସକ ଶ୍ରେଣୀ ଦେଇଥା’ନ୍ତି। ଏହି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ରୋକିବା ପାଇଁ ଏକ ଶକ୍ତ ବ୍ରେକ୍‌ ଅର୍ଥାତ୍‌ ଦୃଢ଼ ବିରୋଧୀ ଦଳ, ଗଣମାଧ୍ୟମ ଆବଶ୍ୟକ। କିନ୍ତୁ ବିରୋଧୀ ଦଳକୁ ଭାଗ ଭାଗ କରି କିମ୍ବା ବିଭିନ୍ନ ଉପାୟରେ ଦୁର୍ବଳ କରିଦିଆଯାଉଛି। ସାଧାରଣତଃ ସର୍ବଦା ଶାସକ ଶ୍ରେଣୀକୁ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଟାର୍ଗେଟ୍‌ କରିଥା’ନ୍ତି, କାରଣ ଏକ ସରକାର ନିର୍ବାଚିତ ହୋଇଥାଏ ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ। ବର୍ତ୍ତମାନ ଓଲଟା ବିରୋଧୀ ଦଳକୁ ଟାର୍ଗେଟ୍‌ କରାଯାଉଅଛି। ବିଶ୍ୱ ପ୍ରେସ୍‌ ସୂଚକାଙ୍କ ୨୦୨୪ ଅନୁସାରେ ଭାରତ ୧୮୦ଟି ଦେଶ ମଧ୍ୟରୁ ୧୬୧ ସ୍ଥାନରେ ଅଛି, ଅର୍ଥାତ୍‌ ୧୬୦ଟି ଦେଶ ତଳେ। ଏହା ସୂଚାଉଛି ଯେ ପ୍ରତିବାଦର ସ୍ବର ଦିନକୁ ଦିନ କ୍ଷୀଣ ହେଉଛି। ଭାରତ ଏକ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ବୋଲି ଦି ଇକୋନୋମିଷ୍ଟ ତା’ର ରିପୋର୍ଟରେ କହିଛି।
ପୁନଶ୍ଚ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ସରକାରଙ୍କୁ ସୁହାଇଲା ପରି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିତିଷ୍ଠ ହେବାପାଇଁ ଜଣକର ଦକ୍ଷତା, ପ୍ରତିଭା ଓ ଜ୍ଞାନର ଯେତିକି ଆବଶ୍ୟକ ନୁହେଁ, ଶାସକ ଶ୍ରେଣୀର ରାଜନୈତିକ ଚିନ୍ତାଧାରାକୁ ସମର୍ଥନ କରିବା ସହିତ ରାଜନୈତିକ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ମୁଖ୍ୟ ମାନଦଣ୍ଡ ହୋଇଛି। ଫଳରେ ଲୋକେ ଠିକ୍‌ ଭାବେ ନ୍ୟାୟ ପାଉନାହାନ୍ତି। ପୁନଶ୍ଚ ଇଡି, ସିବିଆଇ, ଆୟକର ବିଭାଗକୁ ଶାସକ ଶ୍ରେଣୀର ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର କରାଯିବାର ଅଭିଯୋଗ ହେଉଛି। ଏମାନେ ବିରୋଧୀ ଦଳକୁ ନିରସ୍ତ୍ର କରି ଦେଉଛନ୍ତି। ଶାସକ ଶ୍ରେଣୀର କୌଣସି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଉପରେ ଚଢ଼ାଉ କରା ନ ଯାଇ ବିରୋଧୀ ଦଳର ନେତାଙ୍କ ଉପରେ ଜାଣିଶୁଣି ଚଢ଼ାଉ କରାଯାଉଛି। ଯଦି ବିଭିନ୍ନ ଚଢ଼ାଉ, ରେଡ୍‌ ପରେ ଜଣେ ଶାସକ ଦଳରେ ଯୋଗ ଦେଉଛନ୍ତି, ତାଙ୍କୁ ଦଣ୍ଡରୁ ମୁକ୍ତି ମିଳୁଛି। ନଚେତ୍‌ ହଇରାଣ ହରକତ ହେବାକୁ ପଡୁଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ବିରୋଧୀ ଦଳର ୨୫ ଜଣଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଥିଲେ ମଧ୍ୟ ୨୩ ଜଣ ଭାଜପାରେ ଯୋଗ ଦେବା ପରେ ତାଙ୍କୁ ଦୋଷମୁକ୍ତ କରିଦିଆଯାଇଛି। ଏଣୁ କିଏ ଶାସନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଏକ ଶକ୍ତ ବିରୋଧୀ ଦଳ, ଗଣମାଧ୍ୟମ ସେତିକି ମହତ୍ତ୍ୱପୂର୍ଣ୍ଣ। ସମାଲୋଚକଙ୍କୁ ଘୃଣା ଚକ୍ଷୁରେ ଦେଖା ନ ଯାଉ।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?