ରାଜନୀତି ପ୍ରୟୋଗଶାଳା ନ ହେଉ

ପ୍ରକାଶ ତ୍ରିପାଠୀ
ଉତ୍ତରପ୍ରଦେଶର କୁଲଦୀପ ସିଂ ସିଙ୍ଗାର ହୁଅନ୍ତୁ ଅବା ଓଡିଶାର ଅନୁପ ସାଏ। ଗତ କିଛିଦିନ ଧରି ଗଣମାଧ୍ୟମରେ ଏହି ଦୁଇ ରାଜନେତାଙ୍କ ସମ୍ପର୍କରେ ଯେଉଁସବୁ ଅପରାଧଭିତ୍ତିକ ଖବର ପ୍ରକାଶ ପାଉଛି ସେଗୁଡିକୁ ତର୍ଜମା କଲେ ବର୍ତ୍ତମାନର ରାଜନୀତିର ସ୍ଥିତି ସହଜରେ ଅନୁମାନ କରିହୁଏ। ରାଜନୀତି ଓ ଅପରାଧ ସତେ ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଅନୁଭବ ହୁଏ। ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିବିଶେଷ ରାଜନୀତିକୁ ଆସିବା ସହଜ ହେଉଛି ନା ରାଜନୀତିକୁ ଆସିବା ପରେ ବ୍ୟକ୍ତିଟି ଅପରାଧପ୍ରବଣ ହୋଇଯାଉଛି ତାହା ବି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ସେ ଯାହା ହେଉ, ଦାଗୀ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନିର୍ବାଚନ ମାଧ୍ୟମରେ ସାମ୍ବିଧାନିକ ବ୍ୟବସ୍ଥାକୁ ଆସିବାରେ ପ୍ରତିବନ୍ଧକ ସୃଷ୍ଟି କରା ନ ଗଲେ ଏହା ଭାରତରେ ଅସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି କରିବା ସହ ଲୋକତନ୍ତ୍ରକୁ ଦୁର୍ବଳ କରିଚାଲିବ। ରାଜନୀତିର ଅପରାଧୀକରଣ ବଢିଲେ ଗଣତନ୍ତ୍ରରୁ ସୁଫଳ ମିଳିବା ଆଶା କ୍ଷୀଣ ହେବ। ଏଭଳି ଆଶଙ୍କା ଏବେ ସୁପ୍ରିମ୍‌କୋର୍ଟଙ୍କ ଏକ ନିର୍ଦ୍ଦେଶନାମାରୁ ଦୃଢ ହୋଇଛି। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ରାଜନୈତିକ ଦଳଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି କି, ଯଦି ସେମାନେ ନିର୍ବାଚନରେ ଅପରାଧ ଅଭିଯୋଗ ଥିବା ବା ଦାଗୀ ପ୍ରାର୍ଥୀଙ୍କୁ ସୁଯୋଗ ଦିଅନ୍ତି, ତେବେ ଜନସାଧାରଣଙ୍କୁ ସେହି ପ୍ରାର୍ଥୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବେ। ଏମିତି କ’ଣ ବାଧ୍ୟବାଧକତା ଥିଲା ଯେ ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତିଯୁକ୍ତ ପ୍ରାର୍ଥୀଙ୍କ ବଦଳରେ ବିଭିନ୍ନ ଅପରାଧରେ ଅଭିଯୁକ୍ତ ତଥା ଦାଗୀ ପ୍ରାର୍ଥୀଙ୍କୁ ସେମାନେ ନିର୍ବାଚନରେ ଚୟନ କଲେ। ନ୍ୟାୟାଳୟଙ୍କ ପକ୍ଷରୁ ଆହୁରି ନିର୍ଦ୍ଦେଶ ଦିଆଯାଇଛି ଯେ, ଏଭଳି ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରିବାର ୪୮ ଘଣ୍ଟା ମଧ୍ୟରେ ରାଜନୈତିକ ଦଳମାନେ ନିଜ ଓ୍ବେବ୍‌ସାଇଟରେ ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବା ସହ ଏକ ଜାତୀୟ ଓ ସ୍ଥାନୀୟ ଖବରକାଗଜରେ ମଧ୍ୟ ନିଜ ଦଳର ଆଭିମୁଖ୍ୟ ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରିବେ। ଏହା ସହ ନିର୍ବାଚନ ଆୟୋଗ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ନିଜ ଓ୍ବେବ୍‌ସାଇଟରେ ତାହାକୁ ଅପ୍‌ଲୋଡ୍‌ କରିବେ। ଯଦି କୌଣସି ରାଜନୈତିକ ଦଳ ଏହାକୁ କାର୍ଯ୍ୟକାରୀ ନ କରନ୍ତି, ତେବେ ତାହାକୁ ଅଦାଲତ ଅବମାନନା ଆଧାରରେ ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏତାଦୃଶ ନିର୍ଦ୍ଦେଶନାମା ଭାରତରେ ଅପରାଧ ଓ ରାଜନୀତି ମଧ୍ୟରେ କ୍ରମବର୍ଦ୍ଧିିଷ୍ଣୁ ସମ୍ପର୍କଜନିତ ସମସ୍ୟାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ରାଜନୈତିକ ଦଳଗୁଡିକ ଉପରେ ଚାପ ସୃଷ୍ଟି କରିଛି।
ରାଜନୀତି ଓ ନିର୍ବାଚନକୁ ଅପରାଧମୁକ୍ତ କରିବା ଲକ୍ଷ୍ୟରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏହା ପ୍ରଥମ ନିର୍ଦ୍ଦେଶନାମା ନୁହେଁ। ଏ ସମ୍ପର୍କରେ ପୂର୍ବରୁ ନିର୍ଦ୍ଦେଶନାମା ଆସିଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇନାହିଁ। ବିଶେଷକରି ରାଜନୈତିକ ଦଳଗୁଡିକ ପକ୍ଷରୁ ଏ ଦିଗରେ ବିଶେଷ ଆଗ୍ରହ ପ୍ରକାଶ ପାଉ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ୨୦୧୮ ମସିହାରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ନିର୍ବାଚନ ଲଢିବା ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀ ନିଜ ନିଜ ଅପରାଧର ରେକର୍ଡ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଦାଖଲ କରିବେ। ଏହା ସହ ସମସ୍ତ ରାଜନୈତିକ ଦଳ ପ୍ରତି ନିର୍ଦ୍ଦେଶନାମା ଥିଲା ଯେ, ଦଳ ପକ୍ଷରୁ ନିର୍ବାଚନରେ ଭାଗ ନେଉଥିବା ସବୁ ପ୍ରାର୍ଥୀଙ୍କ ସମ୍ପର୍କରେ ସିବିଶେଷ ସୂଚନା ନିଜ ନିଜର ଓ୍ବେବ୍‌ସାଇଟରେ ସ୍ଥାନିତ କରିବେ। ପ୍ରାର୍ଥୀଙ୍କ ସମ୍ପର୍କରେ ସବୁ ତଥ୍ୟ ଜାଣିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। ସୁପ୍ରିମ୍‌କୋର୍ଟ ମତ ରଖିଥିଲେ ଯେ, ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ପାର୍ଲାମେଣ୍ଟରେ ଆଇନ ପ୍ରସ୍ତୁତ ହେଉ। ମାତ୍ର ଏ ସଂକ୍ରାନ୍ତରେ ଉଚିତ ପଦକ୍ଷେପ ନିଆ ନ ଯିବାରୁ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା ଓ ଏହାର ବିଚାର କରି ସର୍ବୋଚ୍ଚ ଅଦାଲତ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ବାହୁବଳ ଓ ଅର୍ଥବଳ ପ୍ରଭାବରେ ନିର୍ବାଚନ ବୈତରଣୀ ପାରହେବା କ୍ରମଶଃ ସହଜ ହୋଇଯାଉଥିବାରୁ ପ୍ରାୟ ସମସ୍ତ ରାଜନୈତିକ ଦଳ ଏଭଳି ପୃଷ୍ଠଭୂମିର ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଆଗଭର ହେଉଛନ୍ତି। ଏହା ଅତି ଦୁର୍ଭାଗ୍ୟର ବିଷୟ ଯେ, ବିଭିନ୍ନ ଅପରାଧରେ ଜଡିତ ଓ ଅଭିଯୁକ୍ତ ଥିବା ବାହୁବଳୀ ପ୍ରାର୍ଥୀମାନେ ନିଷ୍କଳଙ୍କ ତଥା ନିର୍ମଳ ଭାବମୂର୍ତ୍ତିସମ୍ପନ୍ନ ପ୍ରାର୍ଥୀଙ୍କ ଅପେକ୍ଷା ଅଧିକ ନିର୍ବାଚନ ସଫଳତା ହାସଲ କରୁଛନ୍ତି। ଯେହେତୁ ଭୋଟରମାନଙ୍କୁ କୌଣସି ଆଇନ ବା ନିର୍ଦ୍ଦେଶନାମାରେ ସେମାନଙ୍କର ଭୋଟଦାନ ସ୍ବାଧୀନତା ଓ ଅଧିକାରକୁ ନିୟନ୍ତ୍ରିତ କରାଯାଇପାରିବ ନାହିଁ, ସେଥିପାଇଁ ସୁପ୍ରିମ୍‌କୋର୍ଟ ରାଜନୈତିକ ଦଳଗୁଡିକ ଉପରେ ଏପରି ନିର୍ଦ୍ଦେଶନାମା ଜାରି କରିଥିବା ଅନୁମାନ କରାଯାଏ। ମୂଳରୁ ନିର୍ବାଚନ ସଂସ୍କାର କରାଯାଇ ଦାଗୀ ପ୍ରାର୍ଥୀଙ୍କୁ ହଟାଯାଇ ପାରିଲେ ରାଜନୀତିକୁ ସ୍ବଚ୍ଛ କରାଯାଇପାରିବ।
ରାଜନୀତି ଅପରାଧର ପ୍ରୟୋଗଶାଳା ନ ହେଉ, ଏଭଳି ଏକ ଆଶା ସୃଷ୍ଟି ହୋଇଛି ସୁପ୍ରିମ୍‌କୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ଆସିବା ପରେ। ବର୍ତ୍ତମାନ ଦେଶରେ ଏପରି କୌଣସି ରାଜନୈତିକ ଦଳ ନାହିଁ, ଯେଉଁ ଦଳରେ କି ଅପରାଧ ଅଭିଯୁକ୍ତ ପ୍ରାର୍ଥୀ ନାହାନ୍ତି। ଯେହେତୁ ଭାରତୀୟ ଲୋକତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କ ନିର୍ବାଚନରେ ପ୍ରାର୍ଥୀ ହେବାର ଅଧିକାର ରହିଛି, ସେଥିପାଇଁ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ରୋକିବା ସହଜ ହେଉନାହିଁ। ସାଧାରଣ ଭୋଟର ବି ପ୍ରାର୍ଥୀମାନଙ୍କ ସମ୍ପର୍କରେ ଶତ ପ୍ରତିଶତ ସୂଚନା ପାଇପାରୁ ନାହାନ୍ତି। ଯଦି ଅଦାଲତଙ୍କ ନିର୍ଦ୍ଦେଶାବଳୀ ମୁତାବକ ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସମ୍ପର୍କିତ ତଥ୍ୟ ଖବରକାଗଜ ତଥା ସୋସିଆଲ ମିଡିଆ ଆଦିରେ ପ୍ରକାଶ ପାଇବ, ହୁଏତ ସାଧାରଣ ଭୋଟର ସେମାନଙ୍କ ଚିନ୍ତାଧାରାକୁ ବଦଳାଇ ପାରନ୍ତି। ମାତ୍ର ଏହାଦ୍ୱାରା ସୁଫଳ ମିଳିବାର ଆଶା କ୍ଷୀଣ। କାରଣ ଭୋଟରଙ୍କୁ ପ୍ରଭାବିତ କରିବାର କୌଶଳକୁ ହାତଛଡା କରିବାକୁ କୌଣସି ପ୍ରାର୍ଥୀ ଚାହିଁବେ ନାହିଁ। ସେଥିପାଇଁ ତ ନିର୍ବାଚନରେ ବାହୁବଳ ଓ ଅର୍ଥବଳର ପ୍ରଭାବ ବେଶି ରହୁଛି। ଏଠାରେ ନ୍ୟାଶ୍‌ନାଲ ଓ୍ବାଚ୍‌ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଉପରେ ନଜର ପକାଯାଇପାରେ। ନିର୍ବାଚନରେ ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ହେଉଥିବା ଘୋଷଣାପତ୍ର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଥାଏ। ବର୍ତ୍ତମାନ ଲୋକ ସଭାରେ ପ୍ରାୟ ୫୦ ଭାଗ ସଦସ୍ୟଙ୍କ ବିରୋଧରେ ବିଭିନ୍ନ ଅପରାଧ ଅଭିଯୋଗ ରହିଛି। ବିଗତ ଲୋକ ସଭା ସଭ୍ୟମାନଙ୍କଠାରୁ ଏହା ଶତକଡା ୪୪ ଭାଗ ଅଧିକ। ୫୩୯ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ପ୍ରାର୍ଥୀ ନିଜ ଘୋଷଣାନାମାରେ ସେମାନଙ୍କ ବିରୋଧରେ ଅପରାଧ ମାମଲା ରହିଥିବା ସୂଚନା ପ୍ରଦାନ କରିଥିଲେ। ଏହାର ସଂଖ୍ୟା ବିଗତ ଦୁଇଟି ଲୋକ ସଭାର ଅପରାଧ ଅଭିଯୁକ୍ତ ସଭ୍ୟଙ୍କଠାରୁ ଅଧିକ। ୨୦୧୪ ସାଧାରଣ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଶତକଡା ୩୪ ଭାଗଙ୍କ ବିରୋଧରେ ଆପରାଧିକ ମାମଲା ରହିଥିଲା ବେଳେ ୨୦୦୯ ନିର୍ବାଚନରେ ୩୦ ଭାଗ ବିଜୟୀ ପ୍ରାର୍ଥୀଙ୍କର ଆପରାଧିକ ମାମଲା ରହିଥିଲା। ୨୦୧୪ରେ ତାହା ୪୩ ଭାଗକୁ ବୃ୍‌ଦ୍ଧି ପାଇଛି। ସବୁଠାରୁ ଅଧିକ ଚିନ୍ତା କରିବାର ବିଷୟ ହେଉଛି ଯେ, ୨୦୧୯ ନିର୍ବାଚନରେ ୨୯ ଭାଗ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା, ଯେପରି କି ବଳାତ୍କାର, ହତ୍ୟା ଓ ଅପହରଣ ଆଦି ମାମଲା ରହିଛି। ଏପରି କି ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରି କରି କ୍ଷମତାକୁ ଆସିଥିବା ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ଅପରାଧ ପୃଷ୍ଠଭୂମି ଥିବା ରାଜନେତାଙ୍କ କବଳରୁ ମୁକ୍ତ ନୁହେଁ। ବିଡମ୍ବନାର ବିଷୟ ଏହା ଯେ, ରାଜନେତାଙ୍କ ବିରୋଧରେ ଆସୁଥିବା ମାମଲାଗୁଡିକର ତ୍ୱରିତ ବିଚାର ପାଇଁ କୌଣସି ବ୍ୟବସ୍ଥା ହୋଇପାରୁନାହିଁ। ମକଦ୍ଦମା ଓ ରାଜନୀତି ସମାନ୍ତରାଳ ଭାବେ ଆଗକୁ ବଢିଚାଲିଥାଏ ଏବଂ ବିଚାର ପ୍ରକ୍ରିୟା ବିଳମ୍ବ ଯୋଗୁ ଏହାର କୌଣସି ପ୍ରଭାବ ରାଜନୈତିକ ଜୀବନ ଉପରେ ପଡି ନ ଥାଏ।
ନ୍ୟାୟପାଳିକା ତ ନିର୍ଦ୍ଦେଶନାମା ଜାରି କରିଦେଲେ। ଏବେ ଦେଖିବାର କଥା ରାଜନୈତିକ ଦଳଗୁଡ଼ିକ ଏହି ନିର୍ଦ୍ଦେଶନାମାକୁ କିପରି ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି। ଏକଥା ସ୍ପଷ୍ଟ ଯେ, ଯେ ପର୍ଯ୍ୟନ୍ତ ଅପରାଧ ପୃଷ୍ଠଭୂମି ଥିବା ବା ଦାଗୀ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ଦେଶରେ ଆଇନ ପ୍ରଣୟନ ନ ହୋଇଛି ସେ ପର୍ଯ୍ୟନ୍ତ ରାଜନୀତିକୁ ସମ୍ପୂର୍ଣ୍ଣ ଅପରାଧମୁକ୍ତ କରାଯିବା ସମ୍ଭବ ହେବ ନାହିଁ। ତେବେ ରାଜନୀତିକୁ ଅପରାଧକରଣ କରାଯିବା ଦ୍ୱାରା ଯେଉଁମାନେ ଏଥିରୁ ଲାଭବାନ ହେଉଛନ୍ତି ସେହିମାନଙ୍କ ଦ୍ୱାରା ରାଜନୀତିକୁ ସ୍ବଚ୍ଛ, ନିର୍ମଳ ଓ ନିଃସ୍ବାର୍ଥ ସେବାର ରୂପ ଦିଆଯାଇପାରିବାର ଆଶା ଆମେ ରଖିପାରିବା ତ? ଯେଉଁ ଜନପ୍ରତିନିଧି ଆଇନ ବଳରେ ଦେଶରେ ନିର୍ବାଚନ ହେଉଛି, ସେଥିରେ ପ୍ରାର୍ଥୀଙ୍କ ଯୋଗ୍ୟତା, ଅଯୋଗ୍ୟତା ଓ କ୍ଷମତାର ନିର୍ଦ୍ଧାରଣ କେବଳ ସଂସଦ ହିଁ କରିପାରିବ, ନ୍ୟାୟପାଳିକା ନୁହେଁ। ସର୍ବୋପରି ରାଜନୀତିର ଅପରାଧକରଣ ରୋକିବା ଦିଗରେ ଜନସାଧାରଣଙ୍କ ସଚେତନତା ଅଧିକ ଫଳପ୍ରଦ ହେବ।
prakastripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri