ଭିତରକନିକା ବଞ୍ଚାଅ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀସାରା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏହା ସମସ୍ତେ ଉପଲବ୍ଧି କଲେଣି। ତଥାପି ମଣିଷ ଚେତୁନାହିଁ। ଜୈବ ବିବିଧତା ବିଗିଡ଼ିଗଲେ ପ୍ରାକୃତିକ ଅସନ୍ତୁଳନତା ଦେଖାଦେବ। ସେଥିଲାଗି ବୈଜ୍ଞାନିକ ଓ ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ପରିବେଶକୁ ବଞ୍ଚାଇ ରଖିବାକୁ ହେଲେ ପ୍ରକୃତିର ନିୟମ ମାନିବାକୁ ପଡ଼ିବ। ଓଡ଼ିଶାରେ ପର୍ଯ୍ୟଟନକୁ ଏବେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଅଧିକ ରାଜସ୍ବ ସଂଗ୍ରହ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉତ୍ସାହପ୍ରଦ। କିନ୍ତୁ କେଉଁ କ୍ଷେତ୍ରରେ କେଉଁଭଳି ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରାଗଲେ ତାହା ପରିବେଶ ଉପରେ କୁପ୍ରଭାବ ପକାଇବ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବା ନିତାନ୍ତ ଆବଶ୍ୟକ। ନିକଟରେ ବିଧାନସଭା ଅଧିବେଶନରେ ପର୍ଯ୍ୟଟନ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ଖୁବ୍‌ଶୀଘ୍ର ଭିତରକନିକାରେ ଅନ୍ୟାନ୍ୟ ଜଳକ୍ରୀଡ଼ା ପର୍ଯ୍ୟଟନର ବିକାଶ କରାଯିବା ସହ ଆମୋଦପୂର୍ଣ୍ଣ ଜଳଯାତ୍ରା ସକାଶେ କ୍ରୁଜ୍‌ ଶିପ୍‌ ବ୍ୟବହାର କରାଯିବ। ଇତିମଧ୍ୟରେ କେରଳ ଅନ୍ତର୍ଦ୍ଦେଶୀୟ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିବା ମନ୍ତ୍ରୀ କହିଥିଲେ।
ଦେଖିବାକୁ ଗଲେ ରାଜ୍ୟରେ ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ପର୍ଯ୍ୟଟନର ବିକାଶ କରାଯାଇପାରନ୍ତା। ଏଠାରେ ଭିତରକନିକା ଓ ଚିଲିକା ଭଳି ଜୈବ ବିବିଧତାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯିବା ଦ୍ୱାରା ପ୍ରାକୃତିକ ସନ୍ତୁଳନ ବିଗିଡ଼ିବା ଯଥେଷ୍ଟ ଆଶଙ୍କା ରହିଛି। ୨୦୧୮ରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଚିଲିକା ଉପରେ ପଡ଼ିଥିଲା। ଚିଲିକା ଜଳରାଶି ଉପରେ ଏରୋଡ୍ରମ୍‌ ନିର୍ମାଣ କରାଯାଇ ଉଭୟଚର (ଆମ୍ଫିବିଆନ୍‌) ଉଡ଼ାଜାହାଜ ଅବତରଣ କରାଯିବାର ଚିନ୍ତା କରାଯାଇଥିଲା। ଆମେ ଏହି ସ୍ତମ୍ଭରେ ୧୪ ଅଗଷ୍ଟ ୨୦୧୮ରେ ‘ଚିଲିକା ବଞ୍ଚାଅ’ ନାମକ ଲେଖା ପ୍ରକାଶ କରିଥିଲୁ। ଏଥିରେ ଦର୍ଶାଇଥିଲୁ ଯେ, ଏହି ହ୍ରଦ ଉପରେ ବିମାନ ଉଡ଼ାଣ କରାଗଲେ ଏହା ଘୋର ପ୍ରଭାବିତ ହେବ। କେବଳ ଯେ ଅସଂଖ୍ୟ ଭ୍ରମଣକାରୀ ପକ୍ଷୀ ଚିଲିକାକୁ ଆସିଥାଆନ୍ତି ତାହା ନୁହେଁ, ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଇରାଓ୍ବାଡି ଡଲ୍‌ଫିନ୍‌ ସ୍ଥାୟୀ ଭାବେ ରହିଛନ୍ତି। ମୋଟର ବୋଟ୍‌ ଚଳାଚଳ ଦ୍ୱାରା ପକ୍ଷୀଙ୍କ ଶାନ୍ତିଭଙ୍ଗ ହେବା ଆଶଙ୍କା ଥିବା ବେଳେ ହ୍ରଦ ଉପରେ ଉଡ଼ାଜାହାଜ ଉଡ଼ିଲେ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା। ଆମେ ଏହି ଦିଗଟିକୁ ଦର୍ଶାଇବା ପରେ ଅନ୍ୟ ଗଣମାଧ୍ୟମ ସହିତ ବିଭିନ୍ନ ମହଲରୁ ଏହା ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଫଳରେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରି ପ୍ରକଳ୍ପକୁ ସ୍ଥଗିତ ରଖିଛନ୍ତି। ଅନୁରୂପ ଭାବେ ଦେଖିଲେ ଭିତରକନିକା ଏକ ଜାତୀୟ ଅଭୟାରଣ୍ୟ। ଅସଂଖ୍ୟ ଜୀବଜନ୍ତୁ, ସରୀସୃପ ଏବଂ ପକ୍ଷୀଙ୍କ ଏହା ବାସସ୍ଥାନ। ଏଥିସହ ଏଠାକାର ଲୁଣି ଜଳରେ ଦେଖା ଦେଉଥିବା ବିରଳ ବଉଳା କୁମ୍ଭୀର ଲାଗି ଭିତରକନିକା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ସଦ୍ୟ ଗଣନା ଅନୁଯାୟୀ ୧୭୬୭ କୁମ୍ଭୀର ଅଛନ୍ତି। ସେଠାରେ କ୍ରୁଜ୍‌ ଶିପ୍‌ ଚାଲିଲେ ଏହା ଜୈବ ବିବିଧତାକୁ ନଷ୍ଟ କରିବା ସହ ଜୀବଜନ୍ତୁଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଏଥିସହ ଅନେକ ବ୍ୟକ୍ତି ଉକ୍ତ ଅଞ୍ଚଳକୁ ବ୍ୟବସାୟିକ କାର୍ଯ୍ୟରେ ବିନିଯୋଗ କରିପାରନ୍ତି। ତାହା ଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଇବ ଏବଂ ଲୋକ ଗହଳି ରହିଲେ ସେଠାକାର ଜୀବଜନ୍ତୁଙ୍କ ଅନିଷ୍ଟ ହେବ। ବାସ୍ତବରେ ଜଳକ୍ରୀଡ଼ା ବା ଜଳରେ ଦୁଃସାହସିକ ଯାତ୍ରାକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଶସ୍ତ ଜଳରାଶି ଥିବା ଏବଂ ତାହା ଦ୍ୱାରା ଜୈବ ବିବିଧତା ନଷ୍ଟ ହେଉ ନ ଥିବା ଅଞ୍ଚଳକୁ ବଛାଯିବା ଦରକାର। ଓଡ଼ିଶାରେ ସେଭଳି ଅନେକ ଅଞ୍ଚଳ ରହିଛି। ପର୍ଯ୍ୟଟନ ନାମରେ ପ୍ରକୃତିର ଏଭଳି କମନୀୟ ସ୍ଥାନକୁ ଟେକି ଦିଆଗଲେ ଜଳଚର ଜୀବଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିବ। ବର୍ତ୍ତମାନ ପ୍ଲାଷ୍ଟିକ୍‌ର ପର୍ଯ୍ୟାପ୍ତ ବ୍ୟବହାର ଉଭୟ ସ୍ଥଳ ଓ ଜଳଭାଗର ଅନେକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି। ଯେତେବେଳେ ଭିତରକନିକା ଭଳି ଜୈବ ବିବିଧତାଭରା ଇଲାକାକୁ ପର୍ଯ୍ୟଟକଙ୍କ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ପାଇଁ ଛାଡ଼ି ଦିଆଯିବ, ସେତେବେଳେ ସ୍ଥିତି ଅଧିକ ବିଗିଡ଼ିଯିବ। ଏମିତି ଦେଖିଲେ ବଣଭୋଜି କରିବାକୁ ଯାଉଥିବା ଅଧିକାଂଶ ଲୋକ ପର୍ଯ୍ୟଟନସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ସାମାନ୍ୟତମ ଦୃଷ୍ଟି ଦେଇ ନ ଥାନ୍ତି। ଥରେ ଗୋଟିଏ ସ୍ଥାନକୁ ଯିବା ପରେ ସେଠାରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ଠାରୁ ଆରମ୍ଭ କରି ଷ୍ଟାଇରୋଫୋମ୍‌ ପକାଇ ଦେବା ସହ ଅଇଁଠା ଖାଦ୍ୟକୁ ଫୋପାଡ଼ି ଦେଇ ଆସିଥାଆନ୍ତି। ଭିତରକନିକାକୁ ଜଳଯାତ୍ରା ଲାଗି ଆମୋଦଦାୟକ ଜଳ ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରିଦିଆଗଲେ ଭୋଗବାଦୀମାନେ ପ୍ରକୃତିର ଶୋଭା ଉପଭୋଗ କରିବା ପରିବର୍ତ୍ତେ ଜୈବ ବିବିଧତାକୁ ନଷ୍ଟ କରିଚାଲିବେ। ପ୍ରକୃତିକୁ ବଞ୍ଚାଇ ରଖିଲା ଭଳି ପଦକ୍ଷେପ ନିଆଯାଇ ପର୍ଯ୍ୟଟନର ବିକାଶ ଲାଗି ବିକଳ୍ପ ସ୍ଥାନ ବଛାଗଲେ ରାଜ୍ୟ ଆଶାନୁରୂପ ରାଜସ୍ବ ସଂଗ୍ରହ, ନିଯୁକ୍ତି ବୃଦ୍ଧି କରିବା ସହ ଲକ୍ଷ୍ୟ ହାସଲ କରିପାରନ୍ତା। ସେଥିପାଇଁ ସ୍ପଷ୍ଟ କୁହାଯାଇପାରେ ଯେ, ସେଠାରେ କୌଣସି ମଉଜ ମଜଲିସ୍‌ର ଭିତ୍ତିଭୂମି ସୃଷ୍ଟି କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri