ଭିତରକନିକା ବଞ୍ଚାଅ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀସାରା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏହା ସମସ୍ତେ ଉପଲବ୍ଧି କଲେଣି। ତଥାପି ମଣିଷ ଚେତୁନାହିଁ। ଜୈବ ବିବିଧତା ବିଗିଡ଼ିଗଲେ ପ୍ରାକୃତିକ ଅସନ୍ତୁଳନତା ଦେଖାଦେବ। ସେଥିଲାଗି ବୈଜ୍ଞାନିକ ଓ ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ପରିବେଶକୁ ବଞ୍ଚାଇ ରଖିବାକୁ ହେଲେ ପ୍ରକୃତିର ନିୟମ ମାନିବାକୁ ପଡ଼ିବ। ଓଡ଼ିଶାରେ ପର୍ଯ୍ୟଟନକୁ ଏବେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଅଧିକ ରାଜସ୍ବ ସଂଗ୍ରହ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉତ୍ସାହପ୍ରଦ। କିନ୍ତୁ କେଉଁ କ୍ଷେତ୍ରରେ କେଉଁଭଳି ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରାଗଲେ ତାହା ପରିବେଶ ଉପରେ କୁପ୍ରଭାବ ପକାଇବ ନାହିଁ, ସେଥିପ୍ରତି ଦୃଷ୍ଟି ଦିଆଯିବା ନିତାନ୍ତ ଆବଶ୍ୟକ। ନିକଟରେ ବିଧାନସଭା ଅଧିବେଶନରେ ପର୍ଯ୍ୟଟନ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ଖୁବ୍‌ଶୀଘ୍ର ଭିତରକନିକାରେ ଅନ୍ୟାନ୍ୟ ଜଳକ୍ରୀଡ଼ା ପର୍ଯ୍ୟଟନର ବିକାଶ କରାଯିବା ସହ ଆମୋଦପୂର୍ଣ୍ଣ ଜଳଯାତ୍ରା ସକାଶେ କ୍ରୁଜ୍‌ ଶିପ୍‌ ବ୍ୟବହାର କରାଯିବ। ଇତିମଧ୍ୟରେ କେରଳ ଅନ୍ତର୍ଦ୍ଦେଶୀୟ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିବା ମନ୍ତ୍ରୀ କହିଥିଲେ।
ଦେଖିବାକୁ ଗଲେ ରାଜ୍ୟରେ ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ପର୍ଯ୍ୟଟନର ବିକାଶ କରାଯାଇପାରନ୍ତା। ଏଠାରେ ଭିତରକନିକା ଓ ଚିଲିକା ଭଳି ଜୈବ ବିବିଧତାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯିବା ଦ୍ୱାରା ପ୍ରାକୃତିକ ସନ୍ତୁଳନ ବିଗିଡ଼ିବା ଯଥେଷ୍ଟ ଆଶଙ୍କା ରହିଛି। ୨୦୧୮ରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଚିଲିକା ଉପରେ ପଡ଼ିଥିଲା। ଚିଲିକା ଜଳରାଶି ଉପରେ ଏରୋଡ୍ରମ୍‌ ନିର୍ମାଣ କରାଯାଇ ଉଭୟଚର (ଆମ୍ଫିବିଆନ୍‌) ଉଡ଼ାଜାହାଜ ଅବତରଣ କରାଯିବାର ଚିନ୍ତା କରାଯାଇଥିଲା। ଆମେ ଏହି ସ୍ତମ୍ଭରେ ୧୪ ଅଗଷ୍ଟ ୨୦୧୮ରେ ‘ଚିଲିକା ବଞ୍ଚାଅ’ ନାମକ ଲେଖା ପ୍ରକାଶ କରିଥିଲୁ। ଏଥିରେ ଦର୍ଶାଇଥିଲୁ ଯେ, ଏହି ହ୍ରଦ ଉପରେ ବିମାନ ଉଡ଼ାଣ କରାଗଲେ ଏହା ଘୋର ପ୍ରଭାବିତ ହେବ। କେବଳ ଯେ ଅସଂଖ୍ୟ ଭ୍ରମଣକାରୀ ପକ୍ଷୀ ଚିଲିକାକୁ ଆସିଥାଆନ୍ତି ତାହା ନୁହେଁ, ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଇରାଓ୍ବାଡି ଡଲ୍‌ଫିନ୍‌ ସ୍ଥାୟୀ ଭାବେ ରହିଛନ୍ତି। ମୋଟର ବୋଟ୍‌ ଚଳାଚଳ ଦ୍ୱାରା ପକ୍ଷୀଙ୍କ ଶାନ୍ତିଭଙ୍ଗ ହେବା ଆଶଙ୍କା ଥିବା ବେଳେ ହ୍ରଦ ଉପରେ ଉଡ଼ାଜାହାଜ ଉଡ଼ିଲେ ବିଷମ ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା। ଆମେ ଏହି ଦିଗଟିକୁ ଦର୍ଶାଇବା ପରେ ଅନ୍ୟ ଗଣମାଧ୍ୟମ ସହିତ ବିଭିନ୍ନ ମହଲରୁ ଏହା ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଫଳରେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରି ପ୍ରକଳ୍ପକୁ ସ୍ଥଗିତ ରଖିଛନ୍ତି। ଅନୁରୂପ ଭାବେ ଦେଖିଲେ ଭିତରକନିକା ଏକ ଜାତୀୟ ଅଭୟାରଣ୍ୟ। ଅସଂଖ୍ୟ ଜୀବଜନ୍ତୁ, ସରୀସୃପ ଏବଂ ପକ୍ଷୀଙ୍କ ଏହା ବାସସ୍ଥାନ। ଏଥିସହ ଏଠାକାର ଲୁଣି ଜଳରେ ଦେଖା ଦେଉଥିବା ବିରଳ ବଉଳା କୁମ୍ଭୀର ଲାଗି ଭିତରକନିକା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ସଦ୍ୟ ଗଣନା ଅନୁଯାୟୀ ୧୭୬୭ କୁମ୍ଭୀର ଅଛନ୍ତି। ସେଠାରେ କ୍ରୁଜ୍‌ ଶିପ୍‌ ଚାଲିଲେ ଏହା ଜୈବ ବିବିଧତାକୁ ନଷ୍ଟ କରିବା ସହ ଜୀବଜନ୍ତୁଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଏଥିସହ ଅନେକ ବ୍ୟକ୍ତି ଉକ୍ତ ଅଞ୍ଚଳକୁ ବ୍ୟବସାୟିକ କାର୍ଯ୍ୟରେ ବିନିଯୋଗ କରିପାରନ୍ତି। ତାହା ଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଇବ ଏବଂ ଲୋକ ଗହଳି ରହିଲେ ସେଠାକାର ଜୀବଜନ୍ତୁଙ୍କ ଅନିଷ୍ଟ ହେବ। ବାସ୍ତବରେ ଜଳକ୍ରୀଡ଼ା ବା ଜଳରେ ଦୁଃସାହସିକ ଯାତ୍ରାକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଶସ୍ତ ଜଳରାଶି ଥିବା ଏବଂ ତାହା ଦ୍ୱାରା ଜୈବ ବିବିଧତା ନଷ୍ଟ ହେଉ ନ ଥିବା ଅଞ୍ଚଳକୁ ବଛାଯିବା ଦରକାର। ଓଡ଼ିଶାରେ ସେଭଳି ଅନେକ ଅଞ୍ଚଳ ରହିଛି। ପର୍ଯ୍ୟଟନ ନାମରେ ପ୍ରକୃତିର ଏଭଳି କମନୀୟ ସ୍ଥାନକୁ ଟେକି ଦିଆଗଲେ ଜଳଚର ଜୀବଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିବ। ବର୍ତ୍ତମାନ ପ୍ଲାଷ୍ଟିକ୍‌ର ପର୍ଯ୍ୟାପ୍ତ ବ୍ୟବହାର ଉଭୟ ସ୍ଥଳ ଓ ଜଳଭାଗର ଅନେକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି। ଯେତେବେଳେ ଭିତରକନିକା ଭଳି ଜୈବ ବିବିଧତାଭରା ଇଲାକାକୁ ପର୍ଯ୍ୟଟକଙ୍କ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ପାଇଁ ଛାଡ଼ି ଦିଆଯିବ, ସେତେବେଳେ ସ୍ଥିତି ଅଧିକ ବିଗିଡ଼ିଯିବ। ଏମିତି ଦେଖିଲେ ବଣଭୋଜି କରିବାକୁ ଯାଉଥିବା ଅଧିକାଂଶ ଲୋକ ପର୍ଯ୍ୟଟନସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ସାମାନ୍ୟତମ ଦୃଷ୍ଟି ଦେଇ ନ ଥାନ୍ତି। ଥରେ ଗୋଟିଏ ସ୍ଥାନକୁ ଯିବା ପରେ ସେଠାରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ଠାରୁ ଆରମ୍ଭ କରି ଷ୍ଟାଇରୋଫୋମ୍‌ ପକାଇ ଦେବା ସହ ଅଇଁଠା ଖାଦ୍ୟକୁ ଫୋପାଡ଼ି ଦେଇ ଆସିଥାଆନ୍ତି। ଭିତରକନିକାକୁ ଜଳଯାତ୍ରା ଲାଗି ଆମୋଦଦାୟକ ଜଳ ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରିଦିଆଗଲେ ଭୋଗବାଦୀମାନେ ପ୍ରକୃତିର ଶୋଭା ଉପଭୋଗ କରିବା ପରିବର୍ତ୍ତେ ଜୈବ ବିବିଧତାକୁ ନଷ୍ଟ କରିଚାଲିବେ। ପ୍ରକୃତିକୁ ବଞ୍ଚାଇ ରଖିଲା ଭଳି ପଦକ୍ଷେପ ନିଆଯାଇ ପର୍ଯ୍ୟଟନର ବିକାଶ ଲାଗି ବିକଳ୍ପ ସ୍ଥାନ ବଛାଗଲେ ରାଜ୍ୟ ଆଶାନୁରୂପ ରାଜସ୍ବ ସଂଗ୍ରହ, ନିଯୁକ୍ତି ବୃଦ୍ଧି କରିବା ସହ ଲକ୍ଷ୍ୟ ହାସଲ କରିପାରନ୍ତା। ସେଥିପାଇଁ ସ୍ପଷ୍ଟ କୁହାଯାଇପାରେ ଯେ, ସେଠାରେ କୌଣସି ମଉଜ ମଜଲିସ୍‌ର ଭିତ୍ତିଭୂମି ସୃଷ୍ଟି କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri