ମୋର ଭୁଲ୍‌ କେଉଁଠି

ଅଚିହ୍ନା ଥିବା ଯାଏ ମୋ ମାଆଙ୍କୁ ସଭିଏଁ ଭଲ ପାଉଥିଲେ, ଆଦର ଯତ୍ନ କରୁଥିଲେ। ସୁନ୍ଦର ସୁନ୍ଦର ପରାମର୍ଶ ଦେଉଥିଲେ ଯଥା- ଠିକ୍‌ ସମୟରେ ଖାଅ, ସୁଷମ ଖାଦ୍ୟ ଖାଅ, ବିଶ୍ରାମ ନିଅ, ଭାରି କାମ କରନାହିଁ, ସର୍ବଦା ହସଖୁସିରେ ରୁହ, ଡାକ୍ତରଙ୍କ କଥା ମାନ ଇତ୍ୟାଦି। ତା’ର ପ୍ରଭାବ ମୋ ଉପରେ ପଡ଼ୁଥିଲା। ମୁଁ ମଧ୍ୟ ବେଶ୍‌ ଖୁସିରେ ରହୁଥିଲି। ଦିନେ ଗୋପନରେ ଏବଂ ଅତି ସନ୍ତର୍ପଣରେ ମୋର ପରିଚୟ ଖୋଜିବା କାମ ଆରମ୍ଭ ହୋଇଗଲା। ଆଇନକାନୁନ ନ ମାନି ଜଣେ ଅସାଧୁ ବ୍ୟକ୍ତି ଏଥିରେ ସହାୟତା ପ୍ରଦାନକଲେ। ମୋ ପରିଚୟ ପାଇଗଲା ପରେ ଯେଉଁମାନେ ମୋ ମାଆକୁ ଆଦର ଯତ୍ନ କରୁଥିଲେ ସେମାନେ ହତାଦର କରିବା ଆରମ୍ଭ କରିଦେଲେ। ସୁଷମ ଖାଦ୍ୟ ଦୂରେ ଥାଉ ଠିକ୍‌ ସମୟରେ ମଧ୍ୟ ଖାଇବାକୁ ଦେଲେ ନାହିଁ। ଦିନ ତମାମ ମାଆ ଟିକିଏ ବିଶ୍ରାମ ପାଇଲା ନାହିଁ। ତା’ର ପ୍ରଭାବ ମୋ ଉପରେ ପଡ଼ିଲା। ମୋର ପରିଚୟକୁ ଚିରଦିନ ପାଇଁ ନଷ୍ଟ କରିଦେବାକୁ ଷଡ଼ଯନ୍ତ୍ର ଚାଲିଲା। ହେଲେ ମୁଁ ବୁଝିପାରୁ ନ ଥିଲି ମୋର ଭୁଲ୍‌ ରହିଲା କେଉଁଠି? ମୋର ସୃଷ୍ଟି ପାଇଁ କ’ଣ ମୁଁ ଦାୟୀ?
ଏକ କଠିନ ଲଢ଼େଇ ଲଢ଼ି ମୋ ମାଆ ମୋତେ ଧରାପୃଷ୍ଠକୁ ଆଣିଲେ। କିନ୍ତୁ ମାଆ ବ୍ୟତୀତ କାହାରି ମୁହଁରେ ସେଦିନ ହସ ନ ଥିଲା। ମୁଁ ଅନୁଭବ କରୁଥିଲି ସତେ ଯେମିତି ମାଆ ମୋ କାନରେ କହୁଥିଲେ ନୂତନ ଅତିଥି ଭାବରେ କେହି ସ୍ବାଗତକଲେ ନାହିଁ ବୋଲି ମନ ଊଣା କରନାହିଁ। ଖାଲି ଏତିକି ନୁହେଁ, ଆହୁରି ଅନେକ ପ୍ରତିବନ୍ଧକ, ଅନେକ ଅଣଦେଖା ଓ ଅବହେଳା ତୁମକୁ କରାଯିବ। ଏଥିରେ ଭାଙ୍ଗିପଡ଼ିଲେ ହାରିଯିବ। ସବୁକୁ ସହି ନିଜକୁ ସାମର୍ଥ୍ୟ କରି ଗଢ଼ିବାକୁ ହେବ। ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହେବ।
ସତକୁ ସତ ଅଯତ୍ନ, ଅଣଦେଖା ଓ ଅବହେଳା ମୋର ଚିର ସାଥୀ ପାଲଟି ଗଲା। ଅଜସ୍ର ଅନ୍ୟାୟକୁ ଅତିକ୍ରମକରି ମୁଁ ସମୟର ପାବଚ୍ଛ ଆରୋହଣ କରିବାକୁ ଲାଗିଲି। ଛଅଟି ପାହାଚ ଚଢ଼ି ସାରିବା ପରେ ଅନିଚ୍ଛା ସତ୍ତ୍ୱେ ବାଧ୍ୟବାଧକତାରେ ହେଉ ଅଥବା ଲୋକଲଜ୍ଜାକୁ ଭୟକରି ହେଉ ମୋତେ ଗାଅଁା ବିଦ୍ୟାଳୟରେ ଭର୍ତ୍ତି କରାଗଲା। ଅଧିକାଂଶ ଦିନ ମୁଁ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିଲି। ମୋ ସାନଭାଇ ଆଉ ଏକ ବିଦ୍ୟାଳୟରେ ପଢ଼ୁଥିବା ଯୋଗୁ ଅନେକ ସମୟରେ ତାକୁ ଛାଡ଼ି ଆସିବାକୁ ମୋତେ କୁହାଯାଉଥିଲା। ଅମଙ୍ଗ ହେଲେ କୁହାଯାଉଥିଲା, ”ତୋ ଭାଇ ଭଲ ପଢ଼ୁ ତୁ କ’ଣ ଚାହୁଁନା?“ କେହି ଭାବୁ ନ ଥିଲେ ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ ମୋର ବି ପଢ଼ାରେ କ୍ଷତି ହେବ ବୋଲି। ପାଠପଢ଼ା କ୍ଷେତ୍ରରେ ମୋ ସାନଭାଇର ଯେତିକି ଯତ୍ନ ନିଆଯାଉଥିଲା ସେତିକି ଗୁରୁତ୍ୱ ମୋତେ ଦିଆଯାଉ ନ ଥିଲା। ମାଆ ପାଖରେ ନାଲିସ୍‌ କରିବା ବ୍ୟତୀତ ଆଉ କାହା ନିକଟରେ ଅଭିଯୋଗ କରିବାର ସାହସ ମୋ ପାଖରେ ନ ଥିଲା। କିନ୍ତୁ ମାଆ କହୁଥିଲେ, ”ଏକା ସାଥିରେ ଦୁଇଟି ପିଲାର ପଢ଼ା ଖର୍ଚ୍ଚ ଯୋଗାଇବା ପାଇଁ ତୋ ବାପାଙ୍କୁ ଭାରି କଷ୍ଟ ହେଉଛି। ତୁ ତ ଆମ ସୁନା ଝିଅ। ପ୍ରଥମରୁ ବେଶ୍‌ କଷ୍ଟ ସହିଷ୍ଣୁ। ସମସ୍ତ ଅଭାବ ଅସୁବିଧାକୁ ଅତିକ୍ରମକରି ତୁ ନିଶ୍ଚୟ ବଡ଼ ହେବୁ ଏବଂ ସମସ୍ତଙ୍କର ପ୍ରିୟଭାଜନ ହେବୁ।“ ମୁଁ ଜାଣୁଥିଲି ମାଆ ମୋତେ ଖୁସି କରିବା ପାଇଁ ଏସବୁ କଥା କହୁଥିଲେ। ଅସଲ କଥାଟି ହେଲା ମୁଁ ଝିଅ। ସେଇଥିପାଇଁ ଏତେ ପାତରଅନ୍ତର।
ମାଆ ଠିକ୍‌ କହୁଥିଲେ। ଘର ଲୋକଙ୍କର ମୋ ପ୍ରତି ଥିବା ମନୋଭାବ ବଦଳି ଗଲା ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବା ପରେ। ପଞ୍ଚାନବେ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଏ-୧ ଗ୍ରେଡ୍‌ରେ ଯେତେବେଳେ ମୁଁ ଉତ୍ତୀର୍ଣ୍ଣ ହେଲି ବାପା ଖୁସିରେ ମିଠାଇ ବାଣ୍ଟିଲେ। ହେଲେ କିଛି ସାହି ପଡ଼ିଶା ଲୋକ କହିଲେ, ”ଯାହା ହେଲେ ବି ଝିଅ ପିଲାଟା। ପରଘରକୁ ଚାଲିଯିବ। ପୁଅଟା ହୋଇଥିଲେ ବାପା ମାଆଙ୍କ ଦୁଃଖ ନିଅନ୍ତା।“ ବାପା ଶୁଣି ନିରୁତ୍ତର ରହିଥିଲେ। ମୋ ପାଇଁ ସବୁଠାରୁ ଖୁସିର କଥା ଥିଲା ଘରର ସବୁ ଲୋକ ମୋତେ ଭଲପାଇବାକୁ ଆରମ୍ଭ କରିଦେଇଥିଲେ। ଆଦର ଯତ୍ନ କରୁଥିଲେ। ଧରି ନେଇଥିଲି ମୋ ଜୀବନରେ ଦୁଃଖ ଅପସରି ଗଲା। ମାଆ ମୋର ସାହସ ଥିଲେ, ଏଣିକି ବାପା ମୋର ସାହା ପାଲଟିଗଲେ। ଆଉ ଭୟ କାହାକୁ? କିନ୍ତୁ ସମାଜର ଦୃଷ୍ଟିଭଙ୍ଗୀ ଥିଲା ଭିନ୍ନ। ମୋର ସଫଳତା ଅନେକଙ୍କୁ ଈର୍ଷାନ୍ବିତ କରୁଥିଲା। ଅନେକେ ତାଚ୍ଛଲ୍ୟକରି କହୁଥିଲେ, ”ଯେତେ ଭଲ ପଢ଼ିଲେ କ’ଣ ହେବ, ଅନ୍ୟର ସାହାଯ୍ୟ ବିନା ଏମାନେ କ’ଣ ଆଗକୁ ବଢ଼ି ପାରିବେ? ଏମାନେ ଚିରଦିନ ଦୁର୍ବଳ।“ ତଥାପି ସବୁକିଛି ସହିଯାଉଥିଲି, କାରଣ ନିଜକୁ ସ୍ବୟଂ ସମ୍ପୂର୍ଣ୍ଣ କରି ଗଢ଼ିବାକୁ ହେବ, ଏହାହିଁ ଥିଲା ଏକମାତ୍ର ଲକ୍ଷ୍ୟ। ତାହା ହିଁ କରି ଦେଖାଇଲି। ଜାତୀୟ ଚୟନ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟତା ହାସଲ କଲି।
ସମସ୍ତଙ୍କ ଧାରଣା ଥିଲା ଅନ୍ୟ ଝିଅମାନଙ୍କ ପରି ଶାଶୁଘରେ ମୋତେ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ିବ ନାହିଁ। ମୁଁ ମଧ୍ୟ ନିଶ୍ଚିତ ଥିଲି ଲିଙ୍ଗଜନିତ ବୈଷମ୍ୟର ଶିକାର ହେବାକୁ ପଡ଼ିବ ନାହିଁ। କିନ୍ତୁ ଶାଶୁଘରର ଲୋକେ ମୋ ଉପରେ ମାନସିକ ଚାପ ପକାଉଥିଲେ। ଚାକିରି ଛାଡ଼ିଦିଅ ବୋଲି କହିବାକୁ କୁଣ୍ଠାବୋଧ କରୁ ନ ଥିଲେ।
ଜଣେ ନାରୀ ପ୍ରତି ସମାଜର ହୀନମନ୍ୟତାର ସମସ୍ତ ସୀମା ସରହଦ ଅତିକ୍ରମ କରିଗଲା ଯେଉଁଦିନ ମୋର ମାଆ ଚିରଦିନ ପାଇଁ ଆମକୁ ଛାଡ଼ି ହଠାତ୍‌ ଚାଲିଗଲେ। ହୃଦୟ ବିଦାରକ ଖବରଟି ପାଇବା ମାତ୍ରେ ସବୁ କାମକୁ ପଛକୁ ଠେଲିଦେଇ ମୁଁ ଛୁଟିଯାଇଥିଲି ମାଆର ସେହି ଶାନ୍ତ ସରଳ ମୁହଁଟିକୁ ଶେଷ ଦର୍ଶନ କରିବା ପାଇଁ। କିନ୍ତୁ ଯିଏ ସାରା ଜୀବନ ମୋ ଭାରକୁ ବହନକରି କେବେ ଥକି ପଡ଼ି ନ ଥିଲା, ଶେଷ ସମୟରେ ଥରେ ମାତ୍ର ତାକୁ କାନ୍ଧରେ ନେବାର ଅଧିକାର ମୋର ନ ଥିଲା। ବିଜ୍ଞାନକୁ ପଛକୁ ରଖି ବିଶ୍ୱାସକୁ ଆଧାରକରି ତା’ର ଅନ୍ତିମ ଯାତ୍ରା ପଥରେ ମୁଁ ଯେତେବେଳେ ଖଇକଉଡ଼ି ବିଞ୍ଚିବାକୁ ଚାହିଁଲି ସମସ୍ତେ ଅତ୍ୟନ୍ତ ନିର୍ଦ୍ଦୟ ହୋଇ କହିଲେ, ”ନା, ଏହା ପରମ୍ପରା ବିରୋଧୀ। ଅନ୍ତିମ ସଂସ୍କାରରେ ଝିଅ କୌଣସି କର୍ମକାଣ୍ଡରେ ଅଂଶଗ୍ରହଣ କରିପାରିବ ନାହିଁ।“ ଏହା ଶୁଣି ମୋର ସମସ୍ତ ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ମୁଁ ଭୋ ଭୋ କରି କାନ୍ଦି ଉଠି କହିଲି, ”ଏଥିରେ ମୋର ଦୋଷ କ’ଣ?“ ହେଲେ ମୋ ଅନ୍ତରର ବେଦନାକୁ ବୁଝିବା ପାଇଁ କେହି ନ ଥିଲେ।
ନାରୀ ସୁରକ୍ଷା, ମହିଳା ସଶକ୍ତୀକରଣ, ବେଟି ବଞ୍ଚାଅ ନାମରେ ଅସଂଖ୍ୟ କାର୍ଯ୍ୟକ୍ରମ, ଯୋଜନା ହାତକୁ ନିଆଯାଉଛି। କିନ୍ତୁ ଅଧିକାଂଶ ଝିଅ ପାତରଅନ୍ତରର ଶିକାର ହେଉଛନ୍ତି। ଘରେ, ଶାଶୁଘରେ, ଅଫିସ୍‌ରେ, କର୍ମକ୍ଷେତ୍ରରେ ସବୁଠି ଅକଥନୀୟ ଅତ୍ୟାଚାର ସାଙ୍ଗକୁ ଯୌନ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ଧର୍ମ, ପରମ୍ପରା, ସଂସ୍କାରର ଦ୍ୱାହିଦେଇ ସେମାନଙ୍କୁ ଅବହେଳିତ କରି ରଖିବା ସହ ସେମାନଙ୍କ ଯୋଗ୍ୟତାକୁ ନୂ୍ୟନ କରିବାର ସଂକୀର୍ଣ୍ଣତା ଆଜି ବି ସମାଜରେ ବଳବତ୍ତର ଅଛି।
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri