ମୁଁ ସ୍ବର ଉଠାଏ

ଡ. ଗାୟତ୍ରୀବାଳା ପଣ୍ଡା
”ମୁଁ ସ୍ବର ଉଠାଏ- ତା’ର ମାନେ ନୁହେଁ ଯେ ମୁଁ ଚିତ୍କାର କରେ, ତା’ର ଅର୍ଥ ହୁଏତ ଏୟା ଯେ ଯେଉଁମାନେ କିଛି କହିପାରୁନାହାନ୍ତି ସେମାନଙ୍କୁ ମୋ ସ୍ବର ଶୁଭୁ, ମୁଁ ଏଇୟା ହିଁ ଚାହେଁ।“ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର ପାଇଥିବା ମଲାଲା ୟୁସୁଫ୍‌ଜାଇଙ୍କ ଏହି ବକ୍ତବ୍ୟ ପୃଥିବୀର ପ୍ରତି ମହିଳାଙ୍କୁ ସ୍ବାବଲମ୍ବନଶୀଳ ଓ ସ୍ବାଧିକାରସମ୍ପନ୍ନ କରିବାର ଦୃଢ଼ତା ଦିଏ, ମହିଳାଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ଓ ସାହସର ସ୍ଥିରତା ସୃଷ୍ଟି କରିଥାଏ। ଆମେରିକାର ନାରୀବାଦୀ ଲେଖକ, ନାଗରିକ ଅଧିକାର କର୍ମୀ ଅଡ୍ରେ ଲର୍ଡଙ୍କ ମତରେ,”ମୁଁ ସେହି ମହିଳାମାନଙ୍କ ପାଇଁ ଲେଖେ, ଯେଉଁମାନେ କଥାବାର୍ତ୍ତା କରନ୍ତି ନାହିଁ, ଯେଉଁମାନଙ୍କର ସ୍ବର ନାହିଁ କାରଣ ସେମାନେ ଖୁବ୍‌ ଭୟଭୀତ, କାରଣ ଆମକୁ ନିଜ ଅପେକ୍ଷା ଭୟକୁ ଅଧିକ ସମ୍ମାନ ଦେବାକୁ ଶିକ୍ଷା ଦିଆଯାଇଛି, ଆମକୁ ଶିକ୍ଷା ଦିଆଯାଇଛି ଯେ ନୀରବତା ଆମକୁ ରକ୍ଷା କରିବ।“ ରାଜନୀତିଜ୍ଞ ଓ ଚିନ୍ତକ ଏଡ୍‌ମଣ୍ଡ ବୁର୍‌କଙ୍କ ମତରେ, ”ମନ୍ଦ ଶକ୍ତିର ବିଜୟ ପାଇଁ ଯାହା ଦରକାର ତାହା ହେଉଛି ଭଲ ପୁରୁଷ ଓ ମହିଳାମାନେ କିଛି ନ କରିବା।“ ଆଜି ଏକବିଂଶ ଶତାବ୍ଦୀରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ସଫଳତା ସତ୍ତ୍ୱେ, ମହିଳାମାନଙ୍କର ପୁରୁଷଙ୍କ ସହିତ ସମଦକ୍ଷତା ପ୍ରତିପାଦନ ସତ୍ତ୍ୱେ ଆମ ସାମାଜିକ ବ୍ୟବସ୍ଥାରେ ମହିଳାଙ୍କୁ ହିଂସା ଓ ଲିଙ୍ଗଗତ ବୈଷମ୍ୟର ଶିକାର ହେବାକୁ ପଡ଼ୁଛି। ମହିଳାମାନଙ୍କୁ ସମାନ ଅଧିକାର ବା ଲିଙ୍ଗଗତ ସମାନତା ପ୍ରଦାନ ଏବଂ ମହିଳା ସଶକ୍ତୀକରଣ ଇତ୍ୟାଦି ପ୍ରସଙ୍ଗରେ ଆମ ସମାଜର ରୂଢ଼ିବାଦୀ ଚିନ୍ତାଧାରା ସହ ଯୁଗଯୁଗାନ୍ତରରୁ ଚଳିଆସୁଥିବା କୁସଂସ୍କାର ହିଁ ମହିଳା ଉପତ୍ୀଡ଼ନର କାରଣ ସାଜିବାରେ ଲାଗିଛି। ଅର୍ଥନୈତିକ ସମୃଦ୍ଧି ସହିତ ସମାନ୍ତରାଳ ଭାବରେ ବଢ଼ିଚାଲିଛି ମହିଳାଙ୍କ ପ୍ରତି ଅତ୍ୟାଚାର ଓ ହିଂସା।
ମିଳିତ ଜାତିସଂଘର ମହିଳା ହିଂସା ଦୂରୀକରଣ ଘୋଷଣାନାମା ଅନୁଯାୟୀ ‘ମହିଳା ଓ ପୁରୁଷ ମଧ୍ୟରେ ଅସମାନ କ୍ଷମତା ବଣ୍ଟନର ପରିଣାମ ଏବଂ ନାରୀ ବିରୋଧରେ ହିଂସା ଏକ ସୁଦୃଢ଼ ସାମାଜିକ ଅସ୍ତ୍ର; ଯାହା ମାଧ୍ୟମରେ ମହିଳାଙ୍କୁ ବାଧ୍ୟ କରାଯାଏ ପୁରୁଷ ତୁଳନାରେ ଏକ ଅଧସ୍ତନ ପଦବୀରେ ରହିବା ନିମନ୍ତେ’।
ଭାରତୀୟ ପିଙ୍ଗଳ କୋଡ୍‌ ମହିଳାଙ୍କ ପ୍ରତି ଅପରାଧକୁ ୭ ଭାଗରେ ବିଭକ୍ତ କରିଛି, ଯଥା- ବଳାତ୍କାର, ଯୌତୁକଜନିତ ହତ୍ୟା, ବଳପୂର୍ବକ ଅପହରଣ, ଶାରୀରିକ ଓ ମାନସିକ ନିର୍ଯାତନା, ଯୌନ ଉପତ୍ୀଡ଼ନ, ରାସ୍ତାଘାଟରେ ହଇରାଣହରକତ, ବାଳିକା ଚୋରା ଚାଲାଣ। ଏତଦ୍‌ବ୍ୟତୀତ ମହିଳାଙ୍କ ପ୍ରତି ହିଂସାର ଆଉ କେତୋଟି ପ୍ରକାର ହେଉଛି ଅନରକିଲିଂ, ଏସିଡ୍‌ ଆଟାକ୍‌ ଏବଂ ଯୌନାଙ୍ଗ ଛେଦନ। ହିଂସା ଯେକୌଣସି ପ୍ରକାର ହେଉ- ଶାରୀରିକ, ମାନସିକ ଅବା ଆବେଗିକ, ପ୍ରତି କ୍ଷେତ୍ରରେ ମହିଳାଙ୍କ ଅଧିକାର କ୍ଷୁଣ୍ଣ ହୋଇଥାଏ, ତା’ର ଜୀବନ, ସ୍ବାଭାବିକ ବଞ୍ଚିବାର ଗତି ବ୍ୟାହତ ହୋଇଥାଏ।
ଆମ ଭାରତୀୟ ସମାଜରେ ଲିଙ୍ଗଗତ ସମାନତା ଆଧାରରେ ଜଣେ ଭାରତୀୟ ମହିଳା ଯଦିଓ କିଛିଟା ଅଧିକାର ପାଇଛନ୍ତି, ସେଗୁଡ଼ିକ ବାସ୍ତବ କ୍ଷେତ୍ରରେ କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତାହା ଆଲୋଚ୍ୟ ବିଷୟ। ଏହି ଅଧିକାରଗୁଡ଼ିକ ହେଉଛି: ୧- ମହିଳାମାନଙ୍କର ସମାନ ଦରମା ପାଇବାର ଅଧିକାର। ସମାନ ଦରମା ଅଧିନିୟମ ଓ ତାଲିକାଭୁକ୍ତ ବ୍ୟବସ୍ଥା ଅନୁଯାୟୀ ଦରମା କିମ୍ବା ବେତନକୁ ଲିଙ୍ଗ ଆଧାରରେ ଭେଦଭାବ କରାଯାଇପାରିବ ନାହିଁ। ପୁରୁଷଙ୍କ ତୁଳନାରେ କାର୍ଯ୍ୟରତ ମହିଳାଙ୍କର ସମାନ ଦରମା ପାଇବାର ଅଧିକାର ଅଛି। ୨- ମହିଳାମାନଙ୍କର ସମ୍ମାନ ଓ ମର୍ଯ୍ୟାଦାର ଅଧିକାର ଅଛି। କୌଣସି ଏକ ଘଟଣାରେ ଯଦି ଜଣେ ମହିଳା ଅଭିଯୁକ୍ତ, ତେବେ ତାଙ୍କ ଉପରେ ଯେକୌଣସି ଡାକ୍ତରୀ ପରୀକ୍ଷା ଅନ୍ୟ ଜଣେ ମହିଳାଙ୍କ ଉପସ୍ଥିତିରେ କରାଯିବା ଆବଶ୍ୟକ। ୩- କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ବିରୋଧରେ ଅଭିଯୋଗ ଦାଖଲ କରିବାର ଅଧିକାର। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାକୁ ରୋକିବା ପାଇଁ ମାନ୍ୟବର ସୁପ୍ରିମ୍‌କୋର୍ଟ ୧୯୯୭ରେ ଦେଇଥିବା ଐତିହାସିକ ରାୟ ‘ବିଶାଖା ଗାଇଡଲାଇନ୍‌’ ଅନୁଯାୟୀ ପ୍ରତ୍ୟେକ ସରକାରୀ, ବେସରକାରୀ, ସଂଗଠିତ ଓ ଅସଂଗଠିତ ସଂସ୍ଥା ବା ଅନୁଷ୍ଠାନ ଯୌନ ନିର୍ଯାତନା ପ୍ରତିରୋଧ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ କମିଟି ଗଠନ କରିବେ, ଯାହା ଜଣେ ମହିଳାଙ୍କ ନେତୃତ୍ୱରେ ହେବ। ଏଥିରେ ଅଧାରୁ ଅଧିକ ମହିଳା ସଦସ୍ୟ ରହିବେ। କମିଟିରେ ତୃତୀୟ ପକ୍ଷ ଭାବରେ ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା ମଧ୍ୟ ରହିବେ, ଯାହାଙ୍କର ମହିଳାଙ୍କ ସଂକ୍ରାନ୍ତ ମାମଲାରେ ଦକ୍ଷତା ଥିବ। ୪- ଘରୋଇ ହିଂସା ବିରୋଧରେ ଅଭିଯୋଗ ଦାଖଲ କରିବାର ଅଧିକାର। ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ୨୦୦୫ରେ ଏକ ଆଇନ ପ୍ରଣୟନ କରିଛନ୍ତି। ଉକ୍ତ ଆଇନରେ ମହିଳାଙ୍କ ପ୍ରତି ଯେପରି କୌଣସି ପ୍ରକାର ଶାରୀରିକ, ମାନସିକ, ବାଚନିକ, ଆର୍ଥିକ, ଆବେଗିକ ଓ ଯୌନ ବିଷୟକ ଅପବ୍ୟବହାର ଓ ଆଘାତ ନ ହୁଏ, ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ୫- ବଳାତ୍କାର ପୀଡ଼ିତା ବା ଯୌନ ଉପତ୍ୀଡ଼ନର ଶିକାର ହୋଇଥିବା ମହିଳାଙ୍କର ପରିଚୟ ଅଜ୍ଞାତ ରଖିବାର ଅଧିକାର। ପୀଡ଼ିତାଙ୍କ ଗୋପନୀୟତା ସୁରକ୍ଷିତ ଅଛି କି ନାହିଁ ନିଶ୍ଚିତ କରିବାକୁ ଜଣେ ମହିଳା, ଯିଏ ଯୌନ ଶୋଷଣର ଶିକାର ହୋଇଥିବେ, ଏହି ମାମଲାର ବିଚାର ଚାଲିଥିଲାବେଳେ କିମ୍ବା ମହିଳା ପୋଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏକାକୀ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ତାଙ୍କ ବିବୃତି ରେକର୍ଡ କରିପାରିବେ। ୬-ମାଗଣା ଆଇନ ସହାୟତା ପାଇବା ପାଇଁ ମହିଳାଙ୍କର ଅଧିକାର। ଆଇନ ସେବା ପ୍ରାଧିକରଣ ନିୟମ ଅନୁଯାୟୀ ମହିଳା ବଳାତ୍କାର ପୀଡ଼ିତାଙ୍କୁ ମାଗଣା ଆଇନ ସହାୟତା କିମ୍ବା ଆଇନ ସେବା ପ୍ରାଧିକରଣରୁ ସହାୟତା ମିଳିବ। ୭- ମହିଳାମାନଙ୍କୁ ରାତିରେ ଗିରଫ ନ କରିବାର ଅଧିକାର ଅଛି। ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶରେ ଯଦି କୌଣସି ବ୍ୟତିକ୍ରମ ମାମଲା ନ ହୁଏ, ତେବେ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଜଣେ ମହିଳାଙ୍କୁ ଗିରଫ କରାଯାଇପାରିବ ନାହିଁ। ୮- ମହିଳାଙ୍କର ଭର୍ଚୁଆଲ୍‌ ଅଭିଯୋଗ ପଞ୍ଜୀକରଣ କରିବାର ଅଧିକାର। ୯- ନିଜ ଫଟୋର ଅସଦ୍‌ ଓ ଅଶ୍ଳୀଳ ଉପସ୍ଥାପନା ଓ ବ୍ୟବହାର ବିରୋଧରେ ଅଭିଯୋଗ କରିବାର ଅଧିକାର। ଜଣେ ମହିଳାଙ୍କ ଫଟୋ ବା ଚିତ୍ର (ତାଙ୍କ ରୂପ କିମ୍ବା ଶରୀରର ଯେକୌଣସି ଅଂଶ)ର ଯେକୌଣସି ପ୍ରକାର ଅଶ୍ଳୀଳ ଓ ଅପମାନଜନକ ଉପସ୍ଥାପନା ଏକ ଦଣ୍ଡନୀୟ ଅପରାଧ। ୧୦- ମହିଳାଙ୍କୁ ଅନୁସରଣ କରାଯିବା ବିରୋଧରେ ଅଧିକାର। ଯେକୌଣସି ରୂପରେ ଜଣେ ମହିଳାଙ୍କୁ ଅନୁସରଣ କରିବା ଏକ ଅପରାଧ। ୧୧- ଜିରୋ ଏଫ୍‌ଆଇଆର୍‌ ପାଇଁ ମହିଳାମାନଙ୍କର ଅଧିକାର। ଘଟଣାଟି ଯେଉଁଠାରେ ଘଟିଛି କିମ୍ବା ଏକ ନିର୍ଦ୍ଦିଷ୍ଟ ଅଧିକାର ଅଧୀନରେ ଯେକୌଣସି ପୋଲିସ୍‌ ଷ୍ଟେଶନରେ ଏକ ଏଫ୍‌ଆଇଆର୍‌ ଦାଖଲ କରାଯାଇପାରିବ, ଜିରୋ ଏଫ୍‌ଆଇଆର୍‌ ପରେ ସେହି ପୋଲିସ୍‌ ଷ୍ଟେଶନ୍‌କୁ ମାମଲାଟି ସ୍ଥାନାନ୍ତର କରାଯାଇପାରିବ, ଯାହା ଅଧୀନରେ ଏହି ମାମଲା ରହିଛି।
ଆମେରିକୀୟ ଫିଲ୍ମ ନିର୍ମାତା, ବ୍ୟଙ୍ଗ ଲେଖକ ଜୋସ୍‌ ହ୍ବେଡନ୍‌ଙ୍କ ମତରେ, ‘ସମାନତା ଏକ ଧାରଣା ନୁହେଁ, ଏକ ଆବଶ୍ୟକତା। ଏହା ମାଧ୍ୟାକର୍ଷଣ ପରି। ଏହି ପୃଥିବୀରେ ଉଭୟ ପୁରୁଷ ଓ ମହିଳା ଏକାଠି ଛିଡ଼ାହେବା ଆବଶ୍ୟକ। ପ୍ରତ୍ୟେକ ସଂସ୍କୃତିରେ ମହିଳାଙ୍କ ପ୍ରତି ଥିବା ବିଦ୍ୱେଷ ଭାବ ମାନବ ସ୍ଥିତିର ପ୍ରକୃତ ଅଂଶ ନୁହେଁ। ଏହା ଜୀବନକୁ ଅସନ୍ତୁଳିତ କରେ, ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କ ଆତ୍ମାରୁ ସ୍ବାଭାବିକତା ଶୋଷିନିଏ, ଯିଏ ଏହି ଅସନ୍ତୁଳନକୁ ସାମ୍ନା କରେ।’
ଏହି ଅସନ୍ତୁଳନ, ଅସମାନତାକୁ ଅତିକ୍ରମ କରିବା ପାଇଁ ମହିଳାମାନେ ଶିକ୍ଷିତ ହେବା ନିତାନ୍ତ ଆବଶ୍ୟକ। ଗାନ୍ଧିଜୀ କହୁଥିଲେ, ‘ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର ଯାହା ମହିଳାଙ୍କୁ ସମସ୍ତ ବିପଦସଙ୍କୁଳ ଅବସ୍ଥାରୁ ମୁକୁଳେଇପାରିବ। ଶିକ୍ଷାର ଆଲୋକ ହିଁ ମହିଳାଙ୍କ ଜୀବନରୁ ଅନ୍ଧାର ଦୂରକରି ତାଙ୍କର ଚଲାପଥକୁ ଉଜ୍ଜ୍ୱଳ କରିପାରିବ।’ ତେଣୁ ଶିକ୍ଷିତ, ସ୍ବାବଲମ୍ବୀ ଓ ସଶକ୍ତ ନାରୀ ହିଁ ଅନ୍ୟାୟ, ଅତ୍ୟାଚାର ଓ ସାମାଜିକ କୁସଂସ୍କାର ବିରୋଧରେ ସ୍ବର ଉଠାଇବାରେ ସମର୍ଥ ହେବ ଏବଂ ଆଜି ଏହି ସ୍ବର ଅଧିକରୁ ଅଧିକ ଉଠିବା ଜରୁରୀ।
(ବିଶ୍ୱ ମହିଳା ଦିବସ ଉପଲକ୍ଷେ)
ଫ୍ଲାଟ୍‌ ନଂ-୮୦୪, ଟାୱାର-୩, ବିପୁଲ୍‌ ଗାର୍ଡେନ୍ସ, ଘାଟିକିଆ, ଭୁବନେଶ୍ୱର, gayatribalap@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri