ମୁଁ ସ୍ବର ଉଠାଏ

ଡ. ଗାୟତ୍ରୀବାଳା ପଣ୍ଡା
”ମୁଁ ସ୍ବର ଉଠାଏ- ତା’ର ମାନେ ନୁହେଁ ଯେ ମୁଁ ଚିତ୍କାର କରେ, ତା’ର ଅର୍ଥ ହୁଏତ ଏୟା ଯେ ଯେଉଁମାନେ କିଛି କହିପାରୁନାହାନ୍ତି ସେମାନଙ୍କୁ ମୋ ସ୍ବର ଶୁଭୁ, ମୁଁ ଏଇୟା ହିଁ ଚାହେଁ।“ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର ପାଇଥିବା ମଲାଲା ୟୁସୁଫ୍‌ଜାଇଙ୍କ ଏହି ବକ୍ତବ୍ୟ ପୃଥିବୀର ପ୍ରତି ମହିଳାଙ୍କୁ ସ୍ବାବଲମ୍ବନଶୀଳ ଓ ସ୍ବାଧିକାରସମ୍ପନ୍ନ କରିବାର ଦୃଢ଼ତା ଦିଏ, ମହିଳାଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ଓ ସାହସର ସ୍ଥିରତା ସୃଷ୍ଟି କରିଥାଏ। ଆମେରିକାର ନାରୀବାଦୀ ଲେଖକ, ନାଗରିକ ଅଧିକାର କର୍ମୀ ଅଡ୍ରେ ଲର୍ଡଙ୍କ ମତରେ,”ମୁଁ ସେହି ମହିଳାମାନଙ୍କ ପାଇଁ ଲେଖେ, ଯେଉଁମାନେ କଥାବାର୍ତ୍ତା କରନ୍ତି ନାହିଁ, ଯେଉଁମାନଙ୍କର ସ୍ବର ନାହିଁ କାରଣ ସେମାନେ ଖୁବ୍‌ ଭୟଭୀତ, କାରଣ ଆମକୁ ନିଜ ଅପେକ୍ଷା ଭୟକୁ ଅଧିକ ସମ୍ମାନ ଦେବାକୁ ଶିକ୍ଷା ଦିଆଯାଇଛି, ଆମକୁ ଶିକ୍ଷା ଦିଆଯାଇଛି ଯେ ନୀରବତା ଆମକୁ ରକ୍ଷା କରିବ।“ ରାଜନୀତିଜ୍ଞ ଓ ଚିନ୍ତକ ଏଡ୍‌ମଣ୍ଡ ବୁର୍‌କଙ୍କ ମତରେ, ”ମନ୍ଦ ଶକ୍ତିର ବିଜୟ ପାଇଁ ଯାହା ଦରକାର ତାହା ହେଉଛି ଭଲ ପୁରୁଷ ଓ ମହିଳାମାନେ କିଛି ନ କରିବା।“ ଆଜି ଏକବିଂଶ ଶତାବ୍ଦୀରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ସଫଳତା ସତ୍ତ୍ୱେ, ମହିଳାମାନଙ୍କର ପୁରୁଷଙ୍କ ସହିତ ସମଦକ୍ଷତା ପ୍ରତିପାଦନ ସତ୍ତ୍ୱେ ଆମ ସାମାଜିକ ବ୍ୟବସ୍ଥାରେ ମହିଳାଙ୍କୁ ହିଂସା ଓ ଲିଙ୍ଗଗତ ବୈଷମ୍ୟର ଶିକାର ହେବାକୁ ପଡ଼ୁଛି। ମହିଳାମାନଙ୍କୁ ସମାନ ଅଧିକାର ବା ଲିଙ୍ଗଗତ ସମାନତା ପ୍ରଦାନ ଏବଂ ମହିଳା ସଶକ୍ତୀକରଣ ଇତ୍ୟାଦି ପ୍ରସଙ୍ଗରେ ଆମ ସମାଜର ରୂଢ଼ିବାଦୀ ଚିନ୍ତାଧାରା ସହ ଯୁଗଯୁଗାନ୍ତରରୁ ଚଳିଆସୁଥିବା କୁସଂସ୍କାର ହିଁ ମହିଳା ଉପତ୍ୀଡ଼ନର କାରଣ ସାଜିବାରେ ଲାଗିଛି। ଅର୍ଥନୈତିକ ସମୃଦ୍ଧି ସହିତ ସମାନ୍ତରାଳ ଭାବରେ ବଢ଼ିଚାଲିଛି ମହିଳାଙ୍କ ପ୍ରତି ଅତ୍ୟାଚାର ଓ ହିଂସା।
ମିଳିତ ଜାତିସଂଘର ମହିଳା ହିଂସା ଦୂରୀକରଣ ଘୋଷଣାନାମା ଅନୁଯାୟୀ ‘ମହିଳା ଓ ପୁରୁଷ ମଧ୍ୟରେ ଅସମାନ କ୍ଷମତା ବଣ୍ଟନର ପରିଣାମ ଏବଂ ନାରୀ ବିରୋଧରେ ହିଂସା ଏକ ସୁଦୃଢ଼ ସାମାଜିକ ଅସ୍ତ୍ର; ଯାହା ମାଧ୍ୟମରେ ମହିଳାଙ୍କୁ ବାଧ୍ୟ କରାଯାଏ ପୁରୁଷ ତୁଳନାରେ ଏକ ଅଧସ୍ତନ ପଦବୀରେ ରହିବା ନିମନ୍ତେ’।
ଭାରତୀୟ ପିଙ୍ଗଳ କୋଡ୍‌ ମହିଳାଙ୍କ ପ୍ରତି ଅପରାଧକୁ ୭ ଭାଗରେ ବିଭକ୍ତ କରିଛି, ଯଥା- ବଳାତ୍କାର, ଯୌତୁକଜନିତ ହତ୍ୟା, ବଳପୂର୍ବକ ଅପହରଣ, ଶାରୀରିକ ଓ ମାନସିକ ନିର୍ଯାତନା, ଯୌନ ଉପତ୍ୀଡ଼ନ, ରାସ୍ତାଘାଟରେ ହଇରାଣହରକତ, ବାଳିକା ଚୋରା ଚାଲାଣ। ଏତଦ୍‌ବ୍ୟତୀତ ମହିଳାଙ୍କ ପ୍ରତି ହିଂସାର ଆଉ କେତୋଟି ପ୍ରକାର ହେଉଛି ଅନରକିଲିଂ, ଏସିଡ୍‌ ଆଟାକ୍‌ ଏବଂ ଯୌନାଙ୍ଗ ଛେଦନ। ହିଂସା ଯେକୌଣସି ପ୍ରକାର ହେଉ- ଶାରୀରିକ, ମାନସିକ ଅବା ଆବେଗିକ, ପ୍ରତି କ୍ଷେତ୍ରରେ ମହିଳାଙ୍କ ଅଧିକାର କ୍ଷୁଣ୍ଣ ହୋଇଥାଏ, ତା’ର ଜୀବନ, ସ୍ବାଭାବିକ ବଞ୍ଚିବାର ଗତି ବ୍ୟାହତ ହୋଇଥାଏ।
ଆମ ଭାରତୀୟ ସମାଜରେ ଲିଙ୍ଗଗତ ସମାନତା ଆଧାରରେ ଜଣେ ଭାରତୀୟ ମହିଳା ଯଦିଓ କିଛିଟା ଅଧିକାର ପାଇଛନ୍ତି, ସେଗୁଡ଼ିକ ବାସ୍ତବ କ୍ଷେତ୍ରରେ କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତାହା ଆଲୋଚ୍ୟ ବିଷୟ। ଏହି ଅଧିକାରଗୁଡ଼ିକ ହେଉଛି: ୧- ମହିଳାମାନଙ୍କର ସମାନ ଦରମା ପାଇବାର ଅଧିକାର। ସମାନ ଦରମା ଅଧିନିୟମ ଓ ତାଲିକାଭୁକ୍ତ ବ୍ୟବସ୍ଥା ଅନୁଯାୟୀ ଦରମା କିମ୍ବା ବେତନକୁ ଲିଙ୍ଗ ଆଧାରରେ ଭେଦଭାବ କରାଯାଇପାରିବ ନାହିଁ। ପୁରୁଷଙ୍କ ତୁଳନାରେ କାର୍ଯ୍ୟରତ ମହିଳାଙ୍କର ସମାନ ଦରମା ପାଇବାର ଅଧିକାର ଅଛି। ୨- ମହିଳାମାନଙ୍କର ସମ୍ମାନ ଓ ମର୍ଯ୍ୟାଦାର ଅଧିକାର ଅଛି। କୌଣସି ଏକ ଘଟଣାରେ ଯଦି ଜଣେ ମହିଳା ଅଭିଯୁକ୍ତ, ତେବେ ତାଙ୍କ ଉପରେ ଯେକୌଣସି ଡାକ୍ତରୀ ପରୀକ୍ଷା ଅନ୍ୟ ଜଣେ ମହିଳାଙ୍କ ଉପସ୍ଥିତିରେ କରାଯିବା ଆବଶ୍ୟକ। ୩- କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ବିରୋଧରେ ଅଭିଯୋଗ ଦାଖଲ କରିବାର ଅଧିକାର। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାକୁ ରୋକିବା ପାଇଁ ମାନ୍ୟବର ସୁପ୍ରିମ୍‌କୋର୍ଟ ୧୯୯୭ରେ ଦେଇଥିବା ଐତିହାସିକ ରାୟ ‘ବିଶାଖା ଗାଇଡଲାଇନ୍‌’ ଅନୁଯାୟୀ ପ୍ରତ୍ୟେକ ସରକାରୀ, ବେସରକାରୀ, ସଂଗଠିତ ଓ ଅସଂଗଠିତ ସଂସ୍ଥା ବା ଅନୁଷ୍ଠାନ ଯୌନ ନିର୍ଯାତନା ପ୍ରତିରୋଧ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ କମିଟି ଗଠନ କରିବେ, ଯାହା ଜଣେ ମହିଳାଙ୍କ ନେତୃତ୍ୱରେ ହେବ। ଏଥିରେ ଅଧାରୁ ଅଧିକ ମହିଳା ସଦସ୍ୟ ରହିବେ। କମିଟିରେ ତୃତୀୟ ପକ୍ଷ ଭାବରେ ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା ମଧ୍ୟ ରହିବେ, ଯାହାଙ୍କର ମହିଳାଙ୍କ ସଂକ୍ରାନ୍ତ ମାମଲାରେ ଦକ୍ଷତା ଥିବ। ୪- ଘରୋଇ ହିଂସା ବିରୋଧରେ ଅଭିଯୋଗ ଦାଖଲ କରିବାର ଅଧିକାର। ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ୨୦୦୫ରେ ଏକ ଆଇନ ପ୍ରଣୟନ କରିଛନ୍ତି। ଉକ୍ତ ଆଇନରେ ମହିଳାଙ୍କ ପ୍ରତି ଯେପରି କୌଣସି ପ୍ରକାର ଶାରୀରିକ, ମାନସିକ, ବାଚନିକ, ଆର୍ଥିକ, ଆବେଗିକ ଓ ଯୌନ ବିଷୟକ ଅପବ୍ୟବହାର ଓ ଆଘାତ ନ ହୁଏ, ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ୫- ବଳାତ୍କାର ପୀଡ଼ିତା ବା ଯୌନ ଉପତ୍ୀଡ଼ନର ଶିକାର ହୋଇଥିବା ମହିଳାଙ୍କର ପରିଚୟ ଅଜ୍ଞାତ ରଖିବାର ଅଧିକାର। ପୀଡ଼ିତାଙ୍କ ଗୋପନୀୟତା ସୁରକ୍ଷିତ ଅଛି କି ନାହିଁ ନିଶ୍ଚିତ କରିବାକୁ ଜଣେ ମହିଳା, ଯିଏ ଯୌନ ଶୋଷଣର ଶିକାର ହୋଇଥିବେ, ଏହି ମାମଲାର ବିଚାର ଚାଲିଥିଲାବେଳେ କିମ୍ବା ମହିଳା ପୋଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏକାକୀ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ତାଙ୍କ ବିବୃତି ରେକର୍ଡ କରିପାରିବେ। ୬-ମାଗଣା ଆଇନ ସହାୟତା ପାଇବା ପାଇଁ ମହିଳାଙ୍କର ଅଧିକାର। ଆଇନ ସେବା ପ୍ରାଧିକରଣ ନିୟମ ଅନୁଯାୟୀ ମହିଳା ବଳାତ୍କାର ପୀଡ଼ିତାଙ୍କୁ ମାଗଣା ଆଇନ ସହାୟତା କିମ୍ବା ଆଇନ ସେବା ପ୍ରାଧିକରଣରୁ ସହାୟତା ମିଳିବ। ୭- ମହିଳାମାନଙ୍କୁ ରାତିରେ ଗିରଫ ନ କରିବାର ଅଧିକାର ଅଛି। ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶରେ ଯଦି କୌଣସି ବ୍ୟତିକ୍ରମ ମାମଲା ନ ହୁଏ, ତେବେ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଜଣେ ମହିଳାଙ୍କୁ ଗିରଫ କରାଯାଇପାରିବ ନାହିଁ। ୮- ମହିଳାଙ୍କର ଭର୍ଚୁଆଲ୍‌ ଅଭିଯୋଗ ପଞ୍ଜୀକରଣ କରିବାର ଅଧିକାର। ୯- ନିଜ ଫଟୋର ଅସଦ୍‌ ଓ ଅଶ୍ଳୀଳ ଉପସ୍ଥାପନା ଓ ବ୍ୟବହାର ବିରୋଧରେ ଅଭିଯୋଗ କରିବାର ଅଧିକାର। ଜଣେ ମହିଳାଙ୍କ ଫଟୋ ବା ଚିତ୍ର (ତାଙ୍କ ରୂପ କିମ୍ବା ଶରୀରର ଯେକୌଣସି ଅଂଶ)ର ଯେକୌଣସି ପ୍ରକାର ଅଶ୍ଳୀଳ ଓ ଅପମାନଜନକ ଉପସ୍ଥାପନା ଏକ ଦଣ୍ଡନୀୟ ଅପରାଧ। ୧୦- ମହିଳାଙ୍କୁ ଅନୁସରଣ କରାଯିବା ବିରୋଧରେ ଅଧିକାର। ଯେକୌଣସି ରୂପରେ ଜଣେ ମହିଳାଙ୍କୁ ଅନୁସରଣ କରିବା ଏକ ଅପରାଧ। ୧୧- ଜିରୋ ଏଫ୍‌ଆଇଆର୍‌ ପାଇଁ ମହିଳାମାନଙ୍କର ଅଧିକାର। ଘଟଣାଟି ଯେଉଁଠାରେ ଘଟିଛି କିମ୍ବା ଏକ ନିର୍ଦ୍ଦିଷ୍ଟ ଅଧିକାର ଅଧୀନରେ ଯେକୌଣସି ପୋଲିସ୍‌ ଷ୍ଟେଶନରେ ଏକ ଏଫ୍‌ଆଇଆର୍‌ ଦାଖଲ କରାଯାଇପାରିବ, ଜିରୋ ଏଫ୍‌ଆଇଆର୍‌ ପରେ ସେହି ପୋଲିସ୍‌ ଷ୍ଟେଶନ୍‌କୁ ମାମଲାଟି ସ୍ଥାନାନ୍ତର କରାଯାଇପାରିବ, ଯାହା ଅଧୀନରେ ଏହି ମାମଲା ରହିଛି।
ଆମେରିକୀୟ ଫିଲ୍ମ ନିର୍ମାତା, ବ୍ୟଙ୍ଗ ଲେଖକ ଜୋସ୍‌ ହ୍ବେଡନ୍‌ଙ୍କ ମତରେ, ‘ସମାନତା ଏକ ଧାରଣା ନୁହେଁ, ଏକ ଆବଶ୍ୟକତା। ଏହା ମାଧ୍ୟାକର୍ଷଣ ପରି। ଏହି ପୃଥିବୀରେ ଉଭୟ ପୁରୁଷ ଓ ମହିଳା ଏକାଠି ଛିଡ଼ାହେବା ଆବଶ୍ୟକ। ପ୍ରତ୍ୟେକ ସଂସ୍କୃତିରେ ମହିଳାଙ୍କ ପ୍ରତି ଥିବା ବିଦ୍ୱେଷ ଭାବ ମାନବ ସ୍ଥିତିର ପ୍ରକୃତ ଅଂଶ ନୁହେଁ। ଏହା ଜୀବନକୁ ଅସନ୍ତୁଳିତ କରେ, ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କ ଆତ୍ମାରୁ ସ୍ବାଭାବିକତା ଶୋଷିନିଏ, ଯିଏ ଏହି ଅସନ୍ତୁଳନକୁ ସାମ୍ନା କରେ।’
ଏହି ଅସନ୍ତୁଳନ, ଅସମାନତାକୁ ଅତିକ୍ରମ କରିବା ପାଇଁ ମହିଳାମାନେ ଶିକ୍ଷିତ ହେବା ନିତାନ୍ତ ଆବଶ୍ୟକ। ଗାନ୍ଧିଜୀ କହୁଥିଲେ, ‘ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର ଯାହା ମହିଳାଙ୍କୁ ସମସ୍ତ ବିପଦସଙ୍କୁଳ ଅବସ୍ଥାରୁ ମୁକୁଳେଇପାରିବ। ଶିକ୍ଷାର ଆଲୋକ ହିଁ ମହିଳାଙ୍କ ଜୀବନରୁ ଅନ୍ଧାର ଦୂରକରି ତାଙ୍କର ଚଲାପଥକୁ ଉଜ୍ଜ୍ୱଳ କରିପାରିବ।’ ତେଣୁ ଶିକ୍ଷିତ, ସ୍ବାବଲମ୍ବୀ ଓ ସଶକ୍ତ ନାରୀ ହିଁ ଅନ୍ୟାୟ, ଅତ୍ୟାଚାର ଓ ସାମାଜିକ କୁସଂସ୍କାର ବିରୋଧରେ ସ୍ବର ଉଠାଇବାରେ ସମର୍ଥ ହେବ ଏବଂ ଆଜି ଏହି ସ୍ବର ଅଧିକରୁ ଅଧିକ ଉଠିବା ଜରୁରୀ।
(ବିଶ୍ୱ ମହିଳା ଦିବସ ଉପଲକ୍ଷେ)
ଫ୍ଲାଟ୍‌ ନଂ-୮୦୪, ଟାୱାର-୩, ବିପୁଲ୍‌ ଗାର୍ଡେନ୍ସ, ଘାଟିକିଆ, ଭୁବନେଶ୍ୱର, gayatribalap@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri