ମୁଁ , ମୋ ବିଶ୍ୱ ଓ ଜଣେ ଫଟୋଗ୍ରାଫର

ମନ-ମାନଚିତ୍ର/ ଡ. ନରହରି ବେହେରା
‘ମୁଁ’ ଜଣେ ବ୍ୟକ୍ତି ନୁହେଁ ବରଂ ସକଳ ବିଶ୍ୱକୁ ଅବଲୋକନ କରୁଥିବା ମୋ ପରି ଅନେକ ବ୍ୟକ୍ତିଙ୍କର ସମନ୍ବିତ ଏକ ବ୍ୟକ୍ତିସତ୍ତା। ଆଜି ସେଇ ‘ମୁଁ’ ଭାବୁଛି, ଯେତେବେଳେ ଶିଶୁଟିଏ ହୋଇ ମାଆ କୋଳରେ ଦିନ କାଟୁଥିଲି ସେତେବେଳେ ମୋ ମାଆର କୋଳକୁ ନିଶ୍ଚୟ ସମଗ୍ର ବିଶ୍ୱ ବୋଲି ବିବେଚନା କରୁଥିବି। ସେତେବେଳେ ଏ ବିଶ୍ୱରେ ମୋ ପାଇଁ ମୋ ମାଆ ହିଁ ଏକମାତ୍ର ପରିଚିତ ତଥା ବିଶ୍ୱାସର ମଣିଷ ଥିବ। ମୁଁ ବଡ଼ ହେଲି, ମୋ ଚେତନାର ଚୌହଦୀ ପ୍ରସାରିତ ହୋଇଗଲା। ମାଆ କୋଳ ଛାଡ଼ି ଘରେ ବୁଲିବାବେଳେ ମୁଁ ଭେଟିଲି ଘରର ଅନ୍ୟମାନଙ୍କୁ। ସେତେବେଳେ ନିଶ୍ଚୟ ମୋର ମନେହୋଇଥିବ ଏ ସଂସାରରେ ମୋ ମାଆ ବ୍ୟତୀତ ଆହୁରି ଅନେକ ଲୋକ ଅଛନ୍ତି। ସେମାନେ ମୋର ଆତ୍ମୀୟସ୍ବଜନ, ଯେଉଁମାନଙ୍କ ପାଇଁ ଏ ବିଶ୍ୱ ମୋତେ ଆନନ୍ଦମୟ ଲାଗୁଛି। କିଛି ଦିନ ପରେ ମୁଁ ଆଉ ଟିକିଏ ବଡ଼ ହୋଇଗଲି। ଘର ଛାଡ଼ି ଦାଣ୍ଡରେ ପାଦ ଦେଲି। ସାଙ୍ଗସାଥୀ, ପଡ଼ୋଶୀଙ୍କୁ ଭେଟିଲି। ସେତେବେଳେ ମୋର ମନେହେଲା ଏ ବିଶ୍ୱ ଆହୁରି ବ୍ୟାପକ।
କାଳକ୍ରମେ ଗାଁ ଦାଣ୍ଡ ଛାଡ଼ି ଯେତେ ଆଗକୁ ବଢ଼ିଲି ଏ ବିଶ୍ୱର ବ୍ୟାପକତାକୁ ସେତେ ଅଧିକ ଅନୁଭବ କଲି। ବିଶ୍ୱ ତୁଳନାରେ ମୁଁ ନିଜକୁ ଅତି କ୍ଷୁଦ୍ର ମନେକଲି। ମାତ୍ର ମୁଁ ଜଣେ ଅଦ୍ଭୁତ ବ୍ୟକ୍ତିରେ ରୂପାନ୍ତରିତ ହୋଇଗଲି। ମୋର ସରଳ ହସ, ନିଷ୍ପାପ ମନ, ମନଖୋଲା କଥା ସବୁ କିଛି ବଦଳିଗଲା। ମାଆର କୋଳ, ଘରର ଅଗଣା, ଗାଁ ଦାଣ୍ଡ, ଭାଇବନ୍ଧୁ, ଆତ୍ମୀୟସ୍ବଜନ ସବୁ କିଛି କେବଳ ସ୍ମୃତି ହୋଇ ରହିଗଲା ସିନା ମୋ ଚେତନାକୁ ଦୋହଲାଇ ଦେଇପାରିଲାନି। ମୁଁ ଏ ବିରାଟ ବିଶ୍ୱରେ ସ୍ବତନ୍ତ୍ର ହେବାକୁ ଚାହିଁଲି। ସକଳ ବିଶ୍ୱରେ ମୁଁ ହିଁ କେବଳ ମୁଁ ହେବି- ଏହି ଭାବନା ମୋର ନିଷ୍ପାପ ସରଳ ମନକୁ କେବଳ ଚୋରି କରିନେଲା ନାହିଁ, ଅପରନ୍ତୁ ମୋର ସକଳ କୋମଳ ଚେତନାକୁ ପଥର କରିଦେଲା। ଏ ପୃଥିବୀ ମୋର, ଏ ମୋର ବଞ୍ଚତ୍ବା ପାଇଁ ସବୁ କିଛି ଯୋଗାଡ଼ କରି ରଖିଛି। ଜନ୍ମ ହେବାବେଳେ ଦି ଚାମଚ କ୍ଷୀରରେ ପେଟ ପୂରି ଯାଉଥିଲା, ଏବେ ମୁଁ କେତେ ଆନନ୍ଦରେ ଭୁରି ଭୋଜନ କରୁଛି- ଏସବୁ ତ ମୁଁ ପ୍ରସ୍ତୁତ କରି ନ ଥିଲି। ତେବେ ମୋ ପାଇଁ ଯେଉଁମାନେ ଏତେ ପ୍ରସ୍ତୁତି କଲେ, ତାଙ୍କ ପାଇଁ ମୁଁ କ’ଣ କଲି? ମୁଁ କାହଁିକି ଜଣେ ନିରନ୍ନ ଦୁଃଖୀ ମଣିଷର ଆଖି ଦେଖି ନ ପାରି କେବଳ ପଡ଼ିଶାଙ୍କ ଘର, ଗାଡ଼ି, ବ୍ୟାଙ୍କ ବାଲାନ୍‌ସ, ପଦପଦବୀ ପ୍ରଭୃତିକୁ ଦେଖିଲି? ମୁଁ ମାନବରୁ ଯନ୍ତ୍ରମାନବରେ ପରିଣତ ହୋଇଗଲି। ଜୀବନକୁ ସରଳ ସୁନ୍ଦର ଭାବରେ ନ ଗଢ଼ି ଗୋଟିଏ ହିସାବଖାତାରେ ପରିଣତ କରିଦେଲି। ମୁଁ ସମସ୍ତଙ୍କ ସହିତ ମୋ ବୁଦ୍ଧିର ଖେଳ ଆରମ୍ଭ କରିଦେଲି। କେଉଁଠି ବାବା ହୋଇ ଲୋକଙ୍କ ବିଶ୍ୱାସ ସହିତ ଖେଳିଲି ତ କେଉଁଠି ଶାସକ କି ପ୍ରଶାସକ ହୋଇ ଜନତାଙ୍କ ସହିତ ବିଶ୍ୱାସଘାତକତା କଲି।
ଏ ସୃଷ୍ଟିରେ ସବୁଠାରୁ ବିଚିତ୍ର ହେଉଛି ମଣିଷର ମନ ଓ ଚରିତ୍ର। ଚାଖଣ୍ଡେ ଭୂମିକୁ ନିଜର ବୋଲି ଦାବିକରି ଭାଇ ଭଗାରିଙ୍କ ସହିତ ଲଢ଼େଇ କରି ପ୍ରାଣ ହାରିଦେବାକୁ ପଛାଉ ନ ଥିବା ମଣିଷ ଏ ସମାଜ ଛାଡ଼ି ମଶାଣିରେ ଘର କରେ ନାହିଁ। ସେ ସେହି ମଣିଷଙ୍କ ଗହଣରେ ଘର କରି ହିଁ ରହିଥାଏ। ଏ ଜୀବନ ପ୍ରିୟ ପରିଜନଙ୍କ ବିନା ଶୁଷ୍କ ନୀରସ, ମାତ୍ର ମୁଁ କେଡ଼େ ସ୍ବାର୍ଥପର ସତେ! ଏ ସୁନ୍ଦର ବିଶ୍ୱରେ ସମସ୍ତଙ୍କୁ ପାଇ ମଧ୍ୟ ମୁଁ ଏକାକୀ କ୍ଷମତାର ତୁଙ୍ଗ ଶିଖର ଆରୋହଣରେ ମନ ବଳାଇଛି!
ମୁଁ କେବେ ବି ଭାବିନାହିଁ, ସକଳ ସୁଖସ୍ବାଚ୍ଛନ୍ଦ୍ୟକୁ ପରିହାର କରି କାହିଁକି ସିଦ୍ଧାର୍ଥ ନିଶାର୍ଦ୍ଧରେ ଗୃହ ତ୍ୟାଗ କଲେ? କାହିଁକି ବଢ଼ି ମରୁଡ଼ିରେ ନିଜର ରୋଗଗ୍ରସ୍ତ ପୁଅକୁ ଛାଡ଼ି ଗୋପବନ୍ଧୁ ପ୍ରପୀଡ଼ିତଙ୍କ ପାଖରେ ଠିଆ ହେଉଥିଲେ? କାହିଁକି ଏ ନିର୍ଜୀବ ଓଡ଼ିଆଙ୍କୁ ମୁଣ୍ଡ ଟେକି ଚାଲିବାକୁ ପ୍ରେରଣା ଦେବା ପାଇଁ ମଧୁବାବୁ ଦେବାଳିଆ ହୋଇଗଲେ? ସେମାନଙ୍କର କଥା ଶୁଣିଛି, ଗାଥା ଭଣିଛି, ତଥାପି କାହିଁକି ମୁଁ ମୋର ମୋର କହି ଅନ୍ତଃସତ୍ତାକୁ ହରାଇ ବସୁଛି? କାମନାର ସର୍ବଗ୍ରାସୀ ନିଆଁରୁ ନିଜକୁ ରକ୍ଷା କରିପାରୁନାହିଁ।
ଆଜି ସମଗ୍ର ବିଶ୍ୱକୁ ମୁଁ ଆପଣାର କରିନେବା ପାଇଁ ଚେଷ୍ଟା କରିଛି, ମାତ୍ର ବିଶ୍ୱର ମୁଁ ନିଜର ହୋଇପାରିଲିନି। ବାରମ୍ବାର କ୍ଷମତା ଏବଂ ଆଧିପତ୍ୟ ଦ୍ୱାହିରେ ଏ ବିଶ୍ୱକୁ ବିଦଳିତ କରିଦେବାକୁ ଚେଷ୍ଟା କରିଛି। ମୁଁ କେତେବେଳେ ନେପୋଲିଅନ୍‌ ହୋଇଛି ତ କେତେବେଳେ ଚେଙ୍ଗିଜ୍‌ ଖାଁରେ ରୂପାନ୍ତରିତ ହୋଇଯାଉଛି। ମାତ୍ର ବିଶ୍ୱକୁ କରାୟତ୍ତ କରିବାକୁ ଯାଇ ଆଲେକ୍‌ଜାଣ୍ଡର ଯେପରି ଶେଷ ମୁହୂର୍ତ୍ତରେ ନଶ୍ୱରତାକୁ ଅନୁଭବ କରି ପ୍ରାଣତ୍ୟାଗ କଲେ, ତାକୁ ମୁଁ ଅନୁଭବ କରିପାରୁନାହିଁ। ଯେଉଁ ବିଶ୍ୱ ମୁଁ ଜନ୍ମ ହେବା ପୂର୍ବରୁ ମୋ ପାଇଁ ସବୁକିଛି ସଜାଡ଼ି ରଖିଥିଲା, ଯେଉଁ ବିଶ୍ୱ ମୋର ପ୍ରତ୍ୟେକ ମୁହୂର୍ତ୍ତକୁ ସରସ ସୁନ୍ଦର କରିବା ପାଇଁ ଆତ୍ମୀୟସ୍ବଜନଙ୍କୁ ମୋତେ ଉପହାର ଦେଇଛି ତା’ପାଇଁ କ’ଣ କରିଛି? ମୋ ଚେତନା ସବୁବେଳେ ଅଥୟ କରେ ଏ ବିଶ୍ୱର ଆପଣାର ହେବାକୁ, କିନ୍ତୁ ମୋ ମନ କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ବିବେଚନା କରିବାକୁ ଦେଉନାହିଁ। ମୁଁ ମନର ଦାସତ୍ୱ ସ୍ବୀକାର କରିସାରିଛି। ମୁକୁଳି ପାରିବାର ଉପାୟ ଖୋଜିଲେ ବି ପାଇ ପାରୁନି। ସବୁ ଦେଖୁଥିଲେ ବି କର୍ତ୍ତବ୍ୟ ଅପେକ୍ଷା ନିଜ ପ୍ରତିଷ୍ଠା ଏବଂ ଖ୍ୟାତି ପଛରେ ଧାଉଁଛି, ଠିକ୍‌ ସେଦିନର ସେହି ବିଖ୍ୟାତ ଫଟୋଗ୍ରାଫର କେଭିନ୍‌ କାର୍ଟରଙ୍କ ପରି। ସେ ସୁଦାନର ଦାରୁଣ ଦୁର୍ଭିକ୍ଷ ସମୟରେ ଗୋଟିଏ ଅସ୍ଥିକଙ୍କାଳସାର ମୃତବତ୍‌ ଶିଶୁଟିକୁ ଖାଇବା ପାଇଁ ଧାଇଁ ଆସୁଥିବା ଶାଗୁଣାର ଫଟୋ ଉଠାଇଥିଲେ। ମୃତ୍ୟୁର ଏ କରୁଣ ଚିତ୍ର ତାଙ୍କୁ ଅନେକ ପ୍ରଶଂସା ଦେଇଥିଲା। ମାତ୍ର ତା’ ସହିତ ଆଣିଥିଲା ବିଶ୍ୱର ପ୍ରତିଟି କୋଣରୁ ନିନ୍ଦା, ଅପବାଦ ଏବଂ ଅପଯଶ। କଥା ଉଠିଲା, କେଭିନ୍‌ ଶାଗୁଣା ମୁହଁରୁ ଶିଶୁଟିକୁ ରକ୍ଷା କରିଥିଲେ ହୁଏତ ଶିଶୁଟି ବଞ୍ଚତ୍ ଯାଇଥାନ୍ତା, ତାହା ନ କରି ସେ ଫଟୋ ଉଠାଇଲେ କେମିତି? ଏ ନିନ୍ଦା ଅପବାଦ ଜ୍ୱାଳାରେ ଛଟପଟ ହୋଇ ଶେଷରେ ସେ ଆତ୍ମହତ୍ୟା କଲେ।
ମୁଁ ସେହି କେଭିନ୍‌ଙ୍କ ପରି କେବଳ ଯଶଖ୍ୟାତି ପଛରେ ଧାଇଁଛି। ଖାଲି ଲୋକଦେଖାଣିଆ ନିଜକୁ ଜଣେ ସହୃଦୟ ମଣିଷର ପରିଚୟ ଦେବାକୁ ଚେଷ୍ଟା ଚଳାଇଛି। ମଣିଷପଣିଆ ଅପେକ୍ଷା ମିଥ୍ୟା ଯଶକୀର୍ତ୍ତିର ବାନା ଉଡ଼ାଇବା ପାଇଁ କଳକୌଶଳ ପ୍ରୟୋଗ କରୁଛି। ଏ ଭାରତବର୍ଷର ମୁନିଋଷିମାନେ ଉଦାତ୍ତ କଣ୍ଠରେ ଗାନ କରିଥିଲେ, ‘ସର୍ବେ ଭବନ୍ତୁ ସୁଖିନଃ’, କିନ୍ତୁ ମୁଁ କାହିଁକି ଏ ବିଶ୍ୱର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଉଛି? ନିଜ ଦେଶର ସୀମାବୃଦ୍ଧି ନିଶାରେ କାହିଁକି ଯୁଦ୍ଧଂ ଦେହି ଡାକରା ଦେଉଛି? କାହିଁକି ନଗଡ଼ାର ଶିଶୁଟିଏ ପୁଷ୍ଟିହୀନତାରେ ଶଢ଼ୁଥିବାବେଳେ ମୋ ପିଲାଟି ସରଲବଣୀକୁ ଥୁ କରି ଦେଉଛି? କାହିଁକି ଅନାକାଙ୍‌କ୍ଷିତ ଆହବ, କ୍ଷୁଧା, ଅଶିକ୍ଷା, ଅନ୍ଧବିଶ୍ୱାସରେ ଏ ବିଶ୍ୱ ସର୍ବଦା ଥରହର ହେଉଥିବା ବେଳେ ମୁଁ ସମ୍ରାଟ୍‌ ନିରୋଙ୍କ ପରି ବେଧଡ଼କ? ଏଥିପାଇଁ ଦାୟୀ ମୋ ବ୍ୟତୀତ ଆଉ କିଏ ହୋଇପାରେ? ମୋ ବିଶ୍ୱ ପାଇଁ ମୁଁ ଏକ ଅବାଞ୍ଛିତ ଉପସ୍ଥିତି ନୁହେଁ କି?
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ: ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri