ମୁଁ କରୋନା କହୁଛି

ପ୍ରକାଶ ତ୍ରିପାଠୀ
ହାଲୋ ବିଶ୍ୱବାସୀ! ମୁଁ କରୋନା କହୁଛି। କରୋନା ଭାଇରସ୍‌, ମାନେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଥିବା କୋଭିଡ୍‌-୧୯ ରୋଗ ସୃଷ୍ଟିକାରୀ ଭାଇରସ୍‌ କରୋନା। ଜଗତୀକରଣ ଯୁଗରେ ପଦାକୁ ବାହାରୁ ବାହାରୁ ମୋର ବି ଜଗତୀକରଣ ହୋଇଗଲାଣି। ମାତ୍ର ଦିନ କେଇଟାରେ ୯୦ଟା ଦେଶ ବୁଲି ସାରିଲିଣି। ପଶୁଜନ୍ତୁମାନେ ମୋର ପ୍ରିୟ। ମୁଁ ସେହିମାନଙ୍କ ପାଖରେ ରୁହେ। ଶୁଣିଲି ଯେ ବର୍ତ୍ତମାନ ସମୟରେ ମଣିଷମାନେ ବି ପଶୁ ହୋଇଗଲେଣି। ସେଥିପାଇଁ ମୁଁ ପଶୁରୁ ବାହାରି ମଣିଷଙ୍କ ପାଖକୁ ଚାଲିଆସିଛି। ବାଃ, ବଢିଆ ଲାଗୁଛି। ଚାଇନାର ଉହାନ ସହରରୁ ମୁଁ ମୋର ବିଶ୍ୱ ପରିକ୍ରମା ଆରମ୍ଭ କରିଛି। ମୁଁ କେମିତି ପଦାକୁ ବାହାରିଲି, ତାକୁ ନେଇ ସମ୍ପ୍ରତି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଚାଲିଛି। ଚାଇନା ବିରୋଧୀ ଲୋକେ କହୁଛନ୍ତି, ଉହାନ ସହରରେ ଚାଇନାର ଜୈବିକ ଅସ୍ତ୍ର ଗବେଷଣାଗାର ରହିଛି। କିଛି ବିଶେଷଜ୍ଞଙ୍କ ଅସାବଧାନତା ଯୋଗୁ ମୁଁ ବାହାରକୁ ଆସିଗଲି। ଆଉ କିଛି ବିଶେଷଜ୍ଞ କହୁଛନ୍ତି, ଉହାନ ନିକଟବର୍ତ୍ତୀ ବିଶାଳ ପଶୁବଜାରରୁ ମୁଁ ବାହାରକୁ ଆସିଛି। ଚାଇନା ଲୋକଙ୍କ ବିଚିତ୍ର ଖାଦ୍ୟାଭ୍ୟାସ (କଞ୍ଚା ମାଂସ ଭକ୍ଷଣ) ଏଥିପାଇଁ ଦାୟୀ ବୋଲି ସେମାନଙ୍କ ମତ।
ଏବେ ସାରା ବିଶ୍ୱରେ ଏକମାତ୍ର ଚର୍ଚ୍ଚିତ ନାମ ହେଉଛି କରୋନା। ପ୍ରିଣ୍ଟ ମିଡିଆଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍‌ ମିଡିଆ, ସୋସିଆଲ ମିଡିଆଠାରୁ ଖଟି ସ୍ଥଳ ସବୁଠି ମୋର ଚର୍ଚ୍ଚା। ପ୍ରତି ମୁହୂର୍ତ୍ତରେ ମୋର ଅପଡେଟ୍‌। ପ୍ରକୃତରେ ମୁଁ ଭାରି ଅଳସୁଆ। ବେଶି କାମଦାମ କରିପାରେ ନାହିଁ। ସେଥିପାଇଁ ମୋ ସାଥୀ ଓ ସହୋଦର ‘ଇବୋଲା’, ‘ଫ୍ଲୁ’, ‘ଆନ୍ଥ୍ରାକ୍‌ସ’ ଓ ‘ସାରସ’ ଆଦି ମୋତେ ସବୁବେଳେ କୁହନ୍ତି କିଛି କର, କିଛି କର, କିଛି କରନା। ଏମିତି କହୁ କହୁ ଶେଷରେ ମୋ ନାମ ବି ରଖିଦେଲେ ‘କରୋନା’। ଏବେ ମୁଁ କିଛି କରିବାକୁ ବାହାରିଛି। ଆପଣମାନେ ବି ଏବେ ଜାଣିପାରୁଥିବେ ମୁଁ କ’ଣ କରିପାରୁଛି। ପ୍ରାୟ ତିନିହଜାର ମଣିଷଙ୍କୁ ମରଣମୁହଁକୁ ପଠାଇବା ସହ ଲକ୍ଷାଧିକ ଲୋକଙ୍କୁ ଆକ୍ରାନ୍ତ କରିରଖିଛି। ଯେହେତୁ ମୁଁ ପ୍ରଥମ ଥର ପାଇଁ ମଣିଷଙ୍କ ପାଖକୁ ଆସିଛି, ସେଥିପାଇଁ ମୋତେ ସଫଳ ମୁକାବିଲା କରିବାକୁ ବିଶ୍ୱବାସୀ ଅକ୍ଷମ। ସେମାନଙ୍କ ବୁଦ୍ଧି ହଜିଯାଉଛି। କୌଣସି ଉପଚାର କରିପାରୁନାହାନ୍ତି। ମୋ ନାଁ ଶୁଣିଲେ ସମସ୍ତେ ଏବେ ଭୟରେ ଥରୁଛନ୍ତି। ଆମେରିକା, ଫ୍ରାନ୍ସ ଭଳି ସମୃଦ୍ଧିଶାଳୀ ଦେଶଗୁଡିକ ବି ଚାଇନାର ଅସହାୟତାକୁ ଦେଖି ଛାନିଆ, ଏବେ ମୁଁ ଯେଉଁ ଯେଉଁ ଦେଶକୁ ଯାଉଛି, ସେହିସବୁ ଦେଶର ସରକାର ସବୁ କାମ ଛାଡି ମୋତେ କିପରି ମୁକାବିଲା କରିବେ ସେଥିପାଇଁ ଉପାୟ ଚିନ୍ତା କରୁଛନ୍ତି। ଘଡିକି ଘଡି ଉଚ୍ଚସ୍ତରୀୟ ବୈଠକ ଡାକୁଛନ୍ତି। ମାତ୍ର ଦୁଇ ସପ୍ତାହ ଭିତରେ ମୋ ଦ୍ୱାରା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସରଞ୍ଜାମ ଥିବା ଦୁଇଟି ବିଶାଳ ହସ୍ପିଟାଲ ନିର୍ମାଣ କରି ଚାଇନା ସମଗ୍ର ବିଶ୍ୱରେ ନୂତନ ରେକର୍ଡ ସୃଷ୍ଟି କରିବା ସହ ପ୍ରକାରାନ୍ତରେ ମୋର ଗୁରୁତ୍ୱ ବଢ଼ାଇ ଦେଇଛି। ଉହାନ ସହରର ଅନତିଦୂରରେ ୧୬୦୦ ଶଯ୍ୟାବିଶିଷ୍ଟ ଲେସେନ୍‌ସା ହସ୍ପିଟାଲ ଓ ୧୨୦୦ ଶଯ୍ୟାବିଶିଷ୍ଟ ହୋସେନ୍‌ସା ହସ୍ପିଟାଲ ନିର୍ମାଣ ସହ ଦେଶର ଅଧିକାଂଶ ଜିମ୍‌ ସେଣ୍ଟର, ପ୍ରଦର୍ଶନୀ ଗୃହଗୁଡିକୁ ଚାଇନା ସରକାର ସାମୟିକ ଭାବେ ହସ୍ପିଟାଲରେ ରୂପାନ୍ତରିତ କରିସାରିଛନ୍ତି। ମୋର ପ୍ରକୋପକୁ ଦେଖି ସମସ୍ତେ ଏବେ ମୋତେ ରାକ୍ଷସ ଓ ମୃତ୍ୟୁଦୂତ ବୋଲି ଡାକିଲେଣି। ସବୁ ଦେଶ ଏବେ ସେମାନଙ୍କ ସୀମା ଜଗିବାରେ ବ୍ୟସ୍ତ। ଜଳ, ସ୍ଥଳ ଓ ଆକାଶ ପଥ ସବୁଠି ଏବେ କଡ଼ା ପହରା। କିଏ ଜଣେ ଛିଙ୍କିଲେ ବା କାଶିଲେ ପାଖରେ ଠିଆ ହୋଇଥିବା ଲୋକେ ଚମକି ପଡୁଛନ୍ତି। ଉତ୍ତମ ଯୋଗାଯୋଗ ଯୋଗୁ ଯେଉଁ ବିଶ୍ୱ ଗୋଟିଏ ପରିବାର ଭଳି ପ୍ରତୀତ ହେଉଥିଲା, ତାହା ଏବେ ଭିନ୍ନ ଲାଗୁଛି। ଦେଶ ବାହାରକୁ ଯିବା ତ ଦୂରର କଥା, ଘର ବାହାରକୁ ବି ଆଉ କେହି ବାହାରୁ ନାହାନ୍ତି। ଜାତି, ଧର୍ମ, ବର୍ଣ୍ଣ, ବୟସ, ଅର୍ଥ ଓ କ୍ଷମତା ନିର୍ବିଶେଷରେ ଏବେ ସମସ୍ତେ ମୋ ଭୟରେ କମ୍ପୁଛନ୍ତି। ସମସ୍ତଙ୍କ ମୁହଁରେ ତୁଣ୍ଡି ଅର୍ଥାତ୍‌ ମାସ୍କ। ସ୍କୁଲ, କଲେଜ, ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା। ଅଧିକ ଜନସମାଗମସ୍ଥଳକୁ ନ ଯିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କଲେଣି। ମୋ ଲାଗି ବିଶ୍ୱର ଅନ୍ୟତମ ମହାଶକ୍ତି ଚାଇନାର ପ୍ରଗତିର ଗତି ଏବେ ଧିମା ହେଲାଣି। ଏହାର ଉତ୍ପାଦନ ବାଧାପ୍ରାପ୍ତ ହେବା ଯୋଗୁ ଅର୍ଥନୀତିକୁ ଏହା ମାନ୍ଦାବସ୍ଥାକୁ ଟାଣିନେବ। ଚାଇନା ପରେ ପରେ ଆମେରିକା, ଇରାନ, ଫ୍ରାନ୍ସ, ଇଟାଲି, ସୌଦି ଭଳି ସମୃଦ୍ଧିଶାଳୀ ରାଷ୍ଟ୍ରମାନେ ମୋ ପାଇଁ ଚାଇନା ଅବସ୍ଥା ଭୋଗିବାକୁ ବସିଲେଣି। ଚଳିତବର୍ଷ ବିଶ୍ୱ ଅର୍ଥନୀତିର ବିକାଶ ହାର ୨.୮% କମିଯିବ ଓ ଏଥିପାଇଁ ମୁଁ କୁଆଡେ ସମ୍ପୂର୍ଣ୍ଣ ଦାୟୀ ବୋଲି ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ମତ ରଖିଲେଣି। ଯଦି ସେମାନଙ୍କ ଆକଳନ ସତ୍ୟ ହୁଏ, ତେବେ ବିଶ୍ୱ ବଜାର ୧.୧ ଟ୍ରିଲିୟନ ଡଲାର କ୍ଷତି ସହିବ।
ଯଦି ମୋର ସଫଳ ପ୍ରତିରୋଧ କରା ନ ଯାଏ, ତେବେ ବିଶ୍ୱ ଜନସଂଖ୍ୟା ହ୍ରାସ କରିବା ପାଇଁ ଆଉ ତୃତୀୟ ବିଶ୍ୱଯୁଦ୍ଧ ଆବଶ୍ୟକ ପଡିବନାହିଁ ବୋଲି ଆଉ କିଛି ବିଶେଷଜ୍ଞ ଭବିଷ୍ୟବାଣୀ କଲେଣି। ଲୋକେ ମୋ ଭୟରେ ବାହାରକୁ ବାହାରୁ ନାହାନ୍ତି। ବଜାରରେ କିଣାବିକା କମି କମି ଆସୁଛି। ଗମନାଗମନ ଠପ୍‌। ପର୍ଯ୍ୟଟନ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ। ଶିଳ୍ପସଂସ୍ଥାଗୁଡିକରେ ତାଲା ଝୁଲିଲାଣି। ଶ୍ରମିକମାନେ କାମ କରିବାକୁ ଆସୁ ନ ଥିବାରୁ ଉତ୍ପାଦନ ହ୍ରାସ ପାଉଛି। ବଡ଼ ବଡ଼ ଶିଳ୍ପସଂସ୍ଥା କ୍ଷତିଭରଣା ପାଇଁ କର୍ମଚାରୀ ଛଟେଇ ଆରମ୍ଭ କଲେଣି। ଆମଦାନି ସହ ରପ୍ତାନି ବି ବାଧାପ୍ରାପ୍ତ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, କପଡା, ଅଟୋମୋବାଇଲ୍ସ, ମୋବାଇଲ ଫୋନ୍‌, ସଫ୍ଟଓ୍ବେର, ଫାର୍ମାସ୍ୟୁଟିକାଲ୍‌ସ, ଫ୍ୟାଶନ ଶିଳ୍ପ ଆଦି ପ୍ରତିଟି କ୍ଷେତ୍ର ଏବେ ମୋ ପାଇଁ ଘୋର ସଙ୍କଟର ସମ୍ମୁଖୀନ। ୨୦୦୮ ବିଶ୍ୱସ୍ତରୀୟ ଆର୍ଥିକ ମାନ୍ଦାବସ୍ଥା ପରେ ୨୦୨୦ରେ ଏହା ଆଉ ଏକ ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ଅର୍ଥ ବିଶାରଦମାନେ ଘୋଷଣା କରିସାରିଲେଣି। ମୋ ପାଇଁ କେବଳ ଆର୍ଥିକ ମାନ୍ଦାବସ୍ଥା ନୁହେଁ, ସ୍ବାସ୍ଥ୍ୟ ସଙ୍କଟ ବି ସୃଷ୍ଟି ହୋଇସାରିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜରୁରୀ ଅବସ୍ଥା ଘୋଷଣା ଏହାର ପ୍ରମାଣ। ଏହା ଅଧୀନରେ ଥିବା ୧୯୫ଟି ଦେଶ ମଧ୍ୟରୁ ଇତିମଧ୍ୟରେ ୯୦ ଦେଶରେ ମୁଁ ଉପସ୍ଥିତ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଚିନ୍ତିତ ହୋଇପଡିଛି।
ମୋ ଯୋଗୁ ଅଧିକ ମୃତ୍ୟୁ ହେଉ ନ ଥିଲେ ବି ମୋର ଅଧିକ ସଂକ୍ରମଣ ପ୍ରବଣତାକୁ ନେଇ ସର୍ବତ୍ର କୋକୁଆ ଭୟ ସୃଷ୍ଟି ହେଉଛି। ଯେହେତୁ ମୋଠାରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ମେଡିସିନ ପ୍ରସ୍ତୁତ ହୋଇପାରିନାହିଁ, ତେଣୁ ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଆପଣେଇନେଲେ ଭଲ। ମୁଁ ବି ଚାହେଁନି, ମୋ ଲାଗି କାହାର ପ୍ରାଣହାନି ହେଉ। ତେଣୁ ଟିକେ ସାବଧାନତା ଅନୁସରଣ କଲେ ମୋ ସହ ଆପଣଙ୍କର ଭେଟ ହୋଇ ନ ପାରେ। ବାହାରକୁ ବାହାରିବା ବେଳେ ଉନ୍ନତମାନର ମାସ୍କ ମୁହଁରେ ଲଗାନ୍ତୁ। ସର୍ବସାଧାରଣରେ ବ୍ୟବହୃତ ବସ୍ତୁକୁ ସ୍ପର୍ଶ କରନ୍ତୁ ନାହିଁ ଓ ଦିନକୁ ଅତି କମ୍‌ରେ ଚାରିପାଞ୍ଚଥର ସାବୁନ ବା ଅନ୍ୟ କୌଣସି ସଂକ୍ରମଣ ପ୍ରତିରୋଧକାରୀ ଜେଲ୍‌ରେ ହାତ ଧୁଅନ୍ତୁ। ନିଜ ଲୁଗାପଟାକୁ ଭଲକରି ଖରାରେ ଶୁଖାନ୍ତୁ। ଉତ୍ତପ୍ତ ଜଳବାୟୁରେ ମୁଁ ରହିପାରେ ନାହିଁ। ଥଣ୍ଡା ପରିବେଶ ଓ ଥଣ୍ଡା ବସ୍ତୁ ମୋର ଭାରି ପ୍ରିୟ। ତେଣୁ ଆପଣମାନେ ଉଷୁମ ପାଣି ପିଅନ୍ତୁ ଓ ଅପେକ୍ଷାକୃତ ଉଷ୍ଣ ବାତାବରଣରେ ରୁହନ୍ତୁ। ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ। ପଶୁପକ୍ଷୀଙ୍କ ମାଂସ ଭଲ କରି ରାନ୍ଧି ଖାଆନ୍ତୁ। ଚାଇନାବାସୀଙ୍କ ଭଳି କଞ୍ଚା ବା ଦରସିଝା ମାଂସ ଖାଆନ୍ତୁ ନାହିଁ। ଉଷୁମ ପାଣିରେ ଲୁଣ ପକାଇ ଦୁଇ ତିନିଥର କୁଳି କରି ତଣ୍ଟି ଓ ଗଳାକୁ ସଂକ୍ରମଣମୁକ୍ତ ରଖନ୍ତୁ। ଛିଙ୍କିଲା ବେଳେ ବା କାଶିଲା ବେଳେ ମୁହଁରେ ରୁମାଲ ରଖନ୍ତୁ ଓ ଏଭଳି ଲୋକଙ୍କଠାରୁ ଚାରି ପାଞ୍ଚଫୁଟ୍‌ ଦୂରରେ ରୁହନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜ ଶରୀରରେ ପ୍ରତିରୋଧକ ଶକ୍ତି ବଢାନ୍ତୁ। ସୁଷମ ଖାଦ୍ୟ ଓ ଭିଟାମିନ ସି ଖାଇ ସୁସ୍ଥ ରୁହନ୍ତୁ। ଛୋଟ ପିଲା, ରୋଗୀ, ବୁଢୀ-ବୁଢା ଓ ଶାରୀରିକ ଅସୁସ୍ଥ ଲୋକ ମୋର ଅତି ପ୍ରିୟ। ତେଣୁ ସେମାନଙ୍କୁ ଟିକେ ଅଧିକ ଯତ୍ନରେ ରଖନ୍ତୁ।
ଆପଣମାନଙ୍କୁ ମୋର ଶେଷ କଥା। ଚାଇନା ଜିନିଷ ପ୍ରତି ସବୁ ଦେଶର ଲୋକଙ୍କ ଆକର୍ଷଣ ସାଧାରଣତଃ ଅଧିକ ଥାଏ। କାରଣ ଏହା ଶସ୍ତା, ସୁନ୍ଦର, ଆକର୍ଷଣୀୟ ଓ ସହଜ ବ୍ୟବହାର ଶୈଳୀ ସମ୍ପନ୍ନ ହୋଇଥାଏ। ଯେହେତୁ ମୁଁ ବି ମେଡ ଇନ୍‌ ଚାଇନା ଅର୍ଥାତ୍‌ ଚାଇନାରୁ ସୃଷ୍ଟ, ସେଥିପାଇଁ ମୋର ବୋଧହୁଏ ବିଶ୍ୱ ବଜାରରେ ଅଧିକ ଚାହିଦା ବଢିଯାଇଛି। ଏ ଚାହିଦା ଭଲ ପାଇବାର ନୁହେଁ, ଭୟ, ଘୃଣା ଓ ଆତଙ୍କର। ତେଣୁ ଆପଣଙ୍କୁ ଅନୁରୋଧ ମୋଠାରୁ ଦୂରେଇ ରୁହନ୍ତୁ। ସୁସ୍ଥ ରୁହନ୍ତୁ।
ଇମେଲ-Prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri