ମହାମାରୀର ମହାଗାଥା ଓ ମହାମନ୍ତ୍ର

ଅରୁଣ କୁମାର ପଣ୍ଡା

କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯାଇଛି। କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଏଭଳି କଡ଼ା ପଦକ୍ଷେପ ନେଉଛନ୍ତି ଏବଂ ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକାନ୍ତ ଆବଶ୍ୟକ। ଏପର୍ଯ୍ୟନ୍ତ କରୋନାର କୌଣସି ଭାକ୍‌ସିନ୍‌ କିମ୍ବା ଔଷଧ ଆବିଷ୍କାର ହୋଇ ନ ଥିବାରୁ ଏକାନ୍ତ ବାସ ବା ସଙ୍ଗରୋଧ ତଥା ସାମାଜିକ ଦୂରତା ଏହାର ଏକମାତ୍ର ପ୍ରତିଷେଧକ ବୋଲି କୁହାଯାଉଛି। ଗଣମାଧ୍ୟମଗୁଡ଼ିକରେ ଲୋକେ ଘରୁ ନ ବାହାରିବା ପାଇଁ ବ୍ୟାପକ ଭାବରେ ବାରମ୍ବାର ପ୍ରଚାର କରୁଛନ୍ତି। ସ୍ବେଚ୍ଛାକୃତ ଭାବେ ସରକାରଙ୍କ ଅନୁରୋଧକୁ ନ ମାନୁଥିବା ଲୋକଙ୍କ ପାଇଁ ଏବେ ଏସବୁ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ପୋଲିସ ଓ ପ୍ରଶାସନର ସହାୟତା ନିଆଯାଉଛି। ନିଜାମୁଦ୍ଦିନ ମରକଜ ସମାବେଶକୁ ଦେଶର ବିଭିନ୍ନ ପ୍ରଦେଶରୁ ଏବଂ ବିଦେଶରୁ ଆସିଥିବା ମୌଲବୀ ତଥା ପ୍ରତିନିଧିମାନେ ସମଗ୍ର ଦେଶରେ ବିଛାଇ ହୋଇଯାଇଥିବା କାରଣରୁ ସଂକ୍ରମଣ ବଢ଼ିବା କଥା ତଥ୍ୟଗତ ଭାବେ ପ୍ରମାଣିତ ହେଲାଣି। ଆକ୍ରାନ୍ତ ଅଞ୍ଚଳରୁ ଏବଂ ବିଦେଶରୁ ଆସିଥିବା ବ୍ୟକ୍ତି ଓ ଶ୍ରମିକମାନଙ୍କୁ ପଞ୍ଜୀକୃତ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକୁ ପଠାଯାଉଛି। ଯେଉଁ କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଶକ୍ତିଶାଳୀ ଆମେରିକା ଏବଂ ୟୁରୋପର ଅନେକ ରାଷ୍ଟ୍ର ବିଫଳ ହୋଇଥିବା ବେଳେ ଆନୁପାତିକତା ଦୃଷ୍ଟିରୁ ଏହାର ସଂକ୍ରମଣ ଭାରତରେ ଅପେକ୍ଷାକୃତ କମ୍‌, କାରଣ ହେଲା ଆମ ସରକାରମାନଙ୍କ କଠୋର ପଦକ୍ଷେପ। ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କରୋନା ଯୋଧ୍ୟାମାନେ ଧନ୍ୟବାଦର ପାତ୍ର।
ବିଶ୍ୱ ଇତିହାସରେ କରୋନାଠାରୁ ଅଧିକ ଭୟଙ୍କର ମହାମାରୀ ସମ୍ପର୍କରେ ଉଲ୍ଲେଖ ରହିଛି। ଚତୁର୍ଦ୍ଦଶ ଶତାବ୍ଦୀରେ ପ୍ଲେଗ୍‌ ମହାମାରୀରେ ୟୁରୋପର ସତୁରି ପ୍ରତିଶତ ଲୋକ ପ୍ରାଣ ହରାଇଥିଲେ। ସେହିଭଳି ୧୮୧୫ ମସିହାରେ ଭାରତର ବଙ୍ଗ ଓ ବମ୍ବେ ପ୍ରଦେଶର ହଜାର ହଜାର ନାଗରିକ ପ୍ଲେଗ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହାର ଅନେକ ବର୍ଷ ପରେ ଅର୍ଥାତ୍‌ ୧୯୯୪ ସେପ୍ଟେମ୍ବରରେ ଗୁଜରାଟର ସୁରଟ୍‌ ନଗରୀରେ ପ୍ଲେଗ୍‌ ମହାମାରୀରେ ହଜାର ହଜାର ଲୋକ ପୋକମାଛି ପରି ମଲେ। ସେଠାରେ ସୂତାକଳରେ ଶ୍ରମିକ ଭାବରେ କାମ କରୁଥିବା ଓଡ଼ିଆ, ବଙ୍ଗାଳୀ, ବିହାରୀ ଶ୍ରମଜୀବୀମାନେ ଭୟରେ ନିଜ ନିଜ ରାଜ୍ୟକୁ ପଳାୟନ କରିବା ପରେ ସେଠାରେ ମଧ୍ୟ ପ୍ଲେଗ୍‌ ବ୍ୟାପିଲା। ସେତେବେଳେ ଭାରତରୁ ୟୁରୋପକୁ ଯାଉଥିବା ଯାତ୍ରୀବାହୀ ବିମାନଗୁଡ଼ିକୁ ପ୍ଲେଗ୍‌ ପ୍ଲେନ୍‌ କୁହାଯାଉଥିଲା।
୧୮୭୬ ଏବଂ ୧୮୯୮ରେ ପ୍ଲେଗ୍‌ ପୁଣି ଦେଶରେ ତା’ର କାୟା ବିସ୍ତାର କଲା। ଏହା ୨୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଜୀବନ ନାଶ କରୁଥିଲା। ପ୍ରଥମେ ଗୁଜରାଟ ଏବଂ ପରେ ବଙ୍ଗ ଓ ମହାରାଷ୍ଟ୍ର ଏହି ସଂକ୍ରମଣର ଶିକାର ହେଲା। ଅବଶ୍ୟ ଶୀଘ୍ର ପ୍ଲେଗ୍‌ ନିୟନ୍ତ୍ରଣ ପାଇଁ ଟିକା ଓ ଆଣ୍ଟିବାୟୋଟିକ୍‌ର ଆବିଷ୍କାର ହେଲା। ୧୯୪୦ରେ ଯେତେବେଳେ ଦେଶରେ ସ୍ବାଧୀନତା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା, କଲେରାର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାକୁ ଲାଗିଲା। ସେତେବେଳେ ଦୁଇ ଦୁଇଟି ସଂଗ୍ରାମ ଚାଲିଲା, ଗୋଟିଏ ଇଂରେଜ ଶାସନ ବିରୋଧରେ ଏବଂ ଅନ୍ୟଟି ହଇଜା ବିରୋଧରେ। ଅସ୍ବଚ୍ଛ ବା ଅପରିଷ୍କାର ଜଳ ପିଇବା କାରଣରୁ ଏହି ରୋଗ ବ୍ୟାପିଥିଲା। ତେଣୁ ହଇଜା ପୀଡ଼ିତ ଅଞ୍ଚଳରେ ପୁଷ୍କରିଣୀ ପାଣିରେ କ୍ଲୋରିନ୍‌ ପକାଇ ଏହାର ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ କରାଗଲା। ହଇଜା ଆକ୍ରାନ୍ତ ପ୍ରାୟତଃ କ୍ରମାଗତ ଝାଡ଼ା ବାନ୍ତିର ଶିକାର ହୁଅନ୍ତି। ବାରମ୍ବାର ଝାଡ଼ାବାନ୍ତି କାରଣରୁ ଶରୀରରେ ଥିବା ପାଣି ବାହାରି ଆସେ। ଏହାର ସିଧା ପ୍ରଭାବ ବ୍ଲଡ୍‌ପ୍ରେସର ଉପରେ ପଡ଼େ। ବ୍ଲଡ୍‌ ପ୍ରେସର ଲୋ’ ହୋଇଯାଏ ଏବଂ ସମୟାନୁସାରେ ଚିକିତ୍ସା ନ ହେଲେ ରୋଗୀର ମୃତ୍ୟୁ ହୁଏ। କୁହାଯାଏ ୧୯୭୫ରେ ବଙ୍ଗୋପସାଗରର ତଟବର୍ତ୍ତୀ ଅଞ୍ଚଳରେ ପୁଣି ଥରେ ହଇଜା ତା’ର ପ୍ରକୋପ ଦେଖାଇବା ଆରମ୍ଭ କରିଥିଲା। ୧୯୯୦ରେ ହଇଜା ପ୍ରତିଷେଧକ ଟିକା ଆବିଷ୍କାର ହେବା ପରେ ସମଗ୍ର ବିଶ୍ୱରେ ଏବେ ହଇଜାର ପ୍ରଭାବ ନାହିଁ କହିଲେ ଚଳେ। ଗତ ଚାରି ଦଶକ ଧରି କ୍ଷୁଦ୍ର ଏବଂ ବିକାଶଶୀଳ ଦେଶମାନଙ୍କରେ ଏହାର ବ୍ୟାପକତା ଦେଖିବାକୁ ମିଳୁଥିଲା।
ହଇଜା ବ୍ୟତୀତ ବସନ୍ତ ଓ ମିଳିମିଳା ପରି ସଂକ୍ରାମକ ରୋଗ ଉପରେ ମଧ୍ୟ ଏବେ ନିୟନ୍ତ୍ରଣ ହାସଲ କରାଯାଇପାରିଛି। ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ବସନ୍ତ ମହାମାରୀରେ ପାଖାପାଖି ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟରୁ ଜଣାପଡ଼େ। ସ୍ଲଲ୍‌ ପକ୍ସ ଓ ଚିକନ୍‌ ପକ୍ସ ନାମରେ ପରିଚିତ ଏହି ରୋଗ ୧୯୬୦ ଦଶକରେ ଭାରତରେ ମହାମାରୀର ରୂପ ନେଇଥିଲା। ଏଥିରେ ଅନେକଙ୍କର ପ୍ରାଣହାନି ହୋଇଥିଲା।
ଶତାଧିକ ବର୍ଷ ପୂର୍ବରୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପୃଥିବୀର ପ୍ରାୟ ଦୁଇ କୋଟି ଲୋକ ମୃତ୍ୟୁବରଣ କରିଥିଲେ। ଏହି ଯୁଦ୍ଧ ଆତଙ୍କକୁ ଦୁନିଆ ଭୁଲି ନ ଥିବା ବେଳେ ଆଉ ଏକ ଭୟାନକ ସଙ୍କଟ ଫ୍ଲୁ ପ୍ରକୋପରେ ବିଶ୍ୱ ଥରିଲା। ସ୍ପେନିଶ୍‌ ଫ୍ଲୁ ନାମରେ ପରିଚିତ ଏହି ମହାମାରୀ ସୈନ୍ୟ ପ୍ରଶିକ୍ଷଣ ଶିବିରରୁ ତା’ର ଯାତ୍ରା ଆରମ୍ଭ କରିଥିଲା। ଅପରିଷ୍କାର ପରିବେଶ ହିଁ ଥିଲା ଏହାର ଅନିୟନ୍ତ୍ରିତ ବୃଦ୍ଧିର କାରଣ। ୧ ନଭେମ୍ବର ୧୯୧୮ରେ ଯୁଦ୍ଧ ସମାପ୍ତ ହେଲା। ସେଠାରୁ ନିଜ ନିଜ ଦେଶକୁ ଫେରୁଥିବା ସୈନିକମାନଙ୍କ ଦ୍ୱାରା ଏହି ରୋଗ ବ୍ୟାପିଲା। କୁହାଯାଏ ଫ୍ଲୁ ମହାମାରୀ ବିଶ୍ୱର ୫ କୋଟି ଲୋକଙ୍କ ଜୀବନ ନେଲା। କେବଳ ସାମାଜିକ ଦୂରତା ଏବଂ ସଚେତନତା ଦ୍ୱାରା ହିଁ ଏହି ମହାମାରୀକୁ ନିୟନ୍ତ୍ରିତ କରାଯାଇ ପାରିଥିଲା। ବିଶ୍ୱଯୁଦ୍ଧ ବିଜୟ ଉଲ୍ଲସିତ ଫିଲା ଡେଲ୍‌ଫିଆ ଓ ପେନ୍‌ସିଲ୍‌ଭାନିୟାରେ ଏହି ରୋଗରେ ଦଶ ହଜାର ଲୋକ ମରିଥିବା ବେଳେ ସେଣ୍ଟଲୁଇ ଓ ଆମେରିକାରେ ମାତ୍ର ୭ ଶହ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହାର ମୂଳ କାରଣ ସେଣ୍ଟଲୁଇ ଓ ଆମେରିକା ଲିବର୍ଟି ଗ୍ରାଣ୍ଡ୍‌ ପରେଡ୍‌ ସମାରୋହକୁ ବାତିଲ କରିଥିଲା ବେଳେ ଅନ୍ୟ ଦୁଇଟି ଦେଶ ଲକ୍ଷାଧିକ ଲୋକଙ୍କ ସମାବେଶରେ ଏହାକୁ ମହାସମାରୋହରେ ପାଳନ କରିଥିଲା।
ଏବେ ଭାରତ ଏବଂ ଓଡ଼ିଶା ପରି ଅନ୍ୟ ପ୍ରଦେଶମାନେ ସାମାଜିକ ଦୂରତା କଠୋର ଭାବେ ପାଳନ କରୁଥିବା ବେଳେ ତବଲିଗୀ ଜମାତର ଏକଚ୍ଛତ୍ରବାଦୀ ମୁଖ୍ୟ ମୌଲାନା ମହମ୍ମଦ ସାଦ୍‌ କାନ୍ଧଲାନୀ ଏବଂ ତାଙ୍କର ସୁନ୍ନି ସମ୍ପ୍ରଦାୟ ଅନୁଗାମୀମାନେ କେଉଁ କାରଣରୁ ଜାଣିଶୁଣି କରୋନା-ବାହକ ସାଜିଛନ୍ତି ତାହା ଜଣାପଡୁ ନାହିଁ। ଜଣାପଡ଼ିଲେ ବି ସାମ୍ପ୍ରଦାୟିକ ସଦ୍‌ଭାବ ନାଁରେ ମୁହଁ ବନ୍ଦ କରିବାକୁ ପଡୁଛି। ପରନ୍ତୁ ଜ୍ଞାତସାରରେ କରୋନା ମହାମାରୀ ପ୍ରସାରଣରେ ଯେଉଁମାନେ ଭାଗୀ ହେବେ ସେମାନଙ୍କୁ ଏକ ପ୍ରକାର ଦେଶଦ୍ରୋହୀ କହିବାରେ ସଂକୋଚ କରିବା ଉଚିତ ନୁହେଁ। କରୋନା ଯୋଦ୍ଧା ଡାକ୍ତର, ନର୍ସ, ପୋଲିସଙ୍କ ଉପରେ ବାରମ୍ବାର ଆକ୍ରମଣ, ଅଶୋଭନୀୟ ଏବଂ ଅଶ୍ଳୀଳ ଆଚରଣ, ଜାଣିଶୁଣି ଥୁକିବା ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଏସବୁ ଆତ୍ମଘାତୀ ବୋମା ବିସ୍ଫୋରଣଠାରୁ କୌଣସି ଗୁଣରେ କମ୍‌ ନୁହେଁ। ସରକାର ଏବଂ ଜନସାଧାରଣ ଏ ଦିଗ ପ୍ରତି କଠୋରତମ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ।
କରୋନା ମହାମାରୀ କାରଣରୁ ଆଗାମୀ ଦିନରେ ବିଶ୍ୱର ୫୦ କୋଟି ଲୋକ ଅତି ଗରିବ ହୋଇଯିବେ ବୋଲି ମିଳିତ ଜାତିସଂଘ ଆଗୁଆ ସତର୍କବାଣୀ ଶୁଣାଇଲାଣି। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସମଗ୍ର ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହେବା ଅବସ୍ଥାକୁ ଆସିଗଲାଣି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନତା ବିଶେଷକରି ଦିନମଜୁରିଆ, କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଚାଷୀ, ସ୍ବଳ୍ପ ଆୟକାରୀ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଭବିଷ୍ୟତ କେବଳ ଅନ୍ଧାର ହିଁ ଅନ୍ଧାର। ବଡ଼ ବଡ଼ ବିପର୍ଯ୍ୟୟ ପରେ ମଧ୍ୟ ଦେଶ ଛିଡ଼ା ହୋଇଛି। ନଅଙ୍କ ଦୁର୍ଭିକ୍ଷ ପରି ପ୍ରକୃତିର କରାଳ ଗ୍ରାସରେ ବିନଷ୍ଟ ହୋଇଯାଇଥିବା ଓଡ଼ିଶା ପୁଣିଥରେ ଛିଡ଼ା ହୋଇ ଆଗକୁ ବଢ଼ିଛି। ପ୍ରଖର ଆତ୍ମବିଶ୍ୱାସ, ଦୃଢ଼ ସଂକଳ୍ପ ଓ ଗଭୀର ରାଷ୍ଟ୍ରଭକ୍ତିର ଭାବୋଚ୍ଛ୍ବାସରେ ସମଗ୍ର ଜାତିକୁ ଜାଗତ୍ର ହେବାର ବେଳ ଉପନୀତ। ତେଣୁ ନୈରାଶ୍ୟ ତ୍ୟାଗ କରି ଉଠ, ଜାଗ, ଗତିଶୀଳ ହୁଅ।
ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର,
୧୩୪୮/୪ସି, ସେକ୍ଟର-୬
ମର୍କତନଗର (ସିଡିଏ), କଟକ
ମୋ: ୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?